ଅପରାଧ

ପଣ୍ଡିତପୁଅ ମାଙ୍କଡ଼ ମାଇଲେ ଦୋଷ ନାଇଁ  !

Email :

ବିଡିଓ – ସାମ୍ବାଦିକ ମାଡ ମରାମରି ମାମଲା

ରାଜନୈତିକ ହସ୍ତକ୍ଷେପରୁ ବିଡିଓଙ୍କୁ ଗିରଫ କରାଯାଉନି  ?

ସୋନପୁର  :  ସୋନପୁର ବ୍ଲକ୍ ର ବିଡିଓ ସୌମ୍ଯରଞ୍ଜନ ସ୍ବାଇଁ ଓ ସୋନପୁରର ନିଉଜ୍-୭ ସାମ୍ବାଦିକ ଧୀରେନ୍ଦ୍ର ଦାନୀଙ୍କ ମଧ୍ୟରେ ଗତ ୧ ତାରିଖରେ ସୋନପୁର ବ୍ଲକ୍ ଅଫିସ୍ ବିଡିଓଙ୍କ ପ୍ରକୋଷ୍ଠରେ ବାକ୍ ବିତଣ୍ଡା ପରେ ମାଡ ମରାମରି ଘଟଣାରେ ସୋନପୁର ଥାନାରେ ଉଭୟଙ୍କ ପକ୍ଷରୁ ଦୁଇଟି ମାମଲା ଋଜୁ କରାଯାଇ ସେହିଦିନ ଅଭିଯୁକ୍ତ ସାମ୍ବାଦିକଙ୍କୁ ରାତିଅଧିଆ ପୁଲିସ୍ ଗିରଫ କରିଥିବା ଓ ଏହାର ପ୍ରତିବାଦରେ ସାମ୍ବାଦିକ ସଂଘ ଏସ୍ ୟୁ ଜେ ପକ୍ଷରୁ ରାଜ୍ୟ ବ୍ୟାପି ପ୍ରତିବାଦସଭା ସହ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅଭିଯୁକ୍ତ ବିଡିଓଙ୍କୁ ଗିରଫ ଦାବି ସହ ପୁଲିସ୍ ର ଏହି ଏକତରଫା କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ସରକାରଙ୍କ ନିକଟରେ ଦାବି କରାଯିବାର ସପ୍ତାହେକାଳ ବିତିଯିବା ପରେ ମଧ୍ୟ ବିଡିଓଙ୍କୁ ଗିରଫ କରା ନଯାଇ ଓଲଟା ତାଙ୍କୁ ଅଫିସ୍ କାମ କରିବାକୁ ପୁଲିସ୍ ସୁରକ୍ଷା ଯୋଗାଇ ଦିଆଯିବା ଘଟଣା ରାଜ୍ୟର ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସାମ୍ବାଦିକ ସଂଘ ପକ୍ଷରୁ ବିଡିଓଙ୍କ ଗିରଫ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୫ ତାରିଖରେ ଧାରଣା ଦେବାଦିନଠାରୁ ବିଡିଓ ପଳାଇଯାଇଥିଲେ । ତା’ପରେ ଦିନେ ଦୁଇଦିନ ଆସି ପୁଲିସ୍ ସୁରକ୍ଷାରେ ଅଫିସ୍ କାମ କଲାପରେ ପୁଣି ଗତ ଶନିବାରଠାରୁ ପଳାଇଥିବାରୁ ସେ ତାଙ୍କ ବିରୋଧରେ ଥାନାରେ ମାମଲା ଋଜୁ ପରେ ଅଫିସ୍ ରେ ଆସି ଯେଉଁ କାମ କରୁଛନ୍ତି , ତାହା ମଧ୍ୟରୁ ବିଭାଗୀୟ ଅଧିକାରୀ ବା କନିଷ୍ଠଯନ୍ତ୍ରୀ ହେରିକାଙ୍କ ନାମରେ ଡିପାର୍ଟମେଣ୍ଟାଲ୍ କାର୍ଯ୍ୟାଦେଶରେ  ଏ ଆରଆଇ ମେମ୍ବରଙ୍କ କାମ ବା ପ୍ରକଳ୍ପର ବିଲ୍ ଦସ୍ତଖତ ହିଁ ବଡଭାଗ ବୋଲି ଚର୍ଚ୍ଚା ହେଉଛି । ଏଣୁ କେହି ଯଦି ବିଡିଓଙ୍କର ଏଇ ସାମୟିକ ଅଫିସ୍  ଦିନର କାମର ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗେ ,  ସବୁ ଜଣାପଡିବ ବୋଲି କୁହାଯାଉଛି ।

ପ୍ରକାରାନ୍ତରେ ସୋନପୁର ପୁଲିସ୍ ଉପରେ ସ୍ଥାନୀୟ ବିଧାୟକଙ୍କ ଚାପ ରହିଥିବା ଯୋଗୁଁ ଅଭିଯୁକ୍ତ ବିଡିଓଙ୍କ ବିରୁଦ୍ଧରେ ମାମଲା ଋଜୁ ସତ୍ତ୍ୱେ ଏଯାବତ୍ ତାଙ୍କୁ ଗିରଫ ନକରି ଛଡାଯାଇଥିବା ଓ ଓଲଟା ତାଙ୍କୁ ଅଦାଲତରେ ଜାମିନ୍ ପାଇଁ ସମୟ ଦିଆଯିବା ସହ ଅଫିସ୍ ରେ ବାକିଆ କାମର ବିଲ୍ ନିମନ୍ତେ ପୁଲିସ୍ ସୁରକ୍ଷା ଯୋଗାଇ ଦିଆଯାଇଥିବା ଲୋକେ ଚର୍ଚ୍ଚା କରୁଛନ୍ତି । ତେବେ ଇତିମଧ୍ୟରେ ଡିଜିଙ୍କ ନିର୍ଦ୍ଦେଶରେ ଉତ୍ତରାଞ୍ଚଳ ଆଇ ଜି ହିମାଂଶୁ ଲାଲ ଆସି ତଦନ୍ତ କରାଯାଇଥିବା ଓ କୋରାପୁଟ ଠାରେ ଡିଜିଙ୍କୁ ସାମ୍ବାଦିକମାନେ ଭେଟି ପଚାରିବାରୁ ଯିଏ ହେଉନା କାହିଁକି ,  ଆଗାମୀ ତିନିଦିନ ମଧ୍ୟରେ ଅଭିଯୁକ୍ତ ବିଡିଓଙ୍କ ବିରୁଦ୍ଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ ।

ତେବେ ଏସବୁଥିରୁ ସ୍ପଷ୍ଟ ଯେ ରାଜ୍ୟରେ ଡବଲଇଞ୍ଜିନ୍ ନୂତନ ସରକାର ଗଠିତ ହୋଇ ଏତେଦିନର ଶାସନକାଳ ସତ୍ତ୍ୱେ ପୁଲିସ୍  ପୂର୍ବ ସରକାରଙ୍କ ପ୍ରଭାବରୁ ମୁକ୍ତ ନୁହେଁ  !  ଯଦି   ପରସ୍ପରକୁ ମାଡମାରି ଆଘାତ କରିଥିବା ବା ସୁନାଚେନ୍ ଛିଣ୍ଡାଇ ନେଇଥିବା ଉଭୟପକ୍ଷରୁ ପ୍ରାୟ ସମାନ ଫୌଜଦାରୀ ମାମଲା ଉଭୟଙ୍କର ଏତଲାକ୍ରମେ ଏକାସାଙ୍ଗରେ ଦୁଇଟି ମାମଲା ଥାନାରେ ଋଜୁ କରାଗଲା , ଜଣକୁ ରାତିଅଧିଆ ଗିରଫ ଓ ଜଣକୁ ସପ୍ତାହଟିଏ ବିତିଗଲା ପରେ ବି ଓଲଟା ପୁଲିସ୍ ସୁରକ୍ଷା ଯୋଗାଇ ଦିଆଯାଉଛି ; ଏହା ଆଇନ୍ ଦୃଷ୍ଟିରେ ସମସ୍ତେ ସମାନ ହେଲା କିପରି  ? ଏଭଳି ନ୍ୟାୟ ଏଇ ସରକାରଙ୍କ ପୂର୍ବର ଏକାଧିକ ଆପରାଧିକ ମାମଲାର କାର୍ଯ୍ୟାନୁଷ୍ଠାନରୁ ମଧ୍ୟ ପ୍ରମାଣିତ ।  ଗୋଟିଏ ରାଜ୍ୟପାଳଙ୍କ ପୁଅର ରାଜ୍ୟପାଳଙ୍କ ସୁରକ୍ଷାରେ ନିୟୋଜିତ ପୁଲିସ୍ କର୍ମଚାରୀଙ୍କୁ ହିଂସାତ୍ମକ ଆକ୍ରମଣ ପରେ ଏହା ବିରୋଧରେ ଥାନାରେ  ଏତଲା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଓ ଅନ୍ୟଟି ଭରତପୁର ଥାନାରେ ଜଣେ ମଦ୍ୟପଯୁବତୀଙ୍କ ଥାନାରେ ଉତ୍ପାତକୁ ଗୁରୁତ୍ବ ଦିଆ ନଯାଇ ପୁଲିସ୍ ( ମହିଳାପୁଲିସ୍ ବି ଅନ୍ତର୍ଭୁକ୍ତ ) କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଘଟଣା । ଏହା ପକ୍ଷପାତ ବୋଲି ଚର୍ଚ୍ଚା ହେଉଛି ।

ସର୍ବୋପରି ପଞ୍ଚାୟତ ରାଜ ମନ୍ତ୍ରୀଙ୍କଠୁଁ ପୁଲିସ୍ ଡିଜିଙ୍କ ପର୍ଯ୍ୟନ୍ତ ସାମ୍ବାଦିକ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଓ ଆଇନ୍ ଆଖିରେ କେହି ବଡ ନୁହଁନ୍ତି …ଆଦି କୁହାଯାଉଥିଲେ ହେଁ , ଜଣେ ସରକାରୀ ଅଧିକାରୀଙ୍କ ନିକଟକୁ ଜଣେ ବରିଷ୍ଠ ସାମ୍ବାଦିକ ( ଏସ୍ ୟୁ ଜେ ର ଜିଲ୍ଲା ପ୍ରତିନିଧି ଓ  ନିୟୁଜ- ୭ ର ଜିଲ୍ଲା ପ୍ରତିନିଧି ) ତଥ୍ୟ ସଂଗ୍ରହ କରିବାକୁ ଯାଇଥିଲା ବେଳେ ଏବଂ ସେଠାରେ ଜଣେ ନିର୍ବାଚିତ ଲୋକ ପ୍ରତିନିଧି ( ପଞ୍ଚାୟତ ସମିତିର ଅଧ୍ୟକ୍ଷ ) ଉପସ୍ଥିତ ଥିଲାବେଳେ , କାହିଁକି ଜଣେ ପ୍ରମୁଖ ପ୍ରାଶାସନିକ ଅଧିକାରୀ ( ବିଡିଓ )ଙ୍କ ବିରୋଧରେ ଥାନାରେ ସେହି ସାମ୍ବାଦିକଙ୍କୁ ମାଡମାରି ରକ୍ତାକ୍ତ କଲାଭଳି ପରିସ୍ଥିତି ଉପୁଜିଲା  ? ଏହାପରେ ଅଦ୍ୟାବଧି ବାହାର ଅଞ୍ଚଳର ଉକ୍ତ ବିଡିଓଙ୍କୁ ସମର୍ଥନ ପୂର୍ବକ ତାଙ୍କ ପାଖକୁ ଧାଉଁଥିବା ଏ ଆର ଆଇ ମେମ୍ବରମାନେ ସିଧାସଳଖ ସରକାରୀ ଗାଇଡ୍ ଲାଇନ୍ ରେ ନିଷେଧ ମନରେଗା ଇତ୍ୟାଦି ସରକାରୀ ଯୋଜନାରେ ଜଡିତ ରହି ତାଙ୍କଲୋକଙ୍କ ଦ୍ବାରା ବିଲ୍ ର ଟଙ୍କା ଉଠାଇନେଉଥିବା ଚର୍ଚ୍ଚା ଓ ଅଭିଯୋଗର କିଏ ତଦନ୍ତ କରିବ ?  ଏହା ମୂଳରେ ଉକ୍ତ ବ୍ଲକ୍ ରେ ଚାଲିଥିବା ଦୁର୍ନୀତିର ଏହା ପ୍ରମାଣ ନୁହେଁ କି  ? ଆପାତତଃ ଉପରୋକ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କର ଅଭିଯୁକ୍ତ ବିଡିଓଙ୍କ ସପକ୍ଷରେ ସମର୍ଥନ ବା ସାକ୍ଷୀ ହେବା , ସରପଞ୍ଚ / ସମିତିସଭ୍ୟ / ବ୍ଲକ୍ ର କିରାଣୀ କର୍ମଚାରୀମାନେ ଏକଜୁଟ୍ ହୋଇ ଅଭିଯୁକ୍ତ ବିଡିଓଙ୍କ ସପକ୍ଷରେ ବାହାରିପଡିବା ଆଦି କେଉଁ ଦିଗକୁ ଇଙ୍ଗିତ କରୁଛି , ଏହାର ତର୍ଜମା ହେବା ଜରୁରୀ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ସୋନପୁର ବ୍ଲକ୍ ରେ ଗତ ସରକାର ଅମଳରୁ ନର୍ବାଚିତ ଲୋକପ୍ରତିନିଧିଙ୍କ ଦ୍ବାରା ସରକାରୀ ଯୋଜନାରେ ଠିକାକାମ ଓ ପିସି କାରବାର ଚାଲି ଆହୁଛି । ଏହାକୁ ଧରିବାକୁ ଯାଇ ଉକ୍ତ ସାମ୍ବାଦିକ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ମିଛ କି ?  ଏଣୁ ଅନ୍ତତଃ  ବ୍ଲକ୍ ର ବିଗତ ୫ ବର୍ଷର ଦୁର୍ନୀତି ସମ୍ପର୍କରେ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗି ଓ ଏହା ଦେଉ ନଥିବାର ଅଭିଯୋଗ ଉଠାଇବାରୁ ଅଧ୍ୟକ୍ଷଙ୍କ ସହ  ଆକ୍ରମକ ହୋଇପଡିଥିବା ଏଇ ବିଡିଓଙ୍କ କାର୍ଯ୍ୟକାଳର ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଜରୁରୀ ହୋଇପଡିଛି । 

ଦ୍ୱିତୀୟତଃ ସଦାବେଳେ ସୋନପୁର ପୁଲିସ୍ ଚର୍ଚ୍ଚିତ ନରହତ୍ୟା ମାମଲାର ତଦନ୍ତରେ ଅହେତୁକ କାଳକ୍ଷେପଣ ହେଉ ବା ଗଞ୍ଜେଇ ଧରପଗଡ ମାମଲା ଅଥବା ତଦନ୍ତରେ ପକ୍ଷପାତୀତା ଇତ୍ୟାଦି ବହୁ ଘଟଣାରେ ବିବଦମାନ ରହି ଆସିଛି । ଏହି ଜିଲ୍ଲାରେ ଘନଘନ ଏସ୍ ପି ଙ୍କ ର ବଦଳି ଓ ଜଣେ ଏସ୍ ପି ଙ୍କର ବଦଳି ପରେ ତାଙ୍କ କାର୍ଯ୍ୟକାଳର ମାମଲାଗୁଡିକର ଫାଇଲ୍ ରେ ତାଲା ପଡିଯିବା ଏଠାରେ ପରମାରେ ପରିଣତ ହେଲାଣି  ! ବୀରମହାରାଜପୁର ଥାନା ହିକୁଡି ଫାଣ୍ଡିର କେଶଲପୁରା ଶିକ୍ଷକ ହତ୍ୟା ଅଭିଯୋଗ ମାମଲା ବା ତରଭା ଥାନାର କୋଟି କୋଟି ଟଙ୍କାର ଅନ୍ ଲାଇନ୍ ଠକେଇ ଏହାର ଉଦାହରଣ । ତେଣୁ ଉପରୋକ୍ତ ବିଡିଓ- ସାମ୍ବାଦିକ ମାଡ ମରାମରି ମାମଲାରେ ସୋନପୁର ପୁଲିସ୍ ସେଇ ପୂର୍ବ ବଦଭ୍ୟାସରୁ ମୁକୁଳି ପାରି ନଥିକ ଚର୍ଚ୍ଚା ହେଉଛି ।  ନିଜ ହାତରେ ରଖିଥିବା ଗୃହବିଭାଗର ଉତ୍ତରଦାୟୀ ମୁଖ୍ୟମନ୍ତ୍ରୀ ବା ସରକାର ଏସବୁ ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ  !

Leave a Reply

Your email address will not be published. Required fields are marked *

Related Post