ତରଭା : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର ପାଣିମୋରା ଗ୍ରାମରେ ଥିବା ମାସ୍ ବାଇଫୁଏଲ୍ ପ୍ରା. ଲିଃ ବା ଇଥାନଲ କାରଖାନାରେ ଘଟୁଥିବା ଅଘଟଣ ପଛରେ କି କାରଣ ରହିଛି , ଜଣାପଡୁ ନ ଥିବା ବେଳେ ; କୌଣସିଟି ଦୁର୍ଘଟଣା , ଆନ୍ଦୋଳନ ବା ସ୍ଥାନୀୟ ଲୋକଙ୍କର ଅସନ୍ତୋଷର ସଠିକ୍ ତଦନ୍ତ ହେଉନାହିଁ ! ବରଂ ସେ ସବୁକୁ ଚାପି ଦିଆଯାଉଛି । ଏହି ଚପାଇ ଦିଆଯିବାରେ ପୁଲିସ, ପ୍ରଶାସନ ଓ ପରିବେଶ ପ୍ରଦୂଷଣ ବୋର୍ଡ ସମେତ କାରଖାନା ମାଲିକଙ୍କ ହାତ ରହୁଥିବାର ସନ୍ଦେହ ସୃଷ୍ଟି ହେଉଛି ।
ଗତ ୨୦୨୨ ବା ୨୦୨୪ ରେ ଦିଲ୍ଲୀର ଜଣେ ମାରୁଆଡି କାନୋଡିଆ ବା ଅନୀଲ କାନୋଡିଆଙ୍କର ପ୍ରାୟ ଦୁଇତିନିଶହ କୋଟିର ଏହି ଘରୋଇ କାରଖାନାର ଉଦ୍ ଘାଟନ କରିଥିଲେ ତତ୍କାଳୀନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀ ଓ ପୂର୍ବତନ ଜିଲ୍ଲାପାଳ ଅବୋଲି ନରବଣେ ଏବଂ ପୂର୍ବତନ ଜିଲ୍ଲାପାଳ ଅନ୍ୟା ଦାସଙ୍କ କରକମଳରେ ଏହା ପାଣିମୋରାଜଙ୍ଗଲ ଉଲ୍ଲିଖିତ ଗ୍ରାମ ଉପକଣ୍ଠରେ ଦୁଇଥର ଉଦ୍ ଘାଟିତ ହୋଇଥିବାର ୨ ଟି ଫଳକ ରହିଛି । ତଥାପି ଏହି କାରଖାନା ପାଇଁ ସ୍ଥାନୀୟ ଗ୍ରାମବାସୀମାନଙ୍କ ଠାରୁ କାରଖାନା ମାଲିକ ଶାଗମାଛ ଦରରେ କିଣିଥିବା ଜମିର ସମ୍ପୂର୍ଣ୍ଣ କ୍ଷତିପୂରଣ ଏଯାବତ୍ ଦେଇ ନ ଥିବା ଅଭିଯୋଗ ରହିଛି । ଏତଦ୍ ବ୍ୟତୀତ କାରଖାନାର ବର୍ଜ୍ୟ ଦୂଷିତଜଳବାୟୁ ଯୋଗୁଁ ଆଖପାଖ କେତେଖଣ୍ଡ ଗ୍ରାମର ଲୋକେ ବର୍ଷ ବର୍ଷ ଧରି ଦେହହାତ କୁଣ୍ଡାଇ ହେବା ଓ ବିଭିନ୍ନ ଚର୍ମରୋଗ ବ୍ୟାପୁଥିବା ସହିତ ଗ୍ରାମ ଓ ନିକଟସ୍ଥ ନଦୀଜଳ ପ୍ରଦୂଷିତ ହେବା ଓ ଭୀଷଣ ଶବ୍ଦ ଓ ଧୂଆଁରେ ଗ୍ରାମବାସୀମାନେ ଦିନରାତି ଅସ୍ତବ୍ୟସ୍ତ ହୋଇପଡୁଥିବା ଅଭିଯୋଗ ହୋଇ ଆସୁଛି । ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନ, ପୁଲିସ, ବଲାଙ୍ଗୀରରେ ଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ବା ସରକାର ଏସବୁ ଲୋକଙ୍କର ଚରମ ସମସ୍ୟା ପ୍ରତି କର୍ଣ୍ଣପାତ କରୁନାହାଁନ୍ତି ।

କାରଖାନା ସ୍ଥାପନ ବେଳେ ବିଧାୟକ ଗ୍ରାମବାସୀମାନଙ୍କୁ କାରଖାନାରେ ନିଯୁକ୍ତି ମିଳିବାର ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ । ମାତ୍ର ଦୁଇ/ ଚାରି ଜଣଙ୍କୁ ଶ୍ରମିକ ଭାବେ କାମ ମିଳିଥିବା ବେଳେ କାରଖାନା କର୍ତ୍ତୃପକ୍ଷ ଅଞ୍ଚଳ ବାହାରର ଲୋକଙ୍କୁ ଆଣି ଓ ପ୍ରାୟ ପ୍ରତିଦିନ ବଲାଙ୍ଗୀରରୁ ବସ୍ ଯୋଗେ ଲୋକଙ୍କୁ ଆଣି କାମ କରାଉଛନ୍ତି । ଏଠାରେ ଦୈନିକ ପ୍ରାୟ ଦୁଇ / ତିନିଶହ ମହିଳା ଓ ପୁରୁଷ ଶ୍ରମିକ କାମ କରୁଥିବା ବେଳେ ସେମାନଙ୍କୁ ସୁରକ୍ଷାସାମଗ୍ରୀ ଯୋଗାଇ ଦିଆଯାଉ ନଥିବା ଦେଖାଯାଇଛି । ଦେହମୁଣ୍ଡ ଧୂଳିଧୂଆଁ ମଇଳାରେ ପୋତିହେଇ ସେମାନେ କାମ କରୁଛନ୍ତି । ଆହୁରି ମଧ୍ଯ ଶ୍ରମିକସୁରକ୍ଷା ନ ଥିବା ଏହି କାରଖାନାରେ ଅନେକଥର ଦୁର୍ଘଟଣା ଓ ଦୁର୍ଘଟଣାଜନିତ ଶ୍ରମିକଙ୍କର ମୃତ୍ୟୁ ହେଉଥିଲେ ହେଁ , ତାକୁ ଚପାଇ ଦିଆଯାଉଥିବା ଅଭିଯୋଗ ହେଉଛି । ସେମାନଙ୍କ ମଧ୍ଯରେ ଅଧିକାଂଶ ବାହାରର ବଙ୍ଗାଳୀ / ବିହାରୀ ଆଦି ଶ୍ରମିକ ଥିବାରୁ ସ୍ଥାନୀୟ ପୁଲିସର ଅବୈଧ ସହାୟତାରେ ତାହା ଚପାଇଦେବା ସହଜ ହେଉଛି ବୋଲି ଗ୍ରାମବାସୀମାନଙ୍କ ଅଭିଯୋଗରୁ ପ୍ରକାଶ ।
ଗତବର୍ଷ ନିକଟସ୍ଥ ଏକ ଗ୍ରାମର ଜଣେ ଶ୍ରମିକଙ୍କର ମେସିନରେ ଶରୀର ଖଣ୍ଡବିଖଣ୍ଡିତ ହୋଇ ମର୍ମନ୍ତୁଦ ମୃତ୍ଯୁ ଘଟିଥିଲା । ଏହି ଦୁର୍ଘଟଣା ଯୋଗୁଁ ଆଖପାଖ ଗାଁ’ର ଲୋକେ କାରଖାନା ଉପରେ ଆକ୍ରମଣ କରି ଭଙ୍ଗାରୁଜା ଓ କର୍ମଚାରୀଙ୍କୁ ମାରପିଟ କରିଥିଲେ । ଏପରିକି ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିବା ତରଭା ପୁଲିସ ମଧ୍ଯ ଲୋକଙ୍କ ଆକ୍ରମଣରୁ ବର୍ତ୍ତି ନ ଥିଲା । ଏହି ଘଟଣାରେ ତରଭା ଥାନାର ଜଣେ ଏ ଏସ ଆଇ ଙ୍କୁ ଅନ୍ୟତ୍ର ଲଛିପୁର ଥାନାକୁ ବଦଳି କରିଦିଆଯାଇଥିଲା । ମୃତଶ୍ରମିକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଗଲା ।
ଦ୍ବିତୀୟବାର ମଧ୍ଯ ଏହାର କିଛିଦିନ ପରେ ଲୋକେ କାରଖାନାର ବର୍ଜ୍ୟ ଦୂଷିତ ଜଳ ଗ୍ରାମବାସୀମାନେ ସ୍ନାନାଦି ନିମନ୍ତେ ବ୍ୟବହାର କରୁଥିବା ନାଳ / ପୋଖରୀର ପାଣିରେ ମିଶୁଥିବା ଓ ବାରମ୍ବାର ଅଭିଯୋଗ ସତ୍ତ୍ବେ କାରଖାନା କର୍ତ୍ତୃପକ୍ଷ ଶୁଣୁ ନ ଥିବାରୁ କାରଖାନାର ଗେଟ୍ ର ରାସ୍ତାଖୋଳିଦେଇ ଅବରୋଧ କରିଥିଲେ ।
ତୃତୀୟଥର ପ୍ରଶାସନ, ପୁଲିସ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଉଦ୍ୟମରେ ଏକ ‘ ଜନଶୁଣାଣୀ ଶିବିର ‘ର ଆୟୋଜନ କରାଯାଇଥିଲା । ଏଥିରେ ‘ଆମର ଏ କାରଖାନା ଦରକାର ନାଇଁ , କାରଖାନାକୁ ବନ୍ଦ କରିଦିଆଯାଉ ‘ ବୋଲି ଶତାଧିକ ଗ୍ରାମବାସୀମାନଙ୍କ ପକ୍ଷରୁ ପ୍ରବଳ ଦାବି ଓ ଉତ୍ତେଜନା ପ୍ରକାଶ ପାଇଥିଲା । ଏସବୁ ସରକାରୀ ରିପୋର୍ଟ ଓ ଗଣମାଧ୍ୟମ ଜରିଆରେ ସରକାରଙ୍କ କର୍ଣ୍ଣଗୋଚର ହେବାକଥା । ଅଥଚ କାରଖାନାର ଆହୁରି ସଂପ୍ରସାରଣ ନିମନ୍ତେ ଏହା ଏକ ଜନଶୁଣାଣୀ ଥିଲା ବୋଲି ବାରାନ୍ତରେ ଶୁଣାଯାଇଥିଲା । ଏହା ମଧ୍ଯ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।
ଏବେ ସଦ୍ୟତମ ଘଟଣାନୁଯାୟୀ , କିଛିଦିନ ତଳେ କାରଖାନାରେ ନିଆଁ ଲାଗି ଜଳି ଯାଇଥିଲେ ହେଁ , ଏଭଳି ଖବରକୁ ପ୍ରାୟତଃ ଚପାଇ ଦିଆଯାଇଛି । କାରଖାନାର ଡ୍ରାୟର୍ ରୁ ଏହି ନିଆଁ ହୁତ୍ ହୁତ୍ ହେଇ ଜଳୁଥିବା କୁହାଯାଇ ଥିଲେ ହେଁ , ଏହା ପଛରେ ଏତେସବୁ ଘଟଣା / ଦୁର୍ଘଟଣାରେ ବ୍ୟତିବ୍ୟସ୍ତ ହୋଇ କାରଖାନାକୁ ବନ୍ଦ କରିଦେବାକୁ ମାଲିକଙ୍କ ବୀମା ହଡପ ପରି ଅନ୍ୟ କିଛି ଦୂରଭିସନ୍ଧି ନାହିଁ ତ ? – ବୋଲି ଲୋକଙ୍କର ସନ୍ଦେହ ସୃଷ୍ଟି ହୋଇଛି । ତେବେ ଏହି ଅଗ୍ନିକାଣ୍ଡ ସମ୍ପର୍କରେ ପୁଲିସ, ପ୍ରଶାସନ ବା କାରଖାନାର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ପ୍ରକାଶ ପାଇନାହିଁ !


“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।