ଯାଜପୁର ଓ ବଲାଙ୍ଗୀରରେ ଶିଶୁବିକ୍ରି ତଦନ୍ତରେ ଫରକ୍ !
ଭରତପୁର ଥାନା ଓ ଗୋଛାପଡା ଥାନାର ପୁଲିସ୍ ବିରୋଧରେ ଅଭିଯୋଗର ବି ?
ବଲାଙ୍ଗୀର : ଗତ କଂଗ୍ରେସ ଓ ବିଜେଡି ସରକାରଙ୍କ ଅମଳରେ ହେଉ ବା ଏବର ଡବଲ ଇଞ୍ଜିନ୍ ବିଜେପି ସରକାରର ଚଳିତ ଶାସନରେ , ପଶ୍ଚିମଓଡିଶା ପ୍ରତି ସରକାରୀ ଅବହେଳାର ଉଦାହରଣ ଦୁଇଟି ବହୁଚର୍ଚ୍ଚିତ ଘଟଣାର ତଦନ୍ତରୁ ସୁସ୍ପଷ୍ଟ ।
ନଗଡା ଅପବାଦ ରହିଥିବା ଯାଜପୁର ସଦର ଅଞ୍ଚଳରେ ୭ ହଜାର ଟଙ୍କାରେ ଦାରିଦ୍ର୍ଯ ଯୋଗୁଁ ବିକ୍ରମ ମୁଣ୍ଡା ଓ ଜଙ୍ଗା ମୁଣ୍ଡା ତାଙ୍କ ଶିଶୁପୁତ୍ରଟିକୁ ବିକ୍ରି କରି କ୍ରେତାଙ୍କ ଘରକୁ ସ୍ତନ୍ୟପାନ କରି ଯାଉଥିଲା ଓ ମନାକଲାରୁ ଖବରପାଇ ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଚାଇଲ୍ଡ ଲାଇନ୍ ଜରିଆରେ ଶିଶୁଟିକୁ ଉଦ୍ଧାର କଲା ।
କିନ୍ତୁ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡରେ ସରକାରୀ ଉପଖଣ୍ଡ ହାସପାତାଳର ମାତୃ ଓ ଶିଶୁ ଚିକିତ୍ସାଳୟରେ ଏକ ଅସହାୟା ଗରିବ ମହିଳାଙ୍କର ଶିଶୁପୁତ୍ରଟିକୁ ଛତିଶଗଡ ଅଞ୍ଚଳର ଜଣେ ଦଲାଲ୍ କୁ ଅଢେଇଲକ୍ଷ ଟଙ୍କାରେ ମୂଲଚାଲ ଚାଲିଥିବା ବେଳେ ଏମସିଏଚ୍ ତରଫରୁ ଖବର ପାଇ ରାଜ୍ୟ ଚାଇଲ୍ଡ ଲାଇନ୍ ଓ ବଲାଙ୍ଗୀର ଶିଶୁ ସୁରକ୍ଷା ୟୁନିଟର ସ୍ଥାନୀୟ ପୁଲିସର ସହାୟତାରେ ଉଦ୍ଧାର କରାଯାଇ ଥିଲେ ହେଁ , ଟିଟିଲାଗଡ ଥାନାରେ ଏ ସମ୍ପର୍କରେ କୌଣସି ମାମଲା ଋଜୁ କରାଗଲା ନାହିଁ କିମ୍ବା ଉକ୍ତ ଆନ୍ତଃରାଜ୍ୟ ଶିଶୁବିକ୍ରି ରାକେଟ୍ ର ଅନୁସନ୍ଧାନ କରାଗଲାନି । ସେଇ ସହରର ଶାସକ ଦଳର ବିଧାୟକ , ଉପଜିଲ୍ଲାପାଳ , ଏସଡିପିଓ ଓ ଥାନାଧିକାରୀ ପ୍ରମୁଖଙ୍କୁ ପଚାରିବାରୁ ସେମାନେ ଅଦ୍ୟାବଧି ଚୁପ୍ ପଡିଛନ୍ତି ! ଓଲଟି ଥାନାଧିକାରୀ ‘କେହି ରିପୋର୍ଟ କଲେ ନାହିଁ , ସେମାନେ କହିବାରୁ ଆମେ ଉଦ୍ଧାରରେ ସହାୟତା କରିଥିଲୁଁ ‘ ଓ ଉଦ୍ଧାର କରିଥିବା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ‘ ପୁଲିସ୍ ନିଜପକ୍ଷରୁ ମାମଲା ଋଜୁ କରିବା କଥା ‘ କହି ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ନେଲେ । ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ହେଁ , ଜିଲ୍ଲାପାଳ ବା ଏସ୍ ପି ନଜାଣିଲା ପରି ନୀରବତା ଅବଲମ୍ବନ କରିଛନ୍ତି ଓ ସରକାର ଆଖିବୁଜି ଦେଇଛନ୍ତି ବୋଲି ଲୋକେ କହିବା ସହ ‘ ସେଠି ୭ ହଜାର ଟଙ୍କାରେ ଶିଶୁବିକ୍ରି ବିରୋଧରେ ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାବେଳେ ଏଠି ଅଢେଇଲକ୍ଷ ଟଙ୍କାରେ ଶିଶୁବିକ୍ରି ବିରୋଧରେ ପୁଲିସ୍ ହାତବାନ୍ଧି ବସି ବିତଣ୍ଡା ସଫେଇ ବାଢୁଛି ! ଯାଜପୁର ପୁଲିସ୍ ଠାରୁ ବଲାଙ୍ଗୀର ପୁଲିସ୍ ଶିଖୁ ‘ ବୋଲି ପରାମର୍ଶ ଦେଇଛନ୍ତି ।
ଦ୍ୱିତୀୟତଃ ଭରତପୁର ଥାନାରେ ରାତିଅଧରେ ପୁରୁଷବନ୍ଧୁ ସହ ଜଣେ ମାତାଲ୍ ଯୁବତୀର ହଙ୍ଗାମାକୁ ସରକାର ଥାନାଧିକାରୀଙ୍କ ସମେତ ତିନିଜଣ ମହିଳାପୁଲିସ୍ ଓ ଜଣେ ସିପାହୀଙ୍କୁ ତୁରନ୍ତ ନିଲମ୍ବନ ପୂର୍ବକ କ୍ରାଇମବ୍ରାଞ୍ଚ ଓ ବିଚାରବିଭାଗୀୟ ତଦନ୍ତ କରାଇବା ସହ ଗୁଜରାଟ ପଠାଇ ମିଛଧରା ପରୀକ୍ଷା ପର୍ଯ୍ୟନ୍ତ କରି ପକାଇଲେଣି ।
ଅଥଚ ସେପଟେ ଗତ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ରାଜଧାନୀରେ ଏସ୍ ପି ସମ୍ମିଳନୀରେ ଥାନାରେ ପୁଲିସ୍ ବ୍ୟବହାର ସମ୍ପର୍କରେ ଉଦ୍ ବୋଧନ ଦେଉଥିବା ବେଳେ ହିଁ ଏପଟେ ମାଓପ୍ରବଣ କନ୍ଧମାଳଜିଲ୍ଲାର ଗୋଛାପଡା ଥାନାର ପୁଲିସ୍ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନାନ୍ତର୍ଗତ ବେହେରାପଡା ଗ୍ରାମର ଜଣେ ଯୁବକଙ୍କୁ ପିଟିପିଟି ଗାଡି ଚପାଇ ମାରିଦେଇଥିବାର ଗୁରୁତର ଅଭିଯୋଗକୁ ନାମକୁ ମାତ୍ର ହତ୍ୟାମାମଲା ଋଜୁ କରିଦେଇ ତଦନ୍ତ ଆଳରେ ୫ ଜଣ ତଳିଆ ପୁଲିସ୍ କର୍ମଚାରୀଙ୍କୁ ତଦନ୍ତରେ ବାଧା ସୃଷ୍ଟି ନହେବା ନିମନ୍ତେ ନିଲମ୍ବନ କରିଦେଇ ହାତଝାଡିଦେଇଛି । ନା ଘଟଣାର ଏତେଦିନ ପରେ ପୁଲିସ୍ ଅଭିଯୁକ୍ତଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗର ଦଫା ଲଗାଇଛି ନା ଘଟଣାର ଏକମାତ୍ର ପ୍ରତ୍ୟେକ୍ଷଦର୍ଶୀଙ୍କର ବୟାନ ରେକର୍ଡ କରିଛି ନା ପ୍ରେସ୍ ମିଟ୍ ଟିଏ କରିଛି !
ଶେଷ ଖବର ଅନୁଯାୟୀ , ଆଗାମୀ ୫ ତାରିଖରେ ଗୋଛାପଡା ଥାନା ସମ୍ମୁଖରେ ମୃତକଙ୍କ ପରିବାର ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ବିଶାଳ ରାଲି ତଥା ସାମ୍ବାଦିକସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ମୃତଯୁବକଙ୍କ ବିଧବା ପତ୍ନୀ ସୁମନ୍ତୀ ବଣ୍ଡକୀ ଏକ ପ୍ରେସ୍ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି ।
ସବୁଠାରୁ ବିଡମ୍ବନାର ବିଷୟ ଯେ , ତଦନ୍ତକାରୀ ପୁଲିସ୍ ଘଟଣାସ୍ଥଳରୁ ଅଭିଯୁକ୍ତ ପୁଲିସ୍ ଚୋରିକରି ଆଣିଥିବା ୫ କିଗ୍ରା ଗଞ୍ଜେଇର ପତ୍ତା ପାଉ ନଥିବା ଓ ଏଥିପାଇଁ ଆଗ୍ରହୀ ନଥିବା ଲକ୍ଷ୍ୟ କରାଯାଇଛି !
ଏହା ମଧ୍ୟ ଗଣମାଧ୍ୟମର ଚର୍ଚ୍ଚିତ ଖବର ହୋଇଥିବା ସତ୍ତ୍ୱେ ସରକାର କର୍ଣ୍ଣପାତ କରୁନାହାଁନ୍ତି ।
ଏହା ପଶ୍ଚିମଓଡିଶା ବା ଉପାନ୍ତଓଡିଶା ପ୍ରତି ଅବହେଳା ବା ବୈଷମ୍ୟ ନୁହେଁ କି ? ‘ ବୋଲି ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି ।

“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।