ଖପ୍ରାଖୋଲ ବ୍ଲକ୍ ର ଅଙ୍ଗନବାଡି ନିଯୁକ୍ତି ତନାଘନା
ପାଟଣାଗଡ : ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ବଳରେ ଚାକିରୀ ହାତେଇ ଦୀର୍ଘ ୧୪ ବର୍ଷଧରି ଜଣେ ଅଙ୍ଗନବାଡି କର୍ମୀଭାବରେ ଚାକିରୀ କରିଆସୁଥିବା ବିରୁଦ୍ଧରେ ଜଣେ ପ୍ରକୃତ ଦାବିଦାର ପ୍ରାର୍ଥିନୀଙ୍କ ଅଭିଯୋଗ ମାମଲାରେ ବଲାଙ୍ଗୀର ଏଡିଏମ୍ ପକ୍ଷପାତ ବିଚାର କରିଥିବା ଓ ଏପରିକି ଉକ୍ତ ଅଧିକାରୀ ଉପମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବି ବେଖାତିର୍ କରିଥିବାରୁ ଖପ୍ରାଖୋଲ ବ୍ଲକ୍ ର ଜିଲ୍ଲାପାଳ ଓ ଏସ୍ ପି ଙ୍କ ଅଭିଯୋଗ ଶିବିରରେ ଏହାକୁ ନେଇ ପୁଣି ଆରମ୍ଭରୁ ତନାଘନା ତଦନ୍ତ ଆରମ୍ଭ ହୋଇଛି । ଏଥିରେ ପ୍ରତିପକ୍ଷ ବିନୋଦିନୀ ରଣା ନିଜକୁ ଠିକ୍ ବୋଲି କହି ଅଭିଯୋଗକୁ ଅସ୍ବୀକାର କରିଥିବା ବେଳେ ଏହି ପଦଟିର ଦାବିଦାର ଗୀତାଞ୍ଜଳି ତ୍ରିପାଠୀ ସତ୍ୟର ବିଜୟ ହେବ ଓ ନିଶ୍ଚୟ ନ୍ୟାୟ ପାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଗତ ୩୦ ତାରିଖରେ ଖପ୍ରାଖୋଲ ବ୍ଲକ୍ ର ଜିଲ୍ଲାପାଳ ଓ ଏସ୍ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ପାଟଣାଗଡ ବିଧାୟକ ତଥା ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ ଉପଜିଲ୍ଲାପାଳଙ୍କ ଠାରେ ହାଜର ହୋଇ ଏହି ଅଭିଯୋଗ ପ୍ରକୋଷ୍ଠରେ ଖପ୍ରାଖୋଲ ଶିଶୁବିକାଶ ପ୍ରକଳ୍ପ ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମର ଦ୍ବିତୀୟ ଅଙ୍ଗନବାଡି କେନ୍ଦ୍ର ପାଇଁ ଏହି ଦୀର୍ଘ ଅନିୟମିତତା ବିରୁଦ୍ଧରେ ଲଢି ଆସୁଥିବା ପ୍ରକୃତ ଯୋଗ୍ୟା ଅଙ୍ଗନବାଡି କର୍ମୀ ଗୀତାଞ୍ଜଳି ତ୍ରିପାଠୀ ଏହି ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ , ତାଙ୍କ ଗ୍ରାମର ଉକ୍ତ କେନ୍ଦ୍ରରେ ଗ୍ରାମର ବିନୋଦିନୀ ରଣା ଥରଥର କରି ତାଙ୍କର ତିନୋଟି ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଏହି ପଦରେ ରହିଛନ୍ତି । ବିନୋଦିନୀ ପାଟଣାଗଡ ଉପଖଣ୍ଡର ଖପ୍ରାଖୋଲ ବ୍ଲକ୍ ର ଜୁରିଆର ଝିଅ ଓ ଜଲପାଙ୍କେଲ ଗ୍ରାମର ବୋହୁ ହୋଇଥିବା ବେଳେ ଗୀତାଞ୍ଜଳି ପାଟଣାଗଡ ମରୁଆଁ ଗ୍ରାମର ଝିଅ ଓ ଏହି ଜଲପାଙ୍କେଲ ଗ୍ରାମର ବୋହୁ ଅଟନ୍ତି । ଗତ ୨୦୧୦ ରୁ ଉଭୟଙ୍କର ନିଯୁକ୍ତିରେ ପ୍ରକୃତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ରକୁ ନେଇ ମାମଲା ଚାଲିଆସିଥିଲା । ଶେଷରେ ପୂର୍ବରୁ ପାଟଣାଗଡ ଉପଜିଲ୍ଲାପାଳ ଥିବା ଓ ଏବେ ବଲାଙ୍ଗୀର ଏଡିଏମ୍ ଭାବରେ ଅବସ୍ଥାପିତ ବିଜୟାନନ୍ଦ ସେଠୀ ପୂର୍ବ ଏଡିଏମ୍ ଙ୍କର ନିର୍ଦ୍ଦେଶକୁ ବିଚାରକୁ ନନେଇ ସାନି ମାମଲାର ବିଚାରରେ ପକ୍ଷପାତ ପୂର୍ବକ ଗୀତାଞ୍ଜଳି ତ୍ରିପାଠୀଙ୍କୁ ତାଙ୍କ ହକ୍ ରୁ ବଞ୍ଚିତ କରିଥିବା ସେ ଅଭିଯୋଗ କରିଥିଲେ ।
ଉପମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଣିର ଗାର
କିଛିଦିନ ତଳେ ଗୀତାଞ୍ଜଳି ପୁଣି ଉପମୁଖ୍ଯମନ୍ତ୍ରୀଙ୍କୁ ଭେଟି ଗୁହାରୀ କରିବାରୁ ଉପମୁଖ୍ଯମନ୍ତ୍ରୀ ତାଙ୍କୁ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇଥିଲେ । ଉପଜିଲ୍ଲାପାଳ ସୁନୀଲ୍ ମେହେର ତାଙ୍କୁ ଗତ ୩୦ ତାରିଖରେ ଅନୁଷ୍ଠିତ ଖପ୍ରାଖୋଲ ବ୍ଲକ୍ ର ଜିଲ୍ଲାପାଳ ଓ ଏସ୍ ପି ଙ୍କର ଯୁଗ୍ମ ଜନଶୁଣାଣି ପ୍ରକୋଷ୍ଠରେ ହାଜର ହେବାକୁ ପଠାଇଥିଲେ । ଏଠାରେ ଜିଲ୍ଲାପାଳ ଓ ଏସ୍ ପି ଧୈର୍ଯ୍ଯର ସହ ସବୁ ଶୁଣିବା ପରେ ମୂଳରୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ପ୍ରକାଶ ।

ଦୀର୍ଘ ବର୍ଷ ଧରି ଅନେକ ଅଭିଯୋଗ ପ୍ରକୋଷ୍ଠରେ ଗୁହାରୀ, କୋର୍ଟକଚେରୀ , ଦରଖାସ୍ତ କରିବା ପରେ ପୁଣି ସେଇ ଖପ୍ରାଖୋଲ ବ୍ଲକ୍ ରେ ଅନୁଷ୍ଠିତ ଅଭିଯୋଗ ଶିବିରକୁ ତାଙ୍କୁ ଫେରିବାକୁ ପଡିଥିବା ବିଡମ୍ବନା ନୁହେଁ ତ ଆଉ କ’ଣ ? ସର୍ବୋପରି ଖୋଦ୍ ଉପମୁଖ୍ଯମନ୍ତ୍ରୀ ଏଡିଏମ୍ ଙ୍କୁ ଏହାର ଔଚିତ୍ଯ ସମ୍ପର୍କରେ କହିବା ସହିତ ପୁଣି ତାଙ୍କୁ ଉପଜିଲ୍ଲାପାଳଙ୍କ ପାଖକୁ ପଠାଇବା ଓ ଉପଜିଲ୍ଲାପାଳ ତାଙ୍କ ଅଭିଯୋଗକୁ ଖପ୍ରାଖୋଲ ଅଭିଯୋଗ ଶିବିରରେ ଯାଇ ଉପସ୍ଥାପନ କରିବାକୁ ପରାମର୍ଶ ଦେବା ସରକାରୀ ପ୍ରକ୍ରିୟାର କେଉଁ ସୁଶାସନର ଦିଗକୁ ଇଙ୍ଗିତ କରୁଛି , ସମୀକ୍ଷାସାପେକ୍ଷ !
ଏଡିଏମ୍ ଙ୍କ ପକ୍ଷପାତ ବିଚାର ?
ଆଶ୍ଚର୍ଯ୍ୟର ବିଷୟ ଯେ , ପୂର୍ବଥର ତାଙ୍କ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଧରାପଡି ବରଖାସ୍ତ ହୋଇଥିବା ଉକ୍ତ ଅଙ୍ଗନବାଡି କର୍ମୀ ବିନୋଦିନୀ ରଣା ପରବର୍ତ୍ତୀ ଚାକିରୀ ପାଇଁ ପରୀକ୍ଷାରେ ପୁଣି ଏକ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ପଦଟିକୁ ହାତେଇଥିବା ଓ ଏଥିରେ ତତ୍କାଳୀନ ସିଡିପିଓ ଏବଂ ଅଧିକାରୀମାନେ କାଳକ୍ଷେପଣ ସହ ତାଙ୍କୁ ଅବୈଧ ଭାବେ ସହାୟତା କରିଥିବା ଓ ଏହାମୂଳରେ ପ୍ରଚୁର ଟଙ୍କା କାରବାର ହୋଇଥିବା ସହ ମାମଲା ପରିଚାଳନାରେ ଉଭୟପକ୍ଷର ଓକିଲମାନେ ମଧ୍ୟ ତାଙ୍କଦ୍ବାରା ପ୍ରଭାବିତ ହୋଇ ଅଧିକାରୀଙ୍କୁ ପ୍ରଭାବିତ କରିଥିବା ଅଭିଯୋଗକାରିଣୀ ପ୍ରକାଶ କରିଛନ୍ତି ।

କିନ୍ତୁ ଉଭୟପକ୍ଷର ଓକିଲଙ୍କ ଯୁକ୍ତି ଉପସ୍ଥାପନରେ ଏଡିଏମ୍ ଖପ୍ରାଖୋଲ ସିଡିପିଓଙ୍କୁ ଏକ ରିପୋର୍ଟ ମାଗି ତାଙ୍କ ନିଷ୍ପତ୍ତି ରିପୋର୍ଟଦେଇଥିବା ବେଳେ, ଏହା ପୂର୍ବରୁ ଉପମୁଖ୍ଯମନ୍ତ୍ରୀ ତାଙ୍କୁ ଅଭିଯୋଗକାରିଣୀଙ୍କ ଆଗରେ ଫୋନ୍ ରେ ପଚାରିବାରୁ ସେ କନ୍ ଫ୍ୟୁଜ୍ ‘ଥିବା ସଫେଇ ଦେଇଥିଲେ । ଏପରିକି ‘ସେତେବେଳେ ତତ୍କାଳୀନ ଖପ୍ରାଖୋଲ ସିଡିପିଓଙ୍କୁ ତତ୍କାଳୀନ ଏଡିଏମ୍ ଙ୍କ ନିର୍ଦ୍ଦେଶ ସତ୍ତ୍ବେ ଲାଠୋର ପୁଲିସ୍ ତଦନ୍ତକୁ ବାଟବଣା କରିଦେଇଥିବା ଅଭିଯୋଗରୁ ପ୍ରକାଶ । ତେଣୁ ଏହି ଅଭିଯୋଗ ଶୁଣାଣୀରେ ବଲାଙ୍ଗୀର ଏସ୍ ପି ଋଷିକେଶ ଖିଲାରୀ ତତ୍ପରତା ପ୍ରକାଶ କରି ଏହାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିବା ପ୍ରକାଶ। ତେବେ ଦୀର୍ଘ ପ୍ରାୟ ୧୪ ବର୍ଷ ଧରି ଜାଲ୍ ଶିକ୍ଷାଗତ ପ୍ରମାଣପତ୍ରରେ ଚାକିରୀ ଅଭିଯୋଗର ପୁଣିଥରେ ତନାଘନା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।