ପୁଲିସ୍ ବିରୋଧରେ ହତ୍ୟା ଅଭିଯୋଗ !
ଗଞ୍ଜେଇଧରାରୁ ଅଘଟଣ
ବୌଦ୍ଧ / ଫୁଲବାଣୀ : ଲୋକଙ୍କୁ ପୁଲିସ୍ ଉଚିତ୍ ବ୍ୟବହାର ସହ ନ୍ୟାୟ ଦେବାକୁ ନବଗଠିତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୨୬ ତାରିଖରେ ରାଜଧାନୀରେ ଅନୁଷ୍ଠିତ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀରେ ଉଦ୍ ବୋଧନ ଦେଉଥିବା ସମୟରେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ କନ୍ଧମାଳ ଜିଲ୍ଲାରେ ସେତେବେଳେ ଘଟିଥିଲା ପୁଲିସର ବିଶୃଙ୍ଖଳତା । ସେଦିନ ଜ୍ୟେଷ୍ଠ ଓ ଦାଶରଥୀ ତେତିଲିପଡାକୁ ଯାଇ ଫେରୁଥିବା ବେଳେ ବାଲନ୍ଦାପଡା ଜଙ୍ଗଲ ଘାଟୀରେ ପୁଲିସ୍ ଗାଡିରେ ପ୍ରାୟ ୧୫ କିମି ଯାଏ ଗୋଡେଇଥିଲା ବୋଲି ଦାଶରଥି କହୁଛି ।
ଫିରିଙ୍ଗିଆ ବ୍ଳକର ଗୋଛାପଡା ଥାନାର କେତେକ ପୁଲିସ୍ କର୍ମଚାରୀ ଗାଡିମଟର ଯାଞ୍ଚ ଆଳରେ ଗୋଛାପଡା ଠାରୁ ପ୍ରାୟ ୩୦ କିମି ଦୂରରେ ଗଞ୍ଜେଇ ଧରିବାକୁ ୨ଜଣ ସନ୍ଦିଗ୍ଧ ବାଇକ୍ ଆରୋହୀଙ୍କୁ ଗୋଡାଇ ଗୋଡାଇ ଗତ ୨୬ ତାରିଖ ଦିନ ବାଲନ୍ଦାପଡା ଘାଟୀ ପାଖରେ ଧରିଥିଲେ । ପୁଲିସ୍ ଧରି ତାଙ୍କୁ ମାଡପିଟ କରୁଥିବା ଦେଖି ଦାଶରଥୀ ଦିଗାଲ୍ ନାମକ ସାଙ୍ଗରେ ଯାଇଥିବା ବ୍ୟକ୍ତି ଜଣେ ଫେରାର୍ ହୋଇଯାଇଥିଲେ । ତେବେ ପତ୍ନୀଙ୍କୁ ସେହିଦିନ ଦିନ ୧୨ ଟାବେଳେ ଫୋନ୍ ରେ ‘ ମୋତେ ପୁଲିସ୍ ଧରିଛି ‘ ବୋଲି କହିଥିବା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନାନ୍ତର୍ଗତ ଲମ୍ବସରୀ ପଞ୍ଚାୟତର ବେହେରାମୁଣ୍ଡା ଗ୍ରାମର ଯୁବକ ଜ୍ୟେଷ୍ଠ ବଣ୍ଡକୀ ( ୪୪ ) ସହିତ ଯାଇ ଫେରାର୍ ହୋଇଯାଇଥିବା ଅନ୍ୟ ଜଣକ ସେଇ ଗାଁରେ ରହୁଥିବା ପାଖ ମାର୍ଡୋଲ ଗାଁ’ର ଦାଶରଥି ଦିଗାଲ ସନ୍ଧ୍ୟାରେ ଏକାକୀ ଗାଁ’କୁ ଫେରି ଆସିବାରୁ ଘରଲୋକେ ଜ୍ୟେଷ୍ଠ କୁଆଡେ ଗଲା ବୋଲି ପଚାରିବାରୁ ତାକୁ ପୁଲିସ୍ ଧରିପକାଇ ମାଡପିଟ କରୁଥିବା କହିଥିଲେ । ଏଣୁ ଘରଲୋକେ ଗୋଛାପଡା ଥାନା ସମେତ ତାଙ୍କ ନିଜ ଥାନା କଣ୍ଟାମାଳ ଓ ନିକଟସ୍ଥ ଘଣ୍ଟାପଡା ଥାନାକୁ ଯୋଗାଯୋଗ କରିଥିଲେ ହେଁ , କୌଣସି ସୂଚନା ପାଇ ନଥିଲେ । ତେବେ ମୃତକଙ୍କ ବାଇକ୍ ଟିକୁ ଗୋଛାପଡା ଥାନାରେ ନେଇ ରଖାଯାଇଥିବା ଓ ଫୋନ୍ ରେ ଗାଡିଟିକୁ ନେବାକୁ ପୁଲିସ୍ ୩୦ ହଜାର ଟଙ୍କା ତାଙ୍କ ପତ୍ନୀଙ୍କୁ ମାଗିଥିବା ଓ ଯୁବକଙ୍କ ସମ୍ପର୍କରେ ରହସ୍ୟଜନକ କଥା କହି ଲୁଚାଉଥିବାରୁ ଘରଲୋକଙ୍କ ସହ ଆଖପାଖ ଗ୍ରାମର ଗ୍ରାମବାସୀଙ୍କ ସନ୍ଦେହ କରି ଦାଶରଥୀକୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ଖୋଜାଖୋଜି କରିଥିଲେ । ଶେଷରେ ଦୁଇଦିନ ପରେ ଟାଙ୍ଗାଣାମୁ ଘାଟୀର ରାସ୍ତାକଡର ପ୍ରାୟ ୩୦ଫୁଟ୍ ର ଏକ ଖାଲରେ ଉପରମୁହାଁ ହୋଇ ପଡିଥିବା ଜ୍ୟେଷ୍ଠର ପଚିଯାଇଥିବା ଶବ ମିଳିଥିଲା । ଖବରଦେବାରୁ ଗୋଛାପଡା ଥାନାପୁଲିସ୍ ସହ ଫୁଲବାଣୀରୁ ଡଗ୍ ସ୍କ୍ବାର୍ଡ ଓ ସାଇଣ୍ଟିଫିକ୍ ସ୍କ୍ବାର୍ଡ ଏବଂ ଉପର ଅଧିକାରୀମାନେ ଆସି ଶବ ଉଦ୍ଧାର ସହ ଥାନାରେ ଏକ ମାମଲା ରୁଜୁ ପୂର୍ବକ ଫୁଲବାଣୀରେ ବ୍ୟବଚ୍ଛେଦ କରାଇଛନ୍ତି । ତେବେ ମୃତକଙ୍କ ପତ୍ନୀ ସୁମନ୍ତୀ ବଣ୍ଡକୀ ତାଙ୍କ ସ୍ବାମୀଙ୍କୁ ପୁଲିସ୍ ଗାଡି ପିଟି ପିଟି ଗାଡି ଚପାଇ ମାରିଦେଇଥିବା ଗୋଛାପଡା ଥାନାରେ ଏତଲା ଦେଇଛନ୍ତି । ଏହି ଏତଲାକ୍ରମେ ଗୋଛାପଡା ଥାନାରେ ମଧ୍ୟ ଏକ ହତ୍ୟାମାମଲା ( କେସ୍ ନ୦ ୧୭୦/ ୨୪ ) ଋଜୁ ହୋଇଥିବା ପ୍ରକାଶ । ଏହି ଘଟଣାର ତଦନ୍ତ ଦାୟିତ୍ୱ ଏସପିଙ୍କ ନିର୍ଦ୍ଦେଶରେ ଜଣେ ଡିଏସପିଙ୍କୁ ଦିଆଯାଇଛି ।

ଏହାପରେ ମୃତକର ଗ୍ରାମବାସୀ ଓ ଅଞ୍ଚଳର କଣ୍ଟାମାଳ ବ୍ଲକ୍ ଆଦିବାସୀ କନ୍ଧ ସମାଜର ସଭାପତି ନରୋତ୍ତମ ମଲ୍ଲିକଙ୍କ ସହିତ ଯାଇଥିବା ଶତାଧିକ ବ୍ୟକ୍ତି ଓ ସ୍ଥାନୀୟ ସଲାଗୁଡା ସରପଞ୍ଚ ରୋହିତ କହଁର ପ୍ରମୁଖ ଗୋଛାପଡା ଥାନା ଘେରାଉ କରି ପ୍ରକୃତଘଟଣାର ତଦନ୍ତ ଦାବି କରିଥିଲେ । ସେଦିନ ଯେଉଁମାନେ ଏହି ଯାଞ୍ଚଦଳରେ ଯାଇଥିଲେ ,ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଡି ବସିଥିଲେ। ଫୁଲବାଣୀ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ସେମାନଙ୍କୁ ବଦଳି କରିଦିଆଗଲାଣି କହିବାରୁ ‘ ସଙ୍ଗେ ସଙ୍ଗେ ଗୋଟିଏ ଦିନରେ ସେମାନଙ୍କୁ କିପରି ଅନ୍ୟତ୍ର ବଦଳି କରିଦିଆଗଲା ? ‘ କହି ଏଥିରେ ପୁଲିସ୍ ଉପରେ ସନ୍ଦେହ ଦୃଢୀଭୂତ ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଖବର ପାଇ କନ୍ଧମାଳ ଏସ୍ ପି ଶୁଭେନ୍ଦୁ କୁମାର ପାତ୍ର , ଅତିରିକ୍ତ ଏସ୍ ପି ବଳଭଦ୍ର ଦୀପ , ଡିଏସପି କମଳାକାନ୍ତ ପଣ୍ଡା ପ୍ରମୁଖ ବରିଷ୍ଠ ଅଧିକାରୀ ମାନେ ସଶସ୍ତ୍ର ପୋଲିସ ସହ ପହଞ୍ଚି ତଦନ୍ତରେ କୌଣସି ଅବହେଳା ହେବନି ବୋଲି ପ୍ରତିଶ୍ରୁତି ଦେବା ସହ ରେଡ୍ କ୍ରସ୍ ପାଣ୍ଠିରୁ ତତ୍ କ୍ଷଣାତ୍ ୨୦ ହଜାର ଟଙ୍କା ଦେଇ ଲୋକମାନଙ୍କୁ ଫେରିବା ନିମନ୍ତେ ଏକ ବସ୍ ର ମଧ୍ୟ ବ୍ୟବସ୍ଥା କରିଦେଇଥିଲେ । ତେବେ ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ,ଏହା ପ୍ରକୃତରେ ପୁଲିସ୍ ଉକ୍ତ ଯୁବକଙ୍କୁ ଧରିବା ପରେ ପିଟି ପିଟି ଶେଷରେ ଗାଡି ଚପାଇ ଦେଇ ମାରିଦେଇଛି କି ଆରଜଣକ ପରି ଯୁବକ ଜଣକ ଛଡାଇ ହୋଇ ଦୌଡି ପଳାଇଲାବେଳେ ଘାଟୀରାସ୍ତାରୁ ଖସିପଡି ମୃତ୍ୟୁବରଣ କରିଛି ଓ ଧରପଗଡ କରୁଥିବା ପୁଲିସ୍ ମାନେ ତାଙ୍କର ମୃତ୍ୟୁ ସମ୍ପର୍କରେ ଜାଣି ନପାରି ସେ ମଧ୍ୟ ଫେରାର୍ ହୋଇଗଲା ବୋଲି ଭାବି ନେଇ ବାଇକ୍ ଟିକୁ ଥାନାକୁ ନେଇଯାଇଥିଲେ , ଏ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି । ତେବେ ସେଇ ବାଇକ୍ ରେ ଏକ ବ୍ୟାଗ୍ ବନ୍ଧା ହୋଇଥିବା ଓ ସେଥିରେ ୫ କିଗ୍ରା ଗଞ୍ଜେଇ ଥିବା ପଳାଇ ଆସିଥିବା ଦାଶରଥି ଦିଗାଲ ପ୍ରକାଶ କରିଥିବା ବେଳେ ପୁଲିସ୍ ଉକ୍ତ ବ୍ୟାଗ୍ ବା ଗଞ୍ଜେଇ ସମ୍ପର୍କରେ ମନା କରୁଛି । ଏପରିକି ତଦନ୍ତ କରୁଥିବା ଡିଏସପି କମଳାକାନ୍ତ ପଣ୍ଡା ମଧ୍ୟ ଗଞ୍ଜେଇ ଥିବା ସନ୍ଦେହ ପ୍ରକାଶ କରୁଥିବା ବେଳେ , ଯାଇଥିବା ପୁଲିସ୍ କର୍ମଚାରୀଙ୍କୁ ପଚରାଉଚୁରା କରି ସୁଦ୍ଧା ‘ କିଏ ନେଲା ? ‘ ଜଣାପଡି ପାରିନାହିଁ ! ତେବେ ଏହା ମୂଳରେ ଅଞ୍ଚଳରେ ହେଉଥିବା ଚୋରାଗଞ୍ଜେଇ ଚାଲାଣ ଇ ମୁଖ୍ୟକାରଣ ଓ ଏଇ ଘଟଣାଟି ମଧ୍ୟ ଉକ୍ତ ମୃତ ଓ ଫେରାର୍ ଦୁଇଜଣ ଚୋରାଗଞ୍ଜେଇ ଆଣିବା ସତ୍ୟ ବୋଲି ଉଭୟ ପକ୍ଷ ପୁଲିସ୍ ଓ ଅଭିଯୋଗକାରୀଙ୍କ ପକ୍ଷରୁ ସହମତି ପ୍ରକାଶ ପାଇଛି ।

ଉଲ୍ଲେଖନୀୟ ଯେ , ଏହି ଅଞ୍ଚଳଟି ମାଓ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା । ଏହିପରି ପୁଲିସ୍ ଜବତ ଗଞ୍ଜେଇକୁ ବିକ୍ରି କରୁଥିବା ଅଭିଯୋଗରେ ଗତବର୍ଷ ଫିରିଙ୍ଗିଆ ଥାନାକୁ ଲୋକମାନେ ପୋଡିଦେବା ସହିତ ଥାନାଧିକାରୀ ଓ ସେଠାକୁ ତଦନ୍ତ ପାଇଁ ଯାଇଥିବା ତତ୍କାଳୀନ ଏସଡିପିଓଙ୍କୁ ମାଡ ମାରିବା ପରି ଅଘଟଣ ଘଟିଥିଲା । ଏହା ସତ୍ତ୍ୱେ ଗୋଛାପଡା ଥାନାପୁଲିସ୍ ର ଏହି ତଥାକଥିତ ହେଲ୍ ମେଟ୍ ଯାଞ୍ଚ କରିବା ଆଳରେ ଗୋଛାପଡାଠାରୁ ପ୍ରାୟ ୩୦ କିମି ଦୂରକୁ ଯାଇ ଓ ପ୍ରାୟ ୧୫ କିମି ପର୍ଯ୍ୟନ୍ତ ବୋଲେରୋ ଗାଡିରେ ଗୋଡାଇ ଗୋଡାଇ ସନ୍ଦିଗ୍ଧଆରୋହୀଙ୍କୁ ଧରିବାକୁ ତଦନ୍ତକାରୀ ଡିଏସପି ମଧ୍ୟ ନାପସନ୍ଦ କରିଛନ୍ତି ।
ଅନ୍ୟଦିଗରୁ ଦେଖିଲେ , ଗଞ୍ଜେଇ ବା ଏନଟିପିଏସ୍ ମାମଲାରେ କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗର ତତ୍ପରତା ଶୂନ୍ । ଏହି ଘଟଣା ବା ଚାରି/ ପାଞ୍ଚରନ ତଳର ଗଞ୍ଜେଇ ଚୋରାଚାଲାଣରେ ଜଣେ ଯୁବକକୁ ପୁଲିସର ହତ୍ୟା ଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ହେଁ , ପଚାରିବାରୁ ଏଇ ଇଲାକାଟି ହୋଇଥିବା ସଦର ଅବକାରୀ ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା , ଜିଲ୍ଲା ଅବକାରୀ ଅଫିସର ସେକ୍ ସନ ଅଫିସର ରଞ୍ଜିତ କୁମାର ଦଳାଇ କିମ୍ବା ଅନ୍ୟମାନେ ଜାଣି ନଥିବା କହି ଏଡାଇ ଯାଇଥିଲେ । ଅବକାରୀ ଅଧୀକ୍ଷକ ଝସ କେତନ ବରିହା ଅଫିସରେ ଅନୁପସ୍ଥିତ ଥିବାରୁ ଓ ଫୋନ୍ ଉଠାଉ ନଥିବାରୁ ତାଙ୍କ ମତାମତ ନିଆଯାଇ ପାରିନାହିଁ । ତେବେ କୁଆଡେ ଏଇ ଜିଲ୍ଲାକୁ ଅବକାରୀ ବିଭାଗର ପନିସ୍ ମେଣ୍ଟ ଜିଲ୍ଲା ବୋଲି କୁହାଯାଏ ଓ ଟଙ୍କାଟିଏର ଉପୁରି ନାଇଁ ବୋଲି ଜିଲ୍ଲା ଅବକାରୀ ଅଫିସର କହିଥିଲେ । ତେବେ ଚଳିତ ବର୍ଷ ଗତ ଅଗଷ୍ଟ ସୁଦ୍ଧା ଚଳିତ ବର୍ଷ ଏନଡିପିଏସ ( ଗଞ୍ଜେଇ ) ମାମଲାରେ ୩୪ ଟି କେସ୍ ଓ ୪୪ ଜଣଙ୍କୁ ଗିରଫ କରାଯାଇ ୧୪ , ୩୧ , ୫୦୦୦ ଟଙ୍କା ମୂଲ୍ୟର ୧୪୩୧. ୫୦୦ କିଗ୍ରା ଜବତ ଏବଂ ଅଗଷ୍ଟମାସରେ ମାତ୍ର ୩ ଟି କେସ୍ ରେ ୨ ଜଣଙ୍କୁ ଗିରଫ କରାଯାଇ ୬, ୪୦୦୦ ଟଙ୍କାର ୬ .୦୦୦କିଗ୍ରା ଜବତ ହୋଇଥିଲା । ଅଧିକନ୍ତୁ ଜିଲ୍ଲାରେ ମାତ୍ର ୨ଟି ଓପନ ବିଦେଶୀ ମଦଦୋକାନ ଓ ୨୧ଟିରୁ ୭ ଟି ଠିପିବନ୍ଦ ବିଦେଶୀ ମଦଦୋକାନ ରହିଛି । ବାର୍ଷିକ ୪ କୋଟି ୮୦ ଲକ୍ଷ ରାଜସ୍ଵ ଟାର୍ଗେଟ୍ ରହିଥିବା ଜିଲ୍ଲା ଅବକାରୀ ଅଫିସ୍ ସୂତ୍ରରୁ ପ୍ରକାଶ । ଅଥଚ କନ୍ଧମାଳ ଜିଲ୍ଲାଟି ଗଞ୍ଜେଇ ଲାଗି ମାଓବାଦୀ ଓ ଚୋରାଚାଲାଣର ପେଣ୍ଠସ୍ଥଳୀ ଭାବେ ପରିଚିତ ।

ବୌଦ୍ଧ ଜିଲ୍ଲାର କଣ୍ଟାମାଳରୁ ଗୋଛାପଡା ୪୦ କିମି ଜଙ୍ଗଲ ପାହାଡ ରାସ୍ତାର ଯେଉଁ ଦୁର୍ଗମ ଘାଟୀ ରହିଛି ଓ ରାତିଦିନ ସେଇ ଘାଟୀରାସ୍ତା ଦେଇ ଦୁଇଚକିଆଠାରୁ ଚାରିଚକିଆ ଯାନବାହନ ଅନବରତ ଚଳାଚଳ ହେଉଛି , ତାହା ମରଣଯନ୍ତା ପାଲଟିଛି । ଏଇ ରାସ୍ତାର ନିର୍ମାଣ ଓ ମରାମତି ପାଇଁ ପ୍ରାୟ ୪୨ କୋଟିର ନିର୍ମାଣ ଚାଲିଛି ଓ ଘାଟୀଅଂଶଟିର ନିର୍ମାଣ ସକାଶେ ପ୍ରାୟ ୨୦ କୋଟିର ଟେଣ୍ଡର ୩ ଥର ବାତିଲ୍ ହୋଇ ଏବେ ଚତୁର୍ଥଥର ପକାଯାଇଥିଲେ ହେଁ ମାଓବାଦୀଙ୍କ ଭୟରେ କେହି ଠିକାଦାର ରାଜିହେଉ ନଥିବା ଫୁଲବାଣୀ ପୂର୍ତ୍ତ ବିଭାଗର( ଦକ୍ଷିଣ ) ଏସଡିଓ ତ୍ରିଲୋଚନ ସାହୁଙ୍କ ଠାରୁ ପ୍ରକାଶ ।
ବିଡମ୍ବନାର ବିଷୟ ଯେ ଗୋଛାପଡା ଥାନାରେ ଥିବା ଆଇଆଇସି ପ୍ରଭାତ କୁମାର ବେହେରାଙ୍କର ଗତ ୨୩ ତାରିଖରେ ଚକାପାଦକୁ ବଦଳି ହୋଇଯାଇଥିବା ଓ ତାଙ୍କ ସ୍ଥାନରେ ଜଣେ ଓଆଇସି ଚିରଞ୍ଜିବୀ ବେହେରା ଗତ ୨୯ ତାରିଖରେ ଆସି ଜଏନ୍ କରିଛନ୍ତି । ଉକ୍ତ ସମୟର ମଧ୍ୟବର୍ତ୍ତୀ କାଳରେ ଅର୍ଥାତ୍ ଘଟଣାଦିନ ଗତ ୨୬ ତାରିଖରେ ଥାନାର ଜଣେ ସବ୍ ଇନିସପେକ୍ଟର ରୂପକ ଦଳାଇ ଭାରପ୍ରାପ୍ତ ଥାନାଧିକାରୀ ଦାୟିତ୍ୱରେ ରହିଥିଲେ । ଆହୁରି ମଧ୍ୟ ଏବେ ତତ୍କାଳୀନ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କର ବଦଳିହୋଇ ନୂଆ ଏସ୍ ପି ହରିଶ ବି.ସି. ଙ୍କର କନ୍ଧମାଳକୁ ବଦଳି ହୋଇଥିଲେ ହେଁ , ସେ ଅଦ୍ୟାବଧି ଏଠାରେ କାର୍ଯ୍ୟରେ ଯୋଗ ଦେଇ ନାହାଁନ୍ତି ।
ଏ ସମ୍ପର୍କରେ ଗୋଛାପଡା ନୂଆ ଥାନା ଭାରପ୍ରାପ୍ତ ଅଧିକାରୀ ଚିରଞ୍ଜିବୀ ବେହେରା କହିଛନ୍ତି ଯେ ଘଟଣା ଦିନ ଯେଉଁମାନେ ଥାନାର ବୋଲେରୋ ନେଇ ଏହି ଧରପଗଡରେ ଯାଇଥିଲେ , ସେମାନଙ୍କ ମଧ୍ୟରେ ଜଣେ ଡ୍ରାଇଭର ସମେତ ଜଣେ ସବ୍ଇନିସପେକ୍ଟର , ଜଣେ ଟ୍ରେନି ସବଇନିସପେକ୍ଟର , ଜଣେ ପିଏସଆଇ ଓ ଦୁଇଜଣ ହୋମ୍ ଗାର୍ଡ ରହିଥିଲେ । ସେମାନେ ଫେରି ଥାନା ଦାୟିତ୍ୱରେ ଥିବା ରୂପକ ଦଳାଇଙ୍କୁ ଲୋକଟିର ନିଖୋଜ୍ ବା ମୃତ୍ୟୁ ସମ୍ପର୍କରେ କିଛି ଜଣାଇନାହାଁନ୍ତି । ଖାଲି ଏତିକି କହିଥିଲେ ଯେ ଦୁଇଜଣ ବାଇକ୍ ଆରୋହୀଙ୍କୁ ଅଟକାଇବାରୁ ସେମାନେ ନମାନି ଦ୍ରୁତଗତିରେ ପଳାଇବାରୁ ଆମେ କିଛିବାଟ ଗୋଡାଇଥିଲୁ ଓ ସେମାନେ ବାଇକ୍ ଛାଡି ପଳାଇଥିଲେ । ଏଣୁ ବାଇକଟିକୁ ଥାନାକୁ ନେଇ ଆସିଛୁ । ସେଦିନର ଥାନା ଦାୟିତ୍ୱରେ ଥିବା ଅଧିକାରୀ ରୂପକ ଦଳାଇ ମଧ୍ୟ ସେଥିରେ ବ୍ୟାଗ୍ ନଥିବା ସଫେଇ ଦେଇଥିଲେ । ତେବେ ଦୋଷୀଙ୍କ ବିରୁଦ୍ଧରେ ତଦନ୍ତରେ ଉଚିତ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।
ଅଧିକନ୍ତୁ ଅତିରିକ୍ତ ଏସ ପି ବଳଭଦ୍ର ଦୀପ ଏବଂ ତଦନ୍ତକାରୀ ଡିଏସପି କମଳାକାନ୍ତ ପଣ୍ଡା କହିଛନ୍ତି ଯେ ଯେଉଁମାନେ ଉକ୍ତଦିନ ସେହି ଧରପଗଡ ଦଳରେ ଯାଇଥିଲେ , ସେଇ ୫ ଜଣଙ୍କୁ ନିଲମ୍ବିତ ଓ କାର୍ଯ୍ୟରୁ ଅନ୍ତର କରାଯାଇଛି । ତଦନ୍ତ ଚାଲିଛି ଓ ଆଗକୁ ଦୋଷ ପ୍ରମାଣିତ ହେଲେ ସେମାନଙ୍କ ଚାକିରୀ ବି ଯାଇପାରେ । ‘
ନିଲମ୍ଵିତ ବା କାର୍ଯ୍ୟରୁ ଅନ୍ତର କରାଯାଇଥିବା ଉକ୍ତଦିନର ଧରପଗଡ ଦଳର ପୁଲିସ୍ କର୍ମଚାରୀମାନେ ହେଲେ ଏସ୍ ଆଇ ଅଣ୍ଡର ଟ୍ରେନିଂ ଅଜିତ କୁମାର ବେହେରା , ହାବିଲଦାର ରାମଚନ୍ଦ୍ର ନାଏକ , ହୋମ୍ ଗାର୍ଡ ଅଭିରାମ ମହାନନ୍ଦ , ହୋମ୍ ଗାର୍ଡ ଜଗା କହଁର ଓ ଡ୍ରାଇଭର ରତ୍ନାକର ନାଏକ । ତଦନ୍ତକୁ ପ୍ରଭାବିତ କରିବା ଆଶଙ୍କାରେ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିଭାଗ ପକ୍ଷରୁ ପ୍ରକାଶ ।
ଡିଏସପି ବାରାନ୍ତରେ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ ଯେ ଏ ଜିଲ୍ଲାରେ ବି ହୋମ୍ ଗାର୍ଡଙ୍କ ରାଜୁତି ଚାଲିଛି ଓ ଗଞ୍ଜେଇ ଚୋରାଚାଲାଣ ଧରପଗଡରେ ଏଇପରି ତଳିଆ କର୍ମଚାରୀମାନେ ଟଙ୍କା ଲୋଭରେ ଏଭଳି କାର୍ଯ୍ୟକଳାପରେ ଜଡିତ ରହିବା ଦ୍ବାରା ପୁଲିସର ଭାବମୂର୍ତ୍ତିରେ ଆଞ୍ଚ୍ ଆସୁଛି । ତେବେ ସେ ପୁଲିସ୍ ମାରିଥିବା କଥାରେ ଏକମତ ହୋଇପାରିନାହାଁନ୍ତି । ତାଙ୍କର ଯୁକ୍ତି ହେଉଛି ଯେ , ଯଦି ମାରିଥା’ନ୍ତେ ବାଇକ୍ ଟିକୁ ଥାନାକୁ ନେଇଆସି ଟଙ୍କା ମାଗିଥା’ନ୍ତେ କି ? ଉଲ୍ଲେଖଯୋଗ୍ୟ ଯେ , ନିଖୋଜ ପରେ ପୁଲିସ୍ କିଭଳି ଜ୍ୟେଷ୍ଠର ଭାଇକୁ ଭାଇ କଥାକୁ ଗୁରୁତ୍ୱ ନଦେଇ ଟଙ୍କା ଦେଇ ଥାନାରୁ ବାଇକ୍ ଛାଡିବାକୁ କିପରି ଚାପ ପକାଉଥିଲା , ଏହାର ଫୋନ୍ଅଡିଓ ରେକର୍ଡ ସାମ୍ବାଦିକଙ୍କ ପାଖରେ ରହିଛି ।
ସେ ମୃତକର ଉପରକୁ ମୁଁହକରି ଶୋଇଥିବା ମୃତଦେହର ପଛପଟେ କୌଣସି ଆଘାତ ଜଣାପଡୁ ନଥିବା ଓ ସମ୍ମୁଖପଟର ଛାତି , ମୁହଁ ଓ କପାଳରେ ଆଘାତ ରହିଥିବା ପ୍ରକାଶ କରିଛନ୍ତି । ତେଣୁ ଯୁବକଟି ଘାଟୀତଳର ଗଭୀରଖାଲରେ ପଳାଇଲା ବେଳେ ପଡିଯାଇଥିବା ଅନୁମାନ କରୁଥିବା କହିଥିଲେ । ତେବେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଲିସ୍ ଏହାର ଶବବ୍ୟବଚ୍ଛେଦ କରାଇଛି ଓ ଅଦ୍ୟାବଧି ପୋଷ୍ଟମର୍ଟମ୍ ରିପୋର୍ଟ ଆସି ନଥିବା ପୁଲିସ୍ କହୁଛି ।
ଏ ସମ୍ପର୍କରେ ମୃତକଙ୍କ ପତ୍ନୀ ସୁମନ୍ତୀ ବଣ୍ଡକୀ ପଡିଯାଇ ମୃତ୍ୟୁବରଣ କରିଥିବା କଥାରେ ଆଦୌ ସହମତ ନୁହଁନ୍ତି । ସେ କହିଛନ୍ତି : କେମିତି ପଡିକରି ମରିଯିବ , ଆଜ୍ଞା ? ପୁଲିସ୍ ଧରିଥିଲା । ବାଇକ୍ ବି ରଖିଛନ୍ତି । ‘ ଗ୍ରାମରୁ ଯାଇଥିବା ପରିବାରର ଲୋକେ ଓ ପଡିଥିବା ମୃତଦେହ ଦେଖିଥିବା ଗ୍ରାମବାସୀମାନେ ମଧ୍ୟ କହିଛନ୍ତି : ପଡିଥିବା ସ୍ଥାନରେ କିଛି ରକ୍ତଫକ୍ତ ପଡି ନଥିଲା । ଏତେଉପରୁ ଗଛଫଛ ସନ୍ଧିଦେଇ ପଡିଥିଲେ ହାତଗୋଡ ଦେହ ଖଣ୍ଡିଆଖାବରା ହୋଇଥା’ନ୍ତା ! କିଛି ହୋଇନାହିଁ । ପୁଲିସ୍ କୁକୁର ମଧ୍ୟ ରାସ୍ତାର ଘଟଣାସ୍ଥଳକୁ ଯିବାପରେ ପାଖର ଏକ ପୋଖରୀକୂଳକୁ ଯାଇ ସେଠାରେ ଶୋଇପଡିଥିଲା । ଏ ଘଟଣାର ଏକମାତ୍ର ପ୍ରତ୍ୟେକ୍ଷଦର୍ଶୀ ଫେରାର୍ ହୋଇ ପଳାଇ ଆସିଥିବା ଦାଶରଥି ଦିଗାଲ୍ କହିଛନ୍ତି : ସେମାନେ ତାକୁ ଧରିପକାଇ ମାଡପିଟ କରୁଥିଲେ । ‘ ଆଶ୍ଚର୍ଯ୍ୟର ବିଷୟ ଯେ ତଦନ୍ତକାରୀ ପୁଲିସ୍ ପକ୍ଷରୁ ଅଦ୍ୟାବଧି ଦାଶରଥି ଦିଗାଲର ବୟାନ ରେକର୍ଡ କରାଯାଇନାହିଁ ।

ଏଣୁ ତଦନ୍ତକାରୀ ବରିଷ୍ଠ ଅଧିକାରୀଙ୍କ ଅନୁମାନ ବା କାଳ୍ପନିକ କାହାଣୀକୁ ଗ୍ରହଣ ନକରି ଅଭିଯୋଗକାରୀଙ୍କ ପକ୍ଷର ଅଭିଯୋଗ ଅନୁଯାୟୀ , ଜ୍ୟେଷ୍ଠକୁ ବାଇକ୍ ସହ ଧରିନିଆଯିବା ପରେ ମାଡରେ ମୃତ୍ୟୁ ହୋଇଯାଇଥିବା ଓ ଅଭିଯୁକ୍ତ ପୁଲିସ୍ ମାନେ ପୁଣି ଆଣି ଘାଟୀତଳ ଖାଲରେ ଶୁଆଇଦେଇଥିବା କାହିଁକି ସମ୍ଭବ ନୁହେଁ ? ‘ବୋଲି ଚର୍ଚ୍ଚା ହେଉଛି । ସ୍ଥାନୀୟ ସାମ୍ବାଦିକ , ଜନ ପ୍ରତିନିଧି ଓ ସେଠାରେ ରାସ୍ତାକାମ କରୁଥିବା କେତେକ ବିଭାଗୀୟ ଅଧିକାରୀଙ୍କ ମତରେ ପୁଲିସ୍ ରାସ୍ତା ଉପରେ ହିଁ ପିଟୁ ପିଟୁ ଯୁବକଟି ମରିଗଲା ପରେ ଆଣି ଫିଙ୍ଗିଦିଆଯାଇଥିବା ପ୍ରକାଶ କରିଛନ୍ତି ।
ସେ ଯାହାହେଉନା କାହିଁକି , ଯୁବକଟିର ମୃତ୍ୟୁ ପାଇଁ କିଏ ଦାୟୀ ଓ ଏହା ହତ୍ୟା ପରି ଏକ ଗୁରୁତର ଅପରାଧଠାରୁ କିପରି କମ୍ ହେବ ବୋଲି ପ୍ରଶ୍ନ କରାଯାଇଛି । ସର୍ବୋପରି ଏଭଳି ବିଶୃଙ୍ଖଳିତ ଓ ଲାଳସୀ ତଳିଆ ପୁଲିସ୍ କର୍ମଚାରୀଙ୍କ ମୁତୟନ ବା କାର୍ଯ୍ୟକଳାପ ପ୍ରତି ଜିଲ୍ଲା ପୁଲିସ୍ ପ୍ରଶାସନକୁ ଦାୟୀ କରାଯାଇ ପାରିବନାହିଁ କାହିଁକି ? ଏହି ନିଲମ୍ବନ ବା ଗୃହରକ୍ଷୀଙ୍କୁ କାର୍ଯ୍ୟରୁ ଅନ୍ତର ଇତ୍ୟାଦି ପ୍ରାଥମିକ କାର୍ଯ୍ୟନୁଷ୍ଠାନ ପରେ ଜଣେ ଯୁବକର ପୁଲିସ୍ ନିମନ୍ତେ ପ୍ରାଣହାନୀ ଘଟିବା ବନାମ ହତ୍ୟା ଅଭିଯୋଗର ତଦନ୍ତର ଫଳାଫଳ ବା ଗିରଫଦାରୀ ସହ ଦଣ୍ଡବିଧାନ କେବେ ?
କେବଳ ରାଜଧାନୀ ବା ଭରତପୁର ଥାନା ପୁଲିସ୍ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନରେ ତତ୍ପରତାକୁ ରାଜ୍ୟବାସୀ ସରକାରଙ୍କ ସ୍ବଚ୍ଛତା ବୋଲି ବାହାବା’ ଦେବେ ନା ବୌଦ୍ଧକନ୍ଧମାଳର ଜଣେ ବେକାର ହରିଜନ ଯୁବକଙ୍କୁ ନ୍ୟାୟ ଦେବାଦିଗରେ କିଛି ଦୃଷ୍ଟ୍ବାନ୍ତମୂଳକ ପଦକ୍ଷେପ ନେବେ , ଲୋକେ ପ୍ରଶ୍ନ କରିଛନ୍ତି ?
କନ୍ଧମାଳ , ବୌଦ୍ଧ ଆଦି ଜିଲ୍ଲାରେ ବର୍ଷ ବର୍ଷ ଧରି ବ୍ୟାପକ ଗଞ୍ଜେଇଚାଷ ଓ ଏଠାରୁ ଆନ୍ତଃରାଜ୍ୟ ଚୋରାଚାଲାଣରେ ପୁଲିସ୍ , ଅବକାରୀ ବିଭାଗର ଧରପଗଡ ଆଳରେ ହାତଚିକ୍କଣ ସହିତ ମାଓବାଦୀଙ୍କୁ ସୁହାଉଥିବା ସମସ୍ୟାର ପ୍ରକୃତ ନିରାକରଣ ପାଇ ସରକାରଙ୍କ ନିଷ୍କ୍ରିୟତା ନିନ୍ଦନୀୟ ।
ଅପରପକ୍ଷରେ , ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି ଯେ ପ୍ରେମବିବାହ କରି ଦୁଇଟି ଛୋଟଛୁଆଙ୍କୁ ଛାଡି ଜୀବନରେ ନାବାଳିକା ବିବାହ ଅଭିଯୋଗରେ ଦୁଇଥର ବର୍ଷେ ଲେଖାଏଁ ଜେଲ୍ ରେ କଟାଇଥିବା ସହିତ ତାମିଲନାଡୁରେ ଦାଦନଖଟୁଥିବା ଓ ଛ’ ମାସତଳେ ସ୍ତ୍ରୀପିଲାଙ୍କ ପାଖକୁ ଫେରିଥିବା ଗରିବ ହରିଜନ ଯୁବକଟି ଦାଶରଥୀ କଥାରେ ପଡି ହଜାରେ ଟଙ୍କା ଭଡାରେ ଯାଇ ଚୋରାଗଞ୍ଜେଇ କାରବାରରେ ଫସି ଜୀବନକୁ ଜଳାଞ୍ଜଳି ଦେଇ ପିଲାମାଇପଙ୍କୁ ଅନାଥ କରିଯିବା କେତେଦୂର ଶୋଚନୀୟ !