‘ଅନ୍ନଦାତା ‘ଦେଉଛନ୍ତି ଅଗ୍ରୀମ ଦାଦନବଇନା ?
ଏଥର ବେଫିକରରେ ଦାଦନଚାଲାଣ !
ବଲାଙ୍ଗୀର : ପଶ୍ଚିମଓଡିଶାର ଗଣପର୍ବ ନୂଆଖାଇକୁ ଆଉ ମାତ୍ର ୨ ଦିନ ଥିଲାବେଳେ , ପୁଳା ପୁଳା ନିର୍ବାଚନୀ ଇସ୍ତାହାରର ଯୋଜନା ଓ ପ୍ରତିଶୃତିର ପାହାଡ ଦେଖାଇଥିବା ଡବଲଇଞ୍ଜିନ୍ ବନାମ ନୂତନ ମୋହନ ସରକାର ପଶ୍ଚିମଓଡିଶାବାସୀଙ୍କ ପାଇଁ ନାବାନ୍ନ ଉପଲକ୍ଷେ କୌଣସି ଉପହାର ବା ସ୍ବତନ୍ତ୍ରଯୋଜନାର ଘୋଷଣା କରିନାହାଁନ୍ତି ! ଅନ୍ୟପକ୍ଷରେ ବଲାଙ୍ଗୀର ଜିଲ୍ଲାର ଦାଦନଗଡ ଭାବରେ ଅପଖ୍ୟାତ କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଥିବା ‘ଜାଏଣ୍ଟ୍ କିଲର୍’ ତାଙ୍କଦଳର ବିଧାୟକ ଲକ୍ଷ୍ମଣ ବାଗ ( ଯିଏ କି ଜଣେ ଦାଦନ ସର୍ଦ୍ଦାର ଓ ଲୋକଙ୍କୁ କାମଧନ୍ଦା ମିଳୁ ନଥିବାରୁ ଦାଦନଶ୍ରମିକ ଭାବେ ପଳାଉଥିବା ନିମନ୍ତେ ଆଦୌ କୌଣସି ଅନୁତାପ ନକରି ବରଂ ସେ ଏଥିପାଇଁ ନିଜକୁ ଦାଦନଶ୍ରମିକଙ୍କର ‘ ଅନ୍ନଦାତା ‘ କହନ୍ତି ! ) ତାଙ୍କ ମାଧ୍ୟମରେ ଚଳିତବର୍ଷର ଦାଦନଶ୍ରମିକଙ୍କ ପାଇଁ ଅଗ୍ରୀମ ବଇନା ବଢାଇଦେଇଛନ୍ତି କି ବୋଲି ବୁଦ୍ଧିଜୀବୀମାନେ କଟାକ୍ଷ କରିଛନ୍ତି ।
କାରଣ ଏବେ କଣ୍ଟାବାଞ୍ଜି ସମେତ ବେଲପଡା , ଟିଟିଲାଗଡ , କପସିପାଲି , ଟିକ୍ରାପଡା , ମଣ୍ଡଳ , ମୁରିବାହାଲ ଓ ଅନ୍ୟାନ୍ୟ ସହର ଓ ଗ୍ରାମାଞ୍ଚଳରେ ଆନ୍ଧ୍ର , ତେଲେଙ୍ଗାନା , କର୍ଣ୍ଣାଟକ , ତାମିଲନାଡୁ ଓ ରାଜ୍ୟବାହାରର ଅନ୍ୟାନ୍ୟ ରାଜ୍ୟର ଇଟାଭାଟି ସେଠ୍ ମାନେ ଆସି ଲଜ୍ , ହୋଟେଲ୍ , ସର୍ଦ୍ଦାରଙ୍କ ଘରେ ଡେରା ପକାଇ ରହି ବେଫିକରରେ କୋଟି କୋଟି ଟଙ୍କାର ଅଗ୍ରୀମ ବଣ୍ଟନ କରୁଛନ୍ତି । ଥାନାଗୁଡିକ ନିଲାମ ହୋଇ ସରିଛି ଓ ରାତିଦିନ ଖୋଲାଖୋଲି ଦାଦନଚାଲାଣ ନିମନ୍ତେ ଭିଡ ଜମିଯାଇଛି । ଶହେବର୍ଷର ଏଇ ମଣିଷବେପାରରେ ମାତିପଡିଛି ପଶ୍ଚିମଓଡିଶା । ନୂଆଖାଇ ପରେ ପରେ ଆରମ୍ଭ ହୋଇଯିବ ଲକ୍ଷ ଲକ୍ଷ ସଂଖ୍ୟାରେ ବେଆଇନ୍ ଦାଦନଶ୍ରମିକ ଚାଲାଣ !

ଏଥରର ସବୁଠାରୁ ମୁଖ୍ୟକଥା ହେଲା , ପୂର୍ବ ସରକାର ବା ପୂର୍ବବର୍ଷମାନଙ୍କ ପରି ବାହାରରାଜ୍ୟର ସେଠ୍ ମାନଙ୍କ ଏଠାକୁ ଆସି ଦାଦନବଇନା ବାଣ୍ଟିବା ବା ଚାଲାଣ ନିମନ୍ତେ କୌଣସି କଟକଣା ନାଇଁ ! ବିଗତବର୍ଷର କଣ୍ଟାବାଞ୍ଜି ଅନ୍ନପୂର୍ଣା ଲଜ୍ ରୁ ଜଣେ ତତ୍କାଳୀନ ପୁଲିସ୍ ଡିଏସପି ହୃଷିକେଶ ମେହେରଙ୍କ ଦ୍ବାରା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ କରି ହଡପ ପୂର୍ବକ ୭ ଜଣ ରାଜ୍ୟବାହାରର ତେଲେଙ୍ଗାସେଠ୍ ଙ୍କୁ ଧରିଆଣି ଥାନାରେ ଅଟକ ରଖି ଜୁଆ ଖେଳୁଥିବା ଇତ୍ୟାଦି ମିଛମାମଲାରେ ଫସାଇ ଦେଇଥିବାର ଡର ବି ସେମାନଙ୍କ ଭିତରେ ଆଉ ରହିନାଇଁ ।
କାରଣ ସେଥର ସେମାନଙ୍କୁ ଥାନାରୁ ବ୍ୟକ୍ତିଗତ ମୁଚାଲିକାରେ ଜମାନତରେ ନେଇଥିବା ଉକ୍ତ ତଥାକଥିତ ‘ ଅନ୍ନଦାତା ‘ ଦାଦନସର୍ଦ୍ଦାର ବନ୍ଧୁ ଏବେ ମାନ୍ୟବର ବିଧାୟକ ! କେବଳ ସେତିକି ନୁହେଁ , ଅଞ୍ଚଳର ଲୋକଙ୍କଠାରୁ ଜଣାଶୁଣା କଥା ଯେ ବେଲପଡା ବ୍ଲକ୍ ଓ ବିଭିନ୍ନ ଅଞ୍ଚଳରେ ଦାଦନସର୍ଦ୍ଦାରମାନେ ଇ ନିର୍ବାଚିତ ଲୋକପ୍ରତିନିଧି ହୋଇ ଆସି ଶାସନପ୍ରଶାସନର ଦାୟିତ୍ୱ ସମ୍ଭାଳୁଛନ୍ତି ! ଥାନାଧିକାରିଣୀଙ୍କୁ ଭଉଣୀ କରି ରକ୍ଷାବନ୍ଧନରେ ଥାନାରେ ଯାଇ ଅନ୍ନଦାତା ବିଧାୟକ ରାକ୍ଷୀ ବି ବାନ୍ଧିଛନ୍ତି । ସବୁ ମହାମିଳନ , ସେଟିଂ ସରିଥିବାରୁ ସୁରୁଖୁରୁରେ ଏଥର ପୂର୍ବାପେକ୍ଷା ଅଧିକ ମଣିଷବେପାରର ଫାଇଦା ମିଳିବ ବୋଲି ଆଶାକରାଯାଉଛି ।
କେବଳ ବଲାଙ୍ଗୀର ଜିଲ୍ଲା ନୁହେଁ , ପଡୋଶୀ ସୁବର୍ଣ୍ଣପୁର , ନୂଆପଡା , କଳାହାଣ୍ଡି , ବୌଦ୍ଧଆଦି ଜିଲ୍ଲାଗୁଡିକେ ସମାନସ୍ଥିତି ଲକ୍ଷ୍ୟକରାଯାଇଛି । ସବୁଠାରୁ ରୋଚକ ଖବର ମିଳିଛି , ବରଗଡ ଜିଲ୍ଲାରେ । ଏକ ପ୍ରକାଶିତ ତଥ୍ୟ ଅନୁସାରେ , କୁଆଡେ ସରକାରୀ ଭାବେ ବରଗଡ ଜିଲ୍ଲାରେ ଏଥର ଶ୍ରମବିଭାଗରେ ମାତ୍ର ୧ ସର୍ଦ୍ଦାର ଓ ୯୯ ଜଣ ଦାଦନଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇଛି । ( କାଳେ ଏହି ଜିଲ୍ଲାର ପଦ୍ମପୁର , ଗାଇସିଲେଟ , ବିଜେପୁର ଓ ଅନ୍ୟାନ୍ୟ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଗାଁ’ଗଣ୍ଡା ଶୂନ୍ୟକରି ଘରମୁହଁରେ କଣ୍ଟାତାଟି ଛାପି ଅସହାୟ ବୁଢାବୁଢୀଙ୍କୁ ଛାଡି ପଳାଉଥିବା ଦାଦନଶ୍ରମିକଙ୍କ ଖବର ମିଛ ? )
ଏଣୁ ଚଳିତବର୍ଷ ଆମ ମୋହନସରକାରର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବେ ତାଙ୍କ ଦୁଇଦିନିଆ ପଶ୍ଚିମଓଡିଶା ଗସ୍ତରେ ଆସି ତାଙ୍କ ସରକାରର ଏଇ ସ୍ବତନ୍ତ୍ର ଉପହାରର ସୁପ୍ରଭାବ ଦେଖି ଯିବାକୁ ପଶ୍ଚିମଓଡିଶାବାସୀ ତାଙ୍କୁ ନୂଆଖାଇ ସ୍ବାଗତ ଜଣାଇଛନ୍ତି !