ନ୍ୟୁଜ୍

ନାବାଳିକାକୁ ବିବାହ କରିଥିବା ନିର୍ଯାତନାକାରୀ ସ୍ବାମୀ ଗିରଫ

Email :2

ବଲାଙ୍ଗୀର : ବହୁବାର ଥାନାରେ ଏତଲା ଓ ଅଭିଯୋଗ ପରେ ପ୍ରଭାବଶାଳୀ ରାଜନେତାଙ୍କ ଚାପ ଯୋଗୁଁ ଖସିଯାଉଥିବା କିଛିବର୍ଷ ପୂର୍ବେ ଜଣେ ନାବାଳିକାକୁ ତା’ ଘରଲୋକଙ୍କୁ ଟଙ୍କାଦେଇ କିଣିନେଇ ନାବାଳିକାଟିର ଇଚ୍ଛା ବିରୁଦ୍ଧରେ ଠକିକରି ବାହା ହୋଇ ନିର୍ଯାତନା ଦେଉଥିବା ଜଣେ ଅଭିଯୁକ୍ତଙ୍କୁ ଶେଷରେ ପୁଲିସ ଗିରଫ କରିଥିବା ପ୍ରକାଶ ।

ଅଭିଯୋଗରୁ ପ୍ରକାଶ ଯେ , ବଲାଙ୍ଗୀର ସହରର ଜଣେ ଗରିବ ଓଡିଆ ନାବାଳିକାକୁ ଧର୍ମଗଡର ଜଣେ ମଧ୍ୟବୟସ୍କ ମାରୁଆଡି ବ୍ୟବସାୟୀ ତାଙ୍କ ୮୦ ହଜାର ଟଙ୍କାରେ କିଣିନେଇ ଝିଅର ଘରଲୋକଙ୍କୁ ଫୁସୁଲାଇ ହରିଶଙ୍କରକୁ ବୁଲିବାକୁ କହି ନେଇଯାଇ ସେଠାରେ ଧମକଚମକ ଦେଇ ଯୋରଜବରଦସ୍ତି ମନ୍ଦିରରେ ଚଟ୍ ମଙ୍ଗନୀ ପଟ୍ ଶାଦୀ ବାହାକରାଇ ନେଇଯାଇଥିଲେ । କଳାହାଣ୍ଡି ଜିଲ୍ଲାର ଧର୍ମଗଡର ଉକ୍ତ ଅଭିଯୁକ୍ତ ଅନୁପ ଅଗ୍ରବାଲ ଟିଟିଲାଗଡର ଜଣେ ଧନୀ ବ୍ୟବସାୟୀ ନବୀନ ଜୈନଙ୍କ ଶାଳକ ଅଟନ୍ତି ଓ ଏଥିପାଇଁ ସେ ଟଙ୍କାଦେଇ ସହାୟତା କରିଥିବା ଅଭିଯୋଗ ହୋଇଥିଲା । ଉଲ୍ଲେଖଯୋଗ୍ଯ ଯେ , ସଂପ୍ରତି ନବୀନ ଜୈନ ଟିଟିଲାଗଡର ଶାସକଦଳର ବିଧାୟକ ଓ ତାଙ୍କ ପତ୍ନୀ ଟିଟିଲାଗଡ ପୌରାଧ୍ୟକ୍ଷା ଅଛନ୍ତି । ଏଣୁ ଅଭିଯୁକ୍ତ ସେମାନଙ୍କ ନାଁ’ଧରି ବରାବର ଚାପ ପକାଇ ଆସୁଥିବା ଏବଂ ଶାସକଦଳର ସାଂସଦ ବନାମ ସାଂସଦଙ୍କ ବଲାଙ୍ଗୀର ନୋମିନୀ ଦୀନେଶ ଶର୍ମାଙ୍କ ନାମ ଏତଲାରେ ଉଲ୍ଲେଖ କରିଥିଲେ । କିନ୍ତୁ ପୁଲିସ ଅଭିଯୁକ୍ତଙ୍କ ତାଲିକାରୁ ଦୀନେଶ ଜୈନଙ୍କ ନାଁ’ କାଟିଦେଇଥିଲେ !

ତେବେ ଅନୁପଙ୍କ ବିରୋଧରେ ଏକ କନ୍ୟାସନ୍ତାନର ମାଆ ହେବା ପରେ ବି ଉକ୍ତ ନାବାଳିକା ଜଣକ ନିର୍ଯାତନାର ଶିକାର ହୋଇ ବିଭିନ୍ନ ସମୟରେ ଧର୍ମଗଡ ଥାନା ଓ ବଲାଙ୍ଗୀର ଟାଉନଥାନାରେ ବାରମ୍ବାର ଏତଲା ଦେଇ ଅଭିଯୋଗ କରିଆସୁଥିଲେ । ଶେଷରେ ଗତବର୍ଷ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୁଲିସ ଏକ ମାମଲା ଋଜୁ କରି ଅଭିଯୁକ୍ତ ମାନଙ୍କୁ ଥାନାରୁ ଛାଡିଦେଇଥିଲା ଓ ମୁଖ୍ଯଅଭିଯୁକ୍ତ ଅନୁପ ଅଗ୍ରବାଲ ଫେରାର୍ ରହିଥିଲେ । ଏ ସମ୍ପର୍କରେ ଉକ୍ତ ପୀଡିତା ବାରମ୍ବାର ଥାନା ଓ ପୁଲିସର ସହାୟତା ନିମନ୍ତେ ଏହି ମାମଲାର ତଦନ୍ତ କରୁଥିବା ବରିଷ୍ଠ ପୁଲିସ ଅଧିକାରୀଙ୍କ ପାଖକୁ ଦୌଡି ଦୌଡି ନିରାଶ ହୋଇପଡିଥିଲେ । ଓଲଟି ତଦନ୍ତକାରୀ ପୁଲିସ ଅଧିକାରୀମାନେ ତାଙ୍କୁ ଅପମାନିତ କରି ଭର୍ତ୍ସନା କରୁଥିବା ଓ ନାନାଦି ଆଳ ଦେଖାଇ ହଇରାଣ କରି ଆସୁଥିବା ସେ ଅଭିଯୋଗ କରିଥିଲେ । ଶେଷରେ ପୀଡିତା ବର୍ତ୍ତମାନର ଏସ୍ ପି ଅଭିଳାଷ ଜିଙ୍କୁ ଭେଟି କିଛିଦିନ ତଳେ ଗୁହାରୀ କରିବାରୁ ଏସ୍ ପିଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗୀର ପୁଲିସ ଫେରାର୍ ଅଭିଯୁକ୍ତ ଅନୁପ ଅଗ୍ରବାଲକୁ ତାମିଲନାଡୁରୁ ଗିରଫ କରି ଆଣି କୋର୍ଟ ଫରୁଆଡ୍ କରିଛନ୍ତି ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍ ପି ପ୍ରତିଶ୍ରୁତି ଦେଇଥିବା ତାଙ୍କ ସୂତ୍ରରୁ ପ୍ରକାଶ । ଏଣୁ ପୀଡିତାଙ୍କ ପକ୍ଷରୁ ଏସ୍ ପିଙ୍କ କାର୍ଯ୍ୟାନୁଷ୍ଠାନ ନିମନ୍ତେ କୃତଜ୍ଞତା ପ୍ରକାଶ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Post