ବିଡିଓ- ସାମ୍ବାଦିକ ମୁହାଁମୁହିଁ
ବେଲପଡା : କିଛିଦିନତଳେ ସୁବର୍ଣ୍ଣପୁୁର ଜିଲ୍ଲାର ସୋନପୁର ବ୍ଲକ୍ ଅଫିସ୍ ରେ ବିଡିଓ-ସାମ୍ବାଦିକଙ୍କ ହାତାହାତି ଘଟଣା ପରେ ଏବେ ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକ୍ ରେ ବିଡିଓ- ସାମ୍ବାଦିକଙ୍କ ବାକ୍ ବିତଣ୍ଡାରୁ ଆଉ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ।
ଦର୍ଲିପାଲି ପଞ୍ଚାୟତର କର୍ମଚାରୀମାନେ ଆବାସ ହିତାଧିକାରୀଙ୍କ ଟଙ୍କା ହଡପ ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ବିଡିଓ ଟାଳଟୁଳ ନୀତି ଅବଲମ୍ବନ କରୁ ଥିବାରୁ ଲୋକେ ଘେରାଉ କରିଥିଲେ।ସେତେବେଳେ ସାମ୍ବାଦିକ ଜଣକ ପହଞ୍ଚି ବୁମ୍ ସାମ୍ନାରେ ସମସ୍ତଙ୍କ ସମ୍ମୁଖରେ ଯାଇ ଉତ୍ତର ମାଗିବାରୁ ବିଡିଓ ପ୍ରଥମେ ଏହାକୁ ଏଡାଇ ହଡବଡେଇଯାଇ ‘ ତମେ ମୋତେ ଟଙ୍କା ମାଗୁଛ ‘ ବୋଲି ମିଥ୍ୟାରୋପ କରିବା ପରେ ସାମ୍ବାଦିକ ଜଣକ ‘ ଚୋରମୁହଁ ଟାଣ ‘ ବୋଲି ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ନେଇ ଥାନାରେ ମାମଲା ଋଜୁ ହୋଇଛି ।
ଦୁର୍ନୀତି ଅଭିଯୋଗରେ ଲୋକେ ବ୍ଲକ୍ ଘେରାଉ କରିଥିବାର ଖବର ପାଇ ‘ ମୋର୍ ସମିୟା ‘ ନାମକ ଏକ ୟୁ- ଟ୍ୟୁବ୍ ଚ୍ୟାନେଲ୍ ର ନିବେଶ ପାଣିଗ୍ରାହୀ ସେଠାରେ ପହଞ୍ଚିଥିଲେ । ଅଭିଯୋଗ ଅନୁଯାୟୀ , ଉକ୍ତ ବ୍ଲକ୍ ର ଦର୍ଲିପାଲି ପଞ୍ଚାୟତର ଆଡମୁଣ୍ଡା ନିବାସୀ ଜିଆର୍ ଏସ ସରୋଜ ମିଶ୍ର ଓ ମାଲପଡା ନିବାସୀ ଜିଓ ଟ୍ୟାଗର୍ ସୁରେନ୍ଦ୍ର ପଧାନ ଦୁହେଁ ମିଶି ଦର୍ଲିପାଲି ପଞ୍ଚାୟତର ଗୋଡଭଗା ଓ ଅନ୍ୟାନ୍ୟ ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କର ହଜାର ହଜାର ବାକିଆଟଙ୍କାକୁ ନିଜ ସମ୍ପର୍କୀୟ ଓ ଅନ୍ୟମାନଙ୍କର ଆକାଉଣ୍ଟ୍ ରେ ପକାଇ ଆତ୍ମସାତ୍ କରିଥିବାର ଗୁରୁତର ଅଭିଯୋଗ ବିଡିଓଙ୍କ ସମେତ ତାଙ୍କ ଜରିଆରେ ପାଟଣାଗଡ ଉପଜିଲ୍ଲାପାଳ ଓ ବଲାଙ୍ଗୀର ଜିଲ୍ଲାପାଳଙ୍କ ଠାରେ କରାଯାଇଥିଲା । ଏହି ଅଭିଯୋଗକାରୀମାନେ ହେଲେ ଦର୍ଲିପାଲିର ଧ୍ରୁବ ବାଗ , ଗୋଡଭଗା ଗ୍ରାମର ଭଗବତୀ ବାଗ , ପାନ ନିଆଲ ,ସୁମୁଖୀ ଶଗଡିଆ , ମିତ୍ର ପୁଞ୍ଜି , ସୁବାସିନୀ ଭାଟି , ଗରୁଡ ସୁନା ,ତିଲ ବାଗ , ପୁଷ୍ପା ନିଆଲ , ତହସିଲ ବାଗ ,ସୁଶୀଳ ବାଗ ,କୋଶଳ ପୁଞ୍ଜି ,ଜଗ ନିଆଲ, ସମାରୁ ବାଗ , କଲାସ ନିଆଲ ଓ ଆହୁରି ଅନେକ ହିତାଧିକାରୀମାନେ ।ଏହି ଜିଆରଏଫ୍ ଓ ଜିଓ ଟ୍ୟାଗରଙ୍କ ଦ୍ବାରା ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନା ଓ ମନରେଗା ପାଉଣାର ଏପରି ହଜାର ହଜାର ଟଙ୍କାକୁ ଅନ୍ୟ ଆକାଉଣ୍ଟ୍ ରେ ପକାଯାଇ ଆତ୍ମସାତ୍ କରିଥିବା ଲିଖିତ ଅଭିଯୋଗକୁ ବିଡିଓ ପକାଇ ରଖିବା ପରେ ଉକ୍ତଦିନ ସେମାନେ ଆସି ବ୍ଲକ୍ ଅଫିସ୍ ରେ ବିଡିଓଙ୍କୁ ଘେରାଉ କରିଥିଲେ । ଏହି ଅଭିଯୋଗକାରୀ ଓ ସମସ୍ତଙ୍କ ସମ୍ମୁଖରେ ଉକ୍ତ ସାମ୍ବାଦିକ ଜଣକ ବିଡିଓ ରାଜେଶ କୁମାର ମେହେରଙ୍କୁ ଉତ୍ତର ମାଗିବାରୁ ଏପରି ଅପ୍ରିୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଅଥଚ ଏହାକୁ ନେଇ ବିଡିଓଙ୍କ ପକ୍ଷରୁ ଏତଲାକ୍ରମେ ବେଲପଡା ଥାନାରେ ଉକ୍ତ ସାମ୍ବାଦିକଙ୍କ ବିରୋଧରେ ଏକ ମାମଲା ଋଜୁ କରାଯାଇଛି।
ଉପରୋକ୍ତ ସୋନପୁର ବ୍ଲକ୍ ର ବିଡିଓ- ସାମ୍ବାଦିକ ହାତାହାତି ମାମଲାରେ ଉଭୟଙ୍କ ପକ୍ଷରୁ ଦୁଇଟି ମାମଲା ସୋନପୁର ଥାନାରେ ଋଜୁ କରାଯାଇଥିଲା ବେଳେ ଉକ୍ତଦିନ ଉକ୍ତ ସାମ୍ବାଦିକଙ୍କୁ ରାତିଅଧିଆ ପୁଲିସ୍ ଘରୁ ଉଠାଇଆଣି ଗିରଫ କରିବାପରେ ରାଜ୍ୟବ୍ୟାପି ସାମ୍ବାଦିକସଂଘ ପକ୍ଷରୁ ଆନ୍ଦୋଳନ ସହ ଅଭିଯୁକ୍ତ ବିଡିଓଙ୍କୁ ଗିରଫ ଦାବି କରାଯାଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା।ଡିଜି ମଧ୍ୟ ଶୀଘ୍ର ଯିଏ ହେଲେ ବି ତିନିଦିନ ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେଇଥିଲେ । ଅଥଚ ଅଦ୍ୟାବଧି ବିଡିଓଙ୍କୁ ପୁଲିସ୍ ଅଫିସ୍ ରେ ସୁରକ୍ଷା ଯୋଗାଇଦେଇଛି । ଅଭିଯୋଗ ଅନୁଯାୟୀ , ଉକ୍ତ ସାମ୍ବାଦିକ ଜଣକ ବ୍ଲକ୍ ରେ ଚାଲିଥିବାର ଦୁର୍ନୀତି ସମ୍ପର୍କରେ ସୂଚନା ଅଧିକାର ବଳରେ ତଥ୍ୟ ମାଗିଥିଲେ ଓ ବିଡିଓ ତାହା ଦେଉ ନଥିବାରୁ ତାଙ୍କ ଅଫିସ୍ ମଧ୍ୟରେ ଚେୟାରମ୍ୟାନ୍ ଙ୍କ ଉପସ୍ଥିତିରେ ଉଭୟଙ୍କ ମଧ୍ୟରେ କଥା କଟାକଟି ପରେ ହାତାହାତି ହୋଇଥିବା ପ୍ରକାଶ ।
ଏବେ ବେଲପଡାରେ ଅଭିଯୁକ୍ତସାମ୍ବାଦିକଙ୍କୁ ପୁଲିସ୍ ଖୋଜୁଛି । ବିଡିଓଙ୍କୁ ଜିଲ୍ଲାପାଳ ସପକ୍ଷ ପୂର୍ବକ ଜିଲ୍ଲାର ସାମ୍ବାଦିକମାନଙ୍କର ଡିଆଇପିଆରଓଙ୍କ ତାଲିକା ଯୋଗାଇ ଦେଇଥିବା ବେଳେ ଏହି ତାଲିକାରେ ଉକ୍ତ ଅଭିଯୁକ୍ତସାମ୍ବାଦିକଙ୍କ ନାମ ନଥିବାରୁ ତାଙ୍କୁ ଅଣସାମ୍ବାଦିକ ଦର୍ଶାଯାଉଛି । ଅଥଚ ସରକାରୀଅଧିକାରୀ ବିଡିଓମାନେ ପିସି ନେବା , ଅନିୟମିତତାକୁ ଘଣ୍ଟଘୋଡାଇବା ପଣ୍ଡିତ ପୁଅ ମାଙ୍କଡ଼ ମାଇଲେ , ଦୋଷ ନାହିଁ ? ‘ ବୋଲି କହି ସରକାର ଏଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଅସାଧୁ ଲୋକପ୍ରତିନିଧିଙ୍କ ବିରୁଦ୍ଧରେ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେବାକୁ ଲୋକେ ଦାବି କରୁଛନ୍ତି ।
ଏଣୁ ଏଠାରେ ମୁଖ୍ୟତଃ ଦୁଇଟି କଥା ଉଠିଛି । ସରକାରଙ୍କ ସ୍ବୀକୃତିପ୍ରାପ୍ତ ସାମ୍ବାଦିକ କେଉଁମାନେ , ଯେଉଁମାନେ ସରକାରୀ ଅଫିସରଙ୍କୁ ଭେଟି ପ୍ରଶ୍ନ ପଚାରି ପାରିବେ ? ଏ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିବା ଏବଂ ସରକାରୀ ପ୍ରଶାସନିକ ସହାୟତାରେ ଜନବିରୋଧୀ ଦୁର୍ନୀତି ଓ ଅନିୟମିତତାକୁ ଘଣ୍ଟଘୋଡାଇବା । ନିର୍ବାଚିତ ଲୋକପ୍ରତିନିଧିମାନେ ସରକାରୀ ଯୋଜନାର ଠିକା କରି ନ ପାରିବା ନେଇ ଗାଇଡ୍ ଲାଇନ୍ ରହିଥିଲେ ହେଁ , ପ୍ରାୟତଃ ସବୁ ବ୍ଲକ୍ ଓ ପଞ୍ଚାୟତରେ ସେମାନେ ଠିକା କରୁଥିବାରୁ ଓ ସରକାରୀ ଯୋଜନାର ବାଟମାରଣାରେ ଜଡିତ ଥିବାରୁ ସେମାନେ ମଧ୍ୟ ତାଙ୍କ ସହ ମିଶିଯାଇଛନ୍ତି ।
ଏହି ପରିପ୍ରେକ୍ଷୀରେ ୨୬ ପଞ୍ଚାୟତ ବିଶିଷ୍ଟ ବେଲପଡା ବ୍ଲକ୍ ର ସାଂପ୍ରତିକ ସ୍ଥିତିର ତର୍ଜମା କରାଯିବା ଜରୁରୀ ହୋଇ ପଡିଛି । ଜିଲ୍ଲାର ପ୍ରମୁଖ ଦାଦନଚାଲାଣର ପେଣ୍ଠ ଭାବେ ଜଣାଶୁଣା ଏହି ପଞ୍ଚାୟତ ସମିତିଟି ବିଗତ ତିନିଥର ହେଲା ସ୍ଥାନୀୟ ଦାଦନସର୍ଦ୍ଦାରଙ୍କ କବ୍ଜାରେ ରହିଆସିଛି । ସଂପ୍ରତି ମଧ୍ୟ ଏକ ଦାଦନସର୍ଦ୍ଦାର ପରିବାରରୁ ନିର୍ବାଚିତ ହୋଇଛନ୍ତି ଲୋକପ୍ରତିନିଧି । ଏବେ ଟିନା କୁମ୍ଭାର ଅଧ୍ୟକ୍ଷା ଓ ତାଙ୍କ ଭାଇ ଦୁର୍ଯ୍ୟୋଧନ କୁମ୍ଭାର ଉପାଧ୍ୟକ୍ଷ ଅଛନ୍ତି । ବ୍ଲକ୍ ରେ ଏବେ ପିସି ୩୦ ପ୍ରତିଶତରୁ ଅଧିକ ବୋଲି କୁହାଯାଉଛି । ଏହା ସହିତ ମିଥ୍ୟାବିଲ୍ , ନିମ୍ନମାନର କାମ , ଠିକାବିକ୍ରି , ଅଧାପନ୍ତରିଆ କାମକରି ଛାଡିଦିଆଯାଉଥିବା ଓ ଲୋକପ୍ରତିନିଧିମାନେ ସିଧାସଳଖ ଠିକାଦାର ପାଲଟିଯାଇଥିବା ଲୋକଙ୍କ ଅଭିଯୋଗରୁ ପ୍ରକାଶ । ରାଜନୈତିକ ବା ବିଧାୟକଙ୍କ ପୃଷ୍ଠପୋଷକତା ଓ ଶାସନ ପରିବର୍ତ୍ତନ ପରେ କ୍ଷମତାସୀନ ଦଳର ଆଶ୍ରୟ ନେଇ ନିରଙ୍କୁଶ ହୋଇ ପଡିଥିବା ଏହି ବ୍ଲକ୍ ର ବିଡିଓ , ଯନ୍ତ୍ରୀ ବା ଅନ୍ୟାନ୍ୟ ଅଧିକାରୀଙ୍କ ଠାରୁ ଗ୍ରାମସାଥୀ , ଜିଆରଏସ୍ , ଜିଓ ଟ୍ୟାଗରଙ୍କ ପର୍ଯ୍ୟନ୍ତ ଉପରୁ ତଳ ପର୍ଯ୍ୟନ୍ତ ଦୁର୍ନୀତି ଲଗାମ୍ ଛଡା ହୋଇ ପଡିଥିବାର ଏହି ବ୍ଲକ୍ ରାଜ୍ୟର ସର୍ବାଧିକ ଦୁର୍ନୀତିଗ୍ରସ୍ତ ବ୍ଲକ୍ ବୋଲି ଦୁର୍ନାମ ମୁଣ୍ଡେଇଲାଣି ।
ଗତ ୨୦୨୨-୨୩ ର ବେହେରାମୁଣ୍ଡା ପଞ୍ଚାୟତର ସି ସି ରୋଡ୍ ହେଉ ବା ଜେସିବି ଲଗାଯାଇ ଖୋଳାଯାଇଥିବା ଧୁଙ୍ଗିଆମୁଣ୍ଡା ଅମୃତ ସରୋବର ମନରେଗା କାମ ହେଉ , ନବୋଦୟ ସ୍କୁଲ୍ ପଛପଟର ପୋଲ ନିର୍ମାଣ ହେଉ ବା ବାହାବଲର ସ୍କୁଲ୍ ଗେଟ୍ ନିର୍ମାଣରେ ହେଉ , ପ୍ରତି ପଞ୍ଚାୟତରେ ଅଧାପନ୍ତରିଆ ‘ଆମ ଓଡିଶା- ନବୀନ ଓଡିଶା ‘ଯୋଜନା ହେଉ ବା ଜଳଛତ୍ରର ଅହେତୁକ ବର୍ଦ୍ଧିତ ବିଲ୍ ହେଉ , ଦର୍ଲିପାଲି ପଞ୍ଚାୟତରୁ ମାଓପ୍ରବଣ ବାଗଦୋର , ପର୍ଲିମାଲ୍ ,ଘାଗୁର୍ଲି ବା ଅନ୍ୟାନ୍ୟ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉ ; ସବୁଠି ବ୍ୟାପକ ବାଟମାରଣାର ପୁଳା ପୁଳା ଗୁରୁତର ଅଭିଯୋଗ ! ଦୁର୍ନୀତି ସୀମାଲଙ୍ଘନ କଲାଣି । ଗତବର୍ଷ ଏବର ଉପମୁଖ୍ଯମନ୍ତ୍ରୀ ହୋଇଥିବା ପାଟଣାଗଡର ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହଦେଓ ଏଠାକୁ ଆସି ବେଶ୍ ଗର୍ଜନ ତର୍ଜନ କରୁଥିଲେ । ଏବେ ସେ ନୀରବ ! ମନରେଗାରେ ମିଛଶ୍ରମିକ , ମିଥ୍ୟାଶ୍ରମଦିବସ ବା ଜବ୍ କାର୍ଡ , ମଷ୍ଟରରୋଲ୍ ସବୁଥିରେ ଜାଲିଆତି । ଏଭଳି ଏକ ଦାଦନଅଧ୍ୟୁଷିତ ବ୍ଲକ୍ ରେ ମଷ୍ଟରରୋଲ୍ ବି ଜାଲ୍ ।
ଏପରିକି ବିଡିଓ ବିଭିନ୍ନ ଚୟନ କମିଟିର ଚେୟାରମ୍ୟାନ୍ ଥିବା ସମନ୍ବିତ ଶିଶୁ ବିକାଶ ଯୋଜନାର ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ୍ ଜି ମହିଳା ୟୁନିଟ୍ , ଅଙ୍ଗନବାଡି ପିଲାଙ୍କ ଶୀତବସ୍ତ୍ର ଟେଣ୍ଡର ବା ସ୍କୁଲ୍ ପିଲାଙ୍କ ପୋଷାକ ଟେଣ୍ଡର – ସବୁଠି କେଁ । କିଛିଦିନତଳେ ସ୍କୁଲ୍ ପିଲାଙ୍କ ପୋଷାକର ଟେଣ୍ଡର ବଣ୍ଟନକୁ ନେଇ ଏସ୍ଏଚ୍ ଜି ମହିଳାମାନଙ୍କ ମଧ୍ୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ବିଡିଓଙ୍କ ଅଧୀନରେ ଶହେ ଯୋଜନା । ଓ ଏଲ୍ ଏମ୍ ଠାରୁ ଯୋଗାଣ ବଣ୍ଟନ ବ୍ୟବସ୍ଥାର ଯାବତୀୟ ଛୋଟ ବଡ ପ୍ରକଳ୍ପ ଯାଏଁ । ତେଣୁ କମ୍ବଳଯାକ କେତେ ବାଛିବ ? – ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।
ଦ୍ୱିତୀୟତଃ ସାମ୍ବାଦିକମାନେ ବ୍ଲକ୍ କୁ ଯିବା ଓ ପଚାରିବା ପ୍ରସଙ୍ଗ । ବଲାଙ୍ଗୀର ଜିଲ୍ଲାରେ ଏକାଧିକ ସାମ୍ବାଦିକସଂଘ । ସଂଘ ହେଉ ବା ଡିଆଇପିଆରଓଙ୍କ ତାଲିକା , କିଏ କିଏ ପ୍ରକୃତରେ ସାମ୍ବାଦିକ , ଏଥିରେ ସନ୍ଦେହ ରହିଛି । ଅଧୁନାତନ ଯୁଗରେ ଆଉ ସେ ଆକ୍ରାଡିସନ୍ , ଖବରକାଗଜର ଚିହ୍ନଟ କାର୍ଡ ଇତ୍ୟାଦିର ପ୍ରୟୋଜନ ପଡୁନାହିଁ । ଏବେ ସମସ୍ତେ ସାମ୍ବାଦିକ । ଲୋକ ସାମ୍ବାଦିକ । ସୂଚନା ଅଧିକାର ଯୁଗରେ ତଥ୍ୟ ଜାଣିବାର ଅଧିକାର ସମସ୍ତ ନାଗରିକଙ୍କର । ହାତରେ ମୋବାଇଲ୍ ଟିପିଲେ , ଉଏବ୍ ପୋର୍ଟାଲ୍ ଭାଇରାଲ୍ । ଗାଁ’ ଗାଁ’ରେ ମାଳ ମାଳ ସାମ୍ବାଦିକ । ବହୁ ସଂଘ । ତେଣୁ ଆଜି ସାମ୍ବାଦିକର ସଂଜ୍ଞା ବଦଳି ଯାଇଛି । ଲୋକେ ଯାହାର ପରିବେଷିତ ଖବରକୁ ଆଦୃତ କଲେ , ସେ ସାମ୍ବାଦିକ ଭାବରେ ଗ୍ରହଣୀୟ । ଏଥିପାଇଁ ତ୍ରୁଟିପୂର୍ଣ୍ଣ ସରକାରୀ ତାଲିକାର ପ୍ରୟୋଜନ ନାହିଁ ।
କଣ କଲା ସେ ସାମ୍ବାଦିକ ? ଲୋକେ ଘେରାଉ କରିଥିଲେ , ସେ ପହଞ୍ଚି କାହିଁକି ଆବାସ ଯୋଜନାରେ ଟଙ୍କା ଆତ୍ମସାତ୍ କରିଥିବା ବାରମ୍ବାର ଅଭିଯୋଗର ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉନାହିଁ ବୋଲି ପଚାରିଦେଲା ତ ? ଏତେ ଅମଲାତାନ୍ତ୍ରିକ ତୋପ ? ଜନହିତରେ କରାଯାଉଥିବା ଲୋକଙ୍କ କରଅର୍ଥର ମୁନାଫା ଖାଇ ବିଳାସ କରୁଥିବା ଏଭଳି ପବ୍ଲିକ୍ ସର୍ଭେଣ୍ଟଙ୍କୁ ଆଉ କଣ କୁହାଯିବ ?
ଏହି ସାମ୍ବାଦିକଙ୍କ ସହ ଆଉ ଏକ ଦୁର୍ଘଟଣା ମଧ୍ୟ ଘଟିଥିବା ଦୃଷ୍ଟିକୁ ଆସିଛି । ଗତ ନଭେମ୍ବର ୧୧ ତାରିଖରେ ସଲଣ୍ଡିର ତାପସ ରଞ୍ଜନ ବେହେରା ନାମକ ଜଣେ ଯୁବକଙ୍କ ସନ୍ଦେହଜନକ ହତ୍ୟାଅଭିଯୋଗରେ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ ବେଳେ ତାଙ୍କର ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଜାରୀଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ସେଠାରେ ବିଡିଓ ଉପସ୍ଥିତ ଥିଲେ ଓ ଉକ୍ତ ସାମ୍ବାଦିକଙ୍କୁ ଏସଡିପିଓଙ୍କ ସପକ୍ଷରେ ତାଗିଦ୍ କରୁଥିବା ଦେଖାଯାଇଥିଲା ।
ଅନ୍ୟପକ୍ଷରେ ଏହି ଅତ୍ୟୁତ୍ସାହୀ ଯୁବସାମ୍ବାଦିକ ଜଣଙ୍କର ସାମ୍ବାଦିକତାକୁ ସେ ଯୁଦ୍ଧଖୋର୍ ବ୍ୟବହାରରୁ ମୁକ୍ତ ରଖିବାର ଅଭ୍ୟାସ କରିବା ଆବଶ୍ୟକ ବୋଲି କେତେକ ମତବ୍ଯକ୍ତ କରୁଛନ୍ତି ।
ଉକ୍ତ ସାମ୍ବାଦିକ ଜଣକ ଜଣେ ସଚ୍ଚୋଟ ନୀତିବାନ୍ ଯୁବକ ପରି ଜଣାପଡନ୍ତି ଓ ତାଙ୍କର ଉକ୍ତ ନିଜେ ଆରମ୍ଭ କରିଥିବା ନିଉଜ୍ ଚ୍ୟାନେଲ୍ ଟି ସ୍ଥାନୀୟ ଭାଷାର । ଖୁବ୍ କମ୍ ଦିନରେ ତାଙ୍କର ଉକ୍ତ ଚ୍ୟାନେଲ୍ କୁ ଲୋକପ୍ରିୟତା ମିଳିଛି। ଯଦିଓ ତାଙ୍କର ଏହି ଗ୍ରାମାଞ୍ଚଳରେ ଏପରି ଷ୍ଟିଙ୍ଗ୍ ଅପରେସନ୍ ଷ୍ଟାଇଲ୍ ଓ ଟଙ୍ଗ୍ ସ୍ଲିପ୍ କରିବା ସ୍ପୃହଣୀୟ ନୁହେଁ । ତେବେ ସରକାରୀଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖିବାଦିଗରେ ପ୍ରଶାସନ ଓ ସରକାର ଉଦ୍ୟମ କରିବା ଆବଶ୍ୟକ ।