କାହାକୁ ଦାୟୀ କରାଯିବ ?
ରାଉରକେଲା : ନିକଟରେ ରାଉରକେଲାର ଜନଗହଳ ବିର୍ସାମୁଣ୍ଡା ଛକ ପାଖର ଗଣଦୁଷ୍କର୍ମ ଘଟଣା ପରେ ଗତ ୨୨ ତାରିଖ ରାତିରେ ପୁଣି ଏକ ଗଣଦୁଷ୍କର୍ମ ଘଟଣା ଆଲୋଡନ ସୃଷ୍ଟି କରିଛି । ପୂର୍ବ ମାମଲାରେ ୭ ଜଣ ଜଡିତ ଥିବା ବେଳେ ଦ୍ବିତୀୟ ମାମଲାରେ ୫ ଜଣ ସମ୍ପୃକ୍ତ ରହିଥିବା ପ୍ରକାଶ । ଆଗର ମାମଲାରେ ପୁଲିସ୍ କେତେକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏଥିରେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବ !
ତେବେ କଥାହେଉଛି , ରାଉରକେଲା ନଗରରେ ଅଳ୍ପ ବ୍ୟବଧାନରେ ଲାଗ୍ ଲାଗ୍ ଏଭଳି ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ଘଟଣା ଘଟିବା ନିମନ୍ତେ କାହାକୁ ଦାୟୀ କରାଯିବ ? ପୀଡିତାଙ୍କର ପୁରୁଷବନ୍ଧୁଙ୍କ ସହ ସପିଂମଲ୍ ଓ ରେସ୍ତୋରାଁ / ବାର୍ କୁ ଯାଇ ମଦପିଆ ଖିଆପିଆରେ ଯୋଗଦାନ ସହ ରାତିବୁଲା , ରାତିରେ ଅବକାରୀ ରାଜସ୍ୱ ଆୟ ପାଇଁ ମଦବାର୍ ଓ ନୈଶ ରେସ୍ତୋରାଁ ଖୋଲିବାକୁ ସରକାରଙ୍କର ଅନୁମତି , ଆଧୁନିକ ନାରୀ ସ୍ବାଧୀନତା ବନାମ ଉତ୍ସୃଙ୍ଖଳତା ନା ଅପରାଧୀଙ୍କର ଆଇନ୍ କାନୁନ୍ ପ୍ରତି ଭୟହୀନତା ? ଅଧିକନ୍ତୁ ଜଣେ ସଦ୍ୟପୀଡିତା ପ୍ରତି ସାହାଯ୍ୟକାରୀ ବନ୍ଧୁଜଣକର ବ୍ୟବହାର ଅମାନବୀୟ ଥିଲା । ସର୍ବୋପରି ପୀଡିତା ଓ ତାଙ୍କ ପରିବାରର ଏଥିପାଇଁ କୌଣସି ଭୂମିକା ଥିଲା କି ନାହିଁ ? ଝିଅକୁ କାହା ସାଙ୍ଗରେ କେଉଁସମୟରେ ଛାଡିଲେ , ଏହା ତାଙ୍କୁ କିଏ ପଚାରିବ ? ଝିଅଟି ସମାଜର କେଉଁ ବର୍ଗର ? ସେ ଅଞ୍ଚଳର ଥାନା ବା ପୁଲିସ୍ ରେ କିଭଳି ଅଧିକାରୀ / କର୍ମଚାରୀମାନେ ରହିଛନ୍ତି ଏବଂ କ’ଣ ଓ କିଭଳି କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ; ତାହାର ମଧ୍ୟ ସମୀକ୍ଷା ହେବା ଜରୁରୀ ।
ତେବେ ଏଇ ସହରରେ ପୁଲିସ୍ ବା ଆଇନ୍ ଶୃଙ୍ଖଳା ପ୍ରତି ସରକାର ଓ ପ୍ରଶାସନର ଆଦୌ ନଜର ଦିଆଯାଉ ନଥିବା ଏହା ଜ୍ବଳନ୍ତ ପ୍ରମାଣ । ଏଭଳି ଅପରାଧ ଘଟାଉଥିବା ଅସାମାଜିକ ଯୁବକଙ୍କର ପୁଲିସ୍ ବା ଦଣ୍ଡବ୍ୟବସ୍ଥା ପ୍ରତି ଆଦୌ ଭୟ ନଥିବା ବି ଏଥରୁ ପ୍ରମାଣିତ । ଏଣୁ ଏ ସମ୍ପର୍କରେ ସରକାରଙ୍କୁ ପଚରାଯାଉ !


“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।