ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ.ଆଇ ) ପକ୍ଷରୁ ଆସନ୍ତା ୧୮ ସେପ୍ଟେମ୍ବର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ ।ଏନେଇ ଏ.ଏସ୍.ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି । ତଦନୁସାରେ, ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଂଚ (preliminary inspection and technical survey) ଅନୁଷ୍ଠିତ ହେବ। ଏ.ଏସ୍.ଆଇ ର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ନିରୀକ୍ଷଣ ହେବ। ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢୀ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ କୋଠରୀକୁ ସ୍ଥାନାନ୍ତରଣ ଏବଂ ଖାଲି ଆଲମିରା ତଥା ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇ ସାରିଛି। ତାପରେ ଏ.ଏସ୍.ଆଇ କୁ ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ। ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା । ଏହା ଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ଏ.ଏସ୍.ଆଇକୁ ଅନୁରୋଧ କରାଯାଇଥିଲା। ପୂର୍ଣାଙ୍ଗ ଅତ୍ଯାଧୁନିକ ତଥା ବୈଷୟିକ ଯାଞ୍ଚ ପରେ ଏ.ଏସ୍.ଆଇ ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ଯ ଅବିଳମ୍ବେ ସାରିବାକୁ ମୁଖ୍ଯ ପ୍ରଶାସକ ଅନୁରୋଧ କରିଛନ୍ତି।

“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।