ନୂଆସରକାରଙ୍କ ପାଖରେ ଅନୁଭବର ଶୂନ୍ୟତା
ଭୁବନେଶ୍ବର : ଓଡିଆଅସ୍ମିତାର ଦ୍ବାହି ଦେଇ ଶାସନକ୍ଷମତାକୁ ଆସିଥିବା ନୂଆସରକାର ଓଡିଆ ସାହିତ୍ୟ ଏକାଡେମୀ ପ୍ରତି ଆଦୌ ସଚେତନ ନୁହଁନ୍ତି । ପୂର୍ବର ଅଣଓଡିଆ ଅମଲାତାନ୍ତ୍ରିକ ସରକାର ଏହାକୁ ଗୁରୁତ୍ୱ ଦେଇ ନଥିବା ସହିତ ଏକାଡେମୀର କମିଟି ଓ କର୍ମକର୍ତ୍ତାମାନଙ୍କ ଚୟନଠାରୁ ପୁରସ୍କାର ପ୍ରକ୍ରିୟା ଇତ୍ୟାଦିକୁ ଚରମ ଅବହେଳା ପ୍ରଦର୍ଶନ କରିଥିବାବେଳେ ଗତ ପ୍ରାୟ ୭ ମାସର ନୂଆ ସରକାର ମଧ୍ୟ ଇତିମଧ୍ୟରେ କୌଣସି ସକ୍ରିୟତା ଦେଖାଇ ନାହାଁନ୍ତି ! ଏଣୁ ଏହି ପ୍ରସଙ୍ଗଟି ଗଣମାଧ୍ୟମରେ ସମାଲୋଚନାର ଶରବ୍ୟ ହୋଇଛି ।
ଏହାକୁ ଓଡିଶାର ଜନମାନସର ପ୍ରତିଫଳନ ବୋଲି ଯଦି ଧରିନିଆଯାଏ , ତେବେ ଏହାର କାରଣ ଖୋଜିବା ଆବଶ୍ୟକ । କାରଣ ହେଉଛି , ନୂଆ ସରକାରଙ୍କ ପାଖରେ ଏ ନେଇ ଅନୁଭବର ଅଭାବ ଯୋଗୁଁ ଏକାଡେମୀ ଆଡକୁ ଅନାଇବାକୁ ସରକାର ଏଯାବତ୍ ସାହସ ଜୁଟାଇ ପାରୁନାହାଁନ୍ତି ଅଥବା ରାଜ୍ୟର ବିଭିନ୍ନ ବିଭାଗକୁ ସମ୍ଭାଳିବା ପାଇଁ ସରକାରଙ୍କ ପାଖରେ ଉପଯୁକ୍ତ ଲୋକ ଖୋଜିବାର ସମୟ ମିଳୁନି । ଅବଶ୍ୟ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତିର ଏକ ରାଜନୈତିକ ଥଇଥାନ ସଂସ୍ଥା ସମ୍ପର୍କରେ ସରକାରମାନେ ଆରମ୍ଭରୁ ଇ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି । ସରକାର କଦାଶ୍ଚନ ଅନୁଭବ କରିନାହାଁନ୍ତି ଯେ , ଉତ୍କର୍ଷକଳାର ରାଜ୍ୟ ଉତ୍କଳ ବନାମ ଓଡିଶାର କଳାସଂସ୍କୃତି , ଦେଶର ପ୍ରଥମ ଭାଷାଭିତ୍ତିକ ଗଠିତ ପ୍ରଦେଶ ଓଡିଶା ବା ଅନ୍ୟାନ୍ୟ କାରଣ ଅପେକ୍ଷା ବିଜେଡି ପରି ଏକ ଚବିଶବର୍ଷର ସ୍ଥିର ସରକାରର ଆଶ୍ଚର୍ଯ୍ୟଜନକ ପତନ ମୂଳରେ ଓଡିଆଅସ୍ମିତାର ଆହ୍ବାନ ଇ ସବୁଠୁଁ ମୁଖ୍ୟ ଥିଲା କି ନାହିଁ ? ଯଦି ଥିଲା , ଆପାତତଃ ଏଇ ଅସ୍ମିତା ବା ଓଡିଶାର ଆତ୍ମା ପ୍ରତି ଏତାଦୃଶ ଅବହେଳାର ମୂଲ୍ୟ ଏଇ ସରକାରଙ୍କୁ ମଧ୍ୟ ଦେବାକୁ ପଡିପାରେ !
ସେ ଯାହାହେଉ , ଏଠାରେ ପ୍ରଶ୍ନ ଉଠୁଛି ଯେ ସତରେ କ’ଣ ସରକାରୀ ଭାଷାସାହିତ୍ୟ ଓ ସଂସ୍କୃତି ଓଡିଶାର ଅସଲ ସାହିତ୍ୟସଂସ୍କୃତି ନା ୟା’ ବାହାରେ ରହିଯାଉଥିବା ନିଷ୍ଠାପର ସାରସ୍ବତ ସାଧକଙ୍କ ଯୋଗୁଁ ଏହା ତିଷ୍ଠିରହିଛି ? ଯଦିଓ ଏଥିପାଇଁ ସରକାରୀ ପୃଷ୍ଠପୋଷକତା ଜରୁରୀ , ତେବେ ଏଇ ବିଭାଗ ବା ସଂସ୍ଥାଟି ଗଠିତ ହେବା ପରଠାରୁ ଯାହା ଚାଲିଆସୁଛି ଓ ଗତ ସରକାରଙ୍କ ଅମଳରୁ ଅଦ୍ୟାବଧି ଏଇ ନୂତନ ସରକାରଙ୍କ ପର୍ଯ୍ୟନ୍ତ ସରକାରଙ୍କ ମନୋଭାବ ଓ କାର୍ଯ୍ୟକଳାପ ଆଦୌ ସନ୍ତୋଷଜନକ ନୁହେଁ । ପ୍ରଚାରସର୍ବସ୍ବ ତଥାକଥିତ ସାହିତ୍ୟସଂସ୍କୃତି , ଅବକ୍ଷୟମୁଖୀଭାଷା ଓ ଦଳେ ସୁବିଧାବାଦୀଙ୍କୁ ଥଇଥାନ କରାଯିବା ବ୍ୟତୀତ ଏଇ ଓଡିଶା ସାହିତ୍ୟ ଏକାଡେମୀ ପ୍ରକୃତପକ୍ଷେ କିଛି କରୁଥିବା ଓଡିଶାବାସୀ ଅନୁଭବ କରିନାହାଁନ୍ତି । ନା ଓଡିଆଭାଷା ପ୍ରତି ନବପ୍ରଜନ୍ମର ଆଦର ବଢିଛି , ନା ଓଡିଆସାହିତ୍ୟର ବଢତି ହେଉଛି ! ବରଂ ଦିନକୁଦିନ ଆମ ଭାଷାସାହିତ୍ୟ ଉପେକ୍ଷିତ ହୋଇପଡୁଛି । ଓଡିଆ ଭାଷା ମୁମୂର୍ଷୁ ଓ ସାହିତ୍ୟର ସର୍ଜନାରେ ବନ୍ଧ୍ୟାତ୍ବ ଲକ୍ଷ୍ୟ କରାଯାଇଛି । ବିଭିନ୍ନ ଯୁଗ ଭଳି ଆମ ଭାଷାସାହିତ୍ୟରେ ସେ ପୂର୍ବର ଉନ୍ମାଦନା , ଆକର୍ଷଣ ଓ ନବଦିଗନ୍ତ କାହିଁ ?
ଗତ ସରକାରଙ୍କ ଅମଳର ସାହିତ୍ୟ ଏକାଡେମୀର କମିଟିଠାରୁ କର୍ମକର୍ତ୍ତା ଚୟନ ନିମନ୍ତେ ଯୋଉମାନେ ଅନୁପ୍ରବେଶର ନିର୍ବିଘ୍ନରେ ସୁଯୋଗ ହାସଲ କରିନେଇଥିଲେ ବା ଆବେଦନ କରିବାଠାରୁ ଚୟନକମିଟି ସହିତ କରୋନା ଆଳରେ ପଛଦ୍ବାର ଅନୁପ୍ରବେଶ କରି ଯେଉଁ ତଥାକଥିତ ନାମବାଚକ ସୁବିଧାବାଦୀମାନେ ଚୌକି ଦଖଲ କରିନେଲେ , ସମସ୍ତେ ଜଳକା ହୋଇଗଲେ ! ଏହାସତ୍ତ୍ବେ ବି ଏକାଡେମୀର ଗତ କାର୍ଯ୍ୟକାଳ କିପରି ଥିଲା , ସମୀକ୍ଷାସାପେକ୍ଷ । କେବଳ ଔପଚାରିକ ଭାବରେ ସଭାସମିତି କରିଦେଇ ପୁଳାଏ ଖର୍ଚ୍ଚକରି ତହିଁରୁ ବାଟମାରଣାର ଗଳାବାଟ ବାହାର କରିବା ଛଡା ଆଉକିଛି ହୋଇଥିଲା ପରି ମନେହେଉନି ତ ! ପୁନଶ୍ଚ ପୂର୍ବପରମ୍ପରା ଅନୁଯାୟୀ ପଶ୍ଚିମଓଡିଶାକୁ କୌଣସି କର୍ମକର୍ତ୍ତାଙ୍କୁ ଆଦୌ ସୁଯୋଗ ଦିଆ ନଯିବା , ସାହିତ୍ୟିକଙ୍କ ଅସନ୍ତୋଷକୁ ଏଡାଇ ଯିବା , ଯାବତୀୟ କେଳେଙ୍କାରୀ ଓ ଅନିୟମିତତା କରି ଭୋଗଦଖଲ କରି ଥୋକେ ଫାଇଦା ହାସଲ କରିନେବା ଇତିହାସରେ ରହିଗଲା । ପୁରସ୍କାରରାଶି ବୃଦ୍ଧି ସତ୍ତ୍ୱେ ଦୀର୍ଘ ୭ ବର୍ଷ ଧରି ପୁରସ୍କାର ବିଳମ୍ବିତ ହୋଇ ପଡିଛି। ମନ୍ଦକବି- ଯଶପ୍ରାର୍ଥୀ ହାତରେ ରହିଥିଲା ନେତୃତ୍ବ । ଯଦିଓ ପ୍ରାଶାସନିକ ସଚିବ ହିଁ ଥିଲେ ମୁଖ୍ୟ । ଯିଏ ଏବେ ପୁଣି ବୁଲି ବୁଲି କରି ସେଇ ଅଗଣାକୁ ଆସିଥିଲେ ହେଁ , ଏଇ ସାରସ୍ବତ ପାପ ଓ ଭିନ୍ନ ବିଭାଗର ଦୁର୍ନୀତିର କର୍ମଫଳ ଭୋଗିବେ ।
ଉଦାହରଣ ସ୍ୱରୂପ , ଗତଥର ବଲାଙ୍ଗୀରରୁ ଏକାଡେମୀର ସଭାପତି/ ଉପସଭାପତି ପଦ ନିମନ୍ତେ ପୂର୍ବ ଓ ପଶ୍ଚିମଓଡିଶାର ଭାଷାବିଦ୍ବେଷକୁ ସମାଧାନ ସର୍ତ୍ତରେ ଆବେଦନକରିଥିବା ଜଣେ ଅତ୍ୟନ୍ତ ପ୍ରତିଭାସମ୍ପନ୍ନ କବି ଗାଳ୍ପିକ ଔପନ୍ଯାସିକଙ୍କ ଆବେଦନପତ୍ରକୁ ମଧ୍ୟ ଶୈତାନୀ କରାଯାଇ ତାଲିକାରୁ ଚିରି ଫିଙ୍ଗିଦିଆଯିବା ଏବଂ ପୂର୍ବରୁ ଚାଲିଆସିଥିବା ଅଲିଖିତ ପରମ୍ପରା ( ସଭାପତି ପୂର୍ବଓଡିଶାର ଓ ଉପସଭାପତି ପଶ୍ଚିମଓଡିଶାର ) କୁ କାଟିଦିଆଯାଇ ପଶ୍ଚିମଓଡିଶାର କାହାକୁ ଆଦୌ ସୁଯୋଗ ଦିଆ ନଯିବା ପରି ବିଶ୍ବାସଘାତକତା କରାଇ ଜଣେ ନିକୃଷ୍ଟଚରିତ୍ରର ଅଧ୍ୟାପକ-କବି ‘ ମୁଁ ଆବେଦନ କରିନାହିଁ କି ଦୌଡରେ ନାହିଁ ‘ ସଫେଇ ଦେଉଥିବା ବେଳେ ପଛଦ୍ବାର ବାଟେ ଆଭାସୀ ଚୟନରେ ଗଳିଯାଇ ଚୌକିରେ ବସିପଡିଥିଲେ ! କେବଳ ଏଇ ଗୋଟିଏ ଗୋତ୍ରମାରୁ ଷଡଯନ୍ତ୍ର ନୁହେଁ , ଅନେକ କ୍ଷେତ୍ରରେ ଏଭଳି ଚକ୍ରାନ୍ତ କରାଯାଇଥିଲା । ସର୍ବୋପରି ଚୟନକମିଟିରେ ସ୍ବାର୍ଥପର ସଭ୍ୟମାନେ ରହି ଘୋର ଅବିଚାର କରିଥିଲେ।
ତେଣୁ ସାଧୁ ସାବଧାନ୍ ନୀତିରେ ନୂଆସରକାର ଆଉ ଅଧିକ କାଳକ୍ଷେପଣ ନକରି ଅନ୍ତତଃ ଓଡିଶା ସାହିତ୍ୟ ଏକାଡ଼େମୀର ସଂସ୍କାର କରିବା ଆବଶ୍ୟକ । ସାରାରାଜ୍ୟର ସବୁଅଞ୍ଚଳରୁ ପ୍ରତିନିଧିତ୍ବ କରାଯିବାର ନୂଆନୀତି ଅବଲମ୍ବନ କରାଯିବା ସହିତ ପ୍ରକୃତ ସୁଯୋଗ୍ୟଲେଖକଙ୍କୁ ସୁଯୋଗ ଦିଆଯିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି । ଯେମିତି ସାହିତ୍ୟ ବୋଇଲେ , ଖାଲି ବହିବେପାରର ପୁସ୍ତକମେଳା ବା କବିତା ପାଠୋତ୍ସବ , ଅସାର ବହିପତ୍ରିକାର ପ୍ରଦର୍ଶନୀ ନୁହେଁ ।
ସଂସ୍କୃତି ବୋଇଲେ , ସଭାସମିତି , ମଞ୍ଚରେ ଭାଷଣଦେବା କି କୋଉଠି ଯାନିଯାତ୍ରାକୁ କୋଟିଏ , କୋଉ କୋଠିକି କେଇ ଲକ୍ଷ ପୁଳା ପୁଳା ଅଜାଡିଦେଲେ ହୁଏନାହିଁ । ସାହିତ୍ୟସଂସ୍କୃତି କେବଳ ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍ ଭଳି ନୁହେଁ କି ଭୋଟ୍ ରାଜନୀତିର ବଣ୍ଟନ ଅନୁଯାୟୀ ଅନୁଦାନ ନୁହେଁ । ଓଡିଆ ସଂସ୍କୃତିର ମୌଳିକତା ଓ ପୁରାତନ ସଂସ୍କୃତି ଓ ପରମ୍ପରା ସହିତ କେବଳ ଇଭେଣ୍ଟ ପରିଚାଳନା ନୁହେଁ , ପ୍ରକୃତ ପ୍ରତିଭାର ଆଦର ପ୍ରତି ଧ୍ୟାନ ଦିଆଯିବା ଜରୁରୀ । ଏଥିପାଇଁ ଉପରସ୍ତରରୁ ବିଭାଗୀୟ ମନ୍ତ୍ରୀଙ୍କର ଆନ୍ତରିକ ନେତୃତ୍ବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅନିବାର୍ଯ୍ୟ ।
ଅଧୁନାତନ କାଳରେ ଓଡିଆଭାଷା, ସାହିତ୍ୟ ଓ ସଂସ୍କୃତିର ସର୍ବାଧିକ ବଜାରୀକରଣ ଓ ରାଜନୀତିକରଣ ହୋଇଛି । ଛତୁ ଫୁଟିଲା ପରି ଚାରିଆଡେ କବିତା , ପୁସ୍ତକମେଳା , ପୁସ୍ତକ ଉନ୍ମୋଚନ , ବହିପତ୍ର ପ୍ରକାଶନ । ଏ ନୂତନ ସରକାର ବି କୁଆଡେ ଓଡିଆଅସ୍ମିତାର ଜାଗରଣରୁ ସମ୍ଭବ ହେଲା ? କିନ୍ତୁ କାହିଁକି ଆମ ପିଲେ ଓଡିଆଭାଷା କହିବାକୁ ଲଜ୍ଜା ଅନୁଭବ କରି ବିକୃତ ଓଡିଆ କହୁଛନ୍ତି ? କୋଉଠି ଅନ୍ୟାନ୍ୟ ପ୍ରାନ୍ତୀୟ ଭାରତୀୟ ଭାଷାସାହିତ୍ୟ ପରି ଆମ ଭାଷାସାହିତ୍ୟର ବାହାରେ ନାଁ’ ପଡୁନି ? ଏଇ ତା’ହେଲେ କ’ଣ ଆମ ଭାଷାସାହିତ୍ୟର ପ୍ରକୃତ ଶସ୍ତାସ୍ବରୂପ ? ଗୁଣୀଜନେ ବିଚାର କରିବେ !