ମନ୍ତ୍ରୀଙ୍କ ତାଗିଦ୍ ସତ୍ତ୍ବେ ଛତିଶଗଡୀଧାନର ଯାଞ୍ଚ ହେଉନାହିଁ
ସୋନପୁର : ଚଳିତବର୍ଷର ରବିଋତୁରେ ଡବଲଇଞ୍ଜିନ୍ ସରକାର ବନାମ ମୁଖ୍ଯମନ୍ତ୍ରୀଙ୍କ ଅତ୍ୟୁତ୍ସାହରେ କଥିତ ଟ୍ରିପଲ୍ ଇଞ୍ଜିନ୍ ସରକାରଙ୍କ ଏଥରର ନୂତନ ଧାନର ସର୍ବନିମ୍ନ ସହାୟକ ଦର ବା ଏସଏମପି କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଘୋଷିତ କ୍ବିଣ୍ଟାଲ୍ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯାଉଛି । କହିବାବାହୁଲ୍ୟ ଯେ ମୁଖ୍ଯମନ୍ତ୍ରୀଙ୍କ ନେତୃତ୍ବରେ ଏହି ରାଜ୍ଯର ୮୦୦ ଟଙ୍କାର ଇନପୁଟ୍ ରାଶି ପଶ୍ଚିମଓଡିଶାର ବରଗଡରେ ପ୍ରଥମେ ଚଳିତବର୍ଷର ଖରିଫ ଋତୁରେ ପ୍ରଦାନ ଆରମ୍ଭ ହୋଇଥିଲା । ରବିଋତୁରେ ମଧ୍ଯ ଏହି ନୂତନଘୋଷିତ ଦର ଦିଆଯିବାକୁ ସରକାରଙ୍କ ଘୋଷଣାମତେ ଦିଆଯାଉଛି ।
ତେବେ ବର୍ତ୍ତମାନ ପଡୋଶୀ ଛତିଶଗଡ ରାଜ୍ୟରୁ ପ୍ରଚୁର ପରିମାଣରେ ରବିଋତୁ ବା ଖରାଟିଆ ଧାନ ଓଡିଶା ସୀମାର ବରଗଡ ଜିଲ୍ଲା ଦେଇ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ମିଲ୍ ଗୁଡିକୁ ପଶୁଛି । ଏଣୁ ଏହିଜିଲ୍ଲା ଗୁଡିକର ମଣ୍ଡିରୁ ନ ନେଇ ମିଲ୍ ରେ ଏହି କମ୍ ଧାନ ଭର୍ତ୍ତି ହୋଇ ଗଲାଣି । ଏପରିକି ସୁବର୍ଣ୍ଣପୁର ଜିଲ୍ଲା ସୀମାନ୍ତରେ ଲୋକଙ୍କ ଦ୍ବାରା ୨ ଟି ଛତିଶଗଡୀ ଧାନଭର୍ତ୍ତି ଗାଡି ଧରାପଡିବା ପରେ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କର ଉଦ୍ ବେଗ ପ୍ରକାଶ ପାଇଛି । ଏଭଳି ଅଭିଯୋଗ ପ୍ରକାଶ ପରେ ଗତ ୧୭ ତାରିଖରେ ବଲାଙ୍ଗୀରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ମୁଖ୍ଯମନ୍ତ୍ରୀଙ୍କ ଉପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯେଉଁମାନେ ଏପରି ବେଆଇନ କାର୍ଯ୍ଯକଳାପରେ ଜଡିତ ରହି ଛତିଶଗଡରୁ ଧାନ ଆଣି ଆମ ସରକାରଙ୍କ ଦାମ୍ ରେ ମୁନାଫା ନେଉଛନ୍ତି , ସେମାନଙ୍କୁ ଧରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ତାଗିଦ୍ କରିଥିଲେ । ଏପରିକି ଏଭଳି ମିଲ୍ କୁ ଷ୍ଟକ୍ ଯାଞ୍ଚ କରାଯାଇ ପ୍ରମାଣିତ ହେଲେ କଳାତାଲିକାଭୁକ୍ତ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।
କିନ୍ତୁ ରବିଋତୁର ଧାନକିଣା ସରିଥିବାରୁ ବି ଏଭଳି କୌଣସିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା ଜଣାଯାଇନାହିଁ !
ଉଦାହରଣସ୍ୱରୂପ ସୁବର୍ଣ୍ଣପୁର ଜିଲ୍ଲାରେ ଔପଚାରିକ ଭାବେ ୫/୬ ଟି ଏପରି ଗାଡି ଯୋଗାଣବିଭାଗ ପକ୍ଷରୁ ଧରାପଡିଥିବା ଓ ସେଗୁଡିକର ତଦନ୍ତ କରାଯାଉଥିବା ପ୍ରକାଶ । ତେବେ ପ୍ରକୃତରେ ତାହା ଛତିଶଗଡୀ ଧାନ କି ନୁହେଁ , ସ୍ପଷ୍ଟ ହୋଇପାରି ନଥିବା ଓ ଉକ୍ତ ଗାଡିଗୁଡିକର ଛତିଶଗଡ ରେଜିଷ୍ଟ୍ରେସନ୍ ଥିବା ସୁବର୍ଣ୍ଣପୁର ସିସିଏସଓ ସଫେଇ ଦେଇଛନ୍ତି । ଏଥିନେଇ ମିଲ୍ ଯାଞ୍ଚ କରାଯାଉଛି କି ? ‘ ବୋଲି ଓ କୃଷିମନ୍ତ୍ରୀଙ୍କର ତାଗିଦ୍ ବିଷୟରେ ପଚରାଯିବାରୁ ସିସିଏସଓ ନୀରଦ କୁମାର ଦାସ ସାମ୍ବାଦିକଙ୍କୁ କହିଛନ୍ତି ଯେ , ମନ୍ତ୍ରୀ ଏହା ସୁବର୍ଣ୍ଣପୁର ଜିଲ୍ଲା ପାଇଁ କେବଳ କହିନାହାଁନ୍ତି ଏବଂ ଆମର ଯେମିତି ନିୟମିତ ବିଭାଗୀୟ ମିଲ୍ ର ଷ୍ଟକ୍ ଯାଞ୍ଚ ହେବାକଥା , ଚାଲିଛି । ଏବେ ସିଷ୍ଟମ୍ ଏମିତି ହୋଇଛି ଯେ ସେଭଳି ଅନିୟମିତତା ହେବାର ସମ୍ଭାବନା ନାହିଁ । ‘

ଧାନକିଣାରୁ ବଟି ଆଦାୟ ଅଭିଯୋଗ
କିଛିମାସ ତଳେ ବଲାଙ୍ଗୀରର ପୂର୍ବତନ ସିସିଏସଓ ଜି ପ୍ରଭାକର ପାତ୍ର ଓ ପୂର୍ବତନ ସିସିଏସଓ ସୁରେଶ କୁମାର ପାଣିଗ୍ରାହୀ ଭିଜିଲାନ୍ସରେ ପଡିବା ଘଟଣା ପରେ ସୁବର୍ଣ୍ଣପୁର ସିସିଏସଓ ଭାବେ ଯୋଗଦେଇଥିବା ଶ୍ରୀ ଦାସଙ୍କୁ ଗତବର୍ଷ ଖରିଫ ଋତୁରେ ହୋଇଥିବା ତରଭା ବ୍ଲକର କମସରା ପେକ୍ସର ମଣ୍ଡିରେ ହୋଇଥିବା ଡିଇଓ- ସେକ୍ରେଟାରୀଙ୍କ ଫେକ୍ ଭେଣ୍ଡର ଏଣ୍ଟ୍ରିରେ ୩୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କାରବାରର ଅଭିଯୋଗ ବିଷୟ ଦୃଷ୍ଟ୍ବାନ୍ତ ଦିଆଯାଇଥିଲା । ଯାହା କି ପରେ କଙ୍ଗାରୁକୋର୍ଟରେ ଫୈସଲା କରାଯାଇ ଯୋଗାଣ ଅଧିକାରୀ , ଏଆରସିଏସ୍ , ତରଭା ଥାନା ଓ ଜିଲ୍ଲାପାଳଙ୍କ ଦିଆଯାଇଥିବା ଲିଖିତ ଅଭିଯୋଗ ଫେରସ୍ତ ହୋଇଥିଲା । କିନ୍ତୁ ସିସିଏସଓ ଶ୍ରୀ ଦାସ କମସରାରେ କୌଣସି ପେକ୍ସ ବା ଧାନକ୍ରୟକେନ୍ଦ୍ର ନାହିଁ ବୋଲି କହିଥିଲେ । ପରେ ବଡଯୋର ରାସ୍ତାରେ ଥିବା ଉକ୍ତ କମସରା ପେକ୍ସର ଫଟୋ ଦେଖାଇବାରୁ ସେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଯୋଗେଶ୍ବର ସାଏଙ୍କୁ ଡକାଇ ପଚାରିବାରୁ ସେ ହଁ ସେଠିରେ ପେକ୍ସ ଅଛି । ଖରିଫଋତୁରେ ମଣ୍ଡି ଥିଲା ଓ ଏଥର ରବିଋତୁରେ ଧାନ ନମିଳିବାରୁ ମଣ୍ଡି ଖୋଲାଯାଇ ନ ଥିବା କହିଥିଲେ । ତେଣୁ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ବିଭାଗ ଅଫିସ୍ ରେ ପୂର୍ବ ଅନିୟମିତତାର କୌଣସି ରେକର୍ଡ ରହି ନଥିବା ବା ଏଠାକୁ ଆସୁଥିବା ଅଧିକାରୀଙ୍କର ସେ ସମ୍ପର୍କରେ କୌଣସି ଧାରଣା ନଥିବା ଜଣାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷର ଖରିଫ ଧାନକିଣା ପୂର୍ବରୁ ସାଂସଦ ସଙ୍ଗୀତା ସିଂହଦେଓ ଜିଲ୍ଲାପାଳଙ୍କ ସହ କେତୋଟି ମିଲ୍ ଉପରେ ରାତିଅଧିଆ ଚଢଉ କରି ସିଲ୍ କରି ଷ୍ଟକ୍ ଯାଞ୍ଚ କରିବା ଘଟଣା ବିବଦମାନ ହୋଇ ଚର୍ଚ୍ଚିତ ହୋଇଥିଲା ।
ଫେକ୍ ପରିବହନର ଜାଲିଆତି
ତେବେ ଚଳିତବର୍ଷ ଛତିଶଗଡରୁ ଓଡ଼ିଶା ବନାମ ବରଗଡ ବଲାଙ୍ଗୀର ସୁବର୍ଣ୍ଣପୁର ଆଦି ଜିଲ୍ଲାକୁ ରବିଋତୁରେ ଧାନ ପଶିବାର କାରଣ କ’ଣ ବୋଲି ସୁବର୍ଣ୍ଣପୁର ସିସିଏସଓଙ୍କ ସହ ଗତକାଲି ଏକ ଅନୌପଚାରିକ ଆଲୋଚନାରେ ସେ ପ୍ରକାଶ କରିଥିଲେ ଯେ ‘ ଛତିଶଗଡରେ ନୂତନ ଏସଏମପି ବର୍ଦ୍ଧିତ ମୂଲ୍ୟରେ ଧାନ କିଣା ଯାଉ ନ ଥିବାରୁ ପଡୋଶୀ ଆମ ରାଜ୍ୟକୁ ଏହା ପଶିବାର ସୁଯୋଗ ସୃଷ୍ଟି କରିଛି । ତେଣୁ କେନ୍ଦ୍ର ସରକାର ଛତିଶଗଡରେ ନୂତନ ଏସ ଏମ ପି ଲାଗୁ ପୂର୍ବକ ଓଡ଼ିଶାର ଧାନର ଅନୁପ୍ରବେଶ ରୋକିବା ଦିଗରେ ସଚେତନ ରହିବା ଆବଶ୍ୟକ। ସେହିପରି ବରଗଡ ବଲାଙ୍ଗୀର ବା ସୁବର୍ଣ୍ଣପୁର ଜିଲ୍ଲାର ଯୋଗାଣବିଭାଗର ମିଲ୍ ଯାଞ୍ଚ ସମେତ ବେଆଇନ ଧାନ ଚାଲାଣକୁ କଡାକଡି ଧରପଗଡ କରିବାଦିଗରେ ସକ୍ରିୟ ରହିବାକୁ ଲୋକେ ପରାମର୍ଶ ଦେଇଛନ୍ତି ।
କିନ୍ତୁ ଏପରିସ୍ଥଳେ ଜିଲ୍ଲା ଯୋଗାଣ ବିଭାଗ ହାତବାନ୍ଧି ବସିଛି । ମିଲ୍ ଗୁଡିକର ସଠିକ୍ ଷ୍ଟକ୍ ଯାଞ୍ଚ ହେଉନାହିଁ । ବରଂ ପୂର୍ବପରି ଯାଞ୍ଚ ନାଁ’ରେ ବିଭାଗୀୟ ଅଧିକାରୀଙ୍କ ଘଣ୍ଟଘୋଡା ଚାଲିଛି । ଅପରପକ୍ଷେ ମଣ୍ଡିରେ ଅସ୍ଥାୟୀ କର୍ମଚାରୀ ଡାଟାଏଣ୍ଟ୍ରିଅପରେଟର ବା ଡିଇଓ ଓ ସଂପାଦକ ସ୍ତରରେ ମିଥ୍ୟାଏଣ୍ଟ୍ରି , ଟୋକନ ଦିଆଯିବାରେ ପୂର୍ବପରି ଅନିୟମିତତା ଓ ମଣ୍ଡିରୁ ମିଲ୍ କୁ ଫେକ୍ ପରିବହନର ଜାଲିଆତି ଜାରୀ ରହିଛି । ଏଥିରେ ଚଳିତବର୍ଷର କମସରା ପେକ୍ସର ଖରିଫ ଧାନକିଣା କେଳେଙ୍କାରୀରେ ଲୋକଲୋଚନକୁ ଆସିଥିବା ପେକ୍ସ- ଜିଲ୍ଲା ଯୋଗାଣ ଅଫିସ – ଭୁବନେଶ୍ବର ବିଭାଗୀୟ ଅଫିସର ଡିଇଓଙ୍କ ସଂପୃକ୍ତିର ଚାଞ୍ଚଲ୍ୟକର ଅଭିଯୋଗର ତଦନ୍ତକୁ ଚପାଇ ଦିଆଯିବାର ବିଡମ୍ବନା ଦୁର୍ଭାଗ୍ଯଜନକ । ଏସବୁ ସାଙ୍ଗକୁ ବିଭାଗୀୟ , ପ୍ରାଶାସନିକ କମିଶନୀ ଓ ରାଜତଣ୍ଡ ‘ବେଡି ଉପରେ କୋରଡାମାଡ ‘ ସଦୃଶ ସରକାରୀ ଧାନକିଣାରୁ ବଟି ଆଦାୟ ଅଭିଯୋଗର ତଦନ୍ତ ନ ହେବା କେଉଁଦିଗକୁ ନିର୍ଦ୍ଦେଶ କରୁଛି , ଅନୁମାନସାପେକ୍ଷ !