ପୁଞ୍ଜିଯୋଗାଡର ଏକ ଆବଶ୍ୟକ ଆୟୋଜନ
ଭୁବନେଶ୍ବର : ସରକାର ଗଠନ ପରେ ନିର୍ବାଚନୀ ଇସ୍ତାହାର ବା ରାଜନୈତିକ ପ୍ରତିଶ୍ରୁତି ପାଳନର ଏକ ଆୟୋଜନ ହେଉଛି ଆମ ରାଜ୍ୟରେ ସଦ୍ୟସମାପ୍ତ ୧୮ ତମ ପ୍ରବାସୀ ଭାରତୀୟ ଦିବସ ବା ପ୍ରବାସୀ ଯୁବ ଭାରତୀୟ ଦିବସ ପାଳନ । ଏହା ଏକ ପୁଞ୍ଜିଯୋଗାଡର ଆବଶ୍ୟକ ଆକର୍ଷଣୀୟ ଆୟୋଜନ । ଓଡିଶାରେ ଏଇ ଜାତୀୟ ମେଳାଟିର ଉଦ୍ ଘାଟନର ଅୟମାରମ୍ଭରେ ‘ ବନ୍ଦେ ଉତ୍କଳ ଜନନୀ…’ ଭଳି ଜାତୀୟସଙ୍ଗୀତ ଗାନ କରା ନଯିବା କେତେକ ଓଡିଆଙ୍କ ପ୍ରାଣକୁ ବାଧିଥିବାର ଏକ ମେଁ ମେଁଇଆ ଛାଗଳସ୍ବର ଶୁଭିଥିଲେ ହେଁ , ସମ୍ଭବତଃ ଅଳ୍ପଦିନ ତଳର ଗତସରକାରର ବିଶ୍ବ ସାଂସ୍କୃତିକ ଉତ୍ସବର ଆୟୋଜନ ସମୟର ହାଇପେଡ୍ ଉଦ୍ ଘୋଷିକାଙ୍କ ତ୍ରୁଟିଯୁକ୍ତ ‘କାନ୍ତକବି- କଣ୍ଠକବି’ ଅପଭ୍ରଂଶ ଭୟରେ ନୂତନସରକାରଙ୍କ ଓଡିଆଅସ୍ମିତାରେ ଆଞ୍ଚଆସିବ ବୋଲି ଆଉ ସେପରି ରିସ୍କ ନିଆଗଲାନାହିଁ ? ସେ ଯାହାହେଉ , ଅୟମାରମ୍ଭ ଶୁଭାୟ ଭବତୁ !
ଲୋକେ କହିପାରନ୍ତି , ଗୋଟେ ଭଲ ଆରମ୍ଭକୁ ଆରମ୍ଭରୁ ଖେଞ୍ଚିବା ଭଲନୁହେଁ । କିନ୍ତୁ ଆମର ଏଭଳି ସମାଲୋଚନା ବା ଖବରତର୍ଜମାର ଉଦ୍ଦେଶ୍ୟ ତ ଆମେ ଏ ପୋର୍ଟାଲ୍ ଆରମ୍ଭରୁ ସ୍ପଷ୍ଟ କରିଦେଇଛୁଁ । ତେବେ ଏହା କ’ଣ ସତନୁହେଁ ଯେ , ଓଡିଶାରେ ଏଠାକୁ ଆସି ପୁଞ୍ଜିନିବେଶ କରିବାକୁ ଏନଆରଆଇ ଓଡିଆଙ୍କୁ ଆକର୍ଷଣ କରିବାକୁ ଏହା ଏକ ଆବଶ୍ୟକୀୟ ଆୟୋଜନ ନଥିଲା ? କାରଣ ? କାରଣ ଏୟା ଯେ , ଗତ ୨୪ ବର୍ଷର ସରକାର ସବୁ ପାଣ୍ଠି କୁଆଡେ ଖୋଳ କରିଦେଇଛନ୍ତି । ଅର୍ଥାତ୍ ରାଜକୋଷ ଶୂନ୍ୟ ! ଏଣୁ ‘ଦାସେ ଅଇଲେ , ମୂଳରୁ ଧର’ ନ୍ୟାୟରେ ଯିଏ ପରାମର୍ଶ ଦେଲେ ବା ଯାହା ବୁଦ୍ଧିରେ ଭୋଟ୍ ଆଗର ‘ ଓଡିଆଅସ୍ମିତା ‘ ଶବ୍ଦଟି ଭଳିଆ ଏଭଳି ପ୍ରବାସୀ ଭାରତୀୟ ଦିବସର ଆୟୋଜନର ରାଜନୈତିକ ଉଦ୍ଦେଶ୍ୟଟି ସେଇଆ ବୋଲି ଲୋକେ ଆଲୋଚନା କରୁଛନ୍ତି ।

କିଛି ଭୁଲ୍ କଥା ନୁହେଁ । ଆଗ ସରମାନେ ବି ବିଶ୍ବ ହକିଦିବସ ଓ ଅନ୍ୟାନ୍ୟ ବିଶ୍ଵସ୍ତରୀୟ ରାଜମେଳାମାନ କରିଯାଇଛନ୍ତି । ତେବେ ଏହାର ଏକ ବଡ ଫାଇଦା ହେଲା , ଏଇ ମେଳା ଅବସରରେ ମହାମହିମ ରାଷ୍ଟ୍ରପତି ଓ ଯଶସ୍ବୀ ପ୍ରଧାନମନ୍ତ୍ରୀ ତଥା ଅନ୍ୟାନ୍ୟ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏବଂ ବିଶ୍ବର କେତେକ ରାଷ୍ଟ୍ରୀୟ ନେତାମାନଙ୍କର ଓଡିଶାକୁ ଆଗମନ । ମିଡିଆବୁମ୍ ( ଯାହାଙ୍କୁ ଦେଖେଇବେ ନା ) ଆଗରେ ଅତ୍ୟୁତ୍ସାହୀ ଦେଖଣାହାରୀମାନେ କହିଲେ , ଏହାଦ୍ବାରା ଓଡିଶାକୁ ମୋଦୀ- ମୋହନାଦି କୁଆଡେ ଚିହ୍ନେଇଲେ ! ଓଡିଆର ପଖାଳାଦି ମୌଳିକ ଖାଦ୍ୟପେୟଠାରୁ କଳାସଂସ୍କୃତି , ପାରମ୍ପାରିକ ଆଦିବାସୀ ପହରଣ ବା ଆଉ ଆଉ ଅନ୍ୟାନ୍ୟ ଚିଜ ଦରବର ପ୍ରଦର୍ଶନୀ ହେଲା । ବିଦେଶକୁ ଯାଇ ପେଟ ପୋଷିବାକୁ ଯାଇ ରହିଯାଇଥିବା ବାପମାଆଙ୍କୁ ବାସିପାଣିରେ ଥରେ ପଚାରୁ ନଥିବା ସାଧବପୁଏ ତାଙ୍କ ଗାଁ’ମାଟିକି ଆସି ପାଦପକେଇ ଦେଇଗଲେ । ଏ ସୁଯୋଗ ମୋଦୀ ବନାମ ମୋହନ ମାଝି ବା ତାଙ୍କ ପରାମର୍ଶଦାତା ମାନଙ୍କ ଉର୍ବରମସ୍ତିଷ୍କରୁ ଉଦ୍ଭୂତ ପରିକଳ୍ପନା ଯୋଗୁଁ ସମ୍ଭବ ହୋଇ ପାରିଲା । ଆଗ ସରକାର ବୁଲିବୁଲି ପୁଞ୍ଜିଯୋଗାଡ କରୁଥିବା ବେଳେ , ଇଏ ଇଠି ଅନୁଷ୍ଠିତ କରେଇଲେ । ଏଥର ବିକଶିତ ଓଡିଶାର ସ୍ବପ୍ନକୁ ଆମେ ଖୋଲାଆଖିରେ ଦେଖିପାରିବା । ଜୟ କଳା !
ଏବେ ଆମ ଉପମୁଖ୍ଯମନ୍ତ୍ରୀ କେଭିଆଜ୍ଞା କହିଲା ଭଳିଆ , ଦେଖିବାକୁ ବାକିରହିଲା , କେତେ ପୁଞ୍ଜିନିବେଶ ଆସୁଛି ?
ଅପରପକ୍ଷରେ , ଏବେ ଏଠି ଖଣିଖାଦାନ , ଜଳଜମି ଜଙ୍ଗଲକୁ ବିକି ଦିଆଯାଉଥିବା ବିଦ୍ରୋହର ସ୍ବର ଦାନାବାନ୍ଧୁଛି । ଏହା ପ୍ରଫୁଲ୍ଲ ସାଆନ୍ତରାଙ୍କ ପରି କିଛି ବାମପନ୍ଥୀନେତା ସ୍ବରୋତ୍ତଳନ କଲେଣି ବି ! ଗନ୍ଧମାର୍ଦ୍ଦନ ଚାରିପଟେ ଆଦାନୀର ଜମିକିଣା ହେଉ କିମ୍ବା ତା’ପୂର୍ବରୁ ( ଅବଶ୍ୟ ଗତ ସରକାରଙ୍କ ଅମଳରୁ ) ମହାନଦୀ ଜଳ ଆବଣ୍ଟନ ପ୍ରସଙ୍ଗ ( ପୁଣି ଜଣେ ଆସେସରଙ୍କୁ ନିଯୁକ୍ତି ଦିଆଯାଉଛି ) ହେଉ ; ଗୌଣ ପ୍ରସଙ୍ଗ ? ସେଇପରି ଏବେ ବି ରାଜ୍ୟର ଉପକୂଳଓଡିଶାରୁ ପଶ୍ଚିମ ଓ ଦକ୍ଷିଣଓଡିଶା ଯାଏଁ ଶିଶୁବିକ୍ରି , ଶିଶୁଚୋରି ଓ ଜନ୍ମକଲାମାଆର ଶିଶୁବିକ୍ରି ପରେ ହୋହାଲ୍ଲା ହେବାରୁ ଉଦ୍ଧାର ଶିଶୁକନ୍ୟାଟିକୁ ପୁଣି ଆଣି ( ବଲାଙ୍ଗୀରରେ ) ପ୍ରଶାସନ ବନାମ ସରକାରଙ୍କୁ ସମର୍ପିଦେବା ଏବଂ ଟାସ୍କଫୋର୍ସକୁ ଚାଲେଞ୍ଜ୍ କରି ଦାଦନଚାଲାଣ ଓ ନିର୍ଯାତନା ଅଭିଯୋଗକୁ ଶସ୍ତାରାଜନୀତି କହି ଟାଳିଦିଆଯିବା ଏବଂ ଚାଷୀ ଆତ୍ମହତ୍ୟା ( ଜଗତସିଂହପୁରରେ ) ମଧ୍ୟ ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ !
ଅଧୁନାତନ ରାଜନୀତି ବା ନିର୍ବାଚିତ ସରକାରଙ୍କର ବେପାରୀକୌଶଳକୁ ରାଜ୍ୟବାସୀ ବେଶ୍ ବୁଝିପାରୁଛନ୍ରି । ସେ ଗତ ଚବିଶବର୍ଷର ସରକାରର ତଥାକଥିତ ସ୍ଥିରସରକାର ବନାମ ଜଣତନ୍ତ୍ର ହେଉ ବା ଚଳିତ ସାତମାସର ଡବଲଇଞ୍ଜିନ୍ ଓ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମାରୋହରକୁ ଉ ଦ୍ ଘା ଟ ନ କଲାବେଳେ ଉଦ୍ ବୋଧନରେ କହିଲା ପରି ‘ ଇଏ ଟ୍ରିପଲ୍ ଇଞ୍ଜିନ୍ ‘ର ଉତ୍ସାହୀଉପମା ହେଉ ; ଫଳେନ ପରିଚୟତେ !
ଆଚ୍ଛା , ଏହି ସର୍ବଭାରତୀୟ ବନାମ ଆନ୍ତର୍ଜାତୀୟ ସମାରୋହରେ ସାମିଲ୍ କରାଯାଇ ନଥିବା ଓଡିଶାର ପ୍ରତିଭାବାନ୍ ସାହିତ୍ୟିକ , ସାମ୍ବାଦିକ , ଶିଳ୍ପପତି , ବୈଜ୍ଞାନିକ , ବ୍ୟବସାୟୀ , ପ୍ରଶାସକ , କର୍ମଚାରୀ , ଶ୍ରମିକ , ଶିକ୍ଷକ , ପ୍ରବାସୀ , ଚିକିତ୍ସକ , ଶିଳ୍ପୀ , ଚିତ୍ରକର , କଳାକାର , ସମାଜସେବୀ ଓ ନେତା ଅନ୍ୟମାନେ କିଛି ରହିଗଲେ କି ?
ସର୍ବୋପରି ପୂର୍ବସରକାରଙ୍କ ତାମିଲ୍ ଅମଲା ବନାମ ପାଣ୍ଡିୟାନ୍ ବୁଦ୍ଧିରେ ଗୋଟେ ଦଳର ପତନ ହେବାର ଘଟଣା ସହ ଏବର ଗୁଜରାତି ବେପାରୀକୌଶଳକୁ ନେଇ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ଆମ ଏଠି ତ ଦଇବ ଦଉଡିରେ ଟଣା କାଳିଆକାଠର ଦାରୁଭୂତ ମୁରାରୀ ! କାହାକୁ କହିବା , କପାଳରେ ସିନା କରତାଡିବା !