ପିସି ଚାପରେ ଆତ୍ମହତ୍ୟାର ତଦନ୍ତ ଗୋଲକଧନ୍ଦାରେ ?
ରାୟଗଡା : ରାୟଗଡା ସିଲଭିକଲଚର୍ ଡିଭିଜନରେ ଡିଏଫଓଙ୍କ ପ୍ରତ୍ୟେକ୍ଷ ପ୍ରୋତ୍ସାହନରେ ସରକାରୀ ଯୋଜନାର ଅର୍ଥରୁ ବାଟମାରଣା ହୋଇ ଆସୁଥିବା ଜଣାପଡିଛି । ନିର୍ଭରଯୋଗ୍ୟ ସୂତ୍ରରୁ ଏହି ସିଲ୍ଭି କଲ୍ ଚର୍ ବିଭାଗର ରିସର୍ଚ ଉଇଙ୍ଗ୍ ସ ର ମୁଖ୍ୟ ସିଲଭିକଲଚରିଷ୍ଟଙ୍କ ବିରୁଦ୍ଧରେ ତାଙ୍କ ଅଧୀନରେ ଥିବା ରାୟଗଡା , କୋରାପୁଟ , ଭବାନୀପାଟଣା ଓ ବଲାଙ୍ଗୀର ବିଭାଗୀୟ ରେଞ୍ଜ୍ ଗୁଡିକରୁ ନିୟମିତ ପିସି ଆଦାୟ କରାଯାଉଥିବା ଓ ନଦେଲେ ବଦଳି , ଚାକିରୀ ଯିବା ଧମକ , ଖର୍ଚ୍ଚର ବିଲ୍ ନ କରି ବିଭିନ୍ନ ଧମକଚମକ ଦେଇ ଲକ୍ଷ ଲକ୍ଷ ଟଙ୍କା ପିସି ଆଦାୟ କରୁଥିବା ଅଭିଯୋଗପ୍ରକାଶ ପାଇଛି ।
ଏପରିକି ଉକ୍ତ ଡିଏଫଓ ବନାମ ସିଲଭିକଲଚରିଷ୍ଟ ଦେବେନ୍ଦ୍ର କୁମାର ବେହେରା (ଓ ଏଫଏସ )ଙ୍କ ପିସି ଚାପରେ ନିକଟରେ ବଲାଙ୍ଗୀରକୁ ଆକ୍ରୋଶମୂଳକ ଭାବରେ ବଦଳି କରାଯାଇଥିବା ବଲାଙ୍ଗୀର ରେଞ୍ଜ୍ ର ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ସଞ୍ଜୟ ନାୟକ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ପିସି ପଇଠ କରି ମଧ୍ୟ ଆହୁରି ଶୋଷଣ ଓ ବାରମ୍ବାର ନିର୍ଯାତନାର ଶିକାର ହୋଇ ତାଙ୍କ ପୂର୍ବଷ୍ଟେସନ ଭବାନୀପାଟଣା ରେଞ୍ଜ୍ ର ସରକାରୀ କ୍ବାର୍ଟରରେ ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଭବାନୀପାଟଣା ଟାଉନ ଥାନାରେ ମୃତକଙ୍କ ଭାଇ ରବିନାରାୟଣ ନାୟକଙ୍କ ଦ୍ବାରା ଏକ ଏତଲାକ୍ରମେ ଏକ ମାମଲା ଋଜୁ କରାଯାଇ ପୁଲିସ୍ ତଦନ୍ତ କରୁଛି । ମୃତକଙ୍କ ମୃତଦେହ ନିକଟରୁ ପୁଲିସ୍ ଉଦ୍ଧାର କରିଥିବା ମୃତ୍ୟୁପୂର୍ବରୁ ସେ ଲେଖିଥିବା ଏକ ସୁଇସାଇଡ୍ ନୋଟ୍ ରେ ତାଙ୍କ ଉପରିସ୍ଥ ଅଧିକାରୀ ଉକ୍ତ ସିଲଭିକଲଚରିଷ୍ଟଙ୍କ ବିରୁଦ୍ଧରେ ବାରମ୍ବାର ଚାପ ଓ ପିସି ନେଇଥିବା ଅଭିଯୋଗ ଉଲ୍ଲେଖ କରାଯାଇଛି ।

ଏହି ଅନୁଯାୟୀ , ଡିଏଫଓ ଶ୍ରୀ ବେହେରା ମୃତ ଭାରପ୍ରାପ୍ତ ରେଞ୍ଜର ସଞ୍ଜୟଙ୍କ ଠାରୁ ଗତବର୍ଷ ୧୦ ଲକ୍ଷ ଟଙ୍କା ପିସି ଦାବି କରି ଚଳିତବର୍ଷର ଗଣେଶପୂଜାବେଳକୁ ଅଢେଇଲକ୍ଷ , ଏକ ଏସି , ଏକ ମନ୍ଦିର ପାଇଁ ୪୦ ହଜାର ଟଙ୍କା ପିସି ନେଲାପରେ ବି ଆହୁରି ୭ ଲକ୍ଷ ଟଙ୍କା ପିସି ଦାବି କରି ଧମକଚମକ ଦେବା ସହ ଶେଷରେ ନିର୍ଯାତନା ଦେଉଥିବା ଅଭିଯୋଗ କରାଯାଇଛି । ତାଙ୍କ ପତ୍ନୀ ପ୍ରିୟଙ୍କା ସୁବୁଦ୍ଧିଙ୍କର ମିଡିଆରେ ବୟାନ ଅନୁଯାୟୀ ଏହାସହ ମାସକୁ ମାସ ଏହି ଡିଏଫଓ ଦେବେନ୍ଦ୍ର କୁମାର ସୁବୁଦ୍ଧି ତାଙ୍କ ସ୍ବାମୀଙ୍କ ଠାରୁ ୨୦ / ୨୫ ହଜାର ଟଙ୍କା ନିୟମିତ ବଟି ନେଉଥିବା ଅଭିଯୋଗ ପ୍ରକାଶ କରିଛନ୍ତି ।
ଏହି ଅଭାବନୀୟ ଘଟଣାରେ ରାଜ୍ୟ ଅଣଗେଜେଟେଡ୍ ବନ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ନିକଟରେ ଉଚିତ୍ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରାଯାଇଛି । ମୃତ ଫରେଷ୍ଟର ବନାମ ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ଏହାପୂର୍ବରୁ କଳାହାଣ୍ଡି ଜିଲ୍ଲାର ଜାରିଙ୍ଗ ହାଇଟେକ୍ ସିଲଭିକଲଚର୍ ନର୍ସରୀରେ ଦୀର୍ଘ ପ୍ରାୟ ଚାରିବର୍ଷ ହେଲା କାର୍ଯ୍ୟରତ ଥିଲେ ଓ ଗତ ୧ ତାରିଖରେ ବଲାଙ୍ଗୀରରେ ଜଏନ କରିଥିଲେ ହେଁ , ଭବାନୀପାଟଣାରେ ପୂର୍ବ ଷ୍ଟେସନର ସରକାରୀ କ୍ବାର୍ଟରରେ ରହୁଥିଲେ ।
ତେବେ ଏହି ବିଭାଗରେ ଜଣେ ଭାରପ୍ରାପ୍ତ ରେଞ୍ଜ ଅଧିକାରୀ କେଉଁ ସୂତ୍ରରୁ ଏତେଟଙ୍କା ପିସି ଦେଉଥିବା ସମ୍ପର୍କରେ ଖୋଳତାଡ କରାଯିବାକୁ ଏହି ପ୍ରତିନିଧି ବଲାଙ୍ଗୀର ସିଲଭିକଲଚର୍ ନର୍ସରୀରେ ଯାଇ ପଚରାଉଚୁରା କରିଥିଲେ । ମୃତ ଭାରପ୍ରାପ୍ତ ରେଞ୍ଜ ଅଧିକାରୀଙ୍କ ବଦଳି ପରେ ଏଠାରେ ଥିବା ଜଣେ ଫରେଷ୍ଟର ବନାମ ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ବ୍ରଜବନ୍ଧୁ ପ୍ରଧାନଙ୍କୁ ଜାରିଙ୍ଗକୁ ବଦଳି ହୋଇଥିବାରୁ ଏଠାରେ କେହି ରେଞ୍ଜ ଅଧିକାରୀ ନାହାଁନ୍ତି । ଏଠାରେ କେବଳ ଜଣେ ଫରେଷ୍ଟରଙ୍କ ସହିତ ଦୁଇଜଣ ଗାର୍ଡ ଓ ଦୁଇଜଣ ଜଗୁଆଳୀ ଅଛନ୍ତି । ୬୭ ହେକ୍ଟରର ଏହି ନର୍ସରୀରେ ବାର୍ଷିକ ମଞ୍ଜି ବିଶୋଧନ , ପାଣି ଦେବା , ଖର୍ଚ୍ଚବାର୍ଚ୍ଚ ପାଇଁ କୁଆଡେ ୨୦/ ୨୫ ଲକ୍ଷ ଟଙ୍କା ଆସିଥାଏ । ଘନ ଘନ ଏଠୁ ସେଠିକି ବଦଳି ଓ ଦାୟିତ୍ୱ ବଦଳ ନିମନ୍ତେ କେହି କେତେଟଙ୍କା ସରକାର ଦେଉଛନ୍ତି , ସଠିକ୍ ଭାବେ କହିପାରୁ ନାହାଁନ୍ତି । ତେବେ ଏହି ନର୍ସରୀରେ ବହୁ ଅଫିସ୍ କୋଠା , କର୍ମଚାରୀ କ୍ବାର୍ଟର , ଗେଟ୍ , ପାଚେରୀ ଓ ଅନ୍ୟାନ୍ୟ ନିର୍ମାଣକାମ ଆଦି କରାଯାଇଥିବା ଦେଖାଯାଇଛି ।
ସେହିପରି କଳାହାଣ୍ଡିର ଭବାନୀପାଟଣା ଜାରିଙ୍ଗଠାରେ ଥିବା ହାଇଟେକ୍ ନର୍ସରୀର ଏରିଆ ୧୫୦ ହେକ୍ଟର ଥିବାରୁ ସେଠାରେ ପ୍ରାୟ ଏଠାରୁ ଦୁଇଗୁଣା ଖର୍ଚ୍ଚ ପାଇଁ ସରକାର ଅର୍ଥଅନୁଦାନ ଦେଉଥିବା ଅନୁମାନ କରାଯାଏ । ମୃତ ବନ ଅଧିକାରୀ ଜଣକ ମୃତ୍ୟୁପୂର୍ବରୁ ସେ ସେଠାରେ ସରକାରୀ କାମରେ ଉଧାରଧାର କରି ଖର୍ଚ୍ଚ କରିଥିବା ପାଉଣା ଦେବାକୁ ଡିଏଫଓଙ୍କୁ କାକୁତିମିନତି କରିଥିବା ସତ୍ତ୍ୱେ ଏହା ସେ ବିଲ୍ ନକରି ଓଲଟା କର୍ଣ୍ଣପାତ ତାଙ୍କୁ ବଲାଙ୍ଗୀରକୁ ବଦଳି କରିଦେଇଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ । ତେବେ ଏଇ ଡିଭିଜନର ରେଞ୍ଜ ଅଧିକାରୀମାନଙ୍କ ଠାରୁ ଡିଏଫଓ ଏଭଳି ନିୟମିତଭାବରେ ଏତିକି ପରିମାଣର ପିସି ଇତ୍ୟାଦି ଲାଞ୍ଚ ନେଉଥିବାରୁ ନିଶ୍ଚିତଭାବରେ ସରକାର ବହୁ ଅର୍ଥଅନୁଦାନ ରିସର୍ଚ ଆଦି ନିମନ୍ତେ ଯୋଗାଉଥିବା ଓ ସେଥିରୁ ଡିଏଫଓଙ୍କ ସମ୍ପୂର୍ଣ୍ଣ ଜ୍ଞାତସାରରେ ପ୍ରଚୁର ବାଟମାରଣା ହେଉଥିବା ଅନୁମାନ କରାଯାଉଛି ।
ଏହାସହିତ ଉକ୍ତ ଅଧିକାରୀ ଭୁବନେଶ୍ଵର ଡିଭିଜନର ଯୁଗ୍ମଦାୟିତ୍ୱରେ ମଧ୍ୟ ରହିଛନ୍ତି । ଏଣୁ ସରକାର ଉଭୟ ଏହି ଡିଭିଜନର ଏକ ଭିଜିଲାନ୍ସ ତଦନ୍ତ କରାଯିବାକୁ ମୃତକଙ୍କ ପରିବାର ଓ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି । ଏତେ ନିରଙ୍କୁଶ ଭାବରେ ଜଣେ ଡିଏଫଓ ଅଧସ୍ତନ ଅଧିକାରୀଙ୍କ ଠାରୁ ପିସି ବା ଉତ୍କୋଚ ଦାବିକରି ନେଉଥିବାରୁ ତାଙ୍କର ବିଭାଗୀୟ ଉଚ୍ଚ ଅଧିକାରୀ ତଥା ରାଜଧାନୀର ରାଜନେତାଙ୍କ ସହ ବରାବର ଆର୍ଥିକ ଅବୈଧ ସମ୍ପର୍କ ରହିଥିବା ଅନୁମାନ କରାଯାଉଛି । ଏହି ଘଟଣା ପରେ ଅଭିଯୁକ୍ତ ସିଲଭିକଲଚରିଷ୍ଟ ବନାମ ଡିଏଫଓ ରାୟଗଡାରୁ ଫେରାର୍ ହୋଇଯାଇଛନ୍ତି । ତେଣୁ ଚେଷ୍ଟା କରାଯାଇଥିବା ସତ୍ତ୍ୱେ ତାଙ୍କ ମତାମତ ମିଳିପାରିନାହିଁ ।

ପୁଲିସ୍ ତଦନ୍ତରେ କାଳକ୍ଷେପଣର ଫାଇଦା ନେଇ ସେ ଉପର ଅଦାଲତରେ ଆଗୁଆ ଜାମିନ ପାଇଁ ଚେଷ୍ଟା ଚଳାଇଥିବା ଓ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ତଦନ୍ତକାରୀ ପୁଲିସ୍ ତାଙ୍କୁ ଏଥିରେ ପରୋକ୍ଷ ସହାୟତା କରୁଥିବା ଲୋକଙ୍କ ଭିତରେ ସନ୍ଦେହ ପ୍ରକାଶ ପାଇଲାଣି । ମୃତ ଅଧିକାରୀଙ୍କ ପତ୍ନୀଙ୍କ ପକ୍ଷରୁ ଅଭିଯୁକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କ ସ୍ବାମୀଙ୍କୁ ଯେପରି କଲବଲ କରି ସେ ତାଙ୍କ ପ୍ରାଣହାନୀର ମୁଖ୍ୟକାରଣ ହେଲେ , ସେଭଳି ଡିଏଫଓଙ୍କୁ ବିଚାର ପୂର୍ବକ ଫାଶୀ ଦିଆଯିବାକୁ ଗଣମାଧ୍ୟମରେ ଦାବି କରାଯାଇଛି ।
ଏ ସମ୍ପର୍କରେ ରାଜ୍ୟବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହେଲାପରେ ଗତ ୨୦ ତାରିଖରେ ଜଙ୍ଗଲ ବିଭାଗର ମନ୍ତ୍ରୀ ମୃତ ଫରେଷ୍ଟରଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ରାୟଗଡା ଗସ୍ତରେ ଆସିଥିବାବେଳେ ତାଙ୍କୁ ଭେଟି ସମବେଦନା ଜଣାଇବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଓ ରହିବଥିବା ମାର୍ଗଦର୍ଶିକାର ନିୟମାନୁଯାୟୀ ତାଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି । ତେବେ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଆହୁରି ମଧ୍ୟ ଆବଶ୍ୟକ ପଡିଲେ , ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ବିଭାଗ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯିବ ବୋଲି କହିଛନ୍ତି । ଏଣୁ ଏହି ବହୁଚର୍ଚ୍ଚିତ ସମ୍ବେଦନଶୀଳ ମାମଲାଟିର ତଦନ୍ତର ପରିଣତି ଗୋଲକଧନ୍ଦାରେ ଫଶିଯିବାର ଆଶଙ୍କା ଓ ସନ୍ଦେହ ସୃଷ୍ଟି ହୋଇଛି ।
ଏଠାରେ ତାଙ୍କ ପରିବାର ଓ ଲୋକେ ପୂର୍ବର ପାରଳାଖେମୁଣ୍ଡି ବନବିଭାଗ ଏସିଏଫ ସୌମ୍ଯ ରଞ୍ଜନଙ୍କ ବହୁଚର୍ଚ୍ଚିତ ନିଆଁରେ ପୋଡି ମୃତ୍ୟୁମାମଲାର ଶେଷରେ କ୍ରାଇମବ୍ରାଞ୍ଚ ତଦନ୍ତର ପରିଣତିରେ ସେଠାକାର ଅଭିଯୁକ୍ତ ବେହେରାଡିଏଫଓଙ୍କୁ କ୍ଲିନ୍ ଚିଟ୍ ଦେଇ ତାହା ଏକ ଦୁର୍ଘଟଣା ଥିଲା ବୋଲି ଅଦ୍ଭୁତ ଫଳାଫଳ ବାହାର କରି ସବୁ ଅଭିଯୋଗକୁ ଚପାଇ ଦେଇଥିବା ଘଟଣାକୁ ସ୍ମରଣ କରୁଛନ୍ତି । ଯେତେବେଳେ ଜଣେ ମୃତକ ମୃତ୍ୟୁପୂର୍ବର ଲିଖିତ ବୟାନରେ ଏଥିପାଇଁ ଖୋଦ୍ ଡିଏଫଓ ଓ ତାଙ୍କର ପିସିକୁ ଦାୟୀ କରାଯାଇଛନ୍ତି , ସେଠାରେ ସରକାର ଆଉ କ୍ରାଇମବ୍ରାଞ୍ଚ ତଦନ୍ତ ନିମନ୍ତେ ସୁପାରିଶ କରିବେ ବୋଲି ବିଭାଗୀୟ ମନ୍ତ୍ରୀ ଅବାଞ୍ଛିତ ମନ୍ତବ୍ଯ ଦେବାର ଆବଶ୍ୟକତା କ’ଣ ଅଛି ବୋଲି ପ୍ରଶ୍ନ କରାଯାଇଛି ?

ସମ୍ପୃକ୍ତ ଅଭିଯୁକ୍ତ ଡିଏଫଓ ଜଣକ ଭୁବନେଶ୍ବରରେ ମଧ୍ୟ ଦାୟିତ୍ୱରେ ରହିଥିବାରୁ ତାଙ୍କର ମନ୍ତ୍ରୀଫନ୍ତ୍ରୀ ବଡବଡିଆଙ୍କ ସହ ହାତ ଲମ୍ବିଥିବାରୁ ଏଭଳି ଅନାବଶ୍ୟକ ସାନ୍ତ୍ବନା ତଦନ୍ତକୁ ବାଟବଣା କରି ଅଭିଯୁକ୍ତକୁ ସୁରକ୍ଷା ଦେବାର ଗୋଲକଧନ୍ଦା ନୁହେଁ ତ ଆଉ କ’ଣ ? ମନ୍ତ୍ରୀଙ୍କର ଏଭଳି ବକ୍ତବ୍ଯ ତଦନ୍ତର କେଉଁ ଦିଗକୁ ଇଙ୍ଗିତ କରୁଛି ? ଘଟଣାର ଏତେଦିନ ପରେ ମଧ୍ୟ ସୁଇସାଇଡ୍ ନୋଟ୍ ସହ ସବୁ ତଥ୍ୟପ୍ରମାଣ ପାଇଥିଲେ ହେଁ , ତଦନ୍ତକାରୀ ପୁଲିସ୍ ଫେରାର୍ ହୋଇଯାଇଥିବା ଅଭିଯୁକ୍ତ ଡିଏଫଓଙ୍କୁ ଗିରଫ ନକରି କାହିଁକି ଛାଡି ଦେଇଛି ? ଏ ସମ୍ପର୍କରେ ପୂର୍ବ ସରକାରଙ୍କ ପରି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଗୃହବିଭାଗର କାର୍ଯ୍ୟକଳାପ ଓ ମନୋବୃତ୍ତି ପ୍ରତି ସନ୍ଦେହ ସୃଷ୍ଟିହେବା ସ୍ବାଭାବିକ୍ । ଉଲ୍ଲେଖନୀୟ ଯେ ଗତ ସରକାର ଅମଳରେ ଦୀର୍ଘ ୨୪ ବର୍ଷ ମଧ୍ୟରେ ଘଟିଥିବା ଅନେକ ବହୁଚର୍ଚ୍ଚିତ ନରହତ୍ୟା ଓ ଏଭଳି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତର ଫଳାଫଳ କ’ଣ ବାହାରିଛି ?