ଓଡ଼ିଶା

ପ୍ରଦୂଷଣର ଦୀପାବଳି ଓ ବାରୁଦ /ବାଣ

Email :

ଭୁବନେଶ୍ବର :  ଚଳିତ ଦୀପାବଳିରେ ଲୋକେ ସରକାରୀ କଟକଣା ମାନିଲେନି ।  ସାରାରାଜ୍ୟରେ ନିଆଁ ଓ ଧୂଆଁ  !  ବାୟୁମଣ୍ଡଳରେ ପ୍ରଦୂଷଣ ବଢିଗଲା । କେତେକ ସହରର ପରସ୍ଥିତି ଅତି ଖରାପ ହେଇଗଲା ଇତ୍ୟାଦି ଖବର ଖବରକାଗଜର ମୁଖପୃଷ୍ଠ ଶିରୋନାମା ଖବର ପାଲଟିଲା ।

ଏହି କେବଳ ଦୀପାବଳି ଦିନର ଗୋଟିଏ ଦିନର ଖବର ନୁହେଁ । କୁହଯାଉଛି , ଏବର୍ଷ ଦୁଇଦିନ ଦୀପାବଳି ପଡିଲା ।  କୋଟି କୋଟି ଟଙ୍କାର ବାଣବେପାର ହେଲା ।  କୋଉଠି କେତେ ମଲେ ବା ଖଣ୍ଡିଆଖାବରା ହେଲେ , ଏ ଖବର ନଗଣ୍ୟ । ସୁପ୍ରିମ୍ କୋର୍ଟ , ରାଜ୍ୟ ପ୍ରଦୂଷଣ ବୋର୍ଡର ନିର୍ଦ୍ଦେଶ ଓ ପୁଲିସ୍ ର କଟକଣା ଫୁସ୍ ହେଇଗଲା  । ସମ୍ବଲପୁର ପରି ସହରରେ ଏ କ୍ୟୁ ଆଇ ୨୪୭କୁ ଛୁଇଁଲା ବା ଅନଗୁଳରେ ୨୫୯, ତାଳଚେର , ଭୁବନେଶ୍ବରରେ ବି ଏୟାର କ୍ବାଲିଟି ଇଣ୍ଡେକ୍ସ ( ଏ କ୍ୟୁ ଆଇ ) ବା ପ୍ରଦୂଷଣ ମାପକ ପରିମାଣରେ ବୃଦ୍ଧି ପାଇଥିଲା । ବଲାଙ୍ଗୀର ପରି ଅରଣ୍ୟାନୀ ପରିବେଷ୍ଟିତ ଜିଲ୍ଲା ବା ସହରାଞ୍ଚଳରେ ଅଦ୍ୟାବଧି ଦିନରାତି ଘନଜନବସତିରେ ଘର ପାଖରେ ବାଣଫୁଟା ଚାଲିଛି ।  ଏସବୁ ଆଗାମୀ କାର୍ତ୍ତିକପୂର୍ଣମୀ ପାହାନ୍ତାପହର ଯାଏ ପୂର୍ବବର୍ଷଗୁଡିକ ପରି ଲମ୍ବିବ ! ଏଇ ମାଓପ୍ରବଣ ଜିଲ୍ଲାର କଣ୍ଟାବାଞ୍ଜି ଓ ଅନ୍ୟଅଞ୍ଚଳରେ ଏହି ବାରୁଦବାଣର ବିକ୍ରି ଓ ବ୍ୟବହାର ଥମିନାହିଁ ।

ଯଦିଓ ଗତ କିଛିବର୍ଷ ହେଲା , ପ୍ରଶାସନ ପକ୍ଷରୁ ସହରବାହାରେ ଦୀପାବଳି ବାଣବଜାର ଖୋଲିବାକୁ ଅନୁମତି ଦେଇଛି ।  ଏହି ଜିଲ୍ଲାର କୁଶଙ୍ଗ ପରି ଘଞ୍ଚବସତିର ଗାଁ’ ସଦର ମହକୁମା ସହରରେ ଲୁଚାଚୋରାରେ ଘରଭିତରେ ବାଣତିଆରି ଚାଲିଥିବାବେଳେ ବିସ୍ଫୋରଣ ଘଟି ବହୁ ଧନଜୀବନ ହାନୀ ହେବାରୁ ଏପରି କଟକଣା ହୋଇଛି ।  କଣ୍ଟାବାଞ୍ଜି ଅଞ୍ଚଳରେ ବେଆଇନ୍ ବାରୁଦ ଗୋଦାମ ବିରୁଦ୍ଧରେ ଏକାଧିକବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବଲାଙ୍ଗୀର ସଂଲଗ୍ନ ସୁବର୍ଣ୍ଣପୁର ଜିଲ୍ଲାର ତରଭା ଆଦି ଅର୍ଦ୍ଧସହର ଗ୍ରାମରେ ଥାନାପାଖ ବଜାରବସ୍ତିରେ ପୁଲିସ୍ କୁ ବଟି ଦେଇ ଦୀପାବଳିରେ ବାଣବିକ୍ରି ହୋଇଆସୁଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୀପାବଳିରେ ବାରୁଦବାଣତିଆରି ଓ ବିକ୍ରିରେ ପ୍ରଶାସନ ଓ ପୁଲିସ୍ ର ହାତଚିକ୍କଣ ହୋଇଥାଏ ।  କିଛିବର୍ଷତଳେ କଟକ , କେନ୍ଦ୍ରାପଡା ଆଦି ଜିଲ୍ଲାରେ ବାଣଘର ଗୁଡିକରେ ବାଣଭିଡାବେଳେ ବିସ୍ଫୋରଣ ଘଟି କାରିଗରମାନଙ୍କର ପ୍ରାଣହାନୀ ଘଟିଥିବା ସ୍ମରଣରେ ରହିଛି ।

ତେଣୁ  ଜନବସତିରେ ଲୋକଙ୍କ ଧନଜୀବନ ପାଇଁ ବିପଦ ସୃଷ୍ଟି କରୁଥିବା ଦୀପାବଳିର ବାରୁଦବାଣ ବିକ୍ରି ପାଇଁ ପରମ୍ପରା ଆଳରେ ସରକାର ବାଣପ୍ରସ୍ତୁତକାରୀ ଓ ବାଣବଜାର ବା ବିକ୍ରିପାଇଁ ପ୍ରତିବର୍ଷ ଲାଇସେନ୍ସ ଦେଇଆସୁଥିବା ବେଳେ ଆଜି ଏଭଳି ପରିବେଶ ପ୍ରଦୂଷଣ ନିମନ୍ତେ ଲୋକେ ବା ଲୋକଙ୍କ ସରକାର ଏତେ ବ୍ୟସ୍ତ କାହିଁକି ? ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏକ ଦନ୍ତହୀନ ସାପ  ଓ  ଏହାକୁ ଏହି ବିଭାଗର ଅଧିକାରୀଙ୍କ କଳକାରଖାନା ଗୁଡିକର ନିୟନ୍ତ୍ରଣ ଆଳରେ କେବଳ ହାତଚିକ୍କଣ କରିବାକୁ ଉଦ୍ଦିଷ୍ଟ ବୋଲି ଲୋକେ ସମାଲୋଚନା ପ୍ରକାଶ କରିଛନ୍ତି । ସରକାରଙ୍କର ଏଇ ମୃଦୁସମାଲୋଚନା କର୍ଣ୍ଣଗୋଚର ହୁଏ କି  ?

Related Tag:

Leave a Reply

Your email address will not be published. Required fields are marked *

Related Post