ଟିକେ ବେଶି ହେଇଯାଉଚି !
ଭୁବନେଶ୍ବର : ସଂସଦଭବନର ପ୍ରବେଶପଥ ସିଡିପାଖରେ ଆମ ବାଲେଶ୍ବର ଭାଜପା ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ବିରୋଧୀଦଳ ନେତା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଧକ୍କାମାରି ଆହତ କରିବା ମାମଲାଟି ଏବେ ଦେଶବ୍ଯାପୀ ଚର୍ଚ୍ଚାର ବିଷୟ ହୋଇଛି । ଗଣମାଧ୍ୟମରେ ଏହି ଘଟଣାର ରୋଚକ ଢଙ୍ଗରେ ଯାହା ଯେତେ ପରିବେଷଣ ଏବଂ ଭାଜପା ଓ କଂଗ୍ରେସଦଳ ପକ୍ଷରୁ ଆରୋପ-ପ୍ରତ୍ୟାରୋପ ସତ୍ତ୍ୱେ ଏହାକୁ ନେଇ ଏତେବେଶି ରାଜନୈତିକ ଆଲୋଡନ ସୃଷ୍ଟି ହୋଇନାହିଁ । ସମସ୍ତେ ଜାଣନ୍ତି , ଏହା ଏକ ଆକସ୍ମିକଦୁର୍ଘଟଣା ମାତ୍ର ଥିଲା ଓ ରାହୁଲ୍ ଜାଣିଶୁଣି ସିଧାସଳଖ ନନାଙ୍କୁ ଧକ୍କା ମାରି ନଥିଲେ । ଯଦିଓ ଉଭୟ ଶାସକ ଓ ବିରୋଧୀଦଳ ମଧ୍ୟରେ ସଂସଦକୁ ଜବରଦସ୍ତି ପଶିବା ଓ ଛେକିବାର ଠେଲାପେଲାରୁ ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣାଟି ଘଟିଯାଇଥିଲା । ଏଥିରେ ଦ୍ବିତୀୟଆହତ ସାଂସଦ ପ୍ରତାପ ଷଡଙ୍ଗୀ ଏଥିପାଇଁ ସିଧା ରାହୁଲ ଗାନ୍ଧୀଙ୍କ ନାମୋଚ୍ଚାରଣ କରି ମାମଲାଟିକୁ ସଙ୍ଗୀନ୍ ପକାଇଥିଲେ ହେଁ , ଏହା ତାଙ୍କ ପକ୍ଷରୁ ଆଶାନୁରୂପ ରାଜନୈତିକ ରଙ୍ଗ ଧରିପାରୁନାହିଁ । ଯଦିଓ ଉଭୟ ପକ୍ଷରୁ ଏ ସମ୍ପର୍କରେ ଥାନାରେ ଏତଲା ହୋଇଛି ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ଋଜୁ ହୋଇଛି ।

କାହିଁକି ଏଇ ମାମଲାଟିରେ ଆଉ ଅଧିକ ରାଜନୀତିର ରଙ୍ଗ ଧରିପାରୁନି , ଏ ସମ୍ପର୍କରେ ଲୋକଙ୍କ ଆଲୋଚନାରୁ ପ୍ରକାଶ ଯେ ଉଦ୍ଦେଶ୍ୟମୂଳକ ଭାବରେ ଶାସକଦଳର ଜଣେ ପ୍ରଭାବଶାଳୀ ଭାଜପାସାଂସଦଙ୍କୁ ବିରୋଧୀଦଳ ନେତା ହିଂସ୍ର ଆଚରଣ ପ୍ରଦର୍ଶନ କରିଥିଲେ ଓ ନନାଙ୍କ ମୁଣ୍ଡ ଫଟାଇଦେଲେ ତାଙ୍କୁ କୌଣସି ରାଜନୈତିକ ମାଇଲେଜ୍ ମିଳିଯିବ ! ନନାଙ୍କୁ ପଡିଯିବାର ଖବରପାଇ ରାହୁଲ ମଧ୍ୟ ଦେଖିବାକୁ ଯାଇଥିଲେ । କିନ୍ତୁ କ୍ରମାନ୍ୱୟରେ ଅନ୍ୟ ଆହତସାଂସଦଙ୍କର ମିଡିଆରେ ଦେଖାଦର୍ଶନ ମିଳୁ ନଥିବା ବେଳେ ନନାଙ୍କ ମୁଣ୍ଡରେ ପ୍ରଥମେ ଛୋଟିଆ ବ୍ୟାଣ୍ଡେଜ୍ ପରେ ପରେ ବେଶି ବେଶି ବ୍ୟାଣ୍ଡେଜ୍ ଗୁଡାଯାଇ ଫଟୋ ପ୍ରଦର୍ଶନ କରାଯାଉଛି , ଏଥିରେ ଦେଖିବାଲୋକଙ୍କର ସିମ୍ପାଥି ସୃଷ୍ଟିହେବା ପରିବର୍ତ୍ତେ ମିଡିଆରେ ବ୍ୟଙ୍ଗ ପ୍ରକାଶ ପାଉଛି , ଯାହା ଦୁର୍ଭାଗ୍ୟଜନକ କଥା ! ଯେଉଁମାନେ ଜଣେ ବୃଦ୍ଧ ବୟୋଃଜ୍ଯଷ୍ଠ ସାଂସଦଙ୍କ ପ୍ରତି ଏଭଳି ଅଭାବନୀୟ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରୁଛନ୍ତି , ତାହା ଆଦୌ ସ୍ପୃହଣୀୟ ନୁହେଁ ! ତେବେ ଜଣେ ଅଭିଜ୍ଞ ରାଜନେତା ହିସାବରେ ଆମ ପ୍ରିୟ ପତା’ନା ମଧ୍ୟ ଏପରି ଆତ୍ମପ୍ରଦର୍ଶନରୁ ଦୂରେଇ ରହିବା ଉଚିତବୋଲି ମତପ୍ରକାଶ ପାଉଛି । ବିଜ୍ଞାପନଟା ଟିକେ ବେଶି ହେଇଯାଉନିକି ?
ଶାସକ ଭାଜପାଦଳ ମଧ୍ୟ ଏଥିରୁ ରାଜନୈତିକ ଫାଇଦା ହାସଲର ଚେଷ୍ଟା କଲାପରି ମନେହେଉନାହିଁ ! ତେଣୁ ମୁଣ୍ଡଫଟାଇ ସିଧାସଳକ ବିରୋଧୀଦଳ ନେତାଙ୍କୁ ଦାୟୀ କଲେ ମଧ୍ୟ ଆଗାମୀଦିନରେ ଦଳପକ୍ଷରୁ ଏକଦାମନ୍ତ୍ରୀଥିବା ଓ ତାଙ୍କଠୁଁ ହଠାତ୍ ଅହେତୁକ ଭାବରେ ତାହା ଛଡାଇ ନିଆଯିବା ପରେ ଏଇ କୋଣଠେସାପ୍ରାୟ ସାଂସଦଙ୍କର ଆଉ କିଛି ରାଜନୈତିକ ଫାଇଦା ହାସଲର ଚେଷ୍ଟା ଫଳବତୀ ହେଲାପରି ଲାଗୁନାହିଁ ବୋଲି ଲୋକେ ଆଲୋଚନା କରୁଛନ୍ତି । ମୁଖ୍ୟତଃ ଲୋକେ ତାଙ୍କର ଆଶୁଆରୋଗ୍ୟ କାମନା କରିଥିବା ସହ ରାହୁଲ ଗାନ୍ଧୀଙ୍କର ଓରାଂଉଟାଙ୍ଗ୍ ସଦୃଶ ଡିଆଁଡେଇଁ କରିବାର ବାତୁଳଆଚରଣକୁ ନିନ୍ଦା କରିଛନ୍ତି ।