କୋଟି କୋଟି ଟଙ୍କାର ଧରପଗଡ
ସୋନପୁର : ବର୍ଷ ବର୍ଷ ଧରି କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରୁ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଝାଡ଼ଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ , ମଧ୍ୟପ୍ରଦେଶ, ବିହାର , ଦିଲ୍ଲୀ , ମୁମ୍ବାଇ ଓ ଅନ୍ଯାନ୍ଯ ବାହାର ରାଜ୍ୟକୁ ନିୟମିତ କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରାଚାଲାଣ ଜାରୀ ରହିଛି । ସରକାର ଏହା ଜାଣୁଥିଲେ ହେଁ ମଝିରେ ମଝିରେ ଅବକାରୀ ଓ ମୁଖ୍ଯତଃ ଧରପଗଡ କରାଯାଉଥିଲେ ବି , ଏହା କମିନାହିଁ । ଏଥିଯୋଗୁଁ ହତ୍ୟାକାଣ୍ଡ, ପୁଲିସକୁ ହତ୍ୟା , ଆନ୍ତଃରାଜ୍ୟ ହତ୍ୟାକାଣ୍ଡ, ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ସହ ବିଚାରବିଭାଗକୁ ପ୍ରଭାବିତ କରୁଥିବା ଭଳି ଗୁରୁତର ଅପରାଧ ଓ ସମସ୍ୟା ସୃଷ୍ଟି କଲାଣି । ଏହାର ଧରପଗଡ ବା ନିୟନ୍ତ୍ରଣ ଦିଗରେ ଅବକାରୀ ବିଭାଗ କଦବା କ୍ବଚିତ୍ ଅଳ୍ପ ପରିମାଣର ଚୋରାଗଞ୍ଜେଇ ଧରପଗଡ କରି କର୍ତ୍ତୃବ୍ୟ ସମ୍ପାଦନ କରୁଛି । ସରକାର ମଧ୍ଯ ଏହି ବିଭାଗଟିର ଏହି ଏନ୍ ଡି ପି ଏସ୍ ମାମଲା ପ୍ରତି ସେତେଟା ଗୁରୁତ୍ବ ଦେଲା ପରି ମନେ ହେଉ ନ ଥିଲା ବେଳେ ମୁଖ୍ୟତଃ ପୁଲିସ ହିଁ ଏହାର ଧରପଗଡରେ ମୁଖ୍ଯଅଂଶ ନିର୍ବାହ କରୁଥିବା ଦେଖାଯାଇ ଆସୁଛି । ଅବଶ୍ଯ ଜିଲ୍ଲା ଅବକାରୀ ବିଭାଗରେ କର୍ମଚାରୀ ଅଭାବ ,ଗାଡିମଟର ଓ ଇନ୍ଧନ ଇତ୍ୟାଦିର ସାଧନ ଅଭାବ ଓ ସଚ୍ଚୋଟ ତଥା ଦକ୍ଷ ଅଫିସର ଓ ଇଚ୍ଛାଶକ୍ତିର ଅଭାବ ସହିତ ବିଭିନ୍ନ ପ୍ରତିବନ୍ଧକ ରହିଛି ।
ଅବକାରୀ ବିଭାଗର ଅବହେଳା
ସର୍ବୋପରି ଉଭୟ ଅବକାରୀ ଓ ପୁଲିସର କେତେକ ଲାଞ୍ଚୁଆ ଅଧିକାରୀ- କର୍ମଚାରୀଙ୍କ ଯୋଗୁଁ ଏହାର ସମୁଚିତ ଧରପଗଡ ଓ ତଦନ୍ତ ବାଧାପ୍ରାପ୍ତ ହୋଇଆସୁଥିବା ମୁଖ୍ଯ କାରଣ ବୋଲି କୁହାଯାଇଥାଏ ।
ତେବେ ସଂପ୍ରତି ସୁବର୍ଣ୍ଣପୁରରେ ନୂତନ ଏସ୍ ପି ଭାବେ ନାରାୟଣ ନାଏକ ଯୋଗଦେବା ପରେ ଏହି ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ବିରୁଦ୍ଧରେ ‘ ମିଶନ୍ ଗଞ୍ଜେଇ ‘ ଅଭିଯାନ ଆରମ୍ଭ କରି ସଫଳତା ହାସଲ କରୁଥିବା ଲକ୍ଷ୍ୟ କରାଯାଇଛି । ଏଠାରେ ତାଙ୍କର ଅଦ୍ୟାବଧି ସ୍ବଳ୍ପ କାର୍ଯ୍ୟକାଳ ମଧ୍ଯରେ ତାଙ୍କର ଏହି ସ୍ବତନ୍ତ୍ର ଅଭିଯାନରେ କୋଟି କୋଟି ଟଙ୍କାର ଏକାଧିକ ବଡ ବଡ ଧରପଗଡ ମାମଲା ହୋଇସାରିଲାଣି । ସେ ଏହି ଧରପଗଡରେ କେବଳ ଯେ ଚୋରାଚାଲାଣରେ ଜଡିତ ଆସାମୀଙ୍କୁ ଗିରଫକୁ କୋର୍ଟ ଚାଲାଣ , ସବୁମାଲ୍ ଜବତ ସହ ବ୍ୟବହୃତ ଯାନବାହନ ଜବତ କରୁଛନ୍ତି ,ତା’ ନୁହେଁ ; ତା’ ସହ ଏହି ଚୋରାଚାଲାଣର ପାଇଲଟ୍ ମାନଙ୍କୁ ମଧ୍ଯ ଧରୁଥିବା ସହିତ ଏହି ଚୋରାଚାଲାଣର ଆରମ୍ଭ ଓ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ତଦନ୍ତକୁ ସମ୍ପ୍ରସାରଣ କରିଛନ୍ତି । ଫଳରେ ଏହି ଜିଲ୍ଲାରେ ଏହି ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଓ ଜଡିତ ସୂତ୍ରଧରମାନଙ୍କ ମଧ୍ଯରେ କୋକୁଆଭୟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି ।
ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣରେ ସରକାର ଉଦାସୀନ
ନିକଟରେ ତରଭା ପୁଲିସ ଗତ ୧ ତାରିଖରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ରିଜ୍ ପାଖରେ ଏକ ପିକଅପ୍ ଭ୍ୟାନ୍ ରୁ ୨୫ଟି ପ୍ୟାକେଟ୍ ରେ ଥିବା କଣ୍ଟାମାଳରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିବାପ୍ରାୟ ୬ କୁଇଣ୍ଟାଲ୍ ୧୫ କିଗ୍ରା ଗଞ୍ଜେଇ ଧରିଥିଲେ । ଏସ୍ ପିଙ୍କୁ ମିଳିଥିବା ସୂଚନାକ୍ରମେ ତରଭା ଥାନାଧିକାରୀ ଅନୀତା କିଡୋ ,ଏସ୍ ଆଇ ରବୀନ୍ଦ୍ର ସାହୁ ଓ ଅନ୍ଯମାନେ ସଦଳବଳେ ଗୋଡାଇ ଗୋଡାଇ ଏହା ଧରିଥିଲେ । ଯାହାର ଆନୁମାନିକ ମୂଲ୍ଯ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ପ୍ରକାଶ । ପୁନଶ୍ଚ ଗତ ୧୭ ତାରିଖରେ ସେହି ତରଭା ଥାନା ଅନ୍ତର୍ଗତ ବୁର୍ଡା- ଅର୍ଜୁନପୁର ରାସ୍ତାର ରାଣୀସର୍ଡା ଛକଠାରେ ମେଣ୍ଡାଫାଣ୍ଡି ଅଧିକାରୀ ଟଙ୍କଧର ଛତ୍ରିୟାଙ୍କ ନେତୃତ୍ବରେ ପୁଲିସ ଏକ ପିକ୍ ଅପ୍ ଭ୍ଯାନ୍ ରୁ ବଲାଙ୍ଗୀର ଓ ବରଗଡ ଜିଲ୍ଲା ଦେଇ ଛତିଶଗଡ ରାଜ୍ୟ ବାହାରକୁ ଚୋରାଚାଲାଣ ହେଉଥିବା ୯ କୁଇଣ୍ଟାଲ ୩୫ କିଗ୍ରା ଗଞ୍ଜେଇ ଧରିଥିବା ସହ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର୍ ହୋଇଯାଇଥିବା ପ୍ରକାଶ । ଏହି ଗଞ୍ଜେଇର ଆନୁମାନିକ ମୂଲ୍ଯ ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ପ୍ରକାଶ । ଏହାସହିତ ବୀରମହାରାଜପୁର ଓ ସୋନପୁର ଥାନାର ପୁଲିସ କେତେକ ଗଞ୍ଜେଇ ଜବତ କରିଛନ୍ତି । ଏ ସମ୍ପର୍କରେ କିପରି ଛୋଟ କୃଷିଯାନ ବା ଟ୍ରାକ୍ଟର ଓ ଏପରିକି ବାଇକ୍ ରେ ମଧ୍ଯ ସିଟ୍ କଭର୍ ଭିତରେ ଅଭିନବ ଉପାୟରେ କିପରି ଗଞ୍ଜେଇ ଚୋରାଚାଲାଣ ହେଉଛି , କେତେକ ଜବତ ବାଇକ୍ କୁ ଦେଖାଇ ସୋନପୁର ଆଇ ଆଇ ସି ତାପସ କୁମାର ଭୋଇ ପ୍ରକାଶ କରିଛନ୍ତି। ସୋନପୁର ଥାନାନ୍ତର୍ଗତ ହରଡଖୋଲ୍ ଫାଣ୍ଡି ଅଧିକାରୀ ସନ୍ତୋଷ ସେନ୍ଦ୍ରିଆ ଗତ ୨ ମାସ ମଧ୍ଯରେ ୬ ଟି ମାମଲା ଓ ଗତ ୧୮ ତାରିଖରେ ଏକ ବାଇକ୍ ରୁ ପ୍ରାୟ ୮ କିଗ୍ରା ଗଞ୍ଜେଇ ଧରିଥିବା ଜଣାଯାଇଛି । ସର୍ବୋପରି ଏହି ଏସ୍ ପିଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ର ଟିମ୍ ଦ୍ବାରା ଇତିମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାରେ କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରାଚାଲାଣ ଧରାପଡିଛି । ତେବେ କେତେକ କ୍ଷେତ୍ରରେ ଅଭିଯୁକ୍ତ ଫେରାର୍ ହୋଇଯିବାରେ ସଫଳ ମଧ୍ଯ ହୋଇଛନ୍ତି । ତେବେ କ୍ଷୋଭର ବିଷୟ ଯେ , ବହୁକଷ୍ଟ ସ୍ବୀକାର କରି ପୁଲିସ ଧରୁଥିବା ଏଭଳି ମାମଲାର ଅଭିଯୁକ୍ତମାନଙ୍କୁ ୪ /୫ ଦିନରେ ଜାମିନ୍ ମିଳିଯାଉଥିବା ଦେଖାଯାଇଛି ।
ତେଣୁ ସରକାରଙ୍କ ପକ୍ଷରୁ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଗଞ୍ଜେଇ ଚାଷ ଉନ୍ମୁଳନ ଅଭିଯାନକୁ ତ୍ବରାନ୍ବିତ କରାଯିବା ସହ ବ୍ୟାପକ ସଚେତନତା ସୃଷ୍ଟି ସହ ମୁଖ୍ଯତଃ ଉପରୋକ୍ତ ଜିଲ୍ଲାରୁ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲା ଏହି ଚୋରାଚାଲାଣର କରିଡର୍ ପାଲଟିଥିବା ଥାନା , ଫାଣ୍ଡିର ପୁଲିସ ଓ ଅବକାରୀ ଅଧିକାରୀ- କର୍ମଚାରୀଙ୍କ ଧରପଗଡ ଓ ତଦନ୍ତରେ ସ୍ବଚ୍ଛତା ଅବଲମ୍ବନ ପ୍ରତି ବରିଷ୍ଠ ଅଧିକାରୀଙ୍କ ସ୍ତରରେ କଡାକଡି ଦୃଷ୍ଟି ରଖାଯିବା ଦିଗରେ ସରକାର ସଚେତନ ରହିଲେ , ଏହାର ନିରାକରଣ କରାଯାଇପାରିବ ବୋଲି କୁହାଯାଉଛି ।