ପାଟଣାଗଡରେ ୫ ଲକ୍ଷ ହାରି ଯୁବକଙ୍କ ଆତ୍ମହତ୍ୟା ଓ
ସୋନପୁର ମହାନଦୀରୁ ଆତ୍ମହତ୍ୟା କରିଥିବା ଯୁବକଙ୍କର ଶବ ଉଦ୍ଧାର !
ପାଟଣାଗଡ : ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଇବର ଠକେଇ ବା ମୋବାଇଲ୍ ଜୁଆଖେଳ ଶୋଚନୀୟ ପରିସ୍ଥିତି ସୃଷ୍ଟି କଲାଣି । କେଉଁଠି ଆପ୍ ରେ ଏହି ଠକେଇ ବା କେଉଁଠି ଟ୍ରେଡିଂରେ ଏହି ଜୁଆଖେଳ ଚାଲିଛି । ନିକଟରେ ପୁରୀରୁ ଆରମ୍ଭ ହୋଇ ବୌଦ୍ଧ , ସୋନପୁର ବା ତରଭା ଅଞ୍ଚଳରେ ଏଥିରେ କୋଟି କୋଟି ଟଙ୍କାର ଠକେଇ କରାଯାଇଥିବା ବେଳେ ବଲାଙ୍ଗୀର ଜିଲ୍ଲାର ଜଣେ ମିଡିଆ କର୍ମଚାରୀ ଥିବା ଯୁବକ ସୋନପୁର ମହାନଦୀ ପୋଲ ଉପରେ ବାଇକ୍ , ପର୍ସ ଓ ଚପଲ ଛାଡି ଭରାନଈକି ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିଲା । ଆଜି ସୋନପୁର ଓଡ୍ରାଫ୍ ଟିମ୍ ନଦୀରୁ ତାଙ୍କ ଗଳିତ ମୃତଦେହକୁ ଉଦ୍ଧାର କରିଛି । ଗତ ୧୯ ତାରିଖରେ ପାଟଣାଗଡ ଥାନାର ସରମୁହାଣଠାରେ ସେହି ଗ୍ରାମର ଜଣେ ଯୁବକ ଗୋପାଳ ମେହେରଙ୍କର ଝୁଲନ୍ତା ମୃତଦେହ ରାସ୍ତାକଡରୁ ଉଦ୍ଧାର କରାଯାଇଛି । ମୋବାଇଲ୍ ଗେମ୍ ଜୁଆରେ ୫ ଲକ୍ଷ ଟଙ୍କା ହାରିଯିବାରୁ ସେ।ଏପରି କରିଥିବା ପ୍ରକାଶ । ଆଗରୁ ମଧ୍ୟ ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ଏପରି ଅଘଟଣ ଘଟିଛି ।
ତେବେ କ୍ଷୋଭ ଓ ପରିତାପର ବିଷୟ ଏହା ଯେ ଥାନାରେ ମାମଲା ଋଜୁ କରାଯାଉଥିବା ସତ୍ତ୍ୱେ ପୁଲିସ୍ ଏସବୁ ସମ୍ବେଦନଶୀଳ ପ୍ରାଣହାନୀ ଘଟଣାକୁ ଗୁରୁତର ଭାବରେ ନନେଇ ସାଧାରଣ ୟୁଡିକେସ୍ କରିଦେଇ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଉଛି । ଆହୁରି ମଧ୍ୟ କୋଟି କୋଟି ଟଙ୍କାର ଠକେଇର କ୍ଷତିଗ୍ରସ୍ତ ଲୋକେ ବିଧିବଦ୍ଧ ଭାବରେ ଥାନାରେ ଅଭିଯୋଗ କରୁନାହାଁନ୍ତି ! ପୁଲିସ୍ ମଧ୍ୟ ଟଙ୍କାର ପରିମାଣକୁ ଆଳକରି ଥାନାରେ ମାମଲା ଋଜୁ ନକରି ଭିଜିଲାନ୍ସ ବା ଇଡିରେ ଅଭିଯୋଗ କରିବାକୁ ପରାମର୍ଶ ଦେଇ ଭିତିରିଆ ହାତ ଚିକ୍କଣ କରି କାନ୍ଧରୁ ଦାୟିତ୍ୱ ଖସାଇ ବସି ଯାଉଛି । ନିକଟରେ ସୋନପୁର ଓ ତରଭା ଥାନାରେ ଏପରି ଘଟଣା ଘଟିଥିବା ଜଣାପଡିଛି । ସର୍ବୋପରି ଏଭଳି ସାଇବର ଠକେଇ ବିରୁଦ୍ଧରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପୁଲିସ୍ , ପ୍ରଶାସନ, ସରକାର ବା କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନମାନେ ଉଦ୍ୟମ କରୁନାହାଁନ୍ତି ! ଏଣୁ ଏଥିପାଇଁ ବହୁ ଧନ ଓ ଅମୂଲ୍ୟ ଜୀବନ ନଷ୍ଟ ହେଉଛି । ସରକାର ଏଥିପ୍ରତି ଦୃଷ୍ଟିଦେବାକୁ ଲୋକେ ଦାବି କରିଛନ୍ତି

“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।