ମ୍ୟାନେଜରଙ୍କ ସମ୍ପର୍କୀୟଙ୍କ ଦ୍ବାରା ଚାଷୀଙ୍କ ସାର ଯୋଗାଣ
ସୋନପୁର : ତରଭା ବ୍ଲକ୍ ର ପାଣିମୋରା ଇଥାନଲ୍ କାରଖାନା ବା ମାସ୍ ବାଇ ଓ ଫୁଏଲ୍ ଲିଃ .ଘରୋଇ ସ୍ପିରିଟ୍ କାରଖାନାର ନିୟମ ଉଲଂଘନ ଓ ଅନିୟମିତତା ସମ୍ପର୍କରେ ଯାହା ଜନଅଭିଯୋଗ ପ୍ରକାଶ ପାଇଲେ ବି ସମ୍ପୃକ୍ତ ବିଭାଗ , ପ୍ରଶାସନ ଓ ସରକାର ନୀରବଦ୍ରଷ୍ଟା ପାଲଟିଛନ୍ତି ! ଲୋକେ କହୁଛନ୍ତି ଜିଲ୍ଲାର ଏହି ଅଭ୍ୟନ୍ତର ଗ୍ରାମାଞ୍ଚଳରେ ଦିଲ୍ଲୀର ଏକ ମାରୁଆଡି ଶିଳ୍ପପତିଙ୍କର ଦୃଷ୍ଟି ଆଢୁଆଳରେ ଥିବା ଏହି କାରଖାନାର ଯାବତୀୟ ବେଆଇନ୍ କାର୍ଯ୍ୟକଳାପ , ନିୟମ ଉଲଂଘନ ଓ ଅନିୟମିତତାକୁ ସରକାର ନଜର୍ ଅନ୍ଦାଜ୍ କରିବା ମୂଳରେ ଗତ ସରକାରଙ୍କ ଠାରୁ ଚଳିତ ସରକାରର ସ୍ଥାନୀୟ ନିର୍ବାଚିତ ଲୋକପ୍ରତିନିଧିଙ୍କ ସମେତ ସରକାରୀ ଅଧିକାରୀଙ୍କ ଛତ୍ରଛାୟା ରହିଆସିଛି । ଗୋଟିଏ କଥାରେ କହିଲେ , କାରଖାନାର ମାଲିକ ଏ ସମସ୍ତଙ୍କୁ ପକେଟ୍ ରେ ପୁରାଇ ରଖିଛି !
ଏହି କାରଖାନାର ପୂତିଗନ୍ଧମୟ ପରିବେଶ ଓ ନାକଫଟା ଦୁର୍ଗନ୍ଧ ପାଣିମୋରା ଗ୍ରାମ ସମେତ ଆଖପାଖ ଗ୍ରାମଗୁଡିକୁ ଅସହ୍ୟ , ରୋଗଗ୍ରସ୍ତ କରି ରଖିଛି । ଆଣ୍ଠୁଏ ଧୂଳି ଧୂଆଁ କାଦୁଅରେ ତିନି/ ଚାରିଶହ ମହିଳା ଓ ପୁରୁଷ ଶ୍ରମିକଙ୍କର ସ୍ବାସ୍ଥ୍ୟ ଓ ଜୀବନ ଉପରେ ଗୁରୁତର କ୍ଷତି ହେଉଛି । ସ୍ଥଳବିଶେଷରେ ମେସିନ୍ ରେ ପଡି ଶ୍ରମିକଙ୍କ ପ୍ରାଣହାନୀ ଘଟି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଛି । ସବୁଠାରୁ ଗୁରୁତର ଅଭିଯୋଗ ହେଲା , ଚାଷୀମାନଙ୍କ ପାଇଁ ସରକାରଙ୍କ ଲାଇସେନ୍ସ ପ୍ରାପ୍ତ ଡିଲରମାନଙ୍କ ଠାରୁ ଏହି କାରଖାନାର ପାଇଁ ୟୁରିଆ ସାର କଳାବଜାରରେ କିଣି ନିଆଯାଇ ଗହମ , ଖୁଦ ଆଦି ପଚାଯିବାରେ ବ୍ଯବହାର କରାଯାଉଛି । ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ , କାରଖାନାର ଜଣେ ସ୍ଥାନୀୟ ପରିଚାଳକଙ୍କ ସମ୍ପର୍କୀୟ ଏହି ବେଆଇନ ୟୁରିଆ ଯୋଗାଉଛନ୍ତି ! ଏହା ସତ୍ଯ ହେଲେ , ସାଂଘାତିକ୍ !



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।