ରାଜନୀତି

ନୂଆପଡା ଉପନିର୍ବାଚନ :

Email :

ଭିଡର ଲୋକ ଭୋଟର ନୁହଁନ୍ତି !

ଦଶନ୍ଧି ଦଶନ୍ଧି ଧରି ବେପାରୀଙ୍କ ହାତରେ ନୂଆପଡା

ନୂଆପଡା : ଚଳିତ ଉପନିର୍ବାଚନରେ ମୁଖ୍ଯତଃ ତିନୋଟି ରାଜନୈତିକ ଦଳ ବିଜେପି , ବିଜେଡି ଓ କଂଗ୍ରେସ ମଧ୍ଯରେ ଯୋର୍ ଦାର୍ ପ୍ରତିଯୋଗିତା ଚାଲିଛି । ତେବେ ରାଜନୈତିକ ଭାଷଣବାଜି ଓ ପୋଷ୍ଟର ପାମ୍ପଲେଟ୍ ରେ ବିକାଶର ଇସ୍ତାହାର ଯାହା ଉଲ୍ଲେଖ କରାଯାଇଥାଉନା କାହିଁକି , ବାସ୍ତବକ୍ଷେତ୍ରରେ ଦଶନ୍ଧି ଦଶନ୍ଧି ଧରି କୌଣସିଦଳର ସରକାର ଏହି ମାଓ ଉପଦ୍ରୁତ, ଦାଦନଚାଲାଣ ପ୍ରବଣ ଓ ଆଦିବାସୀ ଅଧ୍ୟୁଷିତ ଛତିଶଗଡ ସୀମାନ୍ତବର୍ତ୍ତୀ ରାଜ୍ଯର ଉପାନ୍ତ ଛୋଟ ଜିଲ୍ଲାଟିର ପ୍ରକୃତ ଗ୍ରାଉଣ୍ଡ୍ ଲେଭେଲ ସମସ୍ୟାକୁ ଦୂରକରିବା ତ ଦୂରର କଥା , ଅନୁଭବ ସୁଦ୍ଧା କରିପାରିନାହାଁନ୍ତି । ବରଂ ଅଣଓଡିଆ ବେପାରୀ ବନାମ ଲୁଟେରାଙ୍କ ହାତରେ ଜିଲ୍ଲାକୁ ଟେକି ଦେଇଛନ୍ତି । ବିଗତ କଂଗ୍ରେସ ଅମଳରୁ ଗତ ଚବିଶ ବର୍ଷର ବିଜେଡି ସରକାର ଓ ଏବର ପ୍ରାୟ ଦେଢବର୍ଷର ତଥାକଥିତ ଡବଲଇଞ୍ଜିନ୍ ସରକାରରେ ମଧ୍ଯ ସେଇ ଅଣଓଡିଆ ବେପାରୀଙ୍କ ସହ କିଣାବିକା ଚାଲିଛି । ନୂଆପଡା ଜିଲ୍ଲା ସଦର ମହକୁମା ଓ ଖରିଆର ରୋଡ୍ ରେ ଅଣଓଡିଆ ବେପାରୀଙ୍କୁ ବାଦ୍ ଦେଲେ , କୋମନା ବ୍ଲକ୍ ର ଭୋଟର ହିଁ ଚଳିତ ଉପନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି । ତେଣୁ ଏହି ବ୍ଲକ୍ ରେ ଇ ସବୁଦଳର ବଡବଡ ସଭାସମିତିର ଆୟୋଜନ କରାଯାଉଥିବା ସହ ମୁଖ୍ଯମନ୍ତ୍ରୀ ଓ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ଘନଘନ ଗସ୍ତ, ରୋଡ୍ ସୋ ବା ପ୍ରଚାର ଅଭିଯାନ ଜାରୀ ରହିଥିବା ପରେ ଏବେ ପ୍ରଚାର ବନ୍ଦ ବା ନୀରବପ୍ରଚାର ଅର୍ଥାତ୍ କେବଳ ପ୍ରାର୍ଥୀ ଜଣେ ଏକାକୀ ଘର ଘର ବୁଲି ପ୍ରଚାର କରୁଥିବା ଦେଖାଯାଇଛି । ଆସନ୍ତାକାଲି ଭୋଟଗ୍ରହଣ । ତେବେ ଅନ୍ଧାରୀବିଜେ ବା ଲୁଚାଛପାରେ ଭୋଟରଙ୍କୁ ଟଙ୍କା ଦେଇ ଭୋଟ୍ କିଣାର ଖବର ମିଳୁଛି । ମୁଖ୍ଯ ତଃ ଶାସକ ବିଜେପି ଦଳ ବିରୁଦ୍ଧରେ ଏଭଳି କାଁ ଭାଁ ଭିଡିଓ ରେକର୍ଡିଂର ଦୃଶ୍ଯ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଭୋଟରଙ୍କୁ କିଣିବାକୁ ଟଙ୍କା ଥିବା ସନ୍ଦେହରେ ଏହା ସହିତ ଆଗରୁ ଜଣେ ବହିରାଗତ ବିଜେଡି ନେତା ରହୁଥିବା ଘରେ ମାଜିଷ୍ଟ୍ରେଟଙ୍କ ସହ ପୁଲିସ ଚଢାଉ , କଂଗ୍ରେସ୍ ଅଫିସ୍ ରେ ,ବିଜେଡି ନେତାମାନେ ରହୁଥିବା ହୋଟେଲରେ ଓ ଦୁଇଜଣ ସ୍ଥାନୀୟ ବିଜେଡି ନେତାଙ୍କ ଘରେ ଆଇଟି ରେଡ୍ ହୋଇଥିବା ପ୍ରକାଶ । ଜଣେ ବିଧାୟକଙ୍କ ପିସିଓ ଏକ ହୋଟେଲରେ ତାଙ୍କ ବନ୍ଧୁକରୁ ଗୁଳି ଫୁଟିଥିବା ଭଳି ଘଟଣା ମଧ୍ଯ ଘଟିଛି । ଆଜି ରାତିକ ଭିତରେ ଆହୁରି ଏଭଳି କିଛି ଘଟିବାର ସମ୍ଭାବନା ମଧ୍ଯ ରହିଛି । ଯଦିଓ ବାହାରୁ ଓ ଭୁବନେଶ୍ବରରୁ ଆସିଥିବା ନେତାଙ୍କୁ ନୂଆପଡାରୁ ବାହାର କରି ଦିଆଯାଇଛି । ଏମାନଙ୍କ ଯୋଗୁଁ ନୂଆପଡା ଏକପ୍ରକାରର ମିନିରାଜଧାନୀ ପାଲଟିଯାଇଥିବା କୁହାଯାଉଥିଲା । ଏଥିରୁ ଶେଷପର୍ଯ୍ୟନ୍ତ ଉକ୍ତ ୩ ଟି ଦଳର ତ୍ରିମୁଖୀ ପ୍ରତିଦ୍ବନ୍ଦିତାରେ କୌଣସିଦଳକର ସ୍ଥିତି ସ୍ପଷ୍ଟ ହୋଇପାରି ନଥିବା ପ୍ରକାଶ ।

ଯଦିଓ ବିଜେପି , ବିଜେଡି ଓ କେତେକାଂଶରେ କଂଗ୍ରେସର ରୋଡ୍ ସୋ , ରାଲି ଓ ସଭାରେ ଭିଡ ପରିଲକ୍ଷିତ ହୋଇଥିଲା , ଏହି ସମବେତ ଲୋକେ ଯେ ଭୋଟର ଓ ସେହିଦଳର ସମର୍ଥକ ଥିଲେ , ଏହା ନିଃସନ୍ଦେହ ନୁହେଁ । କାରଣ ଲୋକେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ଆସିଥିବା , ନୂଆ ମୁଖ୍ଯମନ୍ତ୍ରୀଙ୍କ ଆୟୋଜିତସଭାରେ ସମବେତ ହୋଇଥିବା ସମାନ ଲୋକେ ଗୋଟିଏ ଦଳର ସଭାରୁ ଅପର ସଭାରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିବା , ଟଙ୍କା ଓ ମଦମାଂସ ଲୋଭରେ ଧାଉଁଥିବା ଇତ୍ୟାଦି ଭିନ୍ନ ଭିନ୍ନ ଜନମତ ପ୍ରକାଶ ପାଇଛି । ଏହି ଲୋକମାନେ ନୂଆପଡାର ଭୋଟର ନା ଶହ ଶହ ବସ୍ , କାର୍ , ଗାଡିମଟରରେ ବୁହାହୋଇ ଆସିଥିଲେ ; ଏ ନେଇ ସନ୍ଦେହ ରହିଛି ।

ତେଣୁ ଯଦି ବିଜେପି ଓ ବିଜେଡି ମଧ୍ଯରେ ବହୁସଂଖ୍ୟକ ମୁହାଁମୁହିଁ ପ୍ରତିଦ୍ବନ୍ଦିତା ହୁଏ , ତୃତୀୟ ଦଳ କଂଗ୍ରେସ ଗଳି ଆସିବାର ସମ୍ଭାବନାର ଗଣିତକୁ ଅସ୍ବୀକାର କରାଯାଇ ପାରିବ ନାହିଁ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରୁ ପର୍ଯ୍ୟାଲୋଚନା ପ୍ରକାଶ ପାଇଛି । କାରଣ କଂଗ୍ରେସର ହିସାବ ଅନୁଯାୟୀ , ଗତ ନିର୍ବାଚନରେ ତାଙ୍କ ଦଳ ପାଇଥିବା ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଓ ପୂର୍ବର ୪ ଥରର କଂଗ୍ରେସ ବନାମ ଗତ ନିର୍ବାଚନରେ ଆଦିବାସୀ ସଂଘର ସମର୍ଥନରେ ସ୍ବାଧୀନ ଭାବେ ଲଢିଥିବା ଏଥରର କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାୟ ୫୧ ହଜାର ଭୋଟ ମିଶାଇ ତାଙ୍କର ସ୍ଥିତି ବଜାୟ ରହିଥିବା ଆଶାପୋଷଣ କରାଯାଉଛି ।

ଦ୍ବିତୀୟତଃ ଏଥରର ଏହି ଉପନିର୍ବାଚନରେ ବିଜେଡିର ବାହାରର ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ଓ ଅକସ୍ମାତ୍ ଶେଷମୁହୂର୍ତ୍ତରେ ଲୋକଙ୍କ ବିଶ୍ୱାସର ଉଲଙ୍ଘନ କରି ବିଜେଡିର ୫ ଥରର ମନ୍ତ୍ରୀ /ବିଧାୟକ ରାଜୁ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିର ପ୍ରାର୍ଥୀ ହେବା । ଏଣୁ ବିଜେଡି ବନାମ ନବୀନଙ୍କ ‘ବେଇମାନ୍’ ଆକ୍ଷେପ ଏତେ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଉଠିଲା ଯେ ଜୟ ମଞ୍ଚ ଉପରେ ମୁଖ୍ଯମନ୍ତ୍ରୀଙ୍କ ଉପସ୍ଥିତି ସତ୍ତ୍ବେ କାନ୍ଦି ପକେଇଲେ ! ତାଙ୍କର ଏହି କାନ୍ଦକୁ ପ୍ରତିଦ୍ବନ୍ଦୀ ନେତାଙ୍କ ପକ୍ଷରୁ ପରାଜୟ ଆଶଙ୍କାରେ ଅସହାୟ କ୍ରନ୍ଦନ ବୋଲି କଟାକ୍ଷ ମଧ୍ଯ କରାଯାଇଛି ।

ସବୁଠାରୁ ବଡକଥା ହେଲା , ନୂଆପଡାରେ ଏକ ଆଦିବାସୀ ମୂଳଭାବନା ଓ ମାଟିର ପୁଅ ଭାବପ୍ରବଣତାର ଅନ୍ତର୍ଲହର ରହିଥିବା ଅନୁଭୂତ ହେଉଛି । ଏହା ରାଜନୈତିକ ପଟ୍ଟପରିବର୍ତ୍ତନ ଘଟାଇଦେବା ଆଦୌ ଅସମ୍ଭବ ନୁହେଁ । ଏହା ଯଦି ସତ୍ଯ ହୁଏ , କଂଗ୍ରେସର ଆଦିବାସୀ ପ୍ରାର୍ଥୀ ସ୍ଥାନୀୟ ଘାସିରାମ ମାଝିଙ୍କ ପଲା ଭାରି ରହିଛି । ତେବେ ତତ୍କାଳୀନ ରାଜନୈତିକ ସ୍ଥିତି ଓ ଏବର ଜିଲ୍ଲାର ଦୁଇଟି ବ୍ଲକ୍ ଓ ଦୁଇଟି ଏନ ଏ ସିର ପ୍ରାୟ ଦେଢଲକ୍ଷ ଲୋକଙ୍କ ମଧ୍ଯରୁ ଚାଳିଶହଜାର ଦାଦନ ଶ୍ରମିକଙ୍କ ଅନୁପସ୍ଥିତି ସହ ସାଂପ୍ରତିକ ଧାନକଟା ବେଳେ ମୂଲିଆ ମିଳୁ ନଥିଲା ବେଳେ , କାମଦାମ ଛଡାଇ ପ୍ରଲୋଭିତ କରି ଏ ନିର୍ବାଚନୀ ଭୋଟରକିଣା ଲୋକଙ୍କୁ ବିରକ୍ତ କରିଛି ।

ତେବେ ଜନସାଧାରଣଙ୍କ ଚର୍ଚ୍ଚା ଓ ଆଲୋଚନାକୁ ଆଧାର କରି ଉପରୋକ୍ତ ପ୍ରାକ୍ ସମୀକ୍ଷା ବା ଆକଳନ ସଠିକ୍ ନୁହେଁ । ସାଧାରଣତଃ ଭୋଟରମାନେ ବା ଲୋକେ ସରକାର ବନାମ ଶାସକଦଳ ସପକ୍ଷରେ ଗଲେ ଫାଇଦା ମିଳିବ ବୋଲି ସର୍ବତ୍ର ସଚେତନ ହୋଇ ଉଠିଲେଣି । ସେମାନେ ଜାଣନ୍ତି , ବିଜେଡି ବା କଂଗ୍ରେସର ପ୍ରାର୍ଥୀ ଜିତିଲେ ବି ସରକାର ଗଠନ କରିପାରିବେନି । ତେବେ କୁଆଡେ ଗତ ୨୪ ବର୍ଷର ଅମଲାତାନ୍ତ୍ରିକ ପୂର୍ବ ବିଜେଡି ସରକାର ଓ ଗତ ପ୍ରାୟ ଦେଢବର୍ଷର ବା ୫୦୦ ଦିନର ଏହି ଡବଲଇଞ୍ଜିନ୍ ସରକାରର ନୂଆପଡା ପ୍ରତି ଅବହେଳାର ଏକ ‘ ସବକ୍ ‘ ଦେବାକୁ ନୂଆପଡାବାସୀ ଏଥର ପ୍ରସ୍ତୁତ ହୋଇ ରହିଥିବା ଜନୈକ ସ୍ଥାନୀୟ ସାମ୍ବାଦିକଙ୍କ ଠାରୁ ଶୁଣାଯାଇଛି ।

ତଥାପି ନିର୍ବାଚନ ଫଳାଫଳ ପ୍ରକାଶ ପରେ ହିଁ ସଠିକ୍ ପରିଣାମ ବାହାରିବ । ଏଠାରେ ଅଦ୍ୟାବଧି ଚିତ୍ର ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *

Related Post