ରେଳଧାରଣାରୁ ମୃତଦେହ ଉଦ୍ଧାର : ସନ୍ଦେହଜନକ ଆତ୍ମହତ୍ୟା
ବଲାଙ୍ଗୀର : ସହରର ଏକ ପ୍ରତିଷ୍ଠିତ କୋଟିପତି ବ୍ୟବସାୟୀ ଓମ୍ ମିଠା ଓ ମିକ୍ସଚର୍ କାରଖାନାର ମ୍ୟାନେଜର ପ୍ରେମରାଜ ଭୋଇ ନାମକ ଯୁବକ ଗତ ୪ ତାରିଖ ସନ୍ଧ୍ୟାରେ ଶାନ୍ତପଡାସ୍ଥିତ ଘରୁ ଡିଉଟି ଯାଇ ଆଉ ନ ଫେରିବା ଓ ମୋବାଇଲ୍ ହ୍ବାଟ୍ସଅପ୍ ରେ ଘରଲୋକଙ୍କୁ ମେସେଜ୍ କରି ଜୀବନହାରୁଛି ବୋଲି କହିବା ପରେ ସେହି ରାତି ଅର୍ଥାତ୍ ଗତ ୫ ତାରିଖର ରାତି ପ୍ରାୟ ଅଢେଇଟା ବେଳେ ବଲାଙ୍ଗୀର ସହରରୁ ପ୍ରାୟ ୧୦ କିମି ଦୂର ଫାସଡ- ଶଙ୍କରଭୋଜୀ ନିକଟସ୍ଥ ସମ୍ବଲପୁର ରୋଡ୍ ର ରେଳଧାରଣାରୁ ତାଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ମିଳିବା ଘଟଣାର ଏତେଦିନ ପରେ ପ୍ରାରମ୍ଭିକ ତଦନ୍ତରେ ଏହା ଏକ ଆତ୍ମହତ୍ୟା ବୋଲି ତଦନ୍ତକାରୀ ବଲାଙ୍ଗୀର ରେଳବାଇ ପୁଲିସ କହୁଥିବା ବେଳେ ଅଦ୍ୟାବଧି କାରଣ ଜଣାପଡିପାରି ନଥିବା ଇତ୍ୟାଦି ଯୋଗୁଁ ଏହା ଚର୍ଚ୍ଚାର ବିଷୟ ହୋଇଛି । ଏଣୁ ଏହାର ତର୍ଜମା ଆବଶ୍ୟକ ବୋଲି ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ ।
ଅଦ୍ୟାବଧି ମୃତଦେହ ବ୍ଯବଚ୍ଛେଦ କରାଯାଇ ଥିଲେ ହେଁ , ପୋଷ୍ଟମର୍ଟମ ରିପୋର୍ଟ ମିଳିନାହିଁ ଓ ମୃତଦେହ ପାଖରୁ ପୁଲିସ ଜବତ କରିଥିବା ମୃତକଙ୍କ ବନ୍ଦ ହୋଇ ଯାଇଥିବା ମୋବାଇଲ୍ ଫୋନ୍ ଟି ଖୋଲାଯାଇ ପାରି ନ ଥିବାରୁ ଅଧିକ ତଥ୍ଯ ଜଣାପଡିନାହିଁ ।

ପ୍ରକାଶ ଯେ , ବଲାଙ୍ଗୀର ଶାନ୍ତପଡା ବାସିନ୍ଦା ପ୍ରେମରାଜ ଭୋଇ , ସେହିପଡାର ବାସିନ୍ଦା ତଥା ମିଠା ଓ ମିକ୍ସଚର ଫ୍ୟାକ୍ଟ୍ରି କରିଥିବା ଓ ଡେଲିମାର୍କେଟ୍ ରେ ଦୋକାନ ଦେଇଥିବା କୋଟିପତି ତେଜରାଜ ମେହେରଙ୍କ ପାଖରେ ଦୀର୍ଘବର୍ଷ ହେଲା ମ୍ୟାନେଜର ଥିଲେ । ଦୁଇଟି ଝିଅଙ୍କ ପିତା ପ୍ରେମରାଜ ସବୁଦିନ ପରି ଉକ୍ତଦିନ ମଧ୍ଯ ଘରକୁ ଆସି ଖିଆପିଆ କରି ଛୁଆଙ୍କୁ ଟିଉସନରୁ ଆଣି ଡିଉଟି ଯାଇଥିଲେ । କିନ୍ତୁ କିଛି ସମୟ ପରେ ସେ ତାଙ୍କ ବାପାମାଆ , ବଡଭାଇ ଓ ପତ୍ନୀଙ୍କୁ ତାଙ୍କ ମୋବାଇଲରୁ ହ୍ବାଟସ୍ ଅପ୍ ରେ ‘ ଆଇ ଲଭ୍ ୟୁ , ଆଇ କୁଇଟ ମାଇଁ ଲାଇଫ୍ ‘ ଇତ୍ୟାଦି ମେସେଜ୍ ପଠାଇଥିଲେ । ଫଳରେ ଘରଲୋକେ ବ୍ୟସ୍ତବିବ୍ରତ ହୋଇପଡି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହ ଥାନା /ପୁଲିସର ମଧ୍ଯ ସହାୟତା ଲୋଡିଥିଲେ । ରାତି ପ୍ରାୟ ଅଢେଇଟା ବେଳେ ରେଳବାଇ ପୁଲିସ ପକ୍ଷରୁ ତାଙ୍କର ମୃତଦେହ ଫାସଡ- ଶଙ୍କରଭୋଜୀ ନିକଟସ୍ଥ ରେଳଧାରଣାରେ ପଡିଥିବା ଖବର ପାଇଥିଲେ । ସେଠାରୁ ପୁଲିସ ଘରଲୋକଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରିଥିବା ପ୍ରକାଶ । ଘଟଣାସ୍ଥଳ ନିକଟରୁ ପୁଲିସ ତାଙ୍କର ବନ୍ଦ ହୋଇଯାଇଥିବା କାନରେ ହିଅରିଂ କର୍ଡ ଲାଗିଥିବା ମୋବାଇଲ ଫୋନ୍ , ବାଇକ୍ ଜବତ କରିଥିବା ପ୍ରକାଶ । ତେବେ ମୃତକଙ୍କ ମୁହଁ ଚିହ୍ନି ନହେଲା ଭଳି ସମ୍ପୂର୍ଣ୍ଣ ବିଭତ୍ସ ହୋଇ ଯାଇଥିବା ଓ କେଉଁ ଟ୍ରେନ୍ ଧକ୍କା ଦେଲା ଜଣାପଡିପାରି ନଥିବା ବଲାଙ୍ଗୀର ଜିଆରପି ପୁଲିସ ସୂତ୍ରରୁ ପ୍ରକାଶ ।
ଆତ୍ମହତ୍ୟାର କାରଣ ଅସ୍ପଷ୍ଟ !
ତଦନ୍ତକାରୀ ପୁଲିସ କହିବାନୁଯାୟୀ , ଘଟଣାସ୍ଥଳରେ ମୃତକଙ୍କ ବଡଭାଇ ସେ କିଛିଦିନ ହେଲା ଚୁପ୍ ଚାପ୍ ରହୁଥିବା , କୌଣସି ଅନ୍ ଲାଇନ ଗେମ୍ ଖେଳୁଥିବା ଓ ପ୍ରାୟ ୧୨ / ୧୩ ଲକ୍ଷ ଟଙ୍କାର ଉଧାର ଲାଗିଥିବା ପ୍ରକାଶ କରିଥିବା ବେଳେ ଏ ସମ୍ପର୍କରେ ତାଙ୍କୁ ପଚାରିବାରେ ବଡଭାଇ ପୃଥ୍ବୀରାଜ ଭୋଇ ଏପରି କିଛି କହିବାର ଅସ୍ୱୀକାର କରି ଆମେ ବି ଅନେକକଥା ଶୁଣୁଛୁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଓମ୍ ମିକ୍ସଚରର ଅନ୍ୟତମ ସତ୍ତ୍ବାଧିକାରୀ ତେଜରାଜ ମେହେରଙ୍କ ପୁତୁରା ଭୀଷ୍ମ କୁମାର ମେହେର କହିଛନ୍ତି ଯେ , ମୃତକ ଓ ତାଙ୍କ ପତ୍ନୀଙ୍କର ଥାଇରଏଡ୍ ବା କୌଣସି ରୋଗର ଚିକିତ୍ସା ପାଇଁ ସେମାନେ ତିନି/ ଚାରିଥର ୱାଲଟିୟରକୁ ଯାଉଥିଲେ । ତେବେ ଏ ସମ୍ପର୍କରେ ବଡଭାଇ ଅସ୍ୱୀକାର କରି ଦେଢବର୍ଷ ତଳେ ଥରେ ୱାଲଟିଅର ଯାଇଥିବା କହିଛନ୍ତି । ତେଣୁ ଏହି ମୃତ୍ୟୁର କାରଣ ସମ୍ପର୍କରେ ଘରଲୋକେ ବା ମାଲିକଙ୍କ ପକ୍ଷରୁ କୌଣସି କାରଣ ଜଣାପଡିନାହିଁ । ଏପରିକି ଓମ୍ ଟ୍ରେଡର୍ସର ମାଲିକ ତେଜରାଜ ମେହେର ମୃତକ ପ୍ରେମରାଜଙ୍କୁ ଘରର ପୁଅ ପରି ଖୁବ୍ ଅନ୍ତରଙ୍ଗ ଭାବରେ ଦେଖି ଆସିଥିବା ଓ ତାଙ୍କର ଏପରି ଆକସ୍ମିକ ମୃତ୍ୟୁର କାରଣ ଜାଣି ନ ପାରି ହତଚକିତ ହୋଇପଡିବା କହିଥିବା ବେଳେ , ମୃତକଙ୍କ ବଡଭାଇ ପ୍ରକାଶ କରିଛନ୍ତି ଯେ ମାଲିକ ତାଙ୍କ ଭାଇର ଶବଦାହ ବେଳେ କାନ୍ଦିପକାଇ ସେ କେବେ ବି ମୋର ଟଙ୍କାଟିଏ ବି କ୍ଷତି କରି ନଥିବା କହିଥିବା କହିଛନ୍ତି । ତେଣୁ ମୃତକ ପ୍ରେମରାଜ ଏହି କୋଟି କୋଟି ଟଙ୍କାର ଫାର୍ମରେ କାମ କରୁଥିଲେ ହେଁ , ଯଦି ଅନ୍ ଲାଇନ ଗେମ୍ ପାଇଁ ଉପରୋକ୍ତ ଲକ୍ଷାଧିକ ଟଙ୍କାର ଉଧାରୀ ପାଇଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ ସତ୍ଯ ହୋଇଥାଏ , ତେବେ ଏତେ ଟଙ୍କାର ଉଧାର ସେ କେଉଁଠୁ ନେଇଥିବେ ବୋଲି ଚର୍ଚ୍ଚା ହେଉଛି ?

ଦ୍ବିତୀୟତଃ କେତେକ କାରଣରୁ ଏହା ଯେ ଶତପ୍ରତିଶତ ଏକ ଆତ୍ମହତ୍ୟାମାମଲା , ଏ ନେଇ କେତେକ ମହଲରୁ ସନ୍ଦେହ ପ୍ରକାଶ ପାଇଛି । ତାହା ଏଇଥିପାଇଁ ଯେ , ସେ ମୃତ୍ଯୁପୂର୍ବରୁ ତାଙ୍କ ଘରଲୋକଙ୍କୁ ମୋବାଇଲ୍ ରେ ଅନ୍ତିମମୁହୂର୍ତ୍ତରେ କଥା ନ ହୋଇ , ହ୍ବାଟସ୍ ଅପ୍ ରେ ମେସେଜ୍ କଲେ କିଆଁ ? ଏହା ଅନ୍ୟକେହି ବି କରିପାରେ ଓ ଏହାକୁ ଅଧିକ ବାସ୍ତବ ପ୍ରମାଣିତ କରିବାକୁ ମୃତ୍ୟୁବେଳେ କାନରେ ହିଅରିଂ କର୍ଡ ଲଗାଇ ଦେଇଥାଇ ପାରେ ! ଆହୁରି ମଧ୍ଯ କେତେବେଳେ କେଉଁ ଗାଡି ଧକ୍କା ଦେଇଛି , ସେ ସମ୍ପର୍କରେ ଲୋକୋ ପାଇଲଟ୍ ବା ରେଳଡ୍ରାଇଭର୍ ବଲାଙ୍ଗୀର, ଲୋଇସିଂହା ବା ନିକଟସ୍ଥ ଷ୍ଟେସନରେ ରିପୋର୍ଟ ନ କରି ପଛର ଗାଡି ରିପୋର୍ଟ କରିଥିବା ସନ୍ଦେହ ସୃଷ୍ଟି କରୁଛି । ମୃତଦେହଟି ରେଳଧାରଣାରୁ ମିଳିଥିଲା , କଟିଥିବା କେହି ଦେଖିନାହିଁ । ଯଦି ଏହା ତଥାକଥିତ ଆତ୍ମହତ୍ୟା ନ ହୋଇ ଅନ୍ୟକିଛି ହୋଇଥାଏ , ଜାଣିଶୁଣି ହତ୍ୟାକାରୀ ମୃତକଙ୍କ ମୁହଁକୁ ଚିହ୍ନି ନ ପାରିବେ ବୋଲି ବିକୃତ କରିନାହିଁ ତ ?
ପ୍ରକାଶ ଯୋଗ୍ଯ ଯେ ଏହି ମିକ୍ସଚର ଦୋକାନୀ ଜଣକ ଅତି ସାମାନ୍ଯ ସ୍ତରରୁ ଏବେ ଅଳ୍ପ କେଇବର୍ଷ ମଧ୍ଯରେ କୋଟିପତି ପାଲଟିଯାଇଥିବା ଓ ସହରର ବିଭିନ୍ନ ସ୍ତରର ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିପାରି ଥିବାରୁ ଏତେ ଚର୍ଚ୍ଚା ସତ୍ତ୍ବେ କେବଳ ଗୋଟିଏ/ ଯୋଡିଏ ସାମାଜିକ ଗଣମାଧ୍ୟମକୁ ଛାଡିଦେଲେ , ଏ ସମ୍ପର୍କରେ ଖବର ପ୍ରକାଶ ପାଇ ନ ଥିବା ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ଏଣୁ ତଦନ୍ତକାରୀ ପୁଲିସ ଉପରୋକ୍ତ ସବୁଦିଗ ପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଉଛି । ପରେ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଓ ମୃତକଙ୍କ ବନ୍ଦ ମୋବାଇଲଟିର ଲକ୍ ଖୋଲିବା ପରେ ଏହାର କାରଣ ସମ୍ପର୍କରେ ଜଣାପଡିବ ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।