ମର୍ଡର ମୋଟିଭ୍ ସ୍ପଷ୍ଟ ହେଉନି !
ବାଲି ବେପାର ସଦ୍ୟତମ କାରଣ କି ?
ବ୍ରହ୍ମପୁର : ( ସ୍ବତନ୍ତ୍ର ପ୍ରତିନିଧିଙ୍କ ଠାରୁ ) ଗତ ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ବ୍ରହ୍ମପୁରର ଜଣାଶୁଣା ଆଇନଜିବୀ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ସୁପାରୀ କିଲର୍ ଲଗାଇ ହତ୍ୟାକାଣ୍ଡ ଘଟାଇବା ଷଡଯନ୍ତ୍ର ଅଭିଯୋଗରେ ପୁଲିସ ଘଟଣାର ୧୭ ଦିନ ପରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା , ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁଙ୍କ ସମେତ ଅଦ୍ୟାବଧି ୧୩ ଜଣଙ୍କୁ ଗିରଫ କରିଛି । ଚିହ୍ନଟ ହତ୍ୟାକାରୀ ପୁରୁଣା ଦୁର୍ଦ୍ଦାନ୍ତ ଅପରାଧୀ ସୁଟର କୁରୁପତି ଭୂୟାଁ ( ୩୫ )ଓ ସୁପାରୀ ଦେଇଥିବା ପୁରୁଣା ଅପରାଧୀ ଉମା ବିଷୋୟୀ ଫେରାର୍ ହୋଇଯାଇଛନ୍ତି । ଦିଗପହଣ୍ଡି ଅଞ୍ଚଳର କୁରୁପତି ଏକ ଦେଶୀ ପିସ୍ତଲରୁ ଗୋଟିଏ ଗୁଳି ମାରିଥିବା ବେଳେ ଗିରଫ ଚିଣ୍ଟୁ ବାଇକ୍ ଚଳାଉଥିଲା । ପୁଲିସ ଦୁଇଟି ପିସ୍ତଲ ( ହତ୍ୟାରେ ବ୍ୟବହୃତ ଉକ୍ତ ଦେଶୀ ପିସ୍ତଲ୍ ସହ ଆଉ ଏକ ପିସ୍ତଲ୍ ) , ବାଇକ୍ ଓ ପୋଷାକପତ୍ର ଜବତ କରିଛି । ଉମା ବିଷୋୟୀ ୫୦ ଲକ୍ଷ ଟଙ୍କାର ସୁପାରୀ ଡିଲ୍ କରି ୧୦ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ଏହି ହତ୍ୟାକାରୀଙ୍କୁ ଠିକ୍ କରିଥିଲା । କିଛିଦିନ ଆଗରୁ ବିହାରରୁ କେତେଜଣ ସୁପାରୀକିଲରଙ୍କୁ ଆଣି ଏହି ହତ୍ୟାର ଷଡଯନ୍ତ୍ର କରାଯାଇଥିଲା ଓ ତାହା ସଫଳ ନ ହେବାରୁ ସ୍ଥାନୀୟ କିଲରଙ୍କୁ ସୁପାରୀ ଦିଆଯାଇଥିଲା । ଏହା ପଛରେ ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ସହ ରାଜନୈତିକ, ପେଶାଗତ , ବ୍ୟବସାୟିକ ଓ ଦୀର୍ଘ ବ୍ୟକ୍ତିଗତ ଶତ୍ରୁତା ଥିବା ବ୍ରହ୍ମପୁର ଏସ୍ ପି ଶରବଣା ବିବେକ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି । ଉଲ୍ଲେଖଯୋଗ୍ଯ ଯେ ପୀତବାସ ପଣ୍ଡା ସ୍ଥାନୀୟ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କର ଘନିଷ୍ଠ ସହଯୋଗୀ ଥିଲେ । ବିକ୍ରମ ପଣ୍ଡା ଟ୍ରକ୍ ଆସୋସିଏସନର ବରିଷ୍ଠ କର୍ମକର୍ତ୍ତା ଓ ତାଙ୍କର ବହୁ ହାଇୱା , ଡମ୍ଫର ଓ ଟ୍ରକ୍ ଅଛି ଓ ସେସବୁ ମୁଖ୍ଯତଃ ବାଲିଘାଟ ପରିବହନରେ ଲାଗିଥାଏ ବୋଲି କୁହାଯାଉଛି । ସେହିପରି ପିଣ୍ଟୁ ଦାସ ମଧ୍ଯ ଜଣେ ହିନ୍ଦୁବାଦୀ ସମାଜସେବୀ ଓ ତାଙ୍କର ବହୁ ବ୍ୟବସାୟିକ କାରବାର ରହିଛି ଓ ପୀତବାସଙ୍କ ଯୋଗୁଁ ସେମାଙ୍କର ବିପୁଳ କ୍ଷତି ହେଉଥିବା ଚର୍ଚ୍ଚା ହେଉଛି । ଆହୁରି ବି ପୀତବାସଙ୍କର ଏକ ବିଜୟାମନ୍ଦିର ଜମିଜମା ବିବାଦ ରହିଥିବା କୁହାଯାଉଛି ।
ତେବେ ରାତିଅଧିଆ ବିକ୍ରମ ପଣ୍ଡାକୁ ଘରୁ ପୁଲିସ ଉଠାଇ ଆଣିବା ଘଟଣାକୁ ବିଜେଡି ତୀବ୍ର ନିନ୍ଦା କରିଛି । ବିଜେଡି ପକ୍ଷରୁ ଏସ୍ ପିଙ୍କ ଅଫିସ୍ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଏହା ଏସ୍ ପିଙ୍କର ଏକ ମନଗଢା କାହାଣୀ ଓ ବିଜେପିର ନୂଆପଡା ଉପନିର୍ବାଚନ ପାଇଁ ବିଜେଡିକୁ ବଦନାମ କରିବା ନିମନ୍ତେ ଏକ ମିଥ୍ୟାପ୍ରସଙ୍ଗ ସୃଷ୍ଟିର ଅପଚେଷ୍ଟା ବୋଲି ଆରୋପ କରାଯାଇଛି ।
ଆହୁରି ବି ବିକ୍ରମ ପଣ୍ଡାଙ୍କ ପାଇଁ ବ୍ରହ୍ମପୁର ଓକିଲସଂଘର ୫୮ ଜଣ ଓକିଲ ଓକାଲତନାମା ଦାଖଲ କରିଥିବା ପ୍ରକାଶ । ଏଥିରେ ଅଭିଯୁକ୍ତ ହୋଇଥିବା ବିକ୍ରମ ପଣ୍ଡାଙ୍କ ସମେତ ୩ ଜଣ ଓକିଲ ହୋଇଥିବାରୁ ଓ ସଂଘ ପକ୍ଷରୁ ଏଯାବତ୍ କୌଣସି ପ୍ରସ୍ତାବ ଗ୍ରହଣ କରାଯାଇ ନ ଥିବାର ଆଳ ଦର୍ଶାଯାଇ ଏହା କରାଯାଇଥିବା ସଫେଇ ଦିଆଯାଇଛି । ସେ ଯାହାହେଉ, ଏହି ହତ୍ୟାମାମଲାଟିରେ ଏବେ ରାଜନୀତି ପଶିଯାଇଛି ।
ତଥାପି ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ସ୍ପଷ୍ଟ ଉଦ୍ଦେଶ୍ଯ ବା ନିର୍ଦ୍ଦିଷ୍ଟ ସଦ୍ୟତମ ମୋଟିଭ୍ ପୁଲିସ ଦର୍ଶାଇ ପାରିନାହିଁ । ଅବଶିଷ୍ଟ ଫେରାର୍ ଆସାମୀ ବା ହତ୍ୟାକାରୀମାନେ ଧରାପଡିଲେ ହୁଏତ ତାହା ସ୍ପଷ୍ଟ ହୋଇପାରିବ ବୋଲି ଆଶା କରାଯାଉଛି ।
ଚାରିବର୍ଷ ତଳର ନବ ଦାସ ହତ୍ୟାର ରହସ୍ୟ ଏଯାଏଁ କ୍ରାଇମବ୍ରାଞ୍ଚ ଖୁଲାସା କରିପାରି ନଥିବା ବେଳେ ବ୍ରହ୍ମପୁର ପୁଲିସର ଏହି ସଫଳତାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି । ଏସ୍ ପି ଏହାର ତଦନ୍ତ ପାଇଁ ୬ ଟି ଟିମ୍ ରେ ବହୁ ଅଧିକାରୀଙ୍କୁ ସାମିଲ୍ କରିଥିଲେ । ସେମାନଙ୍କ ଅକ୍ଳାନ୍ତ ଉଦ୍ୟମ ଫଳରେ ଏହି ବିରଳ ସଫଳତା ପୁଲିସ ହାସଲ କରିଥିବା ଏସ୍ ପି କହିଛନ୍ତି । ଉଲ୍ଲେଖଯୋଗ୍ଯ ଯେ ବଲାଙ୍ଗୀରର ଅତିରିକ୍ତ ଏସ୍ ପି ଥିବା ଡ ଆଲୋକ କୁମାର ଜେନା ନିକଟରେ ଗଞ୍ଜାମକୁ ବଦଳି ହୋଇ ଯିବା ପରେ ତାଙ୍କୁ ଏହି ଟିମ୍ ରେ ସାମିଲ କରାଯାଇଥିଲା ।
ତେବେ ପୀତବାସଙ୍କ ହତ୍ୟା ପରେ ପୁରୁଣାବନ୍ଧୁ ଥିବା ମୁଖ୍ଯ ଅଭିଯୁକ୍ତ ବିକ୍ରମ ପଣ୍ଡା ତାଙ୍କ ଘରକୁ ଯାଇ ସମବେଦନା ଜ୍ଞାପନ କରିବା ସହିତ ସମ୍ପୂର୍ଣ୍ଣ ନିର୍ବିକାର ଭାବରେ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ବନା ଦେବାର କୁଶଳ ଅଭିନୟ ପରେ ସେ ହିଁ ଏହାର ମାଷ୍ଟରମାଇଣ୍ଡ୍ ବାହାରିବାରୁ ପୀତବାସଙ୍କ ପରିବାରବର୍ଗଙ୍କ ସମେତ ଜନସାଧାରଣ ଚକିତ ହୋଇଯାଇଛନ୍ତି ! ପୁଲିସ ପାଖରେ ଏହି ଅଭିଯୁକ୍ତମାନଙ୍କ ବିରୋଧରେ ଯଥେଷ୍ଟ ତଥ୍ଯ ପ୍ରମାଣ ରହିଥିବା ଏସ୍ ପି ପ୍ରକାଶ କରିଛନ୍ତି । ଏହି ବହୁଚର୍ଚ୍ଚିତ ଅପରାଧ ଘଟଣା ରାଜ୍ୟ ଓ ଦେଶବ୍ୟାପି ଚାଞ୍ଚଲ୍ଯ ସୃଷ୍ଟି କରିବା ସହିତ ବ୍ରହ୍ମପୁର ପୁଲିସର ଦକ୍ଷତାକୁ ପ୍ରମାଣିତ କରିଥିବା କୁହାଯାଇଛି ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।