ଏଥର ରାଜଧାନୀରେ : ଲୁଚାଚୋରାରେ କାହିଁକି ?
ଭୁବନେଶ୍ବର : ଏବେ ପୁଣି ଏକ ଶିଶୁବିକ୍ରି ହୋଇଛି ଖୋଦ୍ ରାଜଧାନୀ ଭୁବନେଶ୍ବରରେ । ଗତ ୨୭ ତାରିଖରେ ଘଟଣାଟି ଜଣାପଡିବା ପରେ ବଡଗଡ ଥାନା ପୁଲିସ୍ ଏହି ୫ ବର୍ଷର ଶିଶୁକନ୍ୟା ବିକ୍ରି ମାମଲାରେ ବିକ୍ରି କରିଥିବା ବିହାରୀ କାଠମିସ୍ତ୍ରୀ ବାପମାଆ , କିଣିଥିବା ପିପିଲି ଅଞ୍ଚଳର ନିଃସନ୍ତାନ ଦମ୍ପତି , ମଧ୍ୟସ୍ଥତା କରିଥିବା ୨ ମହିଳା ଓ ଜଣେ ପୁରୁଷଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି । ଶିଶୁକନ୍ୟାଟିକୁ ଦଲାଲ୍ ମାନଙ୍କର ପ୍ରରୋଚନାରେ ୧ ଲକ୍ଷ ଟଙ୍କାରେ ଡିଲ୍ ହୋଇ ୪୦ ହଜାର ଟଙ୍କାରେ ବିକା ଯାଇଥିବା ପ୍ରକାଶ । ଏଥିପାଇଁ ୧୦ ଟଙ୍କିଆ ଷ୍ଟାମ୍ପ୍ ପେପରରେ ଏକ ଦତ୍ତପତ୍ର ଲେଖାଯାଇଛି । ସଂପ୍ରତି ଶିଶୁକନ୍ୟାଟିକୁ ଖୋର୍ଦ୍ଧା ସିଡବ୍ଲୁସି ଓ ଚାଇଲ୍ଡ ଲାଇନ୍ ମାର୍ଫତ୍ ରେ ଏକ ଆଶ୍ରୟକେନ୍ଦ୍ରରେ ରଖାଯାଇଛି । ଶିଶୁଟିର ବାପମାଆ ବିହାର ଭାଗଲପୁର ଅଞ୍ଚଳର ଓ ସେମାନେ ଶିଶୁପାଳଗଡ ବଡଟାଙ୍ଗୀ ଅଞ୍ଚଳରେ ସାର୍ଥକ ମହାନ୍ତିଙ୍କ ଘରେ ଭଡାରେ ରହୁଥିଲେ । ଘର ମାଲିକଙ୍କ ସନ୍ଦେହ ହେବାରୁ ସେ ବଡଗଡ ଥାନାରେ ଏତଲା ଦେଇଥିଲେ । ଶିଶୁକନ୍ୟାଟିର ମାଆ ଜଣେ ବିଧବା ହେଲେ ହେଁ , ପତ୍ନୀ ମରିଯାଇଥିବା ସୁବୋଧ ଶର୍ମାଙ୍କର ଦ୍ବିତୀୟ ସ୍ତ୍ରୀ । ଶିଶୁଟିକୁ ସାବତବାପା ହୋଇଥିଲେ ହେଁ , ସୁବୋଧ ପାଖରେ ରଖିବାକୁ ରାଜି ହୋଇଥିଲେ । ତେବେ ପୂର୍ବସ୍ବାମୀଙ୍କର ଝିଅ ହୋଇଥିବାରୁ ଭବିଷ୍ୟତରେ ସମସ୍ୟା ଆଶଙ୍କା ଓ ଧନୀ ପରିବାରରେ ଭଲରେ ରହିବା ଏବଂ ଦଲାଲ୍ ଙ୍କ କମିଶନୀ ଲୋଭର ବଶବର୍ତ୍ତୀ ହୋଇ ପ୍ରରୋଚନାରେ ପଡି ସେ ଝିଅଟିକୁ ବିକି ଦେଇଥିବା ପ୍ରକାଶ ।
ଦ୍ୱିତୀୟ ଶିଶୁବିକ୍ରି ହୋଇଥିବା ଘଟଣାଟି ରାୟଗଡା ଜିଲ୍ଲାର ଗୁଣୁପୁରର ।କିଛିଦିନ ତଳେ ଜେକେପୁର ଅଞ୍ଚଳର ୯ ଦିନର ଶିଶୁକନ୍ୟା ବିକ୍ରି ଘଟଣା ପରେ ଏବେ ଗତ ମାର୍ଚ୍ଚ ୧୫ ତାରିଖରେ ଆଉ ଏକ ଶିଶୁପୁତ୍ର ବିକ୍ରି ହୋଇଥିବା ଘଟଣା ଆଜି ୨୭ ତାରିଖରେ ଗଣମାଧ୍ୟମର ମୁଖପୃଷ୍ଠରେ ପ୍ରକାଶ ପାଇଛି । ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କ ପକ୍ଷରୁ ସିଡିପିଓଙ୍କୁ ଚିଠି ପରେ ଡିସିପିୟୁର ହସ୍ତକ୍ଷେପ ସତ୍ତ୍ୱେ ଏହାକୁ ଚପାଇ ଦିଆଯାଇଥିବା ଅଭିଯୋଗ ପ୍ରକାଶ ପାଇଛି । ଗୁଣୁପୁର ଉପଖଣ୍ଡ ହସ୍ପିଟାଲରେ ଜନ୍ମ ପରେ ଏହି ନାବାଳିକା ମାଆର ଅବୈଧ ଶିଶୁପୁତ୍ରଟିକୁ ଚିକିତ୍ସାଳୟର କେତେକ କର୍ମଚାରୀ ବିକ୍ରି ଯୋଜନା କରି ଡମ୍ବସରା ଅଞ୍ଚଳର ଏକ ନିଃସନ୍ତାନ ଦମ୍ପତିଙ୍କୁ ଶିଶୁଟିକୁ ଟେକି ଦେଇଥିବା ଓ ଭବିଷ୍ୟତରେ ଫସିଯିବାର ଆଶଙ୍କାରେ ଶିଶୁପୁତ୍ରଟିର ଜନ୍ମତାରିଖକୁ ମାର୍ଚ୍ଚ ୧୫ ପରିବର୍ତ୍ତେ ଅକ୍ଟୋବର ୩୦ ତାରିଖ ବୋଲି ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜୀକରଣ କରାଯାଇ ଠକାମି କରାଯାଇଥିବା ପ୍ରକାଶ । କିନ୍ତୁ ତାରବେଲ ଅଙ୍ଗନବାଡି କର୍ମୀ ଜଣକ ଏ ସମ୍ପର୍କରେ ଗୁଣୁପୁର ସିଡିପିଓଙ୍କୁ ଏକ ଚିଠି ଲେଖି ସତକଥା ଜଣାଇଦେଇଥିଲେ । ଘଟଣା ସମ୍ପର୍କରେ ଶିଶୁ ସୁରକ୍ଷା ୟୁନିଟ୍ ଖବର ପାଇ ଦୁଇମାସ ତଳେ ୨ ଥର ତଦନ୍ତ କରିଥିବା ସହ ଶିଶୁପୁତ୍ରଟିକୁ ନେଇଥିବା ଦମ୍ପତିଙ୍କ ଘରକୁ ମଧ୍ୟ ଯାଇ ପଚରାଉଚୁରା ପରେ ସତ ଜାଣି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଗୁଣୁପୁର ସିଡିପିଓ ସୁଷମା ପ୍ରସାଦ ମଧ୍ୟ ଡିସିପିୟୁ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମିଳିତ ଭାବରେ ତଦନ୍ତ କରାଯାଇ ରିପୋର୍ଟ ଦିଆଯାଇଛି ବୋଲି ସେ କହିଥିବା ପ୍ରକାଶ । ତେବେ ଏହି ଶିଶୁବିକ୍ରିରେ ଡିସିପିୟୁର ଭୂମିକା ସନ୍ଦେହ ଘେରରେ ବୋଲି ଗଣମାଧ୍ୟମର ମୁଖପୃଷ୍ଠ ଖବରରେ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ , ସଂପ୍ରତି ରାୟଗଡା ସହକାରୀ ଜିଲ୍ଲାପାଳ ବିଜୟା ସେଠୀ ଭାରପ୍ରାପ୍ତ ଡିସିପିଓ ରହୁଛନ୍ତି ଓ ସେ ଏ ବିଷୟରେ ପଚାରିବାରୁ ଏଡାଇ ଯାଇଥିଲେ ।
ପୋଷି ନ ପାରିବାରୁ ନିଃସନ୍ତାନ ଦମ୍ପତିଙ୍କୁ ଦାନ ?
ତେବେ ଉପରୋକ୍ତ ଦୁଇଟି ଘଟଣା ସମେତ ଏଇ ପାଖାପାଖି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଏମସିଏଚ୍ , ଲାଠୋର ନିକଟସ୍ଥ ସୁନାମୁଦି ସ୍ବାସ୍ଥ୍ୟ ଉପକେନ୍ଦ୍ର ଓ ସମ୍ବଲପୁର ଜିଲ୍ଲାର ବୁର୍ଲା ଭୀମସାରରେ ଚର୍ଚ୍ଚିତ ଶିଶୁବିକ୍ରି ଘଟଣାଗୁଡ଼ିକର ତଦନ୍ତ ବା କାର୍ଯ୍ୟାନୁଷ୍ଠାନରେ ଯାହାହେଉ , ଏହାପଛରେ ଦେଶର ଭବିଷ୍ୟତ ଶିଶୁମାନେ ଯେ ସଂକଟରେ ପଡିଯାଇଛନ୍ତି ଓ ସେମାନଙ୍କୁ ବିକ୍ରି ବା ହସ୍ତାନ୍ତର କରିଦେଉଥିବା ଜନ୍ମଦାତ୍ରୀ / ଜନ୍ମଦାତା ମାଆବାପମାନେ ପୋଷି ପାରୁ ନଥିବାର କାରଣ / ସଫେଇ ଦେଉଛନ୍ତି ; ଏଥିରେ ବିକାଶର ଡିଣ୍ଡିମ ପିଟି ଆସୁଥିବା ସରକାରଙ୍କର ଦାୟିତ୍ୱ କିଛିନାହିଁ ? ଏହା ଯେ ଏବର ଡବଲଇଞ୍ଜିନ୍ ବିଜେପି ସରକାରଙ୍କ ଅମଳର ବିକଶିତ ଓଡିଶାର ପ୍ରତିଶ୍ରୁତି ଦେଇଥିବା ୫ /୬ ମାସର ରାଜ୍ୟ ସରକାରଙ୍କ ସମେତ ଗତ ଦୁଇଥରର କେନ୍ଦ୍ର ସରକାରଙ୍କ ବିକାଶର ପଞ୍ଚନାମା ; ତା’ ନୁହେଁ , ଓଡିଶାର ଗତ ୨୪ ବର୍ଷ ବିକାଶ କରିଯାଇଥିବା ବିଜେଡି ଶାସନର ପରିଣତି , ବିଚାର୍ଯ୍ୟ ।
ଏହି ଶିଶୁଗୁଡିକୁ ଦାନ ବା କିଣି ନେଉଥିବା ଦମ୍ପତିମାନେ ଏହି ନିମ୍ନତମଶ୍ରେଣୀର ଶିଶୁମାନଙ୍କୁ ସତରେ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରୁଥିବା ମୂଳରେ ଆଉକିଛି ଅଛି କି – ଏ ପ୍ରଶ୍ନ ଲୋକେ ବାରମ୍ବାର ପଚାରୁଛନ୍ତି ?