ଜିଲ୍ଲା ଯୁବକଂଗ୍ରେସର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ନୂଆପଡା : ସିଧାସଳଖ ବ୍ଲକ୍ ଅଧ୍ୟକ୍ଷା ଓ ତାଙ୍କ ସ୍ବାମୀଙ୍କ ବ୍ୟାଙ୍କଖାତାକୁ ପିସି ଟଙ୍କା ପଠାଇଥିବା ଅଭିଯୋଗର ତଦନ୍ତ ପରେ ରାଜ୍ୟ ସରକାର ତତ୍କାଳୀନ କୋମନା ବ୍ଲକ୍ ର ୩ ଜଣ କନିଷ୍ଠଯନ୍ତ୍ରୀଙ୍କୁ ନିଲମ୍ବନ କରିବା ପରେ ପିସିଗ୍ରହୀତା ସମ୍ପୃକ୍ତା ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରି ନୂଆପଡା ଜିଲ୍ଲା ଯୁବକଂଗ୍ରେସ କମିଟି ତରଫରୁ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

କମିଟିର ଏକ ପ୍ରେସ୍ ବିବୃତିରେ ପ୍ରକାଶ ଅନୁଯାୟୀ , ଗତ ୨୦୨୨ ଜୁଲାଇ ମାସ ସୁଦ୍ଧା ସରକାରଙ୍କ ରାଶନକାର୍ଡରେ ଚାଉଳ ନେଉଥିବା ବର୍ତ୍ତମାନର କୋମନା ବ୍ଲକ୍ ଅଧ୍ୟକ୍ଷା ଅନସୂୟା କୁମ୍ଭାର ଓ ତାଙ୍କ ସ୍ବାମୀ ବ୍ଲକ୍ ପାଇଁ ଆସୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରୁ ପିସି ନେଇ ଓ ଠିକା ବିକ୍ରିକରି କୋଟି ପତି ପାଲଟି ଗଲେଣି । ଜଣେ ସମାଜସେବୀଙ୍କ ଅଭିଯୋଗକ୍ରମେ ବ୍ଲକ୍ ର ୩ ଜଣ ଜେଇ ତାଙ୍କର ଓ ତାଙ୍କ ସ୍ବାମୀଙ୍କ ବ୍ୟାଙ୍କ୍ ଜମାକୁ ସିଧାସଳଖ ପିସି ଦେଇଥିଲେ । ଜିଲ୍ଲାପାଳ ଏହି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଏହା ପ୍ରମାଣିତ ହେବାରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ସୁପାରିଶ କରାଯାଇଥିଲା । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ନିର୍ଦ୍ଦେଶ କ୍ରମେ ଉକ୍ତ ପିସିଦାତା ତତ୍କାଳୀନ କୋମନା ବ୍ଲକ୍ ର ୩ ଜଣ କନିଷ୍ଠଯନ୍ତ୍ରୀ ସୁରେନ୍ଦ୍ରନାଥ ଟୁଡୁ , ଶାନ୍ତନୁ ରଣା ଓ ସଂପ୍ରତି ନୂଆପଡା ବ୍ଲକ୍ ରେ କାର୍ଯ୍ୟରତ ମନୋଜ କୁମୁରାଙ୍କୁ ନୂଆପଡା ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି । ତେବେ ପିସିଗ୍ରହୀତାଙ୍କ ବିରୁଦ୍ଧରେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲାନାହିଁ ! ଉକ୍ତ ଅଭିଯୋଗକାରୀ ସମାଜସେବୀଙ୍କ ଏ ସମ୍ପର୍କରେ ତାଙ୍କ ବ୍ୟାଙ୍କଷ୍ଟେଟ୍ ମେଣ୍ଟର ନକଲ ତଦନ୍ତ ନିମନ୍ତେ ପଠାଯାଇଥିଲେ ହେଁ , ପ୍ରଶାସନ ବା ସରକାର ନୀରବ ରହିଛନ୍ତି । ଏଣୁ ଏହାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଦାବି କରି ଗତ ୧୦ ତାରିଖରୁ ଜିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ନୂଆପଡା ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଗଣଧାରଣା ଦିଆଯାଇଛି ।
ଏହା ସହିତ ଗତ ସରକାରଙ୍କ ଅମଳରେ କୋମନାବ୍ଲକ୍ ସମେତ କୁରେଶ୍ବର ପଞ୍ଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ମଧ୍ୟ ଉଠିଥିବା ଦୁର୍ନୀତିର ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରାଯାଇଛି । ଏହା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଅପରପକ୍ଷରେ ଅଭିଯୁକ୍ତଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।