ରାଜନୀତି

ସାତମାସର ସରକାର : ଅଳପଜନେ ଅଧିକାର  !

Email :

ଘୋଷଣାରେ ଯୋଜନାବର୍ଷା

ଭୁବନେଶ୍ବର  : ପ୍ରାୟ ସାତମାସର ଏ ସରକାରରେ ଯେତେ ଯୋଜନାର ବର୍ଷା ହୋଇଚାଲିଛି , ସେତେ ସ୍ବପ୍ନ ପାଇଁ ରାତି ନାଇଁ !  ସାଢେ ଚାରିକୋଟି ଲୋକଙ୍କ ଭିତରୁ ସାଢେ ତିନିକୋଟିର ସ୍ବାସ୍ଥ୍ୟକାର୍ଡଠୁଁ ଯେତେ ଜମି ନାଇଁ , ତା’ଠୁଁ ବେଶି ଧାନବିକାର ଚାଷୀକାର୍ଡ ପରି ଯୋଜନାର ବର୍ଷା  ! ଅନ୍ୟାନ୍ୟ ବିଭାଗର ଅବସ୍ଥା ବି ତଦୃପ । ରାସ୍ତାଘାଟ , କଳକାରଖାନା , ନୂଆ ନୂଆ ପରିକଳ୍ପନାର ପ୍ରଚାରରେ ଲୋକେ ଜଳକା । ସିଏ ଥିଲେ , ଲୋକଙ୍କୁ ଭକୁଆ ବନେଇ ଏକଚାଟିଆ ଜଣତନ୍ତ୍ର ଚଳାଇବାର କର୍ପୋରେଟ୍ ଢାଞ୍ଚାର ଅମଲାତାନ୍ତ୍ରିକ ସରକାର । ଆଉ ଇଏ ଆସିଲେ , ଲୋକସରକାର ନାଁ’ରେ ରବରଷ୍ଟାମ୍ପ୍ ହେଇ ଚେସ୍ ପାଲିର ଡିଆଁଡେଇଁ ମରାମରିର ଖେଳ ଜାଣି ନଥିବା ଅନାଡିଦଳର ପଛଡବା ।

ଅଳପ ଜନଙ୍କୁ ଦାମୋଦର ଅଧିକାର ଦବାର ଭାଗବତରେ ଯୋଉମାନଙ୍କୁ ଇଙ୍ଗିତ କରି କୁହାଯାଇଥାଉନା କାହିଁକି , ଏବେ ଆଉ ଇତରଜନ ବା ତଳଜାତିର ଲୋକଙ୍କ ପ୍ରତି ତାହା ପ୍ରଜୁଯ୍ୟ ନୁହେଁ । ସେଇମାନେ ଅଳପଜନ , ଯାହାଙ୍କର ଛୋଟଲୋକୀ ବା ମଣିଷଙ୍କ ପ୍ରତି ମାନବିକତାର ଘୋର ଅଭାବ ରହିଥାଏ । ଯୋଉମାନଙ୍କର ପ୍ରଦତ୍ତ ବିଷୟ ବା ବିଭାଗର ସାଧାରଣ ଜ୍ଞାନଧ୍ୟାନ ଓ ବିବେକ ସହିତ ଦାୟିତ୍ୱବୋଧ ନଥାଏ । ସେଭଳି ଲୋକଙ୍କୁ ଯଦି ଦଳୀୟ ଟିକେଟ୍ ଦେଇ କ୍ଷମତାସୀନ ଦଳର ହାଉଆରେ ଜିତାଇ ଅଣାଯାଇ ଲୋକପ୍ରତିନିଧିର ଆସନରେ ବସାଇ ଦିଆଯାଏ , ସେମାନେ କରିବେ କ’ଣ  ? ଏଇଆ ଚାଲିଛି ! ତେଣୁ ହେ ଦାମୋଦର , ତମରି ନାଁ’ର ତରଙ୍ଗରେ ଏଠି ଆଜି ଯୋଉ ଅଳପଜନମାନେ ଗାଦୀସୀନ , ସେମାନଙ୍କ ଠାରୁ ଲୋକେ ଆଶା କରିବେ କିମଧିକମ୍  ?

ଗତ ଚବିଶବର୍ଷର ଅମଲାତାନ୍ତ୍ରିକ ଜଣତନ୍ତ୍ରର ସରକାର ବା ଛାୟା ମୁଖ୍ୟମନ୍ତ୍ରୀ ତାମିଲବାବୁଙ୍କ ଆଧିପତ୍ୟରେ ବିରକ୍ତ ହୋଇପଡି ଲୋକେ ତାଙ୍କର ଚୌକିଟେବୁଲ ଖଟ ଓଲଟେଇ ଦେଲେ । ସେମାନେ ଭାବି ନଥିଲେ , ହଠାତ୍ ଏ ପରିବର୍ତ୍ତନ ଆସିବ ! ଆସିଲା । ହେଲେ ସାତମାସ ବି କମ୍ ନୁହେଁ ! କ’ଣ ଦେଖୁଛନ୍ତି ଲୋକେ ? ପଚାର !

ପଚାରିଲାରୁ ଯାହା ଜଣା ପଡିଲାଣି , ସେମାନେ ପସ୍ତାଉଛନ୍ତି । ଆଗ ସରକାରର ମନ୍ତ୍ରୀ,ଏମଏଲଏମାନେ ରାଜଧାନୀକି ଗଲେ , କିଛି ନକଲେ ବି ଟିକେ ପଚାରୁଥିଲେ । ଏମାନେ ଚାରିଦିନ ଜଗିଜଗି ବି ଦେଖାଦର୍ଶନ ଦେଉନାହାଁନ୍ତି  ! ଖାଲି ଫୁଲତୋଡା ଗେଣ୍ଡୁମାଳ ବେକରେ ପକେଇବା ସଭାକୁ ବିଜେ ହଉଛନ୍ତି । ଆକାଶକୁସୁମ ତୋଳି ଆଣୁଛନ୍ତି ।  ପାଣି ପଡିଲାରୁ ଫୁଲିଗଲେଣି । ଜଣକା ତିନିଟା ଲେଖାଏଁ ବିଭାଗ ଲଦି ଦିଆଯାଇଛି । ୩ ଟା ଗାଡି , ୩ ଜଣ ପିଏ , ୩ ଟା ଦାୟିତ୍ୱ ।  କୁଆଡେ ଚାପରେ ନିଦ ହଉ ନଥିବାରୁ ଓଷଦ ପିଇ ଶୋଇପଡୁଛନ୍ତି  ; ନହେଲେ ନିଜ ନିର୍ବାଚନ ମଣ୍ଡଳୀ କି କୁଆଡୁ ଘେରାଏ ବୁଲି ଆସୁଛନ୍ତି  ? ମାନ୍ୟବରଙ୍କ ଖବରଟବର କେହି କହିପାରୁ ନାହାଁନ୍ତି  !  ଏଠି ତ ୧୨ ଖଣ୍ଡେ ଭୋଟ୍ ରେ ଜିତି ବି ଉପମୁଖିଆ  , ଓଡିଆଅସ୍ମିତାର ନାବରେ ବୈତରଣୀ ପାରି ହେଇଥିବା ଅର୍ଦ୍ଧ ଓଡିଆ-ଖଣ୍ଡି ଇଂଗ୍ଲିସ୍ – ଦଣ୍ଡୀହିନ୍ଦୀ କହୁଥିବା ସରଳ ଆଦିବାସୀ ମୁଖିଆ ଓ ରାମାଦାମାଶାମାମାନେ ଡବଲଇଞ୍ଜିନ୍ ର  ମାନ୍ୟବର ନାବିକ ବୋଲି ଚର୍ଚ୍ଚା ହେଉଛି । ଜଙ୍ଗଲରେ ହାତୀମାନେ ହତ୍ୟାର ଶିକାର ସହିତ ବାଘମାଉଁସ ଖାଇଲେଣି ଚୋରାଶିକାରୀ ।  ଧାନ କୁଇଣ୍ଟାଲ ପ୍ରତି ମୂଲ୍ୟବୃଦ୍ଧିକୁ ମଣ୍ଡିରେ ଭିଜୁଛି ଖରିଫଧାନ ଓ କଟନିଛଟନୀ ନିଷେଧାଦେଶକୁ ହେଣ୍ଡିମାରି ମିଲର୍ସ କାଟୁଛନ୍ତି ଚାରି/ ପାଞ୍ଚକେଜି ଓ ଚାଷୀ ଅଖାଧୋଇ ଗୁଣ ବାହୁନୁଛନ୍ତି ଭୋଟ୍ ଦେଇସାରି । ଛତୁଆରୁ ଠିକା ଯାଏ ରାଜତଣ୍ଡ । ମିଲେଟ ମିଶନଠୁଁ ଆଳୁମିଶନ ଫେଲ୍ ପାଇଁ ପୂର୍ବ ସରକାରଙ୍କ ମୁଣ୍ଡରେ ଅଠା ମହିଳାକାର୍ଡର ମିଶନଶକ୍ତି ପୋଲାଭରମ୍ ପରି ପୋଲା !  ଚାକିରୀବାକିରୀ ବିକ୍ରି ଏବକା ଦୋଷ ନୁହଁ ।  ନୂଆ ବୋତଲ ଅଣାଯାଇଛି , ପୁରୁଣାମଦ ଭରି ଦିଆଯିବ। ରଙ୍ଗବଦଳାଇ ଗାଡି ଚାଲିବ । ସେଠୁ ଏଠିକି ଡିଆଁଡେଇଁ ହେଇ ଆସିଛନ୍ତି ପା ! ଅବଶ୍ୟ ଆଗରୁ ଏମାନେ ଏକାଧିକବାରର ଭାଗ୍ୟବଳେ ବିିଧାତା ହୋଇ ଆସିଛନ୍ତି । ଦଇବ ଦଉଡି ମଣିଷ ଗାଈ ନ୍ୟାୟରେ କେନ୍ଦ୍ରରୁ ଡୋରି ଲାଗିଛି ।

ଏଣେ ରାଇଜର ମହାନଦୀ ଶୁଖିଗଲାଣି ତ ତେଣେ ପର୍ବତ ତାଡିବାକୁ ମୂଷିକଦୈତ୍ୟ ଚାରିପଟେ ଜମି ବିକିଲାଣି !  ଶୀତକାକରରେ ଧାରଣାରେ ଖପ୍ରାଖୋଲରେ ତହସିଲ ଅଫିସ୍ ଆଗରେ ତମ୍ବୁଟାଣି ପଡିଛନ୍ତି ଆନ୍ଦୋଳନକାରୀ ଓ ଏଣେ ଉତ୍ସବରେ ମାନ୍ୟବରମାନେ ଜିଲ୍ଲା ସଦର ମହକୁମାଠାରେ । ଆକାଶରେ ଯୋଜନାର କଳାମେଘ ଘୋଟିଛି । ବର୍ଷିବ ବର୍ଷିବ ହେଉଛି । ଜୟ କଳା  !

Leave a Reply

Your email address will not be published. Required fields are marked *

Related Post