ସମ୍ପ୍ରସାରଣ ପାଇଁ ଜନଶୁଣାଣିରେ ଗ୍ରାମବାସୀଙ୍କ ବିରୋଧ
ତରଭା : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର ପାଣିମୁରା ଗ୍ରାମରେ ଗତ ୨୦୨୪ ରୁ ଦିଲ୍ଲୀର ଜଣେ ଅଣଓଡିଆ ଶିଳ୍ପପତି ଅନୀଲ କାନୋଡିଆ ଆସି ଗତ ସରକାରଙ୍କ ଅମଳରେ ଏକ ଇଥାନଲ କାରଖାନା ବସାଇଛନ୍ତି । ଏହାର ୨ ବର୍ଷ ପୂର୍ବରୁ ଗତ ୨୦ । ୫ । ୨୦୨୨ ତାରିଖରେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ଥାନୀୟ ବିଧାୟକ ତଥା ତତ୍କାଳୀନ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ,ତତ୍କାଳୀନ ଜିଲ୍ଲାର ବୀରମହାରାଜପୁର ବିଧାୟକ ତଥା ବାଣିଜ୍ଯ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା , ପୂର୍ବତନ ଜିଲ୍ଲାପାଳ ଅବୋଲି ନରବଣେ ପ୍ରମୁଖଙ୍କ ଉପସ୍ଥିତିରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହାର ୨ ବର୍ଷ ପରେ ଗତ ୧ । ୩ । ୨୦୨୪ ତାରିଖରେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତତ୍କାଳୀନ ପାର୍ଲ୍ୟାମେଣ୍ଟ୍ ଆଫେୟାର୍ସ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ଜିଲ୍ଲାପାଳ ଅନ୍ୟା ଦାସ ଏହାକୁ ଉଦ୍ ଘାଟନ କରିଥିଲେ । କହିବାବାହୁଲ୍ୟ ଯେ , ଏହି ଘରୋଇ କାରଖାନାଟିର କାନ୍ଥରେ ଲାଗିଥିବା ୨ ଟି ଫଳକରେ ଓଡ଼ିଶା ସରକାରଙ୍କ ଅଶୋକସ୍ତମ୍ଭର ଲୋଗୋ ଲାଗିଥିବାରୁ ସ୍ଥାନୀୟ ଲୋକେ ଏହା ଏକ ସରକାରୀ ଉଦ୍ୟୋଗ ବୋଲି ଭାବିନେଇ କୌଣସିପ୍ରକାର ପ୍ରତିବାଦ କରି ନଥିଲେ । କିନ୍ତୁ ଆରମ୍ଭରୁ ଏହି ଶସ୍ଯଭିତ୍ତିକ ‘ ମାସ୍ ବାଇଓ ଫୁଏଲ୍ ପ୍ରା. ଲିଃ.ଟି ପାଇଁ ବିଭିନ୍ନ ନିୟମର ଉଲଙ୍ଘନ କରାଯାଇ ଆସୁଥିବା ଅଭିଯୋଗ ପ୍ରକାଶ ପାଇ ଆସୁଛି । ତନ୍ମଧ୍ୟରୁ କାରଖାନାଟି ‘ ପାଣିମୁରା ଜଙ୍ଗଲ ‘ ବୋଲି ଉଲ୍ଲିଖିତ ସ୍ଥାନରେ ବସାଯାଇ ଥିବାରୁ ସରକାରୀ ସ୍ତରରେ ଚଞ୍ଚକତା କରାଯାଇ ଜମିର କିସମ ବଦଳ କରାଯାଇଥିବା ସନ୍ଦେହ କରାଯାଏ । କାରଣ କାରଖାନାଟି ପାଇଁ କର୍ତ୍ତୃପକ୍ଷ ମଝିରେ ପ୍ରଥମେ ମାତ୍ର ପ୍ରାୟ ସାଢେ ୪ ଏକର ଜମି କିଣି ପରେ ପ୍ରାୟ ୫୦ ଏକର ଜମିକୁ ମାଡିବସିଥିବା ଗ୍ରାମବାସୀଙ୍କ ଅଭିଯୋଗରୁ ପ୍ରକାଶ । ଏଥିରେ ନଦୀକୁ ରାସ୍ତାପାଇଁ ପାଣିମୁରାର ଦେବେନ୍ଦ୍ର ସାହୁଙ୍କର ୪ ଏକର ଜମିକୁ ଶାଗମାଛ ଦରରେ କିଣିନେଇ ତାଙ୍କର ଆଖପାଖ ଚାଷଜମିକୁ କ୍ଷତିଗ୍ରସ୍ତ କରି ଏଯାବତ୍ ତାହାର କ୍ଷତିପୂରଣ ଦେଉ ନଥିବା ଜମିମାଲିକ ଅଭିଯୋଗ କରିଛନ୍ତି । ଏହିପରି ଅନ୍ଯମାନେ ମଧ୍ଯ ଅଭିଯୋଗ କରୁଛନ୍ତି । ତେବେ କାରଖାନାଟି ମାତ୍ର ପ୍ରାୟ ୧୭ ଏକର ଜମିରେ ଥିବା ତରଭା ତହସିଲଦାର ଶ୍ବେତାଲୀନା ମାହାଣା ପ୍ରକାଶ କରିଛନ୍ତି ଓ ସେହିସ୍ଥାନର ନାମ ‘ ପାଣିମୁରା ଜଙ୍ଗଲ ‘ ବୋଲି ସଫେଇ ଦେଉଛନ୍ତି । ତେବେ କାରଖାନାଟି ପାଇଁ ଗ୍ରାମବାସୀମାନେ ଉକ୍ତ ଗ୍ରାମ୍ୟ ଜଙ୍ଗଲର ଜାଳେଣୀ କାଠକାଠି , ବାଢୁନ୍ ଓ ଅନ୍ଯାନ୍ଯ ବନଜାତ ଦ୍ରବ୍ୟ ଜୀବନଜୀବିକା ପାଇଁ
ହରାଇଥିବା କହନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଯେ , ଏହି କାରଖାନାର ଦୂଷିତ ବର୍ଜ୍ୟଜଳ , ପ୍ରଚଣ୍ଡ ଶବ୍ଦ ପ୍ରଦୂଷଣ ଓ ଧୂଳିଧୂଆଁ ମାତ୍ର ପ୍ରାୟ ୫୦୦ ମିଟରରେ ଥିବା ପାଣିମୁରା ଓ ଆଖପାଖର କେତେଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ଜୀବନକୁ ଦୁର୍ବିସହ କରି ପକାଇଛି । ଏହି ପ୍ରଦୂଷଣ ଯୋଗୁଁ ଲୋକେ ଓ ତାଙ୍କର ଗୃହପାଳିତ ପଶୁପକ୍ଷୀଙ୍କ ସ୍ବାସ୍ଥ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଛି । ବନ୍ଧକଟା , ନାଳାରେ ଏହି ପାଣି ପଶୁଥିବାରୁ ଚର୍ମରୋଗ ସୃଷ୍ଟି ହେଉଛି । ବାରମ୍ବାର ଅଭିଯୋଗ ସତ୍ତ୍ବେ ନ ଶୁଣିବାରୁ କିଛିଦିନ ତଳେ ନିକଟସ୍ଥ ପଣ୍ଡକିମାଲର ଗ୍ରାମବାସୀମାନେ ଆସି କାରଖାନାର ଗାଡିମଟର ଭଙ୍ଗାରୁଜା କରିଥିଲେ ।
ପ୍ରଶାସନ ଓ ପ୍ରଦୂଷଣ ବୋର୍ଡର ସରକାରଙ୍କୁ ଭୁଲ୍ ରିପୋର୍ଟ
ପ୍ରତିଦିନ ରାଜ୍ୟ ତଥା ରାଜ୍ୟବାହାରର ଶହ ଶହ ଟ୍ରକ୍ ଯାଆଆସ କରୁଛି । ଏହି ଇଥାନଲ କାରଖାନାର କଞ୍ଚାମାଲ ରୂପେ ମକା , ଖୁଦ , ଗହମ ଆଦି ବ୍ୟବହୃତ ହେଉଥିବାରୁ ଏହାର ପଚାଦୁର୍ଗନ୍ଧ ମାଇଲ୍ ମାଇଲ୍ ପର୍ଯ୍ୟନ୍ତ ବ୍ୟାପିଯାଉଛି । ଆଣ୍ଠୁଏ ବହଳର ଧୂଳିକାଦୁଅରେ ଶତାଧିକ ମହିଳାଙ୍କ ସମେତ ଶ୍ରମିକ କାମକରୁଥିବା ସତ୍ତ୍ବେ ଏଠାରେ ଶ୍ରମିକସୁରକ୍ଷା ବିପନ୍ନ । କିଛିମାସ ତଳେ ଅରଖପଦର ଗ୍ରାମର ଜଣେ ଯୁବଶ୍ରମିକଙ୍କ ମେସିନରେ କଟିଯାଇ ମର୍ମନ୍ତୁଦ ମୃତ୍ୟୁ ହୋଇଯିବାରୁ ଗ୍ରାମବାସୀଙ୍କ ଆକ୍ରମଣ ହୋଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ତରଭା ଥାନାରେ ମାମଲା ଋଜୁ କରାଯାଇ ତଦନ୍ତ ହୋଇଥିଲା । ତେବେ ମୃତଶ୍ରମିକଙ୍କ ପରିବାରକୁ କାରଖାନା କର୍ତ୍ତୃପକ୍ଷ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଥିଲେ । ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ , ଏଠାରେ ପଶ୍ଚିମବଙ୍ଗ ଓ ଅନ୍ଯାନ୍ଯ ବାହାର ରାଜ୍ୟର ଶ୍ରମିକ ଓ କର୍ମଚାରୀଙ୍କର ଏଭଳି ଏକାଧିକ ଦୁର୍ଘଟଣାଜନିତ ମୃତ୍ୟୃକୁ ଚପାଇ ଦିଆଯାଇଛି ।

ଏହାସହିତ କାରଖାନା ତରଫରୁ ଆଖପାଖର ଡିଲରଙ୍କ ଠାରୁ ଚାଷୀଙ୍କୁ ଯୋଗାଯାଉଥିବା ସରକାରୀ ୟୁରିଆ ସାର ଚୋରାରେ କିଣାଯାଇ ବ୍ୟବହାର କରାଯାଉଛି । ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ ଅଟେ ଓ ଏ ସମ୍ପର୍କିତ ଗଣମାଧ୍ୟମର ପ୍ରକାଶିତ ଅଭିଯୋଗ ପ୍ରତି ସରକାର କର୍ଣ୍ଣପାତ କରିନାହାଁନ୍ତି !
କାରଖାନାଟିର ସ୍ଥାପନ ବେଳେ ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀ ବୁଲି ବୁଲି ଏହି କାରଖାନାରେ ସ୍ଥାନୀୟ ଗ୍ରାମର ୫୦ ପ୍ରତିଶତ ଲୋକଙ୍କୁ କାମ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ମାତ୍ର ୩/ ୪ ଜଣ ମୂଲିଆ କାମ କରୁଛନ୍ତି । ଅଧିକନ୍ତୁ ପ୍ରତ୍ୟେହ ବଲାଙ୍ଗୀରରୁ ଏକ ବସ୍ ଯୋଗେ ଏଠାକୁ ଶ୍ରମିକ/ କର୍ମଚାରୀଙ୍କୁ ଅଣାନିଆ କରାଯାଉଛି ।
ବଲାଙ୍ଗୀରରେ ରହୁଥିବା ଆଞ୍ଚଳିକ ପ୍ରଦୂଷଣ ଅଧିକାରୀଙ୍କ ପାଦ ଏହି କାରଖାନାରେ ପଡେନାହିଁ । ଲୋକଙ୍କର ଏଥିନେଇ ଅଭିଯୋଗ ବା ଗଣମାଧ୍ୟମର ପ୍ରକାଶିତ ଅଭିଯୋଗ ପ୍ରତି ସେ ବର୍ଷ ବର୍ଷ ଧରି ଆଦୌ ଗୁରୁତ୍ବ ଦେଇନାହାଁନ୍ତି ।
ତେବେ ସ୍ଥାନୀୟ ଗ୍ରାମବାସୀମାନଙ୍କ ଅଭିଯୋଗ ଓ ସ୍ବାର୍ଥକୁ ଦୀର୍ଘ ୨ ବର୍ଷକାଳ ଅଣଶୁଣା କରି ଆସୁଥିବା ଏହି କାରଖାନାର ସମ୍ପ୍ରସାରଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ରାଜ୍ଯ ପ୍ରଦୂଷଣ ବୋର୍ଡର ମିଳିତ ଉଦ୍ୟମରେ ଗତ ୯ ତାରିଖରେ କାରଖାନା ନିକଟରେ ପାଣିମୁରା ଗ୍ରାମଠାରେ ଏକ ଜନଶୁଣାଣି ସଭାର ଆୟୋଜନ କରାଯାଇଥିଲା । ଏଥିରେ କାରଖାନା କର୍ତ୍ତୃପକ୍ଷ, ପ୍ରଶାସନ, ପ୍ରଦୂଷଣ ଅଧିକାରୀ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା , ଗ୍ରାମବାସୀଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଡକାଯାଇଥିଲା ।
ଏଥିରେ ବଲାଙ୍ଗୀର ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ବବିତା ସିଂ , ତରଭା ତହସିଲଦାର ଶ୍ବେତାଲୀନା ମାହାଣା , ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି , ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର , ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ , ତରଭା ଥାନାଧିକାରୀ ଅନୀତା କିଡୋ ,ତରଭା ବିଡିଓ , କାରଖାନାର ମୁଖ୍ଯ ଯୋଗେନ୍ଦ୍ର ତୋମର ଓ ଆଖପାଖ ୫ ଖଣ୍ଡ ଗ୍ରାମର ପ୍ରାୟ ଶତାଧିକ ଗ୍ରାମବାସୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସୁବର୍ଣ୍ଣପୁର ଏସ୍ ପି ନାରାୟଣ ନାଏକ ତରଭା ଥାନାରେ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ ଉପରେ ଦୃଷ୍ଟି ରଖିଥିଲେ ।
କମ୍ପାନୀର ଏବର ରହିଥିବା ଶସ୍ଯଭିତ୍ତିକ ୪୫୦ କେଏଲଟି ରୁ ୩୬୦ କେଏଲଟି କ୍ଷମତା ବିଶିଷ୍ଟ ସମ୍ପ୍ରସାରଣ ସହିତ ୯ ମେଗାଓ୍ବାଟ୍ କୋଇଲା ଭିତ୍ତିକ ପ୍ଲାଣ୍ଟ୍ ପାଇଁ ପରିବେଶ ମଞ୍ଜୁରୀ ସକାଶେ ଏହି ଜନଶୁଣାଣି କରାଯାଇଥିଲା ।

କିନ୍ତୁ ଏହି ଜନଶୁଣାଣିରେ ଗ୍ରାମବାସୀଙ୍କ ପ୍ରବଳ ଜନଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ କାରଖାନାଟିକୁ ବନ୍ଦ କରିଦେବାକୁ ନାରା ଦିଆଯାଇଥିଲା । ସଭାରେ ପାଣିମୁରାର ଅକ୍ଷୟ କୁଅଁର , ଧ୍ରୁବ ଚରଣ ନାଏକ , ବିଜୟ ମଲ୍ଲିକ, ରାଧାକାନ୍ତ ସାହୁ ,ଦେବେନ୍ଦ୍ର ସାହୁ , ପଣ୍ଡକିମାଲର ଭୁବନେ ସାହୁ , କେନ୍ଦୁମୁଣ୍ଡାର ଜପ ବଗର୍ତି ଓ ବଡଭଇଁରୋ ପଞ୍ଚାୟତର ଅନ୍ଯମାନେ କାରଖାନା ବିରୁଦ୍ଧରେ ବିଷୋଦ୍ଗାର କରିଥିଲେ । ଏହି କାରଖାନା ସେମାନଙ୍କର କୌଣସିପ୍ରକାର କାମରେ ଆସୁ ନଥିବା ସହିତ ଜୀବନ ପ୍ରତି ବିପଦ ସୃଷ୍ଟି କରୁ ଥିବାରୁ ସରକାରଙ୍କ ପକ୍ଷରୁ ଏହାକୁ ବନ୍ଦ କରିଦିଆଯିବାକୁ ଦାବି କରିଛନ୍ତି ।
କାରଖାନାର କୌଣସିକଥା ବୁଝିବାକୁ ଏପରିକି ସ୍ଥାନୀୟ ସାମ୍ବାଦିକମାନଙ୍କୁ କାରଖାନା ଭିତରକୁ ଛଡାଯାଉ ନ ଥିବାରୁ ତରଭାର ବରିଷ୍ଠ ସାମ୍ବାଦିକ ମାନଭଞ୍ଜନ ମିଶ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ବଲାଙ୍ଗୀର ଓ ସୋନପୁରରୁ ଆସିଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କ ପ୍ରଶ୍ନରେ ବିଚଳିତ ହୋଇପଡିବା ସହିତ କାରଖାନାର ପ୍ଲାଣ୍ଟ୍ ହେଡ୍ ଯୋଗେନ୍ଦ୍ର ତୋମର ଏହି କାରଖାନାର ଏସବୁ ସମସ୍ୟାର ସମାଧାନ କରାଯିବ ଓ ଦେଶର ସବୁଠୁଁ ଆଧୁନିକ ଟେକ୍ ନିକ୍ ବ୍ୟବହାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହା ଏକ ସଫେଦ୍ ଝୁଠ୍ ବୋଲି ଲୋକେ କହୁଥିବା ଦେଖାଯାଇଥିଲା । ସବୁଠାରୁ ଅଧିକ ଅସନ୍ତୋଷ ବଲାଙ୍ଗୀର ଆଞ୍ଚଳିକ ପ୍ରଦୂଷଣ ଅଧିକାରୀଙ୍କ ପ୍ରତି ପ୍ରକାଶ ପାଇଥିଲା ।
ବିଡମ୍ବନାର ବିଷୟ ଯେ , ଏହି କାରଖାନାଟିର କର୍ତ୍ତୃପକ୍ଷ ଆରମ୍ଭରୁ ଅଦ୍ୟାବଧି ପ୍ରଦୂଷଣ, ଶ୍ରମିକସୁରକ୍ଷା , ଗ୍ରାମବାସୀଙ୍କ ସ୍ବାର୍ଥ ଇତ୍ୟାଦି ପ୍ରତି ଆଦୌ ତିଳେମାତ୍ର ଭ୍ରୂକ୍ଷେପ ନକରି ବର୍ଷ ବର୍ଷ ଧରି ସମସ୍ତ ନିୟମର ସିଧା ଉଲଙ୍ଘନ କରିଆସି ଆହୁରି ସମ୍ପ୍ରସାରଣ କରିବାକୁ ପାଦ ବଢାଇଥିବା ଓ ସ୍ଥାନୀୟ ପ୍ରଶାସନ, ରାଜ୍ଯ ପ୍ରଦୂଷଣ ବୋର୍ଡ ଓ ସରକାରଙ୍କ ସହ ନିର୍ବାଚିତ ଲୋକପ୍ରତିନିଧିଙ୍କୁ ଢାଲ କରି ଦମନଲୀଳା ଚଳାଇ ଆସୁଥିବା ଆଶ୍ଚର୍ଯ୍ୟଜନକ !