ପେକ୍ସରେ ପିଟି ଓ କୃଷିଋଣ ଜାଲିଆତି
ଡିଆରସିଏସ୍ ଓ ଯୋଗାଣବିଭାଗ ବି ସାମିଲ୍
ସମ୍ବଲପୁର : ଚାଷୀମାନଙ୍କୁ ମହାଜନୀସୁଧ ଓ ଅନ୍ୟାନ୍ୟ ଘରୋଇ ସଂସ୍ଥା କବଳରୁ ରକ୍ଷା କରିବାକୁ ସରକାର ସମବାୟ ବ୍ୟାଙ୍କ ଜରିଆରେ କୃଷିଋଣରେ ରିହାତି ଓ ଗତ କିଛିବର୍ଷ ହେଲା ସୁଧମୁକ୍ତ ଋଣର ବ୍ୟବସ୍ଥା କରିଥିଲେ ହେଁ , ଅସାଧୁ ରାଜନୈତିକ ଥଇଥାନ ଓ ଦୁର୍ନୀତିଖୋର୍ କର୍ମଚାରୀଙ୍କ ଯୋଗୁଁ ରାଜ୍ୟର ସମବାୟ ବ୍ୟାଙ୍କଗୁଡିକ ଖୋଳ ହୋଇଗଲାଣି । ମୁଖ୍ୟତଃ ପଶ୍ଚିମଓଡିଶାର ସମ୍ବଲପୁର , ବରଗଡ , ବଲାଙ୍ଗୀର ,ସୁବର୍ଣ୍ଣପୁର , ବୌଦ୍ଧ , ସୁନ୍ଦରଗଡ , ନୂଆପଡା ଓ କଳାହାଣ୍ଡି ଇତ୍ୟାଦି ସମସ୍ତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ କୋଟି କୋଟି ଟଙ୍କାର ଅନିୟମିତତା ଧରାପଡିଥିବା ପ୍ରକାଶ ।
ସବୁଠାରୁ ବଡ଼ କଥା ଯେ ସରକାର ସବୁ ଜାଣିଶୁଣି ଏଭଳି ଦୁର୍ନୀତି ଓ ଅନିୟମିତତାକୁ ପ୍ରଶ୍ରୟ ଦେଇଚାଲିଥିବା । ଏଥିରେ ବର୍ଷ ବର୍ଷ ଧରି ଡିଆରସିଏସ୍ ଓ ଜିଲ୍ଲା ଯୋଗାଣ ବିଭାଗ ମଧ୍ୟ ସାମିଲ୍ ରହିଥିବା ଜଣାଯାଇଛି । ଯେଉଁ ସରକାର ଆସିଲେ ବି ଏଇ ଦୁର୍ନୀତିର ଦୁର୍ଭେଦ୍ଯଦୁର୍ଗକୁ ଭେଦ କରିବା ଅସମ୍ଭବ ହୋଇପଡିଛି । କୌଣସି ସମୀକ୍ଷା , କାର୍ଯ୍ୟାନୁଷ୍ଠାନ , ଜୋରିମାନା ବା ହଡପ ରାଶିର ଭରଣାକୁ କେହି ଖାତିର୍ କରୁନାହାଁନ୍ତି ! ଏପରିକି ସମ୍ବଲପୁର ଜିଲ୍ଲାର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବା ଏହାର ମୁଖ୍ୟାଳୟ ବରଗଡର ବିଭିନ୍ନ ଶାଖାରେ ହୋଇଥିବା ଆର୍ଥିକ ଅନିୟମିତତା , ହଡପ ଓ ଜୋରିମାନାର ଦୀର୍ଘ ୨୨ ବର୍ଷ ପରେ ବି ଭରଣା କରାଯାଇ ପାରୁ ନଥିବା ପ୍ରକାଶ । ଏ ସମ୍ପର୍କରେ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇ ଚାଞ୍ଚଲ୍ଯ ସୃଷ୍ଟି ହୋଇଥିବାବେଳେ ସରକାର ନାହିରେ ତେଲ ଦେଇ ଶୋଇପଡିଛନ୍ତି ବୋଲି ତୀବ୍ର ସମାଲୋଚନା ପ୍ରକାଶ ପାଇଛି ।
ଗତ ଅଡିଟ୍ ରିପୋର୍ଟରେ ୨୦୧୮ ପର୍ଯ୍ୟନ୍ତ ରାଜ୍ୟ ସମବାୟ ବ୍ୟାଙ୍କ ଓ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଅନିୟମିତତା ୪୨୨୫ .୧୭ ଲକ୍ଷ ଟଙ୍କା ଏବଂ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ୧୭୩୩. ୯୬ ଲକ୍ଷ ଟଙ୍କା ରହିଥିଲା । ଏଥିରୁ ମାତ୍ର ଅଳ୍ପ ପରିମାଣର ଅର୍ଥ ଭରଣା କରାଯାଇ ପାରିଛି । ଚାଷୀଙ୍କ ରିହାତି ଓ ସୁଧମୁକ୍ତ ଟଙ୍କା କାହା ପକେଟ୍ କୁ ଯାଉଛି , ସ୍ପଷ୍ଟ କରାଯାଇ ନାହିଁ ।
ଏକ ପ୍ରକାଶିତ ତଥ୍ୟ ଅନୁସାରେ , ବଲାଙ୍ଗୀର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଆର୍ଥିକ ଅନିୟମିତତା ୧ .୬୪ କୋଟି ଓ ଏଥିରେ ଭରଣା ହୋଇଛି ମାତ୍ର ୧୧. ୧୫ ଲକ୍ଷ । ସେହିପରି କଳାହାଣ୍ଡିର ଅନିୟମିତତା ୬୨. ୮୬ ଲକ୍ଷ ଓ ଭରଣା ୩୪.୯୬ ଲକ୍ଷ , ବୌଦ୍ଧରେ ଅନିୟମିତତା ୫୨. ୨୬ ଓ ଭରଣା ୧୦.୮୭ ଲକ୍ଷ , ସମ୍ବଲପୁରର ଅନିୟମିତତା ୩୦ .୦୧୫ କୋଟି ଓ ଭରଣା ରାଶି ୪ . ୫୭ କୋଟି ଏବଂ ସୁନ୍ଦରଗଡରେ ଅନିୟମିତତା ୩୨ .୨୩ କୋଟି ଓ ଭରଣା ହୋଇଛି ୧ . ୩୫ କୋଟି ଟଙ୍କା । ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର କେତେକ ଶାଖାରେ କେତେକଙ୍କୁ ଚାକିରୀରୁ ବହିଷ୍କାର ଓ ଥାନାରେ ଏତଲା ସତ୍ତ୍ୱେ ହଡପ ରାଶିର ଅଳ୍ପ ପରିମାଣର ଅର୍ଥ ଭରଣା କରାଯାଇ ପାରିଛି ।
ତେବେ ଉପରୋକ୍ତ ଆର୍ଥିକ ଅନିୟମିତତାର କାରଣ ସ୍ବରୂପ ଜଣାଯାଇଛି ଯେ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ପେକ୍ସ ବା ପ୍ରାଥମିକ କୃଷି ସମବାୟ ସମିତିରେ ଅଧିକନ୍ତୁ ଅସାଧୁ ଓ ଦୁର୍ନୀତିଖୋର୍ ସଭାପତି , ସମ୍ପାଦକ , ଡିଇଓ ପ୍ରମୁଖଙ୍କ ସମେତ ଏମାନଙ୍କ ମୁହଁ ବଢାଇବାରେ ଡିଆରସିଏସ୍ , ଏଆରସିଏସ୍ , ଇନିସପେକ୍ଟର ପ୍ରମୁଖ ସମ୍ପୂର୍ଣ୍ଣତଃ ଦାୟୀ ଅଟନ୍ତି । ଦୀର୍ଘ ବର୍ଷ ବର୍ଷ ଧରି ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଏଭଳି ୨ ଜଣ ପୁରୁଣାମୂଷା ( ଜଣେ ଇନିସ୍ ପେକ୍ଟର ବନାମ ଭାରପ୍ରାପ୍ତ ଏଆରସିଏସ୍ ଓ ଜଣେ ଏଆରସିଏସ୍ ଅବସ୍ଥାପିତ ରହିଛନ୍ତି ) , ସେମାନଙ୍କ ଇସାରାରେ ପେକ୍ସରେ ସମ୍ପାଦକ ନିଯୁକ୍ତି , ଜାଲ୍ ସମବାୟ ପ୍ରମାଣପତ୍ର ରାକେଟ୍ , ସହକାରୀ ଭାରପ୍ରାପ୍ତ ସମ୍ପାଦକ ଥଇଥାନ ଓ ଯାବତୀୟ ଦୁର୍ନୀତିର ଅଭିଯୋଗ ପ୍ରକାଶ ପାଇ ଆସୁଥିଲେ ହେଁ , ସରକାର ବା ବିଭାଗ କର୍ଣ୍ଣପାତ କରୁନାହାଁନ୍ତି !
ଏହାସହିତ ସୁବର୍ଣ୍ଣପୁର ଜିଲ୍ଲାର ତରଭା କମସରା ପେକ୍ସରେ ଫେକ୍ ଭେଣ୍ଡର , ଗତ ଖରିଫ୍ ଧାନକିଣାରେ ଜାଲିଆତିକୁ ଗ୍ରାମରେ କଙ୍ଗାରୁକୋର୍ଟରେ ହାତଲେଖା ସ୍ବୀକାରୋକ୍ତିରେ ଫୈସଲା ଇତ୍ୟାଦି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଛି ।
ଏତଦବ୍ୟତୀତ ପ୍ରତିବର୍ଷର ଧାନମଣ୍ଡି ଦୁର୍ନୀତିରେ ମିଲର୍ସ- ଅନ୍ୟରାଜ୍ୟ ଛତିଶଗଡକୁ ଚୋରାଧାନ ଚାଲାଣର କଳାବଜାରୀ – ଯୋଗାଣ ବିଭାଗର ମିଳିତ ମଧୁଚନ୍ଦ୍ରିକା ଫଳରେ ଏହି ଅନିୟମିତତା ବୃଦ୍ଧି ପାଇ ଚାଲିଛି । ପେକ୍କଗୁଡ଼ିକରେ ଋଣପ୍ରଦାନ ଓ ପରିଶୋଧରେ କେବଳ ପିଟି ବା ପେପର ଟ୍ରାନଜେକସନ କରାଯାଉଛି I ବିଗତ ସରକାରର ପୂର୍ବତନ ସମବାୟ ମନ୍ତ୍ରୀ ଡା ଦାମୋଦର ରାଉତ ଏଇ ଦୁର୍ନୀତିକୁ ସ୍ବୀକାର କରିବା ଓ ବିଭିନ୍ନ ସମୟରେ ବହୁ ଗୁରୁତର ଅଭିଯୋଗ ପ୍ରକାଶ ପାଇବା ଇତ୍ୟାଦି ପ୍ରତି ସରକାର ସଚେତନ ରହିଲେ ଯାଇ ଏହାର ନିରାକରଣ ସମ୍ଭବ ! ନତୁବା ଏହା ଧର୍ମକୁ ଆଖିଠାର ଛଡା ଆଉକିଛି ନୁହେଁ !