ଦୁର୍ନୀତି

ସମବାୟବ୍ୟାଙ୍କ୍ ରେ ପିଟିଋଣ ଜାଲିଆତି !

Email :1

ପେକ୍ସରୁ ଲମ୍ବିଛି ବ୍ୟାଙ୍କ୍ ପର୍ଯ୍ୟନ୍ତ

ଦେଓଗାଁ : ବର୍ଷ ବର୍ଷ ଧରି ଚାଷୀଙ୍କର ଉନ୍ନତି ନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ବା ପେକ୍ସ ଜରିଆରେ ସମବାୟ ବ୍ୟାଙ୍କ ପକ୍ଷରୁ ଧାନ ଓ ରବି ବା ପନିପରିବା ଚାଷ ପାଇଁ ଋଣ ପ୍ରଦାନ କରାଯାଇଥାଏ । ଚାଷୀ ଏହା ନେଇ ଋଣ ସୁଝି , କିଛି ଅଂଶଧନ ଜମା ଦେଇ ବ୍ୟାଙ୍କକୁ ଆର୍ଥିକ ସହାୟତା କରିବା ସହିତ ପରିବାରର ଗୁଜୁରାଣ ମେଣ୍ଟାଇ ଥାଏ । ତେବେ ବିଡମ୍ବନାର ବିଷୟ ଯେ , ସାରାରାଜ୍ଯରେ ଏହି ଋଣପ୍ରଦାନ ଏକ ବିରାଟ ପ୍ରହସନରେ ପରିଣତ ହୋଇଛି । ଅର୍ଥାତ୍ ଏହା କେବଳ କାଗଜପତ୍ର ବା ପେପର ଟ୍ରାଞ୍ଜେକସନ୍ ବନାମ ପିଟିରେ ପରିଣତ ହେବା ଏକ ଅପ୍ରିୟସତ୍ୟ । ଏହାକୁ ପିଟିଋଣ କୁହାଯାଏ । ବେଳେ ବେଳେ ଏହା ଋଣଜାଲିଆତିକୁ ମଧ୍ଯ ପ୍ରୋତ୍ସାହିତ କରିଥାଏ । ସବୁଠାରୁ ବଡକଥା ହେଲା , ନିଜେ ଚାଷୀ ତା’ର ଜ୍ଞାତସାରରେ ଏଭଳି ଜାଲିଆତିର ଅଂଶୀଦାର ପାଲଟିଥାଏ ।

ତଦନ୍ତବେଳେ ପହଞ୍ଚିବାରୁ ସାମ୍ବାଦିକଙ୍କୁ ସେକ୍ରେଟାରୀଙ୍କ ମାଡ

ଏବେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ’ ବ୍ଲକର ଉପରଝର ପେକ୍ସରେ ଏଭଳି ଏକ ପିଟିଋଣ ଘଟଣାକୁ ନେଇ ମାମଲା ଥାନାକୁ ଯାଇଛି । ଏହି ପଞ୍ଚାୟତର ଫଟାମୁଣ୍ଡା ଗ୍ରାମର ମଗନ ରାଏ ନାମକ ଜଣେ କ୍ଷୁଦ୍ରଚାଷୀ ଉପରଝର ପେକ୍ସ ଜରିଆରେ ଜରାସିଂହା ସମବାୟ ବ୍ୟାଙ୍କରୁ ଗତବର୍ଷ ଟମାଟୋ ଚାଷ ପାଇଁ ଋଣ ନେଇଥିଲେ । କିଛିଦିନ ତଳେ ତାଙ୍କ ମୋବାଇଲ ଫୋନକୁ ସେ ୬୧ ହଜାର ଟଙ୍କା ଉଠାଇଥିବାର ଏକ ମେସେଜ ଯିବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ତାଙ୍କ କହିବାନୁଯାୟୀ ସେ ଏହି ଟଙ୍କାର ଉଠାଣ ପାଇଁ ଆକାଉଣ୍ଟ ସ୍ଲିପ୍ ଆଦିରେ ବା କେଉଁଠି ଦସ୍ତଖତ ଦେଇ ନଥିଲେ । ତାଙ୍କର ସମ୍ପୂର୍ଣ୍ଣ ଅଜାଣତରେ ଏତେ ପରିମାଣର ଟଙ୍କା ଉଠି ତାଙ୍କ ଆକାଉଣ୍ଟରୁ କଟିଯିବାରୁ ସେ ଏ ସମ୍ପର୍କରେ ଉପରଝର ପେକ୍ସ ସମେତ ଜରାସିଂହା ସମବାୟ ବ୍ୟାଙ୍କକୁ ଯାଇ ପଚାରିଥିଲେ । କିନ୍ତୁ ତାହା ତମେ ହିଁ ଉଠାଣ କରିଛ ଓ ଉଠାଣ ସ୍ଲିପ୍ ରେ ଦସ୍ତଖତ ଦେଇଛ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଗାଲୁ ମାରିବାରୁ ସେ ଏ ସମ୍ପର୍କରେ ବଲାଙ୍ଗୀର ଡିଆରସିଏସ୍ , ଜିଲ୍ଲାପାଳ ଓ ଦେଓଗାଁ’ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ସମ୍ପର୍କିତ ତଥ୍ଯ ପେକ୍ସର ସିସି ଟିଭି ଫୁଟେଜ୍ ରେ ରହିଛି ।

ଦେଓଗାଁ’ ପୁଲିସର କହିବାନୁଯାୟୀ , ତାଙ୍କର ଉକ୍ତ ଅଭିଯୋଗର ତଦନ୍ତ କରାଯାଇଥିଲା ଓ ଏହା ବିଭାଗୀୟ ତଦନ୍ତାଧୀନ ରହିଛି । ଏହା ସହିତ ଡିଆରସିଏସଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ଅଫିସ୍ ରୁ ଜଣେ ଇନ୍ସପେକ୍ଟର ବବଲୁ ମେହେର ଓ ଅନ୍ୟ ଜଣେ ଏପରି ୨ ଜଣ ଅଧିକାରୀ ଉପରଝର ପେକ୍ସକୁ ପହଞ୍ଚି ତଦନ୍ତ କରିଥିଲେ ।

ତେବେ ଏହି ସମୟରେ ଉକ୍ତ ଅଭିଯୋଗକାରୀ ଚାଷୀ ନିଜେ ଜଣେ ସୂଚନାକର୍ମୀ ହୋଇଥିବାରୁ ବଲାଙ୍ଗୀରରୁ ତାଙ୍କ ପରିଚିତ କେତେକ ବରିଷ୍ଠ ସୂଚନାକର୍ମୀ ତଥା ସାମ୍ବାଦିକଙ୍କୁ ଡକାଇଥିଲେ । ବଲାଙ୍ଗୀରର କୋଶଲ ଟିଭି ନାମକ ଏକ ୱେବ୍ ଚ୍ୟାନେଲର ସାମ୍ବାଦିକ ଶଙ୍କର ପ୍ରସାଦ ପାଣିଗ୍ରାହୀ ପେକ୍ସରେ ପହଞ୍ଚିଯାଇ ତାଙ୍କ ମୋବାଇଲରେ ଅଫିସ୍ ବାହାରେ ଫଟୋ ଉଠାଇଲା ବେଳେ ପେକ୍ସର ସେକ୍ରେଟାରୀ କାମାକ୍ଷା ପ୍ରସାଦ ସାହୁ ଅଫିସ ଭିତରୁ ବାହାରି ଆସି ‘ ଆପଣ କିଏ ? କାହିଁକି ଫଟୋ ଉଠାଉଛ ? ‘ କହି ମାଡି ଆସିଥିଲେ । ସେ ମୁଁ ‘ କୋଶଲ ଟିଭିର ରିପୋର୍ଟର ବୋଲି ପରିଚୟ ଦେବା ସତ୍ତ୍ବେ ସେକ୍ରେଟାରୀ ତାଙ୍କୁ ମାଡମାରି ମୋବାଇଲ ଟାଣି ଫିଙ୍ଗି ଦେଇଥିଲେ । ଆହୁରିମଧ୍ୟ ସେଠାରେ ଚାଲିଥିବା ଧାଣମଣ୍ଡିର ଦେଖାଶୁଣା କରୁଥିବା ତାଙ୍କ ଭାଇ ଉତ୍ତମ ସାହୁ ମଧ୍ଯ ଧାଇଁଆସି ଉକ୍ତ ଭିନ୍ନକ୍ଷମ ସାମ୍ବାଦିକ ଜଣକୁ ମାଡ ମାରିଥିଲେ । ସେମାନେ ତାଙ୍କୁ ଗାଳିଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେଇଥିବା ମଧ୍ଯ ସାମ୍ବାଦିକ ଜଣକ ସେଠାରୁ ଯାଇ ଦେଓଗାଁ’ ଥାନାରେ ଦେଇଥିବା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ଏହି ଅନୁଯାୟୀ ଗତ ଡିସେମ୍ବର ୨୭ ତାରିଖରେ ଭାରତୀୟ ନ୍ୟାୟ ସଂହିତା ର ୨୦୨୩ / ୩ ( ୫ ) ର ୧୨୬ ( ୨ ) , ୧୧୫ ( ୨ ) , ୩୫୧ ( ୨) ଦଫାରେ ଏକ ମାମଲା ଋଜୁ କରି ତଦନ୍ତ କରୁଛନ୍ତି । ଅପର ପକ୍ଷରେ ଅଭିଯୁକ୍ତ ସେକ୍ରେଟାରୀ କାମାକ୍ଷା ପ୍ରସାଦ ସାହୁଙ୍କ ପକ୍ଷରୁ ମଧ୍ଯ ଏକ ପ୍ରତିଏତଲା ଥାନାକୁ ପଠାଯାଇ କେତେକ ଅଜଣା ବ୍ଯକ୍ତି ତାଙ୍କ ଅଫିସକୁ ପଶି ଟଙ୍କା ମାଗି ଝଗଡା କରିବା ଇତ୍ୟାଦି ପ୍ରତ୍ୟଭିଯୋଗ କରିଥିବାରୁ ତାହାର ତଦନ୍ତ ଚାଲିଥିବା ପୁଲିସ କହିଛି । ଅଥଚ ଏ ସମ୍ପର୍କରେ ଉକ୍ତ ସେକ୍ରେଟାରୀଙ୍କୁ ପଚାରିବାରୁ ସେ ସ୍ବୀକାର କରିଥିଲେ ଯେ ‘ ମୋତେ ସୂଚନା ଅଧିକାରର ତଥ୍ଯ ମାଗିବା ଆଳରେ ଏହି ଗୋଷ୍ଠୀର ୩/ ୪ ଜଣ ମୋ ନାଁ’ରେ ଖବର ପ୍ରକାଶ କରିବା ସହିତ ଲଗାଏତ୍ ପ୍ରାୟ ଦଶ ଦିନ ଧରି ମୋତେ ୩୦ ହଜାର ଟଙ୍କା ଦାବି କରି ମୋର ମୁଣ୍ଡ ଖରାପ କରି ଦେବାରୁ ମୁଁ ଅଫିସ୍ ର ଫଟୋ ଉଠାଉଥିବା ଦେଖି ରାଗିଗଲି । ତେବେସେ ଜଣେ ଭଲ ଲୋକ ବୋଲି ଜାଣିବା ପରେ ଆପଣମାନେ ତାଙ୍କୁ କହିଦିଅନ୍ତୁ , ମୁଁ ଯାଇ ତାଙ୍କର ଗୋଡ ଧରି କ୍ଷମା ମାଗିବି । ‘

କିନ୍ତୁ ଦେଓଗାଁ’ ଥାନାର ଆଇଓ ସୁରେଶ ଚନ୍ଦ୍ର ବିଶି ଏହି ମାମଲାରେ ଅଭିଯୁକ୍ତ ଗିରଫ ନ ହେଲା ଭଳି କୋହଳ ଦଫା ଋଜୁ କରିଥିବାର ଓ ଏହାପୂର୍ବର ମଗନ ରାଏଙ୍କ ୬୧ ହଜାର ଠକେଇ ଏତଲା ପଞ୍ଜୀକରଣ କରି ନଥିବାର କାରଣ ସମ୍ପର୍କରେ ତାହା ତଦନ୍ତରେ ଉପରିସ୍ଥ ଅଧିକାରୀ ଯୋଡି ପାରିବେ ବୋଲି ସଫେଇ ଦେଇଥିଲେ ।

ଏ ସମ୍ପର୍କରେ ଜରାସିଂହା ସମବାୟ ବ୍ୟାଙ୍କ ଓ ଉପରଝର ପେକ୍ସରେ ଅନୁସନ୍ଧାନ କରାଯିବାରୁ ଘଟଣାଟି ସତ୍ଯତା ଜଣାପଡିଛି । ବ୍ୟାଙ୍କ ମ୍ୟାନେଜର ରଞ୍ଜନ କୁମାର ମିଶ୍ର ଓ ସେଠାରେ ତଦନ୍ତ ପାଇଁ ପହଞ୍ଚିଥିବା ବଲାଙ୍ଗୀର ସମବାୟ ବ୍ୟାଙ୍କର ଏଜିଏମ୍ ଜ୍ୟୋତ୍ସ୍ନାମୟୀ ପଧାନ ଓ ଉପସ୍ଥିତ ଥିବା ଚାଷୀ ମଗନ ରାୟଙ୍କୁ ମଧ୍ଯ ପଚରାଯାଇଥିଲା । ଏଠାରୁ ଉକ୍ତ ଚାଷୀ ଜଣକ ତାଙ୍କର ତିନିଭାଇଙ୍କର ମାତ୍ର ଏକ ଏକଡ ଜମି ନାଁ’ ରେ , ଯାହା କି ସେ ଆଦୌ ଚାଷଫାଶ କରନ୍ତି ନାହିଁ ଓ ପୁନଶ୍ଚ ସେ ଜମିଟିକୁ ସେମାନେ ଭାଗରେ ଲଗାଇଦେଇଛନ୍ତି ; ସେହି ଜମି ନାଁ’ରେ ଗତ ୫ ବର୍ଷ ଧରି ଏହି ପିଟିଋଣ ନେଉଥିବା ପ୍ରକାଶ କରିଥିଲା ବେଳେ , ବ୍ୟାଙ୍କ ମ୍ୟାନେଜର ‘ସାରାରାଜ୍ଯରେ ଏଭଳି ଚାଲିଛି ଓ ଏହି ବ୍ୟାଙ୍କରେ ମଧ୍ୟ ୯୦ ପ୍ରତିଶତ ଏହା ଚାଲିଥିବା ସ୍ବୀକାର କରିଥିଲେ । ସେ କହିଥିଲେ ଯେ ‘ ଆମେ ଦେଉଥିବା ୪ % ସୁଧର ଋଣ ନ ସୁଝିଲେ , ସେମାନେ ୧୨% ଋଣର ଖିଲାପୀ ହୋଇଯିବେ । ‘ ଏପରିକି ଉକ୍ତ ମହିଳା ବରିଷ୍ଠ ଅଧିକାରୀ ଜଣକ ମଧ୍ଯ ଏଭଳି କାରବାରକୁ ସମର୍ଥନ କରି ‘ ଚାଷୀ ନିଜେ ଆସି ନେଉଥିବା ଋଣକୁ ଓଲଟପାଲଟ କରିଦିଅ ‘ ବୋଲି କହୁଥିବା ପ୍ରକାଶ କରିଛନ୍ତି । ସେଠାରେ ଉପସ୍ଥିତ ଅଭିଯୋଗକାରୀ ଚାଷୀ ମଗନ ରାଏ ଉକ୍ତ ଅଧିକାରୀଙ୍କ ସମ୍ମୁଖରେ ପେକ୍ସ ସେକ୍ରେଟାରୀମାନେ ସଲାସୁତୁରାରେ ଚାଷୀଙ୍କର ପାସ୍ ବୁକ୍ ନିଜପାଖରେ ରଖି ଏହି ପିଟିଋଣ କରାଉଥିବା ପ୍ରକାଶ କରିଥିଲେ । ଆହୁରି ବି ସେ ଉକ୍ତ ସେକ୍ରେଟେରୀ ତାଙ୍କ ଘରକୁ ଯାଇ ତାଙ୍କ ଠାରୁ ୫୦ ହଜାର ଟଙ୍କା ଆଣି ରସିଦ୍ ଦେଇ ନଥିବା ଓ ଆହୁରି ୨୦ / ୨୫ ହଜାର ଟଙ୍କା ବଢାଇ ପୁଣି ଏକ ଋଣ କରିଦେବାକୁ ଲୋଭ ଦେଖାଇଥିବା ପ୍ରକାଶ କରିଛନ୍ତି । ତେବେ ଚାଷୀ ଓ ପେକ୍ସର ସହମତିରେ ବ୍ୟାଙ୍କର ଜ୍ଞାତସାରରେ ଏହା ଚାଲି ଆସିଥିବା ଏଥିରୁ ପ୍ରମାଣିତ ।

ତେଣୁ ପ୍ରଥମ କଥା ହେଲା , ଭାଇଭାଗର ମାତ୍ର ଏକଡେ ଜମିର ଇଜିମାଇଲି ନାମମାତ୍ର କ୍ଷୁଦ୍ର ଭାଗଚାଷୀମାନେ ବ୍ୟାଙ୍କର ତଳୁଉପର ପର୍ଯ୍ୟନ୍ତ ସମସ୍ତଙ୍କ ସମ୍ପୂର୍ଣ୍ଣ ଜ୍ଞାତସାରରେ ପେକ୍ସର ସମ୍ପାଦକଙ୍କ ମିଳିତ ସହଯୋଗରେ ଓ ନିଜର ସହମତିରେ ଏହି ପିଟିଋଣ ଆଣି ଓ ତଥାକଥିତ ପରିଶୋଧ ପୂର୍ବକ କିଛି ଟଙ୍କାର ବଳକା ଫାଇଦା ନିମନ୍ତେ ଏହି ମିଛଜାଲରେ ପଡୁଥିବା ହିଁ ସମବାୟ ଋଣର ଅସଲ ଗୁମର ବୋଲି ଏଥିରୁ ପ୍ରମାଣିତ ।

ଦ୍ବିତୀୟତଃ ଏବେ ବଲାଙ୍ଗୀର ଜିଲ୍ଲାରେ ଚଳିତ ଖରିଫ ଧାନର ବିକ୍ରି ପାଇଁ ୧୫୮ ଟି ମଣ୍ଡି ଖୋଲାଯାଇ ଧାନ କିଣାଯାଉଛି । ଗତବର୍ଷ ଉଭୟ ଖରିଫ ଓ ରବିଋତୁର ଧାନ ମଣ୍ଡିରେ ବ୍ୟାପକ ଦୁର୍ନୀତି ହୋଇଛି । ପେକ୍ସ ସମ୍ପାଦକମାନେ ମାଲାମାଲ୍ ହେଉଛନ୍ତି । ଏହି ବ୍ଲକର ଅର୍ଜୁନପୁର ପେକ୍ସର ସମ୍ପାଦକ ଟୁନା ପ୍ରଧାନ ଓ ତା’ ପୂର୍ବର ପୂର୍ବତନ ସମ୍ପାଦକଙ୍କ ପୁଅ ଭାରପ୍ରାପ୍ତ ସହ- ସମ୍ପାଦକ ପ୍ରମୁଖଙ୍କ ନିଯୁକ୍ତିର ମାଳ ମାଳ ପ୍ରକାଶିତ ଅଭିଯୋଗର ଏଯାବତ୍ ଉଚିତ ତଦନ୍ତ ହେଲାନାହିଁ ! ଖୋଦ୍ ଡିଆରସିଏସ୍ ଅଫିସ୍ ର ଜନୈକ ରବୀନ୍ଦ୍ର ପଣ୍ଡା ଗତ ଦଶନ୍ଧି ଦଶନ୍ଧି ଧରି ଇନ୍ସପେକ୍ଟରରୁ ପଦୋନ୍ନତି ପାଇ ଏବେ ସଦର ଏଆରସିଏସ୍ ଓ ସେ ହିଁ ଯାବତୀୟ ସମବାୟ ସାର୍ଟିଫିକେଟ୍ ସମେତ ସବୁପ୍ରକାରର ଦୁର୍ନୀତିର ମୂଳ ବୋଲି ଅଭିଯୋଗ ପ୍ରକାଶ ପାଇ ଆସୁଥିଲେ ହେଁ , ସରକାର ନୀରବ । ଗଉଡଗୋଠ ପେକ୍ସ ସମ୍ପାଦକ ଏକ ଘରୋଇ ହାୟର ସେକେଣ୍ଡାରୀ ସ୍କୁଲର ପରୋକ୍ଷ ମାଲିକ । ଗତଥରର ମୁନାଫାରେ ଏକାଧିକ ପେକ୍ସର ଭାରପ୍ରାପ୍ତ ସମ୍ପାଦକ ରହି ନୂଆ / ପୁରୁଣା ସେକ୍ରେଟାରୀମାନେ ଆର୍ଟିକା ଓ ଅନ୍ଯାନ୍ଯ ନୂଆକାର୍ କିଣି ଚଢୁଛନ୍ତି । ଏସବୁ କି ଏହି ପିଟିଋଣର କମାଲ୍ ?

Leave a Reply

Your email address will not be published. Required fields are marked *

Related Post