କଙ୍ଗାରୁକୋର୍ଟରେ ଦଫାରଫା : ହାତଲେଖା ସ୍ବୀକାରୋକ୍ତି !
ସୋନପୁର : ସୁବର୍ଣ୍ଣ ପୁର ଜିଲ୍ଲା ତରଭା ବ୍ଲକ୍ ର କମସରା ପେକ୍ସର ଗତ ଖରିଫ୍ଋତୁରେ ମଣ୍ଡିରେ ଧାନକିଣା ଟାର୍ଗେଟ୍ ସରିଯିବା ପରେ ୧୯ ଜଣ ଚାଷୀଙ୍କର ଧାନ କିଣାଯାଇ ଭେଣ୍ଡର ସ୍ଲିପ୍ ଦିଆଯିବା ସତ୍ତ୍ୱେ ପାଉଣା ଦିଆ ନଯାଇ କମସରା ଗ୍ରାମ ନିବାସୀ ଡିଇଓ ମନୋରଞ୍ଜନ ମିଶ୍ର ଫେରାର୍ ହୋଇଯିବା ସହିତ ସମ୍ପାଦକ କମସରା ଗ୍ରାମର ଛନ୍ଦା ଚରଣ ପଣ୍ଡା ଜାଣି ନଥିବା ସଫେଇ ପରେ ଚାଷୀଙ୍କ ପକ୍ଷରୁ ଜିଲ୍ଲାପାଳ , ଡିଆରସିଏସ୍ ଙ୍କୁ ଚାଷୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ଏଆରସିଏସ୍ ପାଣୁ ଚରଣ ସାହୁ ଆସି ପ୍ରାଥମିକ ତଦନ୍ତ କରିବା ସହ ତାଙ୍କ ଉପସ୍ଥିତିରେ ତରଭା ଥାନାରେ ଏତଲା ମଧ୍ୟ କରାଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଯୋଗାଣ ଅଧିକାରୀ ଓ ଡିଆରସିଏସ୍ ଙ୍କ ନେତୃତ୍ଵରେ ଏକ ତଦନ୍ତ କମିଟି ଗଠନ କରାଯାଇ ତଦନ୍ତ କରାଯାଇ ତାହାର ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯାଇଛି ।
ପେକ୍ସ ସମ୍ପାଦକଙ୍କ କହିବାନୁଯାୟୀ , ଗତ ଜାନୁଆରୀ ମାସ ଶେଷସୁଦ୍ଧା ମୋଟ ୩୪୮ଜଣ ଚାଷୀଙ୍କର ୪୦୩ଟି ଭେଣ୍ଡରର ଆଉ କୌଣସି ପାଉଣା ବାକି ରହିନାହିଁ । ତା’ପରେ ଫେବୃଆରୀ ୫ ତାରିଖ ମଧ୍ୟରେ ଉକ୍ତ ଅଭିଯୋଗକାରୀ କୁମ୍ଭାରମୁଣ୍ଡା , ଲେମ୍ବୁପାଲି , ମହୁଲପାଲି ,ଜାମପାଲି ,ବଡଯୋର ଓ କମସରା ଇତ୍ୟାଦି ଗ୍ରାମର ୧୯ ଜଣ ଚାଷୀଙ୍କର ଭେଣ୍ଡର ସ୍ଲିପ୍ ସମ୍ପର୍କରେ ସେ କିଛି ଜାଣନ୍ତି ନାହିଁ ।

ଏ ସମ୍ପର୍କରେ କୁମ୍ଭାରମୁଣ୍ଡାର ଜଣେ ଚାଷୀ- ବେପାରୀ ଶକ୍ତି ସାହୁଙ୍କ ଅଭିଯୋଗ ଅନୁଯାୟୀ , ଏଥିରେ ସମ୍ପାଦକ ମଧ୍ୟ ସାମିଲ୍ ଅଛନ୍ତି । ସମ୍ପାଦକ ତାଙ୍କ ଘରେ ଫେକ୍ସର ଚାଷୀଙ୍କର ପାସ୍ ବୁକ୍ ଓ ଖାତାପତ୍ର ଇତ୍ୟାଦି ରଖି ଋଣଦେବା ବା ଆଦାୟର ପିଟି କରିଥା’ନ୍ତି । ଡିଇଓ ଏହି ଧାନକୁ ଲଳିତା ମିଲ୍ ରେ କଳାବଜାରରେ ବିକି ୧୦ ଲକ୍ଷ ଟଙ୍କା ନଗଦ ଆଣିଥିବା ଚାଷୀମାନେ ଦେଖିଛନ୍ତି । ଏହି ଟଙ୍କାକୁ ଡିଇଓ ଜୁଆ ଖେଳି ଦେଇଥିବାର ତାଙ୍କ ଘରକୁ ଆସିଥିଲାବେଳେ ତରଭାର ଜଣେ ବେପାରୀ ପ୍ରକାଶ ମଧ୍ୟ କରିଥିଲେ । ତେବେ ଏଭଳି ଅଭିଯୋଗକୁ ସମ୍ପାଦକ ଛନ୍ଦା ଚରଣ ପଣ୍ଡା , ଫେରାର୍ ହୋଇ ଯାଇଥିବା ଡିଇଓଙ୍କୁ ଫୋନ୍ ରେ ପଚାରିବାରୁ ଓ ପୂର୍ବତନ ଲଳିତା ମିଲ୍ ବନାମ ସିଆଲଜୁରୀର ଶୀତଲ ଇଣ୍ଡଷ୍ଟ୍ରି ପକ୍ଷରୁ ଅସ୍ବୀକାର କରାଯାଇଛି । ତେବେ ଏହି ଧାନକୁ ପେକ୍ସ ପକ୍ଷରୁ ସେଠାରେ ଧାନର ସହାୟକ ମୂଲ୍ୟ ଅଧିକ ଫରକ୍ ଥିବାରୁ କଳାବଜାରରେ ବେପାରୀଙ୍କ ଦ୍ବାରା ଛତିଶଗଡକୁ ଚୋରାଚାଲାଣ କରିଦିଆଯାଇଥିବା କେତେକ ନିର୍ଭରଯୋଗ୍ୟ ଅସମର୍ଥିତ ସୂତ୍ରରୁ ପ୍ରକାଶ ।
ଆମପକ୍ଷରୁ ଏ ସମ୍ପର୍କରେ ସୋନପୁର ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରାହୀ ଓ ଡିଆରସିଏସ୍ ଓ ଜିଲ୍ଲାପାଳ ଅନ୍ୟା ଦାସଙ୍କ ସହ ଚେଷ୍ଟା କରାଯାଇଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ଏଆରସିଏସ୍ ପାଣୁ ଚରଣ ସାହୁ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଇପାରିବ ନାହିଁ ଓ ଏହା ଜିଲ୍ଲାପାଳଙ୍କୁ ଦିଆଯାଇଛି ବୋଲି ଫୋନ୍ ଯୋଗେ କହି ଏଡାଇ ଯାଇଥିଲେ । ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଯୋଗେଶ୍ବର ସାଏ ମଧ୍ୟ ‘ ଆମେ ଉକ୍ତ ତଦନ୍ତ କମିଟିରେ ସହାୟତା କରିଥିଲୁ ମାତ୍ର ‘ କହି ମୁଣ୍ଡ ଖସାଇ ଦେଇଥିଲେ ।
ଏଭଳି ଏକ ରାଜ୍ୟ ବାହାରକୁ ଆନ୍ତଃରାଜ୍ୟ ଧାନ ଚୋରାଚାଲାଣ ସନ୍ଦେହ ଓ ପେକ୍ସରେ ଧାନକିଣା ଜାଲିଆତି ଅଭିଯୋଗର ପ୍ରକୃତ ତଦନ୍ତକୁ ଚପାଇ ଦିଆଗଲା । ଆଶ୍ଚର୍ଯ୍ୟର ବିଷୟ ଯେ , ଏଥିପାଇଁ କମସରା ଗ୍ରାମରେ ଏକ କଙ୍ଗାରୁକୋର୍ଟରେ ଏହାର ବିଚାର କରାଯାଇଥିଲା । ସେଠାରେ ପେକ୍ସ ସଭାପତି ରାଜୁ କୁମ୍ଭାର , ସମ୍ପାଦକ , ଅଭିଯୋଗକାରୀ ଚାଷୀ ଓ ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କ ଉପସ୍ଥିତିରେ ଅଭିଯୁକ୍ତ ଡିଇଓ ମନୋରଞ୍ଜନ ମିଶ୍ର ୧୫ ଲକ୍ଷ ଟଙ୍କାରେ ନିଜର ଜମି ବିକ୍ରି କରିଦେଇ ବର୍ଷକ ମଧ୍ୟରେ ନ ଫେରାଇଲେ , ଜମି ନେଇଯିବା ସର୍ତ୍ତରେ ମୁଖ୍ୟଅଭିଯୋଗକାରୀ କୁମ୍ଭାରମୁଣ୍ଡାର ଶକ୍ତି ସାହୁଙ୍କୁ ରେଜିଷ୍ଟ୍ରି କରିଦେଇଥିବା ଏବଂ ଏକ ସାଦା କାଗଜରେ ଦୋଷ ସ୍ବୀକାର ପୂର୍ବକ ଏହା ଏକ ମିଥ୍ୟା ଧାନଖର୍ଦ୍ଦି ଓ ଏଥିରେ ତାଙ୍କ ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଆଉ ଜଣେ ଡିଇଓ ରଞ୍ଜନ ଦୀପ ଏବଂ ଭୁବନେଶ୍ବର ମୁଖ୍ୟଯୋଗାଣ କାର୍ଯ୍ୟାଳୟର ଜଣେ କମ୍ପ୍ୟୁଟର ସହାୟକ ସାମିଲ୍ ଥିବା ହାତକାଟି ଲେଖିଦେଇଛନ୍ତି । ଏହାର ନକଲକୁ ସଂଲଗ୍ନ କରି ଅଭିଯୋଗକାରୀ ଉକ୍ତ ତଥାକଥିତ ଚାଷୀମାନେ ଜିଲ୍ଲାପାଳ ଓ ଡିଆରସିଏସ୍ ଙ୍କୁ ପଠାଇ ଉକ୍ତ ଅଭିଯୁକ୍ତ ଡିଇଓଙ୍କ ବିରୁଦ୍ଧରେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାକୁ ଅନୁରୋଧ କରିଥିବା ଜଣାଯାଇଛି ।

ଏଣୁ ସୁବର୍ଣ୍ଣପୁର ଜିଲ୍ଲାର ପେକ୍ସଗୁଡିକରେ ଧାନମଣ୍ଡି , ଯୋଗାଣ ବିଭାଗ ଓ ସମବାୟ ବିଭାଗର କାର୍ଯ୍ୟକଳାପ କିପରି ଚାଲିଛି , ସହଜରେ ଅନୁମେୟ । ଜନସାଧାରଣଙ୍କ ପକ୍ଷରୁ ସରକାରଙ୍କର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି ।