ଚରିତ୍ରବାନ୍ ଓ ଆଦର୍ଶ ନାଗରିକ ହେବାକୁ ପରାମର୍ଶ
ସୋନପୁର : ଗତ ୧୪ ତାରିଖ ଦିନ ତରଭା ଆଶ୍ରମ ସ୍କୁଲ୍ ର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ଦାଶଙ୍କ ସଭାପତିତ୍ବରେ ବିଦ୍ୟାଳୟ ପରିସରରେ ସନ୍ଧ୍ୟାରେ ଅନୁଷ୍ଠିତ ଏହି ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ଅତିରିକ୍ତ କଲ୍ୟାଣ ଅଧିକାରିଣୀ ସଂଯୁକ୍ତା ମାଝି ଏହାକୁ ଉଦଘାଟନ କରି ମୁଖ୍ୟଅତିଥି ଭାବରେ ଉଦ୍ ବୋଧନ ଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଚରିତ୍ରବାନ୍ ଓ ଆଦର୍ଶ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ତାଙ୍କର ସ୍ବକୀୟ ଉତ୍ତମ ବୋଧଗମ୍ୟ ଭାଷଣ ଶୈଳୀ ପିଲାମାନଙ୍କର ସମୂହ ଗ୍ରହଣୀୟ ହୋଇପାରିଥିବା ଲକ୍ଷ୍ୟ କରାଯାଇଥିଲା । ତାଙ୍କ ସହ ବଡଭଇଁରୋ କ୍ଲଷ୍ଟର ସିଆରସିସି ଶଙ୍କର ମହଲା , ସମ୍ମାନୀୟ ଅତିଥି ତରଭା ଡବ୍ଲୁଇଓ ସଲଖାନ ମାଝୀ , ସୋନପୁର ଡବ୍ଲୁଇଓ ସୌରଭ ଦାନୀ ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବରଞ୍ଜନ କୁଅଁର , ପାଣିମୋରା ଉଆର୍ଡସଭ୍ୟା ଜୟକାନ୍ତୀ କୁଅଁର ପ୍ରମୁଖ ମଞ୍ଚାସୀନ ଥିଲେ । ସହକାରୀ ଶିକ୍ଷକ ସୁରୁଲାଲ ସୁନା ଓ ଭାରତୀ ଦାସ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁବାସ ଚନ୍ଦ୍ର ତାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବଗାୟକ ବାପି ଜଗଦଲାଙ୍କ ‘ ଫଗୁଣରେ ଫଗୁଣ , ମେଘ ଆଣିବୁ…..’ ଗୀତଟି ସମସ୍ତଙ୍କୁ ବିହ୍ବଳ କରି ଦେଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୯୦ ଜଣ ଛାତ୍ରଛାତ୍ରୀଙ୍କୁ ୧ମ , ୨ ୟ ଓ ୩ ୟ ସ୍ଥାନ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ।