ଅପରାଧ

ବାହାସ୍ଫୋଟ ନା ରାଜନୈତିକ ଆକ୍ରୋଶ ?

Email :

ତେବେ ଏତେଦିନର ଏସବୁ ବହୁଚର୍ଚ୍ଚିତ ହତ୍ୟାମାମଲା ଗୁଡିକର ଏବେ ତଦନ୍ତ ସମ୍ଭବ ହେବ କି ?  ସେସବୁର ତଥ୍ୟ ପ୍ରମାଣ ବା ସାକ୍ଷ୍ଯସଂଗ୍ରହ ଇତ୍ୟାଦି ଅକ୍ଷୁର୍ଣ୍ଣ ରହିଥିବ କି ? ସର୍ବୋପରି ଏହାର ତଦନ୍ତ କିଏ ବା କେଉଁ ସଂସ୍ଥା କରିବ ? କାରଣ ଏହି ଘଟଣା ବା ମାମଲାଗୁଡିକର ତଦନ୍ତ ରାଜ୍ୟର କେତେକ କରିତ୍ କର୍ମା ବରିଷ୍ଠ ପୁଲିସ୍ ଅଧିକାରୀ , କ୍ରାଇମବ୍ରାଞ୍ଚ ବ୍ରାଞ୍ଚ ଓ ଗଠିତ ଏସ୍ ଆଇ ଟି ବା ସ୍ବତନ୍ତ୍ର ଦଳ ଇତ୍ୟାଦି ଦ୍ବାରା ହୋଇଛି ।  ଏପରିକି ଖୋଦ୍ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ନବ ଦାସ ଗୁଳିମରା ହତ୍ୟାକାଣ୍ଡର ତଦନ୍ତରେ ବୈଦେଶିକ ଏଜେନ୍ସିର ସହାୟତା ନିଆଯିବାର ଘୋଷଣା କରିଥିଲେ । ଏଥି ମଧ୍ୟରେ ମମିତା ମେହେର ହତ୍ୟାକାଣ୍ଡରେ ଖୋଦ୍ ତତ୍କାଳୀନ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ସମ୍ପୃକ୍ତିର ଅଭିଯୋଗରେ ରାଜ୍ୟବ୍ୟାପି ଉତ୍ତେଜନା ସୃଷ୍ଟି ହୋଇଥିବା ସତ୍ତ୍ୱେ ପ୍ରାକ୍- ନିର୍ବାଚନୀ ସଭାରେ ଖୋଦ୍ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୁକ୍ତମନ୍ତ୍ରୀଙ୍କୁ ମଞ୍ଚରେ ବସାଇ କ୍ଲିନ୍ ଚିଟ୍ ଦେଇଥିବା ଭ୍ରୂକୁଞ୍ଚନ ସୃଷ୍ଟି କରିଥିଲା ।  ତେଣୁ କାହାକୁ ନେଇ ନୂତନ ସରକାର ସେ ସବୁର ପୁନଃତଦନ୍ତ କରାଇବେ  ?

ଯଦିଓ ନୂତନ ସରକାରଙ୍କ ଏଭଳି ଆଭିମୁଖ୍ଯ ସ୍ବାଗତଯୋଗ୍ଯ । ତଥାପି ଏହା ଏତେ ସହଜସାଧ୍ୟ ନୁହେଁ । ଅଦ୍ୟାପି ସେଇ ତଦନ୍ତକାରୀ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଏଇ ସରକାରରେ ମଧ୍ୟ ଅବସ୍ଥାପିତ ହୋଇ ରହିଛନ୍ତି । ଅନ୍ୟରାଜ୍ୟରୁ , କେନ୍ଦ୍ରରୁ ବା ବିଦେଶରୁ କେହି ଆସି ଏହାର ତଦନ୍ତ କରିବେ ନାହିଁ । ସେଇ ଅଧିକାରୀଙ୍କ ଦ୍ୱାରା କେତେକାଂଶରେ ଏସବୁର ତଦନ୍ତ ନିର୍ଭର କରେ । ଅବଶ୍ୟ ସରକାର ବଦଳିଯିବା ପରେ ତଦନ୍ତଗୁଡିକ ତଥାକଥିତ ଚାପମୁକ୍ତ ହେବାର ଆଶା କରାଯାଏ । କିନ୍ତୁ ଗତ ସରକାର ଅମଳର ସେଇ କ ରି ତ୍ କ ର୍ମା ଅଧିକାରୀଙ୍କ କୂଟବୁଦ୍ଧିରୁ ତାହା ସମ୍ପୂର୍ଣ୍ଣ ପ୍ରଭାବଶୂନ୍ୟ ହୋଇପାରିବା ଏତେ ସହଜ ନୁହେଁ । ସେଇ ଯାଦୁଖେଳ ଦେଖାଇଥିବା କ ରି ତ୍ କ ର୍ମା ବରିଷ୍ଠ ଅଧିକାରୀମାନେ ଯେ କିଏ କିଏ , ଜନସାଧାରଣ ଭଲଭାବରେ ଅବଗତ । ଏସବୁ ମଧ୍ୟରେ ପରୀ ହତ୍ୟାକାଣ୍ଡର ଜାମୁକୋଳି ଗପ ବା ପାଟଣାଗଡ ପାର୍ଶଲ୍ ବୋମା ଡବଲ ହତ୍ୟାକାଣ୍ଡରେ ପ୍ରିନ୍‌ସ୍‌ପାଲ୍‌ ପଦ ପାଇଁ ଭାରପ୍ରାପ୍ତ ପ୍ରିନ୍‌ସ୍‌ପାଲ୍‌ ପୁଞ୍ଜିଲାଲଙ୍କ ପ୍ରତିଶୋଧରୁ ୟୁ ଟ୍ୟୁବ୍ ଫର୍ମୁଲା ଫଲୋ କରି ୧୮ ବର୍ଷ ତଳର ବାରୁଦରେ ବୋମାତିଆରି କରି ୧୨ଟା ୫୫ରେ ଭଇଁଷା କଲେଜରୁ ନିଜର ନଥିବା ବୁଲେଟ୍ ରେ ପ୍ରାୟ ୩୫ କିମି କଣ୍ଟାବାଞ୍ଜି ରେଳଷ୍ଟେସନରେ ପହଞ୍ଚି ଗୋଟାଏ ବେଳର ଟ୍ରେନ୍ ରେ ରାୟପୁର ଯାଇ ଅଟୋ ରିକ୍ସାରେ ଟୋପି ପିନ୍ଧି ଛୋଟେଇ ଛୋଟେଇ ଯାଇ କୋରିଅରରେ ବୋମାକୁ ପାର୍ଶଲରେ ପଠାଇବା ଇତ୍ୟାଦି ନାଟକୀୟ କାହାଣୀ  ଏବଂ ନବ ଦାସ ହତ୍ୟାମାମଲାର ଅଭିଯୁକ୍ତ ପୁଲିସ୍ ଏ ଏସ ଆଇ ଗୋପାଳ ସାହୁର ପାଇଖାନା ଟାଙ୍କିରେ ପକାଇଦେଥିବା ସ୍ବୀକାରୋକ୍ତି କାଗଜର ଉଦ୍ଧାର ଗପ ର ସତ୍ୟାସତ୍ୟ ଅନୁସନ୍ଧାନ ସାପେକ୍ଷ ।

ପାଟଣାଗଡ ପାର୍ଶଲ୍ ବୋମା ମାମଲାରେ ପ୍ରଥମେ ବଲାଙ୍ଗୀର ପୁଲିସ୍ ଧରିଆଣି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଲିଗ୍ରାଫ୍ ଟେଷ୍ଟ ନିମନ୍ତେ ଟେଷ୍ଟ୍ କରାଇଥିବା ଓ ବିବାହକୁ ବିରୋଧ କରି ମେସେଜ୍ ପଠାଇଥିବା ଘଣ୍ଟାପଡାର ସେ ମୁହଁଢଙ୍କା ପ୍ରେମିକଯୁବକଟିର କଥା କୁଆଡେ ଗଲା  ? ସେହିପରି ନବ ଦାସ ଗୁଳିକାଣ୍ଡ ବେଳେ ଘଟଣାସ୍ଥଳରେ ଏକ ଭିଡିଓରେ ଥିବା ବେକରେ ସବୁଜ ଉତ୍ତରୀୟ ପକାଇ ପିସ୍ତଲ୍ ହଲାଉଥିବା ସେ ଯୁବକଟି କିଏ ଓ ସେ ପିସ୍ତଲ୍ ଟି ସେ ସମୟର ଖବରରେ ବ୍ରଜରାଜନଗର ଆଇଆଇସିଙ୍କ ଠାରୁ ଛଡାଇ ନେଇଥିବା ଅନ୍ୟ ଏକ ପିସ୍ତଲ କି ବା ନବ ଦାସଙ୍କୁ ମରାଯାଇଥିବା ଗୋଟିଏ ଗୁଳି କୁଆଡେ ଗଲା  ? – ଇତ୍ୟାଦି ଅନେକ ପ୍ରଶ୍ନ ଏଯାବତ୍ ଅସମାହିତ ରହିଛି । ଆହୁରି ମଧ୍ୟ ଅଭି ସାହୁ ହତ୍ୟାକାଣ୍ଡର ଆଉ ଏକ ବୋଲେରୋ କୁଆଡେ ଗଲା ବା ସେତେବେଳେ ଟିଟିଲାଗଡ ରେଳ ଷ୍ଟେସନରୁ ଧରାହେଇ ଥାନାରେ ଅଟକ ବେଲପଡାର ଦାଦନସର୍ଦ୍ଦାର ଯୁବକଙ୍କୁ ଛାଡିଦିଆଯିବାର କାରଣ କ’ଣ ଥିଲା  ? ଅଭି ସାହୁଙ୍କ ମରଶରୀରରେ ଫୁଲମାଳ ଦେଉଥିବା ବେଳେ କାହାକୁ କାହିଁକି କର୍ମୀମାନେ ମାଳ ଫିଙ୍ଗିଦେଇ ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ  ?

ପରୀଘଟଣା ଘଟିଥିବା ଜିଲ୍ଲାର ଦୁଇଜଣ ଛୋଟଝିଅଙ୍କୁ କିଛିମାସ ପରେ ସମ୍ବଲପୁରର କିନ୍ନରମାନଙ୍କ ଠାରୁ ଜଣକୁ ଉଦ୍ଧାର କରାଯାଇଥିବା ଘଟଣାର ପୂର୍ବର ଶିଶୁଚୋରି ଇତ୍ୟାଦି ମାମଲା ସହ କୌଣସି ସାମଞ୍ଜସ୍ୟ ଅଛି କି ?
ମମିତା ମେହେର ହତ୍ୟାକାଣ୍ଡ ବା କଣ୍ଟାବାଞ୍ଜି – ଧାମନଡଙ୍ଗା ଉପ-କାରାଗାରରେ ବିଚାରାଧୀନ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା / ମୃତ୍ୟୁ ଅଭିଯୋଗ ଓ ପୁଲିସ୍ ପାଇଥିବା  ଗୋବିନ୍ଦର ଜାକେଟ୍ ପକେଟ୍ ର ସେ କାଗଜ ବନାମ ସୁଇସାଇଡାଲ୍ ନୋଟ୍ ଗଲା କୁଆଡେ  ?

ଏମିତି ବହୁ ରହସ୍ୟ ଓ ପ୍ରଶ୍ନ ରହସ୍ୟାବୃତ୍ତ ରହିଯାଇଛି ।

ଏଣୁ ପୂର୍ବ ସରକାରଙ୍କ ଉପରେ ରାଜନୈତିକ ପ୍ରତିଶୋଧପରାୟଣତାର ଏହା ଏକ ତୁଚ୍ଛା ବାହାସ୍ଫୋଟ ନା  ପ୍ରକୃତରେ ସେସବୁ ବହୁଚର୍ଚ୍ଚିତ ନରହତ୍ୟା ମାମଲାର ଜନସାଧାରଣଙ୍କ ସ୍ବରର ପ୍ରତିଫଳନ ଗଣମାଧ୍ୟମର ରିପୋର୍ଟକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରି ଏହା ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଗୃହବିଭାଗ ବନାମ ଆଇନମନ୍ତ୍ରୀଙ୍କର ଏକ ସତ୍ ପ୍ରଚେଷ୍ଟା , ତାହା ଭବିଷ୍ୟତ କହିବ !

Leave a Reply

Your email address will not be published. Required fields are marked *

Related Post