ଜିଲ୍ଲା

ବଲାଙ୍ଗୀର ଜିଲ୍ଲାର  ଓଏଲଏମ କେଳେଙ୍କାରୀ !

Email :

ବିଜେଡି ସରକାରର ପାଲଟିଥିଲା ଭୋଟ୍ ବ୍ୟାଙ୍କ୍ :
ଏବେ ଚାଲିଛି ବିଭାଗୀୟଅଧିକାରୀଙ୍କ ଲୁଣ୍ଠନର ହାତବାରିସୀ !

ଉପ-ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ତଦନ୍ତ

ବିଧାନସଭାରେ ଉଠିବକି ଚର୍ଚ୍ଚା ?

ବଲାଙ୍ଗୀର  :  ଗତବର୍ଷଠାରୁ ମିଶନଶକ୍ତିର ଓଡିଶା ଜୀବିକା ମିଶନରେ ବଙ୍ଗୋମୁଣ୍ଡା ବ୍ଲକ୍ ରୁ ଆରମ୍ଭ ହୋଇଥିବା ବିଭିନ୍ନ ଗୁରୁତର ଆର୍ଥିକ ଅନିୟମିତତାର ଅଭିଯୋଗ କ୍ରମଶଃ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ୍ ରେ ବ୍ୟାପିଥିବା ଜଣାପଡିବାରେ ଲାଗିଛି । ମହିଳାଙ୍କୁ ସ୍ବାବଲମ୍ବୀ କରିବା ଆଳରେ ଦଳର ଭୋଟ୍ ବ୍ୟାଙ୍କ୍ କୁ ସଂଗଠିତ କରିଥିବା ଗତ ବିଜେଡି ସରକାର ଏଇ ଜାତୀୟ ଯୋଜନାଟିକୁ ମିଶନଶକ୍ତି ବନାମ ଓଡିଶା ଜୀବିକା ମିଶନରେ ପରିଣତ କରିଥିବା ବେଳେ ଏବେ ମୁଖ୍ୟତଃ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଏହା ଆର୍ଥିକ ଲୁଣ୍ଠନର ହାତବାରିସୀ ପାଲଟିଛି I

ପୂର୍ବରୁ ଏଇ ଜିଲ୍ଲାକୁ ଆସି କେତେକ ଅଧିକାରୀ ଶିଶୁ ବିକାଶ ଯୋଜନା ବା ଅନ୍ୟାନ୍ୟ ଅଭିନବ ଯୋଜନାରେ ଢୁକି ଯାଇ ନିକୃଷ୍ଟ ସ୍ବାର୍ଥସାଧନ କରୁଥିବାବେଳେ ଏବେ ସେଇଭଳି କେତେକଙ୍କ କବ୍ ଜାରେ ଏଇ ଯୋଜନାଟି ମଧ୍ୟ ଆକ୍ରାନ୍ତ ହୋଇପଡିଲାଣି । ଶୁଣିବାକୁ ମିଳେ , ଏହାର ଜିଲ୍ଲାସ୍ତରୀୟ ପଦ ନିମନ୍ତେ ରାଜନୈତିକ ଲବି ସହ ଦଶରୁ ବାର ଲକ୍ଷ ଟଙ୍କା ପର୍ଯ୍ୟନ୍ତ କିକ୍ ବ୍ୟାକ୍ ହୋଇଥିଲା । ତେଣୁ ବ୍ଲକ୍ ସ୍ତରରୁ ପ୍ରାୟ ପ୍ରତ୍ୟେକ ପ୍ରକାରର ଆର୍ଥିକ ସହାୟତା , ଋଣ , ପ୍ରକଳ୍ପ ଓ ନିଯୁକ୍ତି ଇତ୍ୟାଦିମାମଲାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତୀ ଓ କର୍ମଚାରୀଙ୍କୁ ହାତବାରିସୀ କରି ପ୍ରଚୁର ଉତ୍କୋଚ ଲୁଣ୍ଠନ କରାଯାଉଥିବା ଜଣାଯାଇଛି । ଏହାର ଚେର ତଳୁ ଉପରସ୍ତର ପର୍ଯ୍ୟନ୍ତ ଲମ୍ବିଥିବା ଅଭିଯୋଗର ଚର୍ଚ୍ଚା ଉଠିଛି ।

ଆଶ୍ଚର୍ଯ୍ୟର ବିଷୟ ଯେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏଭଳି ଗୁରୁତର ଅଭିଯୋଗର ତଦନ୍ତ ସୁଦ୍ଧା କରାଯାଉନାହିଁ । ଅଥଚ ପ୍ରକୃତ ସତ୍ୟକୁ ବାଟବଣା କରାଯିବାକୁ ଷଡଯନ୍ତ୍ର କରାଯାଇ ପ୍ରତିବାଦ କରୁଥିବା ତଳିଆ ମହିଳା କର୍ମଚାରୀଙ୍କୁ ଓକିଲ ନୋଟିସ୍ , ଚାପ , ବହିଷ୍କାର ନୋଟିସ୍ ଦିଆଯାଇଛି ।  ଅଦ୍ୟାବଧି ବଙ୍ଗୋମୁଣ୍ଡା ବ୍ଲକ୍ ରେ ଏଭଳି ବିବାଦ ଥମିନାହିଁ । ସେଠାକାର ଜଣେ ବିଏଲସିଙ୍କ ଦ୍ବାରା ଏଭଳି ଷଡଯନ୍ତ୍ର ଚାଲିଥିବା ଅଭିଯୋଗରୁ ପ୍ରକାଶ । ତାଙ୍କ ଇଙ୍ଗିତରେ ଅଦ୍ୟାବଧି ୪ ଜଣ ସିଆରପି ଓ ଜଣେ ଏମବିକେଙ୍କ ବିରୋଧରେ ଗତ ଅକ୍ଟୋବରରୁ ଦରମା ବନ୍ଦ ସହିତ ମୁଣ୍ଡପଦର ଜିପିଏଲଏଫ ଜରିଆରେ ବହିଷ୍କାର ନୋଟିସ୍ ପଠାଯାଇଛି ଓ ସେମାନେ ତା’ର ପ୍ରତିବାଦ କରିଛନ୍ତି ।

ପୂର୍ବରୁ ବଲାଙ୍ଗୀରର ଡିପିଏମ ଥିଲେ ସଂପ୍ରତି ଓରମାସର ପିଡି ଥିବା କମଳେନ୍ଦୁ ପାଲ୍ ଓ ଏବେ ଏଇ ପଦଟି ଡିପିସି ସୁମନ ଦ୍ବିବେଦୀଙ୍କ ଯୁଗ୍ମଦାୟିତ୍ୱରେ ରହିଛି । ଓଏଲଏମର ଜିଲ୍ଲାରୁ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ବିଜେଡି ଦଳ ପାଇଁ ଭୋଟରଙ୍କୁ ମତାଉଥିବା ନିର୍ବାଚନ କମିଶନଙ୍କଠାରୁ କାର୍ଯ୍ୟନୁଷ୍ଠାନ ନିମନ୍ତେ ଆସିଥିବା ନିର୍ଦ୍ଦେଶକୁ ଚପାଇ ଦିଆଯାଇଛି । ଅଧିକନ୍ତୁ ଗତ ନିର୍ବାଚନ ପୂର୍ବରୁ ଗୁଡଭେଲା ବ୍ଲକ୍ ରେ ଏଭଳି କାରଣ ନିମନ୍ତେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଣେ ଅଧିକାରୀଙ୍କୁ ମାଡମାରି ସହଯୋଗୀଙ୍କ ସମେତ ଗିରଫ ହୋଇ ଜେଲ୍ ଢୁକିଥିବା ପରି ଘଟଣା ମଧ୍ୟ ଘଟିଥିଲା । ଏଥରୁ ଏଇ ମିଶନଶକ୍ତି ବନାମ ଓଏଲଏମକୁ ଗତ ସରକାର କିଭଳି ଦଳୀୟ ସ୍ବାର୍ଥରେ ବ୍ୟବହାର କରୁଥିଲେ , ଅନୁମେୟ ।

ଆହୁରି ମଧ୍ୟ ଜଣେ ଜିଲ୍ଲାସ୍ତରୀୟ ଅଫିସ୍ ଆକାଉଣ୍ଟାଣ୍ଟ୍ ତାଙ୍କ ଅନ୍ୟାୟୋଚିତ ବଦଳି ବିରୋଧରେ ଅଫିସ୍ କୋଠରୀରେ ତାଲା ପକାଇଦେଇ କୋର୍ଟର ଆଶ୍ରୟ ନେଇଥିବା ପ୍ରକାଶ । ତେବେ କେବଳ ଏତିକି ସ୍ଥାନର ଘଟଣା ନୁହେଁ , ଜିଲ୍ଲାର ସଦର ବେଲପଡା , ଖପ୍ରାଖୋଲ ଆଦି ବ୍ଲକ୍ ର ଓଏଲଏମର ବିବାଦୀୟ ସ୍ଥିତି ରହିଛି ।  ବଙ୍ଗୋମୁଣ୍ଡା ବିପିଏମ ବିଜୟ ବେହେରାଙ୍କର ବୌଦ୍ଧଜିଲ୍ଲାକୁ ବଦଳି ହୋଇଥିଲା , ସେ ନଯାଇ ବଦଳି ବାତିଲ୍ କରାଇ ବଙ୍ଗୋମୁଣ୍ଡାରେ ଦୀର୍ଘବର୍ଷ ହେଲା ରହିଛନ୍ତି । ବେଲପଡା ବ୍ଲକ୍ ର ଦୁଇଜଣଙ୍କୁ ନୂଆପଡାଜିଲ୍ଲାକୁ  ଓ ସେଠାରୁ ଦୁଇଜଣଙ୍କୁ ବଲାଙ୍ଗୀର ସଦର ବ୍ଲକକୁ ବଦଳି ହୋଇଛି । ବଲାଙ୍ଗୀର ସଦର ବ୍ଲକ୍ ବା ଜିଲ୍ଲା ଅଫିସ୍ ରୁ ବିପିଏମ ଥିବା ତୀର୍ଥବ ବାଗଙ୍କର ଗୁଡଭେଲାକୁ ବଦଳି ହୋଇଛି । ଏହାପଛରେ ବିଭିନ୍ନ କାରଣ ରହିଛି ଓ ତାହାକୁ ଚପାଇ ରଖାଯାଇଛି ।

ସବୁଠାରୁ ଗୁରୁତର ଅଭିଯୋଗ ହେଉଛି , କେତେକ ବି.ପି.ଏମ , ବି.ଏଲ.ସି ମାନେ ଜିପିଏଲଏଫ୍ ଜରିଆରେ ସ୍ବାର୍ଥସାଧନ କରିଚାଲିଥିବାବେଳେ ସିଆରପି , ଏମବିକେ , ବ୍ୟାଙ୍କମିତ୍ର , ପ୍ରାଣୀମିତ୍ର , କୃଷିମିତ୍ର ଓ ଅନ୍ୟାନ୍ୟ ମେମ୍ବରଙ୍କୁ ଚୟନରେ ଜଣପିଛା ୨୫ ହଜାରରୁ ୫୦ ହଜାର ଟଙ୍କା ଲେଖାଏଁ ଉତ୍କୋଚ ଆଦାୟ କରୁଥିବା ଅଭିଯୋଗ ହୋଇଛି ।  ନିକଟରେ ଖପ୍ରାଖୋଲ ବ୍ଲକ୍ ର ବାଘମୁଣ୍ଡ , ଲୁହାସିଂହା ଓ ଚଙ୍ଗରିଆ ଇତ୍ୟାଦି ୩ ଟି ପଞ୍ଚାୟତରେ ଉପରୋକ୍ତ ଚୟନରେ ପାତରଅନ୍ତର ବା ଅନିୟମିତତା କରାଯାଉଥିବା ସ୍ଥାନୀୟ ବିଧାୟକ ବନାମ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ନିକଟରେ ଜଣେ ସରପଞ୍ଚଙ୍କ ପକ୍ଷରୁ ଅଭିଯୋଗ ହେବାରୁ ତାଙ୍କ ନିର୍ଦ୍ଦେଶରେ ଭାରପ୍ରାପ୍ତ ଡିପିଏମ ସୁମନ ଦ୍ବିବେଦୀ ଓ ଖପ୍ରାଖୋଲ ବିଡିଓ ଏବଂ ସିଡିପିଓ ତଦନ୍ତ କରି ତାକୁ ବାତିଲ୍ କରିଦେଇଛନ୍ତି ।

ଆହୁରି ମଧ୍ୟ ଗତ ମାର୍ଚ୍ଚ ୧୩ ତାରିଖରୁ ରାଜ୍ୟ ଅଫିସ୍ ରୁ ଏକ ଚିଠିରେ ଏସବୁ ଚୟନକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଆସିଥିଲା । ଏହାସତ୍ତ୍ବେ କିଭଳି ଚୟନ ପ୍ରକ୍ରିୟା କରାଯାଉଥିଲା , ସନ୍ଦେହ ସୃଷ୍ଟିହେବା ସ୍ବାଭାବିକ୍ । ଏଥିରୁ ସାରାଜିଲ୍ଲାର ୧୪ ବ୍ଲକ୍ ର ପ୍ରତି ପଞ୍ଚାୟତରେ ଶତାଧିକ ସଭ୍ୟଙ୍କର ଚୟନ ନିମନ୍ତେ ମୋଟ କେତେ ଟଙ୍କା ଆଦାୟ ହେଉଛି ଓ ଏହା ଜିଲ୍ଲାସ୍ତରକୁ ଏବଂ ରାଜ୍ୟସ୍ତରକୁ ସ୍ପର୍ଶ କରିଥାଏ କି ନାହିଁ , ମା’ ଗଙ୍ଗେଈ ଜାଣନ୍ତି  !
ଅନ୍ୟ ଏକ ବିଶ୍ବସ୍ତସୂତ୍ରରୁ ପ୍ରକାଶ ଯେ , ବଙ୍ଗୋମୁଣ୍ଡା ବ୍ଲକ୍ ର  କପିଳାଭଟା ଓ ବିରିପାଲି ପଞ୍ଚାୟତର ଏସ ଏଚ ଜି ଜରିଆରେ ଜଣେ ଅସାଧୁ ଅଧିକାରୀ ଟଙ୍କା ଉଠାଇ ନେଇଛନ୍ରି । ଏହା ପ୍ରମାଣିତ କରିବା ସହଜ ନହେଲେ ହେଁ , ସମସ୍ତେ ଜାଣନ୍ତି ।

ସେ ଯାହାହେଉ , ଗତ ବିଜେଡି ସରକାରର ଏଇ ଭୋଟ୍ ନିମନ୍ତେ ବ୍ୟବହାର ହୋଇଥିବା ତଥାକଥିତ ଓଏଲଏମରେ ଆଉ କଣ ସବୁ ଚାଲିଥିଲା ଓ ଏବେ ସେଇମାନେ ରହି କଣ ଚଳାଇଛନ୍ତି , ଏ ସମ୍ପର୍କରେ ନୂତନ ସରକାର ବିଧାନସଭାରେ ଏକ ତଦନ୍ତ କମିଟି ଗଠନ ନିମନ୍ତେ ଦାବି କରିବେ କି  ? – ଏ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟବ୍ୟାପି ଏଭଳି ଏକ ପ୍ରହସନର ପର୍ଦ୍ଦାଫାଶ୍ କରାଯିବ କେବେ ? ସର୍ବୋପରି ଏଥିରେ ଆମୂଳଚୂଳ ବଦଳି ପରେ ଇ ଏହା ସମ୍ଭବ ବୋଲି ମତବ୍ୟକ୍ତ କରାଯାଉଛି ।

Leave a Reply

Your email address will not be published. Required fields are marked *

Related Post