ହାତସଫେଇରେ ପୂର୍ବତନ ସେକ୍ରେଟାରୀଙ୍କ ହାତ ?
ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟି ବା ଆର୍ ଏମ୍ ସି କେଳେଙ୍କାରୀ ପୂର୍ବତନ ଦୁର୍ନୀତିଅଭିଯୁକ୍ତ ସେକ୍ରେଟାରୀଙ୍କ ବଦଳି ପରେ ବି ଥମିନାହିଁ ! ରାଜନୈତିକ ସଂରକ୍ଷଣ ଓ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ପୋଷ୍ଟିଂ , ପ୍ରମୋଶନ ଓ ଡେପୁଟେସନ ଆଳରେ ଏଠାରେ ଦୀର୍ଘ ପ୍ରାୟ ୮ / ୯ ବର୍ଷକାଳ ଅବସ୍ଥାପିତ ରହି ଚେରେଇ ଗଲା ପରେ ସେ ଏକପ୍ରକାର ନିରଙ୍କୁଶ ହୋଇ ଉଠିଥିଲେ । ସ୍ଥାନୀୟ ଚାଷୀ , ଜନସାଧାରଣ ଓ ଗଣମାଧ୍ୟମ ଦ୍ବାରା ତାଙ୍କ ଅନିୟମିତତାରେ ଅତିଷ୍ଠ ହୋଇ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ପରେ ଶେଷରେ ଯଦିଓ ତାଙ୍କୁ ତାଙ୍କର ଦୀର୍ଘ ଦୁର୍ନୀତିର କୌଣସିପ୍ରକାର ତଦନ୍ତ କରା ନ ଯାଇ ଅନ୍ଯତ୍ର ବଦଳି କରାଗଲା , ତଥାପି ଡୁଙ୍ଗୁରିପାଲି ଆର୍ ଏମ୍ ସି ର ମହୁର ଲୋଭ ସେ ଛାଡିପାରୁ ନାହାଁନ୍ତି ! ଏବେ ପୂର୍ବତନ ସମ୍ପାଦକ ଉଦିତ ବାବୁଙ୍କର ସୁବର୍ଣ୍ଣପୁର ଜିଲ୍ଲାର ଡେପୁଟେସନ ବା ବଲାଙ୍ଗୀରରୁ କଳାହାଣ୍ଡିର ଧର୍ମଗଡକୁ ବଦଳି ପରେ କିଛିମାସ ତଳେ ବରଗଡରୁ ଆଉ ମାତ୍ର ଅଳ୍ପ କେଇମାସ ଅବସର ଥିବା ସୁବାସ ପଣ୍ଡା ନୂତନ ସମ୍ପାଦକ ଭାବରେ ଏଠାରେ ଯୋଗ ଦେଇଛନ୍ତି । ତେବେ ପଣ୍ଡାବାବୁ ଆସିବା ପରେ ମଧ୍ଯ ଏଠାକାର ପୂର୍ବ କାର୍ଯ୍ୟକଳାପର ପରିବର୍ତ୍ତନ ହେଲାନାହିଁ ! କାରଣ ଏହି କମିଟିର ଚେୟାରମ୍ୟାନ ରହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ , ଯିଏ କି ପୂର୍ବରୁ ରହିଛନ୍ତି । ସେହିପରି ଏଥର ମଧ୍ଯ ପୁଣି ନିର୍ବାଚିତ ହୋଇ ଆସିଛନ୍ତି ନିରଞ୍ଜନ ପୂଜାରୀ ! ଉପରେ ଏମ୍ ଡି ଅଛନ୍ତି ଧରିତ୍ରୀ ମିଶ୍ର । ଏଣୁ ମେଣ୍ଢାବାଳକୁ ଜଡାତେଲ ନ୍ୟାୟରେ ପୂର୍ବପରି ଏହି ସୁନା ଅଣ୍ଡାଦିଆ କୁକୁଡ଼ା ବୋଲି କୁହାଯାଉଥିବା ଡୁଙ୍ଗୁରିପାଲି ଆର୍ ଏମ୍ ସି ଟିରୁ ଦୋହନ ଜାରୀ ରହିଛି ।

ଉଦାହରଣ ସ୍ବରୂପ , ଗତ ଫେବୃୟାରୀ ମାସରେ ଏହି ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ସୋନପୁର,ବିନିକା ଓ ବିଶିମୁଣ୍ଡା ଇତ୍ୟାଦି ବଜାର ପ୍ରାଙ୍ଗଣ ସକାଶେ ସିସିଟିଭି କ୍ୟାମେରା କିଣାଯିବାକୁ ଟେଣ୍ଡର ଆହ୍ବାନ କରାଯାଇଥିଲା । ୩ ଜଣ ବିଡର ଟେଣ୍ଡର ପକାଇଲେ । ଏଥିପାଇଁ ଇ ଏମ୍ ଡି ୫୦ ହଜାର ଟଙ୍କା ଧାର୍ଯ୍ଯ କରାଯାଇଥିଲା ।
ତେବେ ଏହି ଅମାନତ ଟଙ୍କା ପୂର୍ବରୁ ଜମା କରିବାର ନିୟମ ଥିଲେ ହେଁ , ପ୍ରାୟ ୩୭ ଲକ୍ଷ ଟଙ୍କାର ୧୪୦ଟି ସିସିଟିଭି ଯୋଗାଣର ଏହି ଟେଣ୍ଡରଟିକୁ କଳକୌଶଳ କରି ପୂର୍ବତନ ସମ୍ପାଦକ ଉଦିତ ବାବୁଙ୍କ ଘନିଷ୍ଠ ବଜାଜ୍ ଆଲିଆନ୍ସସର ମ୍ୟାନେଜର ଥିବା ମୁକେଶ ଭୋଇଙ୍କ ପତ୍ନୀଙ୍କ ନାଁ’ରେ ଖୋଲାଯାଇଥିବା ଏକ ଫେକ୍ ଫାର୍ମକୁ ଦିଆଯାଇଥିବା ଅଭିଯୋଗରୁ ପ୍ରକାଶ । ଅଭିଯୋଗ ଅନୁଯାୟୀ , ବଜାରଦର ଠାରୁ ଯଥେଷ୍ଟ କମ୍ ମୂଲ୍ୟର ଆଇ ଏସ୍.ଆଇ ମାର୍କ ନଥିବା ଏହି ନିମ୍ନମାନର ସିସିଟିଭି କ୍ୟାମେରା ସହିତ ସୋନପୁରରେ ଲଗାଯାଇଥିବା ମାଷ୍ଟର କଣ୍ଟ୍ରୋଲରର କିଣାରେ ବ୍ୟାପକ ବାଟମାରଣା କରାଯାଇ ଜଣେ ତୁଙ୍ଗଅଧିକାରୀଙ୍କୁ ୨୦% ଓ ସବୁଥିରୁ ୫୦% / ୫୦ % ଭାଗବଣ୍ଟା ଯାଇଥିବା ଚର୍ଚ୍ଚା ହେଉଛି।
ଏ ସମ୍ପର୍କରେ ଟେଣ୍ଡର ପାଇଁ ଇ ଏମ୍ ଡି ର ୫୦ ହଜାର ପରେ କେମିତି ନିଆଗଲା ? ଟେଣ୍ଡର ପାଇଁ ଜାରୀ ନୋଟିସ ର ନିୟମାବଳୀରେ ପୂର୍ବରୁ କେମିତି ଉଲ୍ଲେଖ କରାଯାଇଥିଲା ? ‘ ର ଉତ୍ତରରେ ‘ ସେଇଟା ଭୁଲ୍ ରେ ଟାଇପ୍ କରିଦିଆ ଯାଇଥିଲା ଓ ଏଥିରେ କୌଣସିପ୍ରକାର ଅନିୟମିତତା ହୋଇନାହିଁ ‘ବୋଲି ସମ୍ପାଦକ ସୁବାସ ପଣ୍ଡା ସଫେଇ ଦେଇଛନ୍ତି । ଏ ମହାଶୟ ଜଣକ ପ୍ରାୟତଃ ଅଫିସରେ କେହି କାଳେ କିଛି ପଚାରିବା ଭୟରେ ଅନୁପସ୍ଥିତ ରହୁଛନ୍ତି ଓ ବିଭିନ୍ନ ମିଟିଂ ଆଳରେ ସୋନପୁର ନିକଟସ୍ଥ କଳାପଥର ପାଖରେ ଭଡାରେ ଲୁଚି ରହୁଥିବା କୁହାଯାଉଛି ? ଏହି ସିସିଟିଭି କିଣା ସମ୍ପର୍କରେ ସୂଚନା ଅଧିକାର ବଳରେ ତଥ୍ଯ ମଗାଯାଇଥିଲା ହେଁ , ଦିଆଗଲା ନାହିଁ ! ଏ ସମ୍ପର୍କରେ ପଚାରିବାରୁ ସମ୍ପାଦକ ‘ ମୁଁ ଏଠିକା ଅଡୁଆରେ ପଶିବାକୁ ଚାହୁଁନାହିଁ । ମୋର ଚାକିରିକାଳ ସରିଆସିଲାଣି । ମୁଁ ଘରଖଣ୍ଡେ କରିପାରିନାହିଁ , ଭଡାଘରେ ରହୁଛି । ‘ ଇତ୍ୟାଦି କହି ଅସଲ ତଥ୍ଯପ୍ରକାଶରୁ ଏଡାଇ ଯାଉଥିବାର ଅନୁମାନ କରାଯିବା ସହ ଏଥିରେ ଏକ ବଡବଡିଆଙ୍କ ସମ୍ପୃକ୍ତି ଥିବାର ସନ୍ଦେହ ଦୃଢୀଭୂତ ହେଉଛି ।
ସେହିପରି ଇତିମଧ୍ୟରେ ଟଙ୍କା ଉଠାଇ ନେଇଥିବା ମହିଳାଙ୍କର ସ୍ବାମୀ ପୂର୍ବତନ ସମ୍ପାଦକଙ୍କ ବନ୍ଧୁ ତଥା ଏଇ କମ୍ପାନୀର ଏଜେଣ୍ଟ ଥିବା ମହିଳାଙ୍କର ମ୍ୟାନେଜର ମୁକେଶ ଭୋଇ ମଧ୍ଯ ‘ଏଥିରେ ଆମର କିଛି ନାହିଁ । ଆମେ ଟେଣ୍ଡର ଗାଇଡଲାଇନ ଅନୁସାରେ ପକାଇ ପରେ ଇ ଏମ ଡି ଡିପୋଜିଟ କରି ପାଇଛୁ । ଯଦି ଭୁଲ୍ ହେଇଥାଏ , ଆମେ ଦାୟୀ ହେବୁ ନାହିଁ ‘ ବୋଲି କୈଫିୟତ୍ ଦେଇଛନ୍ତି ।
ତେବେ ପୂର୍ବ ସମ୍ପାଦକଙ୍କ ଅମଳରୁ ବଜାଜ ଏଲାଇନ୍ସ ଆଳରେ ଚାଷୀମାନଙ୍କୁ ପ୍ରଭାବିତ କରାଯାଇ ପ୍ରଚୁର ଅର୍ଥ ଅସୁଲ କରାଯାଇଥିବା ଅଭିଯୋଗର ଚର୍ଚ୍ଚା ହେଉଛି । ଏହି ସିସିଟିଭି ଟେଣ୍ଡର ନେଇଥିବା ଫେକ୍ ଫାର୍ମଟି କିଭଳି ଫାର୍ମ , ଆଗରୁ ଏଭଳି କେଉଁ କେଉଁ ଟେଣ୍ଡରରେ ଭାଗ ନେଇଛି କି ; ତାହାର ତଦନ୍ତ କରାଯାଉ ବୋଲି ମଧ୍ଯ ଲୋକଙ୍କ ପକ୍ଷରୁ ଦାବି ହେଉଛି । ଏ ସମ୍ପର୍କରେ ନୂତନ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କର ମଧ୍ଯ ଦୃଷ୍ଟିଆକର୍ଷଣ କରାଯାଉଛି ।
ପୁନଶ୍ଚ ଏ ଅଭିଯୋଗ ସମ୍ପର୍କରେ ପୂର୍ବତନ ସମ୍ପାଦକ ଉଦିତ ବାବୁ ବା ଚେୟାରମ୍ୟାନଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଦଶନ୍ଧି ଧରି ଏହି ଆର୍ ଏମ୍ ସି ରେ ଏଭଳି ଅନେକ ଚାଷୀ ଓ ଜନସ୍ବାର୍ଥବିରୋଧୀ କୋଟି କୋଟି ଟଙ୍କାର ଦୁର୍ନୀତି ସ୍ଥାନୀୟ ଜନସାଧାରଣଙ୍କ ମଧ୍ଯରେ ପୁଞ୍ଜିଭୂତ ହୋଇ ରହିବା ଫଳରେ କେତେବେଳେ କେଉଁପରି ବିସ୍ଫୋରିତ ହେବ , କରିହେବନାହିଁ ଓ ଏଥିପାଇଁ ସରକାର ଦାୟୀ ରହିବେ ବୋଲି କୁହାଯାଉଛି ।
ତେଣୁ ଏହାର ଏକ ଭିଜିଲାନ୍ସ ତଦନ୍ତ ପାଇଁ ସରକାରଙ୍କ ନିକଟରେ ଲୋକେ ଦାବି କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ , ଏହି ଆର୍ ଏମ୍.ସିର ଅନିୟମିତତା ଓ ଦୁର୍ନୀତି ଅଭିଯୋଗର କୌଣସି ବିହିତ ତଦନ୍ତ କରାଯାଉନାହିଁ । ପୂର୍ବ ସରକାରଙ୍କ ଅମଳରେ ଓ ଚଳିତ ସରକାରଙ୍କ ସମୟରେ ମଧ୍ଯ ଯଥା ପୂର୍ବଂ ତଥା ପରଂ !