ଜିଲ୍ଲା

ନୂଆ ଜିଲ୍ଲାପାଳ କେବେ ଆସିବେ ପାଣିମୁରା ?

Email :

କାରଖାନା ମାଲିକଙ୍କ ପକେଟ୍ ରେ ଥିଲେ ପୂର୍ବ-ପ୍ରଶାସନ ?

ତରଭା : ବର୍ଷ ବର୍ଷ ଧରି ଦିଲ୍ଲୀର ଜଣେ ଅଣଓଡିଆ ମାଲିକ ଏହି ଜିଲ୍ଲାର ପାଣିମୁରା ଗ୍ରାମଠାରେ ସ୍ଥାପନ କରି ଇଥାନଲ୍ ଉତ୍ପାଦନ କରିଆସୁଥିବା ବେଳେ , ଏହି କାରଖାନାର ନିର୍ଗତ ଦୂଷିତ ଓ ବିଷାକ୍ତ ପାଣି , ଧୂଆଁ , ଧୂଳି , ବାଷ୍ପ ଓ ପ୍ରଚଣ୍ଡ ଶବ୍ଦ ପ୍ରଦୂଷଣରେ ପାଣିମୁରା ଗ୍ରାମ ସମେତ ଆଖପାଖର ପ୍ରାୟ ୭/ ୮ ଖଣ୍ଡ ଗ୍ରାମର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଆସୁଛି । ଗ୍ରାମବାସୀଙ୍କ ଅଭିଯୋଗ ସତ୍ତ୍ବେ କାରଖାନା କର୍ତ୍ତୃପକ୍ଷ ବା ପ୍ରଶାସନ ଆଦୌ ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି ! ଗତମାସ ୯ ତାରିଖରେ ଏ ନେଇ ପାଣିମୁରାଠାରେ ପ୍ରଶାସନ ଓ ପ୍ରଦୂଷଣ ବୋର୍ଡର ମିଳିତ ପ୍ରୟାସରେ ଏକ ଜନଶୁଣାଣୀର ଆୟୋଜନ କରାଯାଇଥିଲା । ଏଥିରେ ସମବେତ ଶତାଧିକ ଗ୍ରାମବାସୀ କାରଖାନାକୁ ବନ୍ଦ କରାଯିବାକୁ ଦାବି କରିଥିଲେ । ଆଇନଶୃଙ୍ଖଳା ସୃଷ୍ଟି ହେବା ଆଶଙ୍କାରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ତରଭା ଥାନାରେ ସୁବର୍ଣ୍ଣପୁର ଏସ୍ ପି ନାରାୟଣ ନାଏକ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ । ତରଭା ତହସିଲଦାରଙ୍କ ସମେତ ସୋନପୁରର ଭାରପ୍ରାପ୍ତ ଉପଜିଲ୍ଲାପାଳ, ଡିଏସପି , ବଲାଙ୍ଗୀର ପ୍ରଦୂଷଣ ବୋର୍ଡର ଅଧିକାରୀଙ୍କ ସମେତ କାରଖାନା ଅଧିକାରୀଙ୍କ ସମେତ ବଲାଙ୍ଗୀର, ସୋନପୁର ଓ ତରଭାର ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ମାଲିକ ଅନୀଲ କାନୋଡିଆ କାରଖାନାକୁ ଆସି ଲୁଚି ପଳାଇଥିଲେ । ୫ ଦିନ ମଧ୍ଯରେ କାରଖାନାର ଦୂଷିତ ବର୍ଜ୍ୟଜଳ ନିଷ୍କାସନ ସହିତ ଅନ୍ଯାନ୍ଯ ସମସ୍ୟାର ସମାଧାନ ନିମନ୍ତେ କାରଖାନା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ହେଁ , ଅଦ୍ୟାବଧି ଉପଯୁକ୍ତ ପଦକ୍ଷେପ ନିଆଯାଇ ପାରି ନଥିବାରୁ ଜନଅସନ୍ତୋଷ ବୃଦ୍ଧି ପାଇଛି । ସରକାରଙ୍କୁ ଉକ୍ତ ଜନଶୁଣାଣିର ଉପରୋକ୍ତ ଅଧିକାରୀମାନେ କି ରିପୋର୍ଟ ଦେଲେ କି ପ୍ରକୃତ ଲୋକସ୍ବରକୁ ଚାପିଦେଲେ , ଅସ୍ପଷ୍ଟ ରହିଛି ।

ଉଲ୍ଲେଖଯୋଗ୍ଯ ଯେ , ଏଠାରେ ଚରମ ପ୍ରଦୂଷଣ, ଦୁର୍ଗନ୍ଧ ସହ କାରଖାନା ସ୍ଥାପନ ବେଳେ ବିଧାୟକ ନିରଞ୍ଜନ ପୂଜାରୀଙ୍କ ସ୍ଥାନୀୟ ଲୋକଙ୍କୁ କାରଖାନାରେ ନିଯୁକ୍ତିସୁଯୋଗର ପ୍ରତିଶ୍ରୁତିର ଖିଲାପ , ଶ୍ରମିକସୁରକ୍ଷା ବିପନ୍ନ, ଚାଷୀଙ୍କ ପାଇଁ ଯୋଗାଯାଉଥିବା ସରକାରୀ ସାର କଳାବଜାର ଓ ଅନ୍ଯାନ୍ଯ ନିୟମର ଉଲଙ୍ଘନ ଇତ୍ୟାଦି ଅଭିଯୋଗ ହୋଇଆସୁଛି । କିଛିମାସ ତଳେ ପାଖ ଗାଁ’ର ଜଣେ ଶ୍ରମିକର ଦୁର୍ଘଟଣାଜନିତ ମୃତ୍ୟୁ ଓ ପାଣି ପ୍ରଦୂଷଣ ପାଇଁ ଏକାଧିକବାର ଗ୍ରାମବାସୀଙ୍କ ପକ୍ଷରୁ କାରଖାନା ଭଙ୍ଗାରୁଜା , ଖାଲ ଖୋଳି ପ୍ରବେଶପଥ ଅବରୋଧ ଓ ଆକ୍ରମଣାତ୍ମକ ଘଟଣା ଘଟିଲାଣି । ମାଲିକ ଲୁଚି ଲୁଚି ଆସୁଛି ଓ ବଲାଙ୍ଗୀରରେ ରହି ଚାଲିଯାଉଛି । ଏପରିକି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କି ସ୍ଥାନୀୟ ଗ୍ରାମବାସୀମାନଙ୍କୁ ଦେଖାଦେଉନାହିଁ । ସ୍ଥାନୀୟ ବିଧାୟକ, ସାଂସଦ , ରାଜନେତା, ପୁଲିସ , ପ୍ରଶାସନିକ ଅଧିକାରୀ ଓ ପ୍ରଦୂଷଣ ବୋର୍ଡ ଅଧିକାରୀଙ୍କୁ ହାତ କରି ଲୋକଙ୍କ ଆପତ୍ତି ସମସ୍ୟାକୁ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ପ୍ରକାଶ ପାଉଛି । ସୁବର୍ଣ୍ଣପୁର ଜିଲ୍ଲାର ଦୁଇଜଣ ପୂର୍ବତନ ଜିଲ୍ଲାପାଳ ଅବୋଲି ନରବଣେ ଓ ଅନ୍ୟା ଦାସ କେବେ ବି ଏହି କାରଖାନା ଦ୍ବାରା ସୃଷ୍ଟ ସମସ୍ୟା ପ୍ରତି ଦୃଷ୍ଟି ଦେଇ ନ ଥିବାରୁ ସେମାନେ କାରଖାନା ମାଲିକଙ୍କ ପକେଟ୍ ରେ ଥିଲେ ବୋଲି ଜନସାଧାରଣଙ୍କ ପକ୍ଷରୁ ତୀବ୍ର ସମାଲୋଚନା ପ୍ରକାଶ ପାଇଥିଲା । ଏଣୁ ଏବେ ଆସିବାପରେ ବିଭିନ୍ନ ଲୋକସମସ୍ୟା ପ୍ରତି ଦୃଷ୍ଟି ଦେଉଥିବା ନୂତନ ଜିଲ୍ଲାପାଳ ଡା ନୃପରାଜ ସାହୁ କେବେ ଏହିସବୁ ସମସ୍ୟାର ହୃଦୟଙ୍ଗମ କରିବାକୁ ପାଣୁମୁରା ଆସିବେ କି ? – ବୋଲି ଅଞ୍ଚଳବାସୀ ଆଶାପୋଷଣ କରିଛନ୍ତି ।

ଆଶ୍ଚର୍ଯ୍ୟର ବିଷୟ ଯେ , ଗତ ସରକାରଙ୍କ ଅମଳରେ ସମ୍ପୂର୍ଣ୍ଣ ରାଜନୈତିକ ଛତ୍ରଛାୟାରେ ଦିଲ୍ଲୀର ଏକ ଅଣଓଡିଆ ମାଲିକଙ୍କ ପ୍ରତି ବର୍ଷ ବର୍ଷ ଧରି କାରଖାନା ଆଇନ ଓ ପ୍ରଦୂଷଣ ଆଇନ ଉଲ୍ଲଂଘନର ଏତେ ଗୁରୁତର ଅଭିଯୋଗ ସତ୍ତ୍ବେ ସ୍ଥାନୀୟ ଲୋକଙ୍କ କାମରେ ଆଦୌ ଆସୁ ନଥିବା ,ପାଣିମୁରା ଜଙ୍ଗଲ ଲେଖାଥିବା ଅଧିକ ଜମି ହଡପ ସନ୍ଦେହ ରହିଥିବା ଏହି ସ୍ପିରିଟ୍ ବା ଇଥାନଲ୍ କାରଖାନା ପ୍ରତି ପ୍ରଶାସନ ବନାମ ସରକାରଙ୍କର ଏତେ କୋହଳମନୋଭାବ ଓ ଦରଦର କାରଣ କ’ଣ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ?

କାର୍ଯ୍ୟରେ ଯୋଗଦେବା ପରଠାରୁ ଫୁଲତୋଡା ଗ୍ରହଣ କରି ବିପୁଳ ସମ୍ବର୍ଦ୍ଧିତ ହେବା ଏବଂ କୋଉଠି ସ୍କୁଲରେ ବର୍ଷାପାଣି ପଶିଗଲା , ଅପନ୍ତରା ହୋଇ ପଡିଥିବା ସହର ଉପକଣ୍ଠସ୍ଥ କୁଷ୍ଠ କଲୋନୀ ବା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଆକସ୍ମିକ ପରିଦର୍ଶନ ଇତ୍ୟାଦି କରି ବାହାବା’ ସାଉଁଟୁଥିବା ଉତ୍ସାହୀ ଜିଲ୍ଲାପାଳ , ଜିଲ୍ଲାର ଏହି ବହୁଚର୍ଚ୍ଚିତ ଏକ ବଡସମସ୍ୟା ପ୍ରତି ଦୃଷ୍ଟିପାତ କରି ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ତରଫରୁ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Post