ବଲାଙ୍ଗୀରରେ ୩ ଗିରଫ : ରାୟଗଡାରେ ପୁଲିସ୍ ଛାଡିଦେଲା !
ଭୁବନେଶ୍ବର : ଗତ ଦୁଇମାସ ମଧ୍ୟରେ ରାଜ୍ୟର ବଲାଙ୍ଗୀର ଓ ରାୟଗଡା ଦୁଇଟି ଜିଲ୍ଲାରେ ୩ ଟି ଘଟଣାରେ ନିଃସନ୍ତାନ ଦମ୍ପତିଙ୍କର ଅସହାୟା ମହିଳା , ଗରିବ ଓ ଦାଦନ ପରିବାରରୁ ସଦ୍ୟଜାତ ସନ୍ତାନକୁ ପୋଷ୍ୟସନ୍ତାନ ଭାବେ ନେଇଥିବା ବନାମ ଶିଶୁବିକ୍ରି ଅଭିଯୋଗ ମାମଲା ଚର୍ଚ୍ଚାରେ ରହିଛି । ଏସବୁ ଘଟଣା ପ୍ରଥମେ ଗଣମାଧ୍ୟମରେ ପ୍ରକାଶ ପାଇଲାପରେ ଜିଲ୍ଲା ସୁରକ୍ଷା ୟୁନିଟ୍ , ସିଡବ୍ଲୁସି ବା ଚାଇଲ୍ଡ ଲାଇନ୍ ସକ୍ରିୟ ହୋଇଥିଲା ଓ ପୁଲିସ୍ ସହାୟତା ନିଆଯାଇଛି । ତେବେ ବଲାଙ୍ଗୀରର ଗୋଟିଏ ମାମଲାରେ ସରକାରୀ ଡାକ୍ତରଖାନାରୁ ଶିଶୁବିକ୍ରି ଉଦ୍ୟମ ବେଳେ ପୁଲିସ୍ ସହାୟତାରେ ଗୋଟିଏ ଶିଶୁପୁତ୍ରକୁ ଚାଇଲ୍ଡ ଲାଇନ୍ ଓ ଡିସିପିଓ ଉଦ୍ଧାର କରିଥିବା ବେଳେ , ପ୍ରଥମେ ଥାନାରେ ଏତଲା ଦିଆ ନଯିବା ଓ ପରେ ଗଣମାଧ୍ୟମରେ ପ୍ରକାଶ ପାଇବାରୁ ମାମଲା ଋଜୁ କରାଯାଇଥିଲେ ହେଁ , ଅଦ୍ୟାବଧି କେହି ଗିରଫ ହୋଇ ନାହାଁନ୍ତି । ଦ୍ବିତୀୟ ମାମଲାରେ ଏବେ ୩ ଜଣଙ୍କୁ ପୁଲିସ୍ ଗିରଫ କରିଛି । କିନ୍ତୁ ତୃତୀୟ ମାମଲାରେ ରାୟଗଡା ପୁଲିସ୍ ରେ ଏତଲା ସତ୍ତ୍ୱେ କାହାରିକୁ ଗିରଫ କରାଯାଇନାହିଁ ! ଏଣୁ ‘ଗୋଟିଏ ରାଜ୍ୟରେ ଗୋଟିଏ ଜିଲ୍ଲା ପାଇଁ ଗୋଟିଏ ଆଇନ୍ ଓ ଆଉଗୋଟେ ଜିଲ୍ଲାରେ ଆଉଗୋଟେ ଆଇନ୍ କି ?’ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି।

ଉଲ୍ଲେଖଯୋଗ୍ଯ ଯେ , ଗତ ସେପ୍ଟେମ୍ବର ୨୬ ତାରିଖରେ ଟିଟିଲାଗଡ ସରକାରୀ ଉପଖଣ୍ଡ ହାସପାତାଳର ଏମ୍ ସି ଏଚ୍ ରେ ସ୍ଥାନୀୟ ଟିଟିଲାଗଡ ପୌରାଞ୍ଚଳର ୧୪ ନମ୍ବର ଉଆର୍ଡର ଆଶାକର୍ମୀଙ୍କ ଦ୍ବାରା ପ୍ରସବ ପାଇଁ ଭର୍ତ୍ତି କରାଯାଇଥିବା ଜଣେ ଅସହାୟା ବିଧବା ଆଦିବାସୀ ମହିଳାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ପ୍ରସବ ପାଇଁ ଅସ୍ତ୍ରୋପଚାର ବେଳେ ସମ୍ପୃକ୍ତ ଆଶାକର୍ମୀ ଜଣକ ପ୍ରସୂତୀ ମହିଳାଙ୍କର ସ୍ବାମୀ ସ୍ଥାନରେ ନିଜ ସ୍ବାମୀଙ୍କର ନାଁ’ ଲେଖାଇବା ଓ ଶିଶୁପୁତ୍ରଟିର ଜନ୍ମ ପରେ ହାସପାତାଳ ପରିସରରେ ଦୁଇଦିନ ଧରି ଛତିଶଗଡର ଜଣେ ଅଜଣାବ୍ୟକ୍ତି ଆସି ଜଗିଥିବ ସହିତ ଶିଶୁଟିକୁ କିଣିନେବାକୁ ଅଢେଇଲକ୍ଷ ଟଙ୍କାର ମୂଲଚାଲ ହେଉଥିବାର ସୂଚନା ପାଇ ସନ୍ଦେହ ହେବାରୁ ହାସପାତାଳ ତରଫରୁ ରାଜ୍ୟ ଚାଇଲ୍ଡ ଲାଇନ୍ କୁ ଜଣାଇଦେବାରୁ ଚାଇଲ୍ଡ ଲାଇନ୍ ଓ ବଲାଙ୍ଗୀର ଡିସିପିୟୁର ଅଧିକାରୀମାନେ ଆସି ଟିଟିଲାଗଡ ଥାନାପୁଲିସ୍ ସହାୟତାରେ ଶିଶୁପୁତ୍ରଟିକୁ ଉଦ୍ଧାର କରିବା ପରେ ପ୍ରସୂତୀମାଆ ଓ ଆଶାକର୍ମୀଙ୍କୁ ବଲାଙ୍ଗୀର ନେଇଯାଇ ସିଡବ୍ଲୁସିରେ ହାଜର କରାଯାଇଥିଲା । ପରେ ଶିଶୁ ଓ ତା’ ମାଆକୁ ବଲାଙ୍ଗୀର ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯିବା ସହିତ ଆଶାକର୍ମୀଙ୍କୁ ଛାଡି ଦିଆଯାଇଥିଲା । କିନ୍ତୁ ଏ ସମ୍ପର୍କରେ ଥାନାରେ କୌଣସି ମାମଲା ଋଜୁ କରାଗଲାନି । ଏ ସମ୍ପର୍କରେ ପଚାରିବାରୁ ଡିସିପିଓ ଲକ୍ଷ୍ମୀ ସିଂ ‘ପୁଲିସ୍ ନିଜ ପକ୍ଷରୁ ମାମଲା ଋଜୁ କରିପାରିବ ‘ କହି ପହିଲେ ଏଡାଇ ଯିବା ପରେ ପରେ ବାଧ୍ୟହୋଇ ଟିଟିଲାଗଡ ଥାନାରେ ଏତଲା ଦେଇଥିବା ପ୍ରକାଶ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସେହି ଟିଟିଲାଗଡ ହାଟପଦା ପଡାରେ ପୂର୍ବବର୍ଷ ଏକ ଶିଶୁ ବିକ୍ରି ହୋଇଥିବା ଟିଟିଲାଗଡ ଥାନାରେ ତା’ର ମାଆର ଅଭିଯୋଗକ୍ରମେ ଉକ୍ତ ଶିଶୁଟିର ବାପ ଗିରଫ ହୋଇଥିବା ପ୍ରକାଶ । ତା’ ପୂର୍ବରୁ ମଧ୍ୟ ସେଇ ହାଟପଦାପଡାରେ ଆଉ ଏକ ଶିଶୁ ବିକ୍ରି ହୋଇଥିବା ଚର୍ଚ୍ଚା ଉଠିଥିଲା । ତେବେ ଏଇ ତୃତୀୟମାମଲାରେ ସମ୍ପୃକ୍ତ ଆଶାକର୍ମୀଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଓ ଜଣେ ଆନ୍ତଃରାଜ୍ୟ ଦଲାଲ୍ ର ସମ୍ପୃକ୍ତି ସନ୍ଦେହ ସତ୍ତ୍ୱେ ପହିଲେ ଥାନାରେ ମାମଲା ଋଜୁ ହେବାରେ କାଳକ୍ଷେପଣ ଇତ୍ୟାଦି ପରେ ଋଜୁହୋଇଥିବା ମାମଲାର ଅଜଣା ଅଭିଯୁକ୍ତକୁ ଏଯାବତ୍ ପୁଲିସ୍ ଧରିପାରି ନଥିବା ବିଡମ୍ବନାର ବିଷୟ ।
ବଲାଙ୍ଗୀର ଜିଲ୍ଲାର ସଦ୍ୟତମ ଦ୍ବିତୀୟ ଘଟଣାରେ ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ୍ ର ଲାଠୋର ଥାନା ଅନ୍ତର୍ଗତ କରୁଆଁଝର ପଞ୍ଚାୟତର ସାନଗୁର୍ଜିଭଟା ପାଲିପଡା ଗ୍ରାମର ଏକ ଦାଦନଶ୍ରମିକ ଭାବେ ରାଜ୍ୟ ବାହାରକୁ ଯାଉଥିବା ଜଣେ ଦରିଦ୍ରତମ ପରିବାରର ମହିଳାଙ୍କର ଗତ ନଭେମ୍ବର ୨ ତାରିଖରେ ସ୍ଥାନୀୟ ସୁନାମୁଦି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଗୋଟିଏ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ପରଦିନ ଆଶାକର୍ମୀ ତାଙ୍କ ଘରକୁ ଯାଇ ଶିଶୁଟି ଗାଏବ୍ ଥିବା ଦେଖି ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାଇଥିଲେ ହେଁ , ସ୍ୱାସ୍ଥ୍ୟକର୍ମୀ ଜଣକ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟଅଧିକାରୀଙ୍କୁ ଜଣାଇ ଧ ନଥିଲେ । ଏହା ଶିଶୁବିକ୍ରି ବୋଲି ଯୋର୍ ଦାର୍ ଚର୍ଚ୍ଚା ହୋଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଖପ୍ରାଖୋଲ ସିଏଚସିର ଡାକ୍ତର , ଖପ୍ରାଖୋଲ ସିଡିପିଓ ସିଡବ୍ଲୁସି ଓ ଡିସିପିଓଙ୍କୁ ଖବର ଦେବାରୁ ତନାଘନା ହୋଇ ସିଡବ୍ଲୁସି ପକ୍ଷରୁ ଲାଠୋର ଥାନାରେ ଏକ ଏତଲା ଦିଆଯାଇଥିଲା । ଗତ ୧୯ ତାରିଖରେ ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଉକ୍ତ ଗାଁ’କୁ ଯାଇ ଶିଶୁଟିର ମାଆ ଓ ଗ୍ରାମବାସୀଙ୍କ ସମେତ ସମ୍ପୃକ୍ତ ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଭେଟି ପଚରାଉଚୁରା କରିବାରୁ ସ୍ବାସ୍ଥ୍ୟକର୍ମୀ ଜଣକ ୫ଟି ସନ୍ତାନଥିବା ଉକ୍ତ ମହିଳାଙ୍କର ୧୦ ଗର୍ଭର ଉକ୍ତ ଶିଶୁକନ୍ୟାଟିକୁ ସେମାନେ ପୋଷିବାକୁ ଅସମର୍ଥ ହେବାରୁ ଲାଠୋରର ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖସ୍ଥ ଜଣେ ଔଷଧଦୋକାନୀଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାର ମଦନପୁର- ରାମପୁରର ତାଙ୍କର ଜଣେ ସମ୍ପର୍କୀୟଙ୍କୁ ସେ ନିଃସନ୍ତାନ ଥିବାରୁ ଶିଶୁକନ୍ୟାଟିର ମାଆବାପଙ୍କ ସମ୍ମତିକ୍ରମେ ପୋଷ୍ୟସନ୍ତାନ ରୂପେ ଦେଇଦେଇଥିବା ବିଷୟ ମାନିଥିଲେ । ତଥାପି ‘ ଏହି ଘଟଣାରେ ‘ଶିଶୁଟି ବିକ୍ରିହୋଇଛି ବା ଅଙ୍ଗପ୍ରତ୍ୟଙ୍ଗ ପାଇଁ ଚାଲାଣ କରାଯାଉଛି ‘ଆଦି ଚର୍ଚ୍ଚା ହେଉଥିବାରୁ ସେଠାରେ ଏହା ପ୍ରକାଶ କରି ଏହାର ନିରପେକ୍ଷ ତଦନ୍ତ ପାଇଁ ଉପମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍ ଲାଠୋର ଥାନାରେ ( କେସ୍ ନ୦ ୨୪୯/ ୨୪ – ଦଫା ୧୪୩ , ୬୧ ( ୨ ), ବିଏନ ଏସ ୮୧ ଜେ ଜେ ଆକ୍ଟରେ ) ଏକ ମାମଲା ଋଜୁ ପୂର୍ବକ ତଦନ୍ତ କରି ଶିଶୁଟି ରାୟପୁରର ଏକ ଘରୋଇ ହସ୍ପିଟାଲରେ ତାର ସ୍ବାସ୍ଥ୍ୟାବସ୍ଥା ଶୋଚନୀୟ ହୋଇପଡିଥିବା ଓ ଏକ ଅନ୍ତଃନଳୀ ଅସ୍ତ୍ରୋପଚାର ଆବଶ୍ୟକ ଥିବାରୁ ରୁ ଆଇ ସି ୟୁ ରେ ଭର୍ତ୍ତି କରାଯାଇଥିବା ଜାଣିଥିଲା ।
ଯଦିଓ ଶିଶୁଟିକୁ ବିକ୍ରି କରାଯାଇଥିବା ସମ୍ପର୍କରେ ଅଦ୍ୟାବଧି କୌଣସି କଥା ସ୍ପଷ୍ଟ ହୋଇପାରିନାହିଁ । ତେବେ ଗାଁ’କୁ ଉକ୍ତ ନିଃସନ୍ତାନ ଦମ୍ପତି ଆସି ଏକ ବୋଲେରୋରେ ନେଇଯାଇଥିବା ଓ ଘଟଣାଟିକୁ ଲୁଚାଇଥିବାରୁ ପୁଲିସ୍ ଲାଠୋରର ଉକ୍ତ ମଧ୍ୟସ୍ଥି ଆଲୋକ ଅଗ୍ରବାଲ , ରାଷ୍ଟ୍ରପତିଙ୍କ ଠାରୁ ଫ୍ଲରେନ୍ସ ନାଇଟିଏଙ୍ଗେଲ୍ ପୁରସ୍କୃତା ସ୍ବାସ୍ଥ୍ୟକର୍ମୀ ମମତା ଭୋଇଙ୍କ ସମେତ ଶିଶୁକନ୍ୟାଟିକୁ ପୋଷ୍ୟ ସନ୍ତାନ ଭାବରେ ନେଇଥିବା ଉକ୍ତ ବ୍ୟକ୍ତି ମଦନପୁର- ରାମପୁରର ରାଜକୁମାର ମିତ୍ତଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ପ୍ରକାଶ ।
ତୃତୀୟ ପିଲାବିକ୍ରି ଘଟଣା ଘଟିଛି ରାୟଗଡା ଜିଲ୍ଲାରେ । ଗତ ୩ ତାରିଖରେ ଏହି ଜିଲ୍ଲାର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଜନ୍ମିତା ରାୟଗଡା ଜିଲ୍ଲା ଚାନ୍ଦିଲି ଥାନାନ୍ତର୍ଗତ ନୂଆପଡାର ଜଣେ ଟ୍ରକ୍ ହେଲପର ରାହୁଲ ଧନବେଡାଙ୍କର ପତ୍ନୀ କୁମୁଦ ଗାଣ୍ଟାଙ୍କର ଦ୍ବିତୀୟା ୯ ଦିନର କନ୍ୟାସନ୍ତାନଟିକୁ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ମାନ୍ୟମ୍ ଜିଲ୍ଲାର ପେଦାପେଙ୍କି ଗ୍ରାମର କେ ରାଜଶେଖର ଜଣେ ୨୦ ବର୍ଷର ନିଃସନ୍ତାନ ଦମ୍ପତ୍ତି ୨୦ ହଜାର ଟଙ୍କାରେ କିଣିନେଇ ନୋଟାରୀ ପାଖରେ ଏକ ଷ୍ଟାମ୍ପ ପେପରରେ ଲେଖିଦେଇଥିବାର ଘଟଣା ଜଣାପଡିବାରୁ ଗତ ୨୦ ତାରିଖରେ ଗଣମାଧ୍ୟମରେ ମୁଖପୃଷ୍ଠଖବର ପ୍ରକାଶ ପାଇଥିଲା । ଏହାପରେ ରାୟଗଡା ଚାଇଲ୍ଡ ଲାଇନ୍ ଓ ଡିସିପିୟୁ ପକ୍ଷରୁ ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ସିଡବ୍ଲୁସିରେ ଉଭୟ କ୍ରେତା ବିକ୍ରେତାଙ୍କୁ ହାଜର କରାଯାଇ ଶିଶକନ୍ୟାଟିକୁ ସେଠିକା ‘ ସା ‘ ରେ ରଖାଯାଇଥିବା ପ୍ରକାଶ । ଚାଇଲ୍ଡ ଲାଇନ୍ ପକ୍ଷରୁ ଘଟଣା ସେଠାକାର ପୁଲିସ୍ ରେ ଏତଲା ଦିଆଯାଇଥିଲେ ହେଁ , ଏହା ଧର୍ତ୍ତବ୍ୟ ଅପରାଧରେ ଆସୁ ନଥିବା ଦର୍ଶାଇ କାହାକୁ ଗିରଫ କରାଯାଇ ନଥିବା ଡିସିପିଓ ଦାୟିତ୍ୱରେ ଥିବା ରାୟଗଡା ସହକାରୀ -ଜିଲ୍ଲାପାଳ ବିଜୟା ସେଠୀଙ୍କ ଠାରୁ ପ୍ରକାଶ । ଅନ୍ତର୍ଜାତୀୟ ପୋଷ୍ୟସନ୍ତାନ ପ୍ରଦାନ ପଛର ଉପରୋକ୍ତ ଅବୈଧ ଶିଶୁବିକ୍ରି ଆଶଙ୍କାକୁ ମଧ୍ୟ ସେ ଅସ୍ବୀକାର କରି ତାହା ଅନ୍ ଲାଇନ୍ ରେ ‘ କାରା ‘ ମାଧ୍ୟମରେ କରାଯାଉଛି ବୋଲି କହିଥିଲେ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ , ଗୋଟିଏ ରାଜ୍ୟର ଦୁଇଟି ଜିଲ୍ଲାର ଏଇ ଶିଶୁବିକ୍ରି ଘଟଣାରେ ପୁଲିସ୍ ର ଆଇନ୍ ଭିନ୍ନ ଭିନ୍ନ କି ?
ବିଧାନସଭାରେ ବିରୋଧୀଦଳ ପକ୍ଷରୁ ସମ୍ଭାବିତ ଶିଶୁବିକ୍ରି ପ୍ରସଙ୍ଗକୁ ପ୍ରତିହତ କରିବାକୁ ବଲାଙ୍ଗୀର ଜିଲ୍ଲାର ନିଜ ନିର୍ବାଚନ ମଣ୍ଡଳୀରେ ଉଠିଥିବା ତଥାକଥିତ ଏଇ ଶିଶୁବିକ୍ରି ଚର୍ଚ୍ଚା ବା ଅଭିଯୋଗର ତାଙ୍କରି ଚାପରେ ପୁଲିସ୍ ଉପରୋକ୍ତ ୩ ଜଣଙ୍କୁ ଅଭିଯୁକ୍ତ କରିଥିବା ବେଳେ , ରାୟଗଡାରେ ସେଇ ସମାନ ମାମଲାକୁ ,କିପରି ପୁଲିସ୍ ଧର୍ତ୍ତବ୍ୟ ଅପରାଧ ( ଭାରପ୍ରାପ୍ତ ଡିସିପିଓଙ୍କ କହିବାନୁଯାୟୀ ) ନୁହେଁ ବୋଲି କାହାକୁ ଗିରଫ କଲାନାହିଁ ?
ଏସବୁ ବ୍ୟତୀତ , ରାଜ୍ୟରେ ଏବେ ଶିଶୁବିକ୍ରିର କାରଣ କ’ଣ ? ଶିଶୁ ସୁରକ୍ଷା ୟୁନିଟ୍ ବା ଶିଶୁ ସୁରକ୍ଷା ସମିତିରେ ଅପାରଗ ଲୋକଙ୍କୁ ରଖି ଯଥେଚ୍ଛା ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ସଚେତନତା ସୃଷ୍ଟି ବିଫଳ ହେଉଥିବାର ଏହା ଏକ ଜ୍ବଳନ୍ତ ଉଦାହରଣ ନୁହେଁ କି ? ସର୍ବୋପରି ବଲାଙ୍ଗୀର ଜିଲ୍ଲାର ଡିସିପିଓ ଓ ସିଡବ୍ଲୁସିର ଜନୈକା ସଦସ୍ୟାଙ୍କ ମଧ୍ୟରେ ଆଭାସ ମିଳିଥିବା ବିବାଦରେ ନିଖୋଜ୍ କେତୋଟି ଶିଶୁଙ୍କୁ ଅବୈଧ ଭାବରେ ଚାଲାଣରେ ଓ ବିଦେଶକୁ ବା ବାହାରଲୋକଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ପଛରେ କରାଯାଉଥିବା ମିଲିଅନ୍ସ ଡଲାର୍ ବା ବିପୁଳ ଅବୈଧ ଅର୍ଜନ ଅଭିଯୋଗର କାଦୁଅଫିଙ୍ଗା ଖବରର ସତ୍ୟତା କେତେ ? ଯଦିଓ ବଲଙ୍ଗୀର ଡିସିପିଓ ଲକ୍ଷ୍ମୀସିଂଙ୍କୁ ପଚରାଯିବାରୁ ସେ ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଥିବା ବେଳେ, ଜଣେ ସାମ୍ବାଦିକବନ୍ଧୁଙ୍କୁ ସେ କହିଥିବା ଏଇ ଅଭିଯୋଗ ସମ୍ପର୍କରେ ପଚାରିବାକୁ ଫୋନ୍ କରିବାରୁ ସିଡବ୍ଲୁସିର ଉକ୍ତ ସଦସ୍ୟା ଚିହିଁକି ଉଠିଥିଲେ ।
ତେବେ ଲୋକେ ଚର୍ଚ୍ଚା କରୁଥିବା ଏହାର କ୍ରାଇମବ୍ରାଞ୍ଚ ତଦନ୍ତର ଆବଶ୍ୟକତା ସରକାର ଅନୁଭବ କରୁଛନ୍ତି କି ? ସର୍ବୋପରି ରାଜ୍ୟରେ ଦାରିଦ୍ର୍ଯ , ଦାଦନସମସ୍ୟା ଓ ଆନ୍ତଃରାଜ୍ୟ ଦଲାଲ୍ ଙ୍କ ଜରିଆରେ ଅନ୍ତର୍ଜାତୀୟ ଶିଶୁବିକ୍ରି ରାକେଟ୍ ର ସନ୍ଦେହର ତଦନ୍ତ ହେବା ଜରୁରୀ କି ?