ଏବେ ବି ମଇଁଷିମାଉଁସ ଖାଉଚି ମଣିଷ !
ବଲାଙ୍ଗୀର : ପ୍ରତିବର୍ଷ ପରି ଆବହମାନ କାଳରୁ ଆରମ୍ଭ ହୋଇଥିବା ସୁଲିଆ ବଳିଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକ୍ କୁଲୁତାପଡା ପଞ୍ଚାୟତର ଖଇରଗୁଡା ଓ କୁମୁରିଆ ଦୁଇଟି ଖଳାରେ ଅନୁଷ୍ଠିତ କନ୍ଧଆଦିବାସୀ ମାନଙ୍କର ଏହି ବଳିପର୍ବରେ ହଜାର ହଜାର ପୋଢ ( ମଇଁଷି ) , ବୋଦା , କୁକୁଡା ଆଦି ଗୃହପାଳିତ ପଶୁପକ୍ଷୀଙ୍କୁ ଏକତ୍ର ବଳି ବା ହଣାଯାଇଥିଲା । ଗାଁ’ ଉପକଣ୍ଠରେ ସୁଲିଆପାହାଡ ତଳେ ସୁଲିଆଗୁଡି ସ୍ଥଳରେ ଏହା ଅନୁଷ୍ଠିତ ହୋଇଥାଏ । ପ୍ରଥମେ ବଡଖଳା ଖଇରଗୁଡା ଗ୍ରାମରେ ଓ ପରେ ମାଂସ ଭାଗବଣ୍ଟାକୁ ନେଇ ପୂଜକଙ୍କ ବଂଶପରିବାରର ବିବାଦରୁ ସାନଖଳା କୁମୁରିଆରେ ଏହି ବଳିଯାତ୍ରା ହୋଇଆସୁଛି । ଏଥିରେ ବଲାଙ୍ଗୀର , ପଡୋଶୀ ସୁବର୍ଣ୍ଣପୁର , ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରୁ ମାନସିକଧାରୀମାନେ ବଳିପାଇଁ ରଖିଥିବା ବୋଦା ( ଛେଳି , ମେଣ୍ଢା ) , କୁକୁଡା , ବତକ , ପାରାଛୁଆ ଓ ପୋଢ ( ଛୋଟ ମଇଁଷି ) ଇତ୍ୟାଦି ଆଣି ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥା’ନ୍ତି । ଶାଳପତ୍ର ପିନ୍ଧି ମୁଖ୍ୟପୂଜକଙ୍କ ସହ ଚାରି/ ଛଅଜଣ ଦେହେରୀ ସିନ୍ଦୁର ମାଖି , ବାଦ୍ୟର ତାଳେ ତାଳେ ଉନ୍ମତ୍ତ ନାଚ ନାଚି ଖଣ୍ଡା ଓ ଟାଙ୍ଗୀରେ ସେସବୁକୁ ବଧ କରିଥା’ନ୍ତି । ବଳିସ୍ଥଳୀରେ ରକ୍ତର ନଦୀ ବହିଯାଏ । ସବୁଠୁଁ ବିଭତ୍ସ ଲାଗେ ସେଇ ବଳିର କଟାବେକରେ ମୁହଁ ଲଗାଇ ଦେହେରୀ କଞ୍ଚାରକ୍ତକୁ ମୁହଁ ଲଗାଇ ପିଇଯିବା ଓ ହାତପୁରାଇ କଲିଜା ଓଟାରି ଆଣିବାର ନୃଶଂସ ଦୃଶ୍ୟ ! ତା’ପରେ ମୁଣ୍ଡକୁ ରଖି ଗଣ୍ଡିକୁ ଫେରାଇ ଦିଆଯାଏ ମାନସିକଧାରୀ ଭକ୍ତଙ୍କୁ ।
ଆଗକାଳରେ ବଳିସ୍ଥଳୀକୁ ମହିଳା ଓ ଛୋଟପିଲାଙ୍କୁ ଯାଇ ଦେଖିବାକୁ ନିଷେଧ କରାଯାଉଥିଲା । କିନ୍ତୁ ଏବେ ଆଉ ବାରଣ ନାଇଁ ସେହି ନୃଶଂସ ବଳି ଦେଖିବାକୁ । ପ୍ରଥାହେଉଛି , ସେହି ବଳିମାଂସକୁ ଘରକୁ ଅଣା ନଯାଇ ବଣଭୋଜି କରି କୁଣିଆ , ବନ୍ଧୁବାନ୍ଧବଙ୍କ ସହ ରାନ୍ଧି ପ୍ରସାଦ ଖାଇବା । ଏବେ ତାହାକୁ ବି ଆଉ କେହି ମାନୁନାହାଁନ୍ତି । ଏହି ବଳିରେ କେବଳ ଅଣ୍ଡିରା ଅବଧା ( ଖାସୁ କରାଯାଇ ନଥିବା ) ପଶୁଙ୍କୁ ବଳି ଦିଆଯାଏ ।

ଉଲ୍ଲେଖନୀୟ ଯେ , ସଭ୍ୟଶିକ୍ଷିତ ସମାଜରେ ଦେବତାପୂଜା ଓ ଆଦିବାସୀପରମ୍ପରା ନାଁ’ରେ ଏଇ ଏକତ୍ର ଗୃହପାଳିତ ପଶୁପକ୍ଷୀଙ୍କୁ ବଧ କରାଯିବାର ନୃଶଂସତାକୁ ବୁଦ୍ଧିଜିବୀମାନେ ବିରୋଧ କରି କିଛିବର୍ଷ ତଳେ ବଳି ବଦଳରେ ଗାୟତ୍ରୀ ପୂଜା କରି ପୋଢ ଛେଳି କୁକୁଡାଦିଙ୍କୁ ହତ୍ୟା କରାଯିବା ବଦଳରେ ନଡିଆ , ଧୂପଦୀପ ଦିଆଯାଇ ମାନସିକ ଧାରୀମାନେ ପୂଜା କରିବାର ସଂସ୍କାରର ପ୍ରଚଳନ । ବର୍ଷେ ଅଧେ ଓ ପରେ ତାହା ମଧ୍ୟ ଚାଲିଲା । କିନ୍ତୁ କେତେକ ପ୍ରଭାବଶାଳୀ ସ୍ଥାନୀୟ ରାଜନେତା ଓ ଆଦିବାସୀନେତାଙ୍କ ପ୍ରୋତ୍ସାହନରେ କେବଳ ଭୋଟ୍ ରାଜନୀତି ପାଇଁ ଏହା ନିରଙ୍କୁଶ ହୋଇ ଚାଲିଲା । ଏପରିକି ଆଦିବାସୀଙ୍କ ପରମ୍ପରା ନାଁ’ରେ ଆଇନଅଦାଲତରେ ଯାଚିକା ଦାଏର କରାଯାଇ ଡିଗ୍ରୀ ଅଣାଯାଇ ଏହି କୁତ୍ସିତ ନୃଶଂସ ବଳିପ୍ରଥାକୁ ଆହୁରି ନିରଙ୍କୁଶ କରିଦିଆଗଲା । ବଳିପୀଠର ବିବାଦୀୟସ୍ଥାନରେ ପ୍ରଶାସନର ୧୪୪ ଧାରା ଜାରୀ ମଧ୍ୟ କାମ ଦେଲାନାହିଁ । ଥରେ କତିପୟ ସଂସ୍କାରବାଦୀ ବନାମ ରାଜନୈତିକ ବିରୋଧୀଙ୍କ ଉ ସ୍ କା ଣରେ ଜିଲ୍ଲାପାଳଙ୍କ ବାସଭବନକୁ ମଇଁଷିଙ୍କ ବେକରେ ପ୍ଲା’କାର୍ଡ ବାନ୍ଧି ‘ ଆମକୁ ରକ୍ଷାକର ‘ ବୋଲି ଶୋଭାଯାତ୍ରାରେ ଅଣାଯିବାର ତାମସା ମଧ୍ୟ କରାଯାଇଥିଲା । ପ୍ରତ୍ୟେକ୍ଷଭାବେ ଏହି ଅହଂକାରୀ ରାଜନେତାମାନେ ବଳିସ୍ଥଳୀରେ ଉପସ୍ଥିତ ହୋଇ ସେମାନଙ୍କୁ ପ୍ରୋତ୍ସାହିତ କରିଆସୁଛନ୍ତି । ଚଳିତବର୍ଷ ଏହି ସୁଲିଆବଳିଯାତ୍ରା ନିମନ୍ତେ ଦୁଇଟି ରାଜନୈତିକ ଗୋଷ୍ଠୀର ଲୋକେ ମହୋତ୍ସବ ପାଳନ କରିବାର ପ୍ରସ୍ତୁତି ଚୂଡ଼ାନ୍ତ କରିସାରିଥିବା ବେଳେ ଶେଷମୁହୂର୍ତ୍ତରେ ପ୍ରଶାସନ ମହୋତ୍ସବ ପାଇଁ ଅନୁମତି ନଦେବାରୁ ଏହା ବାତିଲ୍ ହୋଇଯାଇ ଥିଲେ ହେଁ , ସୁଲିଆଯାତ୍ରାରେ ଉପରକ ଦୁଇଟି ବଳିସ୍ଥଳୀରେ ପୂର୍ବପରି ପୋଢ , ବୋଦା , କୁକୁଡାଦିର ବଳି ଦିଆଯାଇଥିଲା । ଏହାର ଅନୁସରଣରେ ଜିଲ୍ଲାର ସେଇ ଦେଓଗାଁ ବ୍ଲକ୍ ର ଜରାସିଂହା ପଞ୍ଚାୟତର ଚନ୍ଦ୍ରପୁର , ଗାଈବାହାଲ ପଞ୍ଚାୟତର ସାଗରପାଲି ସିଂହାମୁଣ୍ଡା ପଞ୍ଚାୟତର ଘାଟୁଲ୍ ଓ ଅନ୍ୟାନ୍ୟ ଗ୍ରାମରେ ମଧ୍ୟ ସୁଲିଆବଳିଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଏଥିପାଇଁ ପୂର୍ବପରି ଶାନ୍ତିଶୃଙ୍ଖଳାର ରକ୍ଷା ପାଇଁ ମାଜିଷ୍ଟ୍ରେଟ୍ ଙ୍କ ସମେତ ପୁଲିସ୍ ମଧ୍ୟ ମୁତୟନ କରାଯାଇଥିଲା ।
ତେବେ ପ୍ରକୃତରେ ଦେବତା ମାଂସରକ୍ତ ଖାଆନ୍ତି କି ନାଇଁ , ସେକଥା ଭିନ୍ନ ତର୍ଜମାର ବିଷୟ । ତେବେ ମଣିଷମାନଙ୍କର ମାଂସଲାଳସା ହିଁ ଆଦିବାସୀପରମ୍ପରା ବା ଦୈବୀଆରାଧନା ଆଳରେ ଏଭଳି ନୃଶଂସ ବଳିଯାତ୍ରାର ଆୟୋଜନ କରିଆସୁଛି , ଏହା ଲୋକେ ଭଲଭାବରେ ଜାଣନ୍ତି । ଓଲଟା କେତେକ ଯୁକ୍ତିବାଦୀ କହନ୍ତି ଯେ , ରାସ୍ତାକଡରେ କଂସେଇଖାନା , ଗୋହତ୍ୟା , ମାଂସକଟା ଓ ମାଂସବିକ୍ରି ତୁଳନାରେ ଏଭଳି ବଳି କିଛିନୁହେଁ । ତେବେ ଭବାନୀପାଟଣାର ବଳିଯାତ୍ରା ହେଉ ବା ସୁଲିଆ ବଳିଯାତ୍ରା ; ଆଜିର ସଭ୍ୟଶିକ୍ଷିତ ସମାଜରେ ଏତାଦୃଶ ନୃଶଂସଦୃଶ୍ୟ କେତେଦୂର ଠିକ୍ , ଲୋକେ ବିଚାର କରନ୍ତୁ ! କିନ୍ତୁ ଏହାକୁ ନେଇ ଉଚ୍ଚଶିକ୍ଷିତ ସମ୍ଭ୍ରାନ୍ତ ରାଜନେତା , ନିର୍ବାଚିତ ଲୋକପ୍ରତିନିଧି ଓ କୁଜିନେତାଙ୍କ ମଧ୍ୟରେ ବିବାଦରୁ ରାଜନୀତି କରାଯିବା ଆଦୌ ସ୍ପୃହଣୀୟ ନୁହେଁ ।
ସବୁଠୁଁ ବିଡମ୍ବନା ହେଲା , ଆଜି ବି ମଣିଷ ବଳିପ୍ରସାଦ ଆଳରେ ଖୋଲାଖୋଲି ମଇଁଷିମାଉଁସ ଭକ୍ଷଣ କରୁଛି । କୃଷିକ୍ଷେତ୍ରରେ ବ୍ୟବହୃତ ମଇଁଷିଛୁଆଙ୍କୁ ବଧ ନାଁ’ରେ ହତ୍ୟା କରାଯାଉଛି । ବଲାଙ୍ଗୀର ସଦର ମହକୁମାରୁ ମାତ୍ର ୨୦ କିମିର ସୁଲିଆବଳିଯାତ୍ରା ବା ଜିଲ୍ଲା ସଦର ମହକୁମାର ଭବାନୀପାଟଣାର ମୁଖ୍ୟସହରରେ ମାଇଲିଏ ପର୍ଯ୍ୟନ୍ତ ରାସ୍ତାକୁ ରକ୍ତରଞ୍ଜିତ କରି ଚାଲିଥିବା ତଥାକଥିତ ଏଇ ବଳିଯାତ୍ରାକୁ କେବଳ ରାଜନୈତିକ ବ୍ୟବହାର ନିମନ୍ତେ କିଛି ସଂପ୍ରଦାୟର ଅନ୍ଧବିଶ୍ବାସକୁ ଅସ୍ତ୍ର କରି ଭୋଟ୍ ରାଜନୀତି କରିଆସୁଥିବା ଅମାନବୀୟ ପ୍ରବୃତ୍ତିର କେତେକ ରାଜନେତାମାନଙ୍କ ପାଇଁ ଏଭଳି କୁପ୍ରଥାକୁ ବନ୍ଦ କରିବାକୁ ସରକାର ଅସମର୍ଥ ହୋଇପଡୁଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ଲୋକେ କହୁଛନ୍ତି । ସର୍ବୋପରି ଏଭଳି ସ୍ପଷ୍ଟଦିବାଲୋକରେ ଗଣପଶୁପକ୍ଷୀଙ୍କ ହତ୍ୟା ଓ ରକ୍ତର ନଦୀ ବହିଯାଉଥିବାର ବିଭତ୍ସଦୃଶ୍ୟ ସମାଜରେ ଲୋକଙ୍କ ଉପରେ କିପରି ପ୍ରଭାବ ପକାଏ , ଚିନ୍ତାର ବିଷୟ ।