ଦୁର୍ନୀତି

ଆରଏମସି ପାଲଟିଛି ସୁନା ଅଣ୍ଡାଦିଆ କୁକୁଡ଼ା !

Email :

ଅନାବଶ୍ୟକ କିଣା କୋଟି-କୋଟିର ମେସିନ୍

ଡୁଙ୍ଗୁରିପାଲି : ସୋନପୁର ସମେତ ବିନିକା ଓ ଡୁଙ୍ଗୁରିପାଲି ବଜାର ପ୍ରାଙ୍ଗଣ ରହିଥିବା ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଆର୍ ଏମ୍ ସି ଟି ବସ୍ତୁତଃ ପ୍ରଶାସନ ଓ ବିଭାଗର ସୁନାଅଣ୍ଡାଦିଆ କୁକୁଡା ପାଲଟିଥିବା କୁହାଯାଉଛି । କାରଣ ବିନା ଆବଶ୍ୟକତାର ଓ ସ୍ବଚ୍ଛ ପ୍ରକ୍ରିୟାରେ ପ୍ରତିବର୍ଷ ଏହି ସଂସ୍ଥା ଜରିଆରେ ଚାଷୀମାନଙ୍କ ସୁବିଧା ଆଳରେ କୋଟି କୋଟି ଟଙ୍କାର ମେସିନ୍ ବା ଯନ୍ତ୍ରପାତି , ଉପକରଣ ଓ ଅନ୍ଯାନ୍ଯ ସାମଗ୍ରୀଗୁଡିକ କିଣାଯାଉଥିବାର ପ୍ରକୃତ ଭିତିରି ଉଦ୍ଦେଶ୍ଯ କେବଳ ଅଧିକାରୀଙ୍କ କମିଶନୀ ହାତସଫେଇ ବୋଲି ଅଭିଯୋଗ ହେଉଛି । ଏତଦ୍ ବ୍ୟତୀତ ଧାନକିଣା , ମଣ୍ଡି , ଉନ୍ନୟନ ଓ ଏପରିକି ସୋନପୁରଠାରେ ସିନେମାହଲ୍ ସହ ଏକ ସୁପର ମାର୍କେଟ୍ ନିର୍ମାଣ ଇତ୍ୟାଦିରେ କୋଟି କୋଟି ଟଙ୍କାର ଗୁରୁତର ଅନିୟମିତତାର ଅଭିଯୋଗ ସତ୍ତ୍ବେ ସରକାରଙ୍କ ପକ୍ଷରୁ ଉପଯୁକ୍ତ ତଦନ୍ତ ସୁଦ୍ଧା ହେଉନାହିଁ !

ଗତ ସରକାରଙ୍କ ଅମଳରେ ଏଠାରେ ଏସବୁ ଦୁର୍ନୀତି ସୀମାଲଙ୍ଘନ କରିଥିବା ବେଳେ ଚଳିତ ନୂଆ ସରକାର ଏତେ ଗୁରୁତର ଅଭିଯୋଗକୁ ନଜରଅନ୍ଦାଜ୍ କରାଯାଇ ଆସୁଛି ।

ଉଲ୍ଲେଖଯୋଗ୍ଯ ଯେ , ଏହି ନିମନ୍ତ୍ରିତ ବଜାର କମିଟିଟି ହୀରାକୁଦ ଜଳସେଚିତ ସୁବର୍ଣ୍ଣପୁର ଜିଲ୍ଲାର ଭାତହାଣ୍ଡି ଅଟେ । ଏହା ରାଜ୍ୟର ୨ୟ ଧନୀ ଆର୍ ଏମ୍ ସି । କିଛିବର୍ଷ ତଳେ ଏହାର ଜମାପାଣ୍ଠି ପ୍ରାୟ ୬୪ କୋଟି ଥିବା କୁହାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ପ୍ରାୟ ୯୦ କୋଟିରେ ପହଞ୍ଚିଥିଲା ।

ସୁବର୍ଣ୍ଣପୁର ଜିଲ୍ଲାପାଳ ଏହାର ଚେୟାରମ୍ୟାନ ଅଛନ୍ତି । ତେବେ ଏଠାରେ ଗତ ୭। ୬ । ୨୦୧୬ ତାରିଖରୁ ଦୀର୍ଘବର୍ଷ କାଳ ଜଣେ ସ୍ଥାନୀୟ ସମବାୟ ଇନ୍ସପେକ୍ଟର ଉଦିତ ବାବୁ ସମ୍ପାଦକ ପଦରେ ପୁନଃ ପୁନଃ ଅବସ୍ଥାପିତ ରହି ବିଭିନ୍ନ ଅନିୟମିତତାରେ ଜଡିତ ହୋଇପଡିବାର ଅଭିଯୋଗ ହୋଇଥିଲା । ତାଙ୍କ ବିରୁଦ୍ଧରେ କେତେକ ସ୍ଥାନୀୟ ବ୍ୟକ୍ତିବିଶେଷ ଓ ଚାଷୀମାନେ ଯାଇ ଗତବର୍ଷ ଜୁଲାଇ ୩୧ ତାରିଖରେ ବିଭାଗୀୟ ମନ୍ତ୍ରୀଙ୍କ ଠାରେ ଅଭିଯୋଗ କରିବାରୁ ମନ୍ତ୍ରୀ ୧୫ ଦିନ ମଧ୍ଯରେ ତତ୍କାଳୀନ ରାଜ୍ୟ ସମବାୟ ସମିତି ସମୂହ ନିବନ୍ଧକ ଭକ୍ତବନ୍ଧୁ ସାହୁଙ୍କୁ ନିର୍ଦ୍ଦେଶ କ୍ରମେ ସେ ରାଜ୍ୟ ସହାୟକ କୃଷି ବିପଣନ ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ।

ଅଭିଯୋଗ ଅନୁଯାୟୀ , ଉକ୍ତ ପୂର୍ବତନ ସମ୍ପାଦକ ୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅନିୟମିତତା କରିଥିଲେ । ଏଥିମଧ୍ୟରେ କୋଟି କୋଟି ଟଙ୍କାର ଅନାବଶ୍ୟକ ଯନ୍ତ୍ରପାତି କିଣା , ତାରପୋଲିନ୍ କିଣା , ସୋନପୁର ଠାରେ ସିନେମାହଲ ସମେତ ଏକ ସୁପର୍ ମାର୍କେଟ୍ ନିର୍ମାଣ, ବେଆଇନ୍ ନିଯୁକ୍ତି , ମିଲର୍ସ- ବେପାରୀଙ୍କ ସହ ମଧୁ ଚନ୍ଦ୍ରିକାରେ ମଣ୍ଡିରେ ଧାନକିଣା ଓ ଅନ୍ଯାନ୍ଯ ଦୁର୍ନୀତିର ପ୍ରକାଶ ପାଇଥିଲା । ଏପରିକି ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ସୂଚନା ଅଧିକାର ବଳରେ ତଥ୍ଯ ମଗାଯାଇ ଗଣମାଧ୍ୟମରେ ପ୍ରକାଶ ପାଇ ଚାଞ୍ଚଲ୍ଯ ସୃଷ୍ଟି କରିଥିଲା । ସୋନପୁର ଭିଜିଲାନ୍ସ ଡିଏସ୍ ପି ଆସି ଅଫିସ୍ ରୁ ଯାଞ୍ଚ ଆଳରେ କିଛି କାଗଜପତ୍ର ନେଇଯାଇଥିଲେ । ତଥାପି ଏହି ଅଭିଯୁକ୍ତ ପୂର୍ବତନ ସମ୍ପାଦକଙ୍କ ସହ ଚେୟାରମ୍ୟାନ ଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଓ ବିଧାୟକ ନିରଞ୍ଜନ ପୂଜାରୀଙ୍କ ସମ୍ପୃକ୍ତି ରହିଥିବା ପ୍ରକାଶିତ ଅଭିଯୋଗ ସତ୍ତ୍ବେ ସେମାନଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳି ନଥିଲା । ଶେଷରେ ବହୁକଷ୍ଟରେ ତାଙ୍କର ଏଠାକାର ଡେପୁଟେସନ ବାତିଲ୍ ହୋଇ ବଲାଙ୍ଗୀର ପୋଷ୍ଟିଂରୁ କଳାହାଣ୍ଡିର ଧର୍ମଗଡକୁ ବଦଳି ହୋଇଯାଇଛି ।

ତେବେ ଯିବା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ମଧ୍ଯରେ ଆହୁରି ଅନାବଶ୍ୟକ ଭାବରେ ବଜାରଦରଠାରୁ ଅଧିକ ମୂଲ୍ଯରେ କୋଟି କୋଟି ଟଙ୍କାର ପେଡି କ୍ଲିନର୍ , ଧାନବସ୍ତା ଲିଫ୍ଟିଂ ମେସିନ୍ , ତାରପୋଲିନ୍ ଆଦି କିଣାଯାଇଛି । ଏଥିରେ ହାତବାରିସି ଥିବା ତଥାକଥିତ କ୍ରୟକମିଟି , ଚେୟାରମ୍ୟାନ ବନାମ ଜିଲ୍ଲାପାଳ , ଏମ୍ ଡି ଓ ବିଭାଗୀୟମନ୍ତ୍ରୀଙ୍କ ଠାରୁ ତଳୁଉପର ପର୍ଯ୍ୟନ୍ତ ହାତ ଥିବା ଅଭିଯୋଗରୁ ପ୍ରକାଶ । ଏହାର ଭିଜିଲାନ୍ସ ତଦନ୍ତ ଜରୁରୀ ।

ସବୁଠାରୁ କ୍ଷୋଭର ବିଷୟ ଏହା ଯେ , ଏହି ସମ୍ପାଦକଙ୍କ ପରେ ବରଗଡରୁ ଆସିଥିବା ସମ୍ପାଦକ ସୁବାସ ପଣ୍ଡା ମଧ୍ଯ ଅନୁରୂପ ଅନିୟମିତତାରେ ଜଡିତ ହୋଇ ପଡିଥିବାର ଅଭିଯୋଗ ପ୍ରକାଶ ପାଇଛି । ଏ ସମ୍ପର୍କରେ ସୂଚନା ଅଧିକାର ବଳରେ ତଥ ଦିଆ ନ ଯିବାରୁ ଖୁବ୍ ଶୀଘ୍ର ଭିଜିଲାନ୍ସର ଆଶ୍ରୟ ନିଆଯିବାକୁ ଲୋକେ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

ଅଭିଯୋଗରୁ ପ୍ରକାଶ ଯେ ପ୍ରାୟ ଦୁଇମାସ ହେଲା ଆସିଥିବା ଓ ଅବସର ଗ୍ରହଣ ପାଇଁ ଆଉ ପ୍ରାୟ ଦୁଇମାସ ବାକି ଥିବା ଏହି ପଣ୍ଡାବାବୁ ରାଜ୍ୟ ଓ ଜିଲ୍ଲାର ଉପରିସ୍ଥ ଅଧିକାରୀଙ୍କ ସହ ମିଶି ନିଆଁଗିଳା ଦୁର୍ନୀତିରେ ଜଡିତ ହୋଇ ପଡିଛନ୍ତି !
ଏବେ ଆରଏମସି ପକ୍ଷରୁ ଟେଣ୍ଡର କରାଯାଇ ସିସିଟିଭି କିଣାଯାଇଛି । ଏହାର ମୂଲ୍ଯ ମଧ୍ଯ ବଜାରଦର ଠାରୁ ଯଥେଷ୍ଟ ଅଧିକ । କଥାହେଲା , ଏଥିପାଇଁ କରାଯାଇଥିବା ଟେଣ୍ଡର ଆହ୍ଵାନ ବେଳେ ବିଡରମାନଙ୍କୁ ଜଣକା ୫୦ ହଜାର ଟଙ୍କାର ଇ ଏମ୍ ଡି ଜମା କରିବାର ନିୟମ ରହିଥିଲେ ହେଁ , ଏହାର ଉଲଙ୍ଘନ କରାଯାଇ ଜଣକୁ ଫିକ୍ସିଙ୍ଗରେ ଦିଆଯାଇ,ପରେ ତା’ଠାରୁ ଏହା ଜମା ନିଆଯାଇଛି । ଏ ସମ୍ପର୍କରେ ପଚାରିବାରୁ ସମ୍ପାଦକ ପଣ୍ଡାବାବୁ ‘ଗାଇଡଲାଇନରେ ଭୁଲ୍ କ୍ରମେ ଆଗରୁ ବୋଲି ଲେଖିଦିଆଯାଇଥିଲା’ ବୋଲି ସଫେଇ ଦେଇଛନ୍ତି ! ଆହୁରି ମଧ୍ଯ ମୋର ଅବସର ଗ୍ରହଣ ଆଉ ଅଳ୍ପଦିନ ଅଛି । ମୁଁ ଏଯାଏ ଘର ଖଣ୍ଡିଏ ବି କରିପାରିନି , ଭଡାଘରେ ରହୁଛି । ଏଠିକା ଚକ୍ରାନ୍ତରେ ମୁଁ ପଶି ପାରିବିନି ‘ ଇତ୍ୟାଦି କହୁଛନ୍ତି !

ଏଣୁ ଏହିସବୁ ଅନିୟମିତତାର ତଦନ୍ତରେ ଆର ଏମ ସି ର ଚେୟାରମ୍ୟାନ ଥିବା ଜିଲ୍ଲାପାଳ ଓ ଏମ୍ ଡି ପ୍ରମୁଖଙ୍କୁ ମଧ୍ଯ ତଦନ୍ତର ପରିସରଭୁକ୍ତ କରାଯିବାକୁ ଲୋକେ ସରକାରଙ୍କ ନିକଟରେ ଦାବି କରନ୍ତି । ଏହିସବୁ କାରଣରୁ ଲୋକେ ଡୁଙ୍ଗୁରିପାଲି ଆର ଏମ ସି କୁ ଅସାଧୁ ଅଧିକାରୀଙ୍କର ସୁନାଅଣ୍ଡାଦିଆ କୁକୁଡା ବୋଲି ଚର୍ଚ୍ଚା କରୁଛନ୍ତି ।

Leave a Reply

Your email address will not be published. Required fields are marked *

Related Post