ଅଧିକକାଳ ଅବସ୍ଥାପିତ ଅଧିକାରୀମାନେ ଦୁର୍ନୀତିଗ୍ରସ୍ତ :
ନିଯୁକ୍ତି ବଦଳି ପଦୋନ୍ନତିରେ ନିୟମ ଉଲଙ୍ଘନ !
ଭୁବନେଶ୍ବର : ଓଡିଶା ସମବାୟ ସମିତି ସମୂହ ନିବନ୍ଧକ ବା କୋ ଅପରେଟିଭ୍ ସୋସାଇଟିଜ୍ ରେଜିଷ୍ଟ୍ରାର୍ ଙ୍କ ଅଧୀନସ୍ଥ ସମବାୟ ସମିତି ସମୂହ ଉପ ନିବନ୍ଧକ ବା ଡିଆର୍ ସିଏସ୍ ମାନଙ୍କର କେତେକ ଏଆରସିଏସ୍ ଓ ଇନିସପେକ୍ଟରମାନେ ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ ହୋଇପଡିଥିବା ଅଭିଯୋଗ ହେଉଛି । ଗୋଟିଏ ସ୍ଥାନରେ ବେଶିଦିନ ରହିଥିବା ହେତୁ ସେମାନେ ଦୁର୍ନୀତିରେ ଅଭ୍ୟସ୍ତ ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି । ଏପରିକି ପଦୋନ୍ନତି ପାଇ ସେଇଠି ପୁନଶ୍ଚ ପୋଷ୍ଟିଂ ଓ ଆର୍ ଏମ୍ ସି ର ସମ୍ପାଦକ ପରି ଦୁହାଁଳିଆ ଲାଭଜନକ ପଦରେ ବର୍ଷାଧିକ କାଳ ଧରି ଡେପୁଟେସନରେ ରହି ଏଇ ଅଧିକାରୀମାନେ ଦୁର୍ନୀତି କରିଚାଲିଥିବା ଦେଖାଯାଇଛି । ଆଶ୍ଚର୍ଯ୍ୟର ବିଷୟ ଯେ ରେଜିଷ୍ଟ୍ରାର ମଧ୍ୟ ଏଭଳି ଅଧିକାରୀଙ୍କୁ ତାଙ୍କ କ୍ଷମତା ବହିର୍ଭୂତ ନିଯୁକ୍ତି ଦେଇଥିବା ଦେଖିବାକୁ ମିଳିଛି ! ବିଡମ୍ବନାର ବିଷୟ ଯେ ସମ୍ପୃକ୍ତ ଜିଲ୍ଲାଗୁଡିକର ପ୍ରାଶାସନିକ ଦାୟିତ୍ୱରେ ଥିବା ଜିଲ୍ଲାପାଳ ଓ ମନ୍ତ୍ରୀ / ବିଧାୟକଙ୍କର ରାଜନୈତିକ ସଂରକ୍ଷଣ ପ୍ରାପ୍ତ ହୋଇ ଏବଂ ଅନ୍ୟାୟୋପାର୍ଜିତ ପ୍ରଚୁର ଅର୍ଥବଳରେ ସେମାନେ ନିରଙ୍କୁଶ ହୋଇପଡୁଥିବା ଅଭିଯୋଗ ପ୍ରକାଶ ପାଇଛି ।
ଉଦାହରଣ ସ୍ୱରୂପ , ଗତବର୍ଷଠାରୁ ପ୍ରକାଶିତ ଅଭିଯୋଗ ଅନୁଯାୟୀ , ବଲାଙ୍ଗୀର ଉପନିବନ୍ଧକଙ୍କ ଅଧୀନସ୍ଥ ଜଣେ ଇନ୍ସପେକ୍ଟରରୁ ପଦୋନ୍ନତି ପାଇ ଜିଲ୍ଲାରେ ପ୍ରାୟ ୩୦ ବର୍ଷକାଳ ରହିଥିବା ଏଆରସିଏସ୍ ଙ୍କ ବିରୋଧରେ ଘନ ଘନ ଅଭିଯୋଗ ପ୍ରକାଶ ପାଇଥିବା ସତ୍ତ୍ୱେ ସେ ନିରଙ୍କୁଶ ରହି ଆସିଛନ୍ତି । ମୁଖ୍ୟତଃ ତାଙ୍କ ବିରୋଧରେ ଅର୍ଜୁନପୁର ପେକ୍ସର ସମ୍ପାଦକ ନିଯୁକ୍ତିରେ ଜାଲିଆତି ଓ ପୂର୍ବତନ ସମ୍ପାଦକଙ୍କ ପୁଅକୁ ୭ ଲକ୍ଷ ଟଙ୍କା ଉତ୍କୋଚ ନେଇ ସହକାରୀ ସମ୍ପାଦକ ପଦରେ ରଖି ମଣ୍ଡିର ଧାନକିଣାରେ ଦୁର୍ନୀତିର ମୁଖ୍ୟ ପ୍ରଚ୍ଛଦପଟ୍ଟ ନାୟକ ସାଜିଥିବା , ଜାଲ୍ ସମବାୟ ପାଠ୍ୟକ୍ରମର କରେନ୍ସପଣ୍ଡେନ୍ସ ଡିଷ୍ଟାନ୍ସ କୋର୍ସ ବା ଜାଲ୍ ଡିସିଏମ୍ ସାର୍ଟିଫିକେଟ୍ ବିକ୍ରି ଓ ବଲାଙ୍ଗୀର ଡିଆରସିଏସ୍ ଙ୍କ ଅଧୀନରେ ଥିବା ପ୍ରାୟ ସମସ୍ତ ପେକ୍ସର ସମ୍ପାଦକ ଓ କର୍ମଚାରୀ ନିଯୁକ୍ତିରେ ଉଦ୍ଦେଶ୍ୟମୂଳକ ଭାବେ ହସ୍ତକ୍ଷେପ , ନୂଆପେକ୍ସ ଖୋଲିବାରୁ ସମ୍ପାଦକ ବା କର୍ମଚାରୀ ନିଯୁକ୍ତି ,ମଣ୍ଡିରେ ଧାନକିଣାରେ ହେରଫେର ଏବଂ ନିର୍ମାଣ ଓ ସାମଗ୍ରୀକିଣା ଆଦିରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଅନିୟମିତତାରେ ଜଡିତ ରହି ଉପରିସ୍ଥ ଅଧିକାରୀଙ୍କୁ ପ୍ରଭାବିତ କରି ସ୍ବାର୍ଥସାଧନ କରିଚାଲିଥିବା ଅଭିଯୋଗ ରହିଛି ।

ଏପରିକି ଅର୍ଜୁନପୁର ପେକ୍ସରେ ସମ୍ପାଦକ ନିଯୁକ୍ତି ନିମନ୍ତେ ଉକ୍ତ ପେକ୍ସର ସଭାପତି ଓ ଜଣେ ନିର୍ଦ୍ଦେଶକଙ୍କ ସମେତ ସେ ଲକ୍ଷାଧିକ ଲାଞ୍ଚ ନେଇଥିବା ତୁଷୁରାଥାନାରେ ଅଭିଯୋଗ ହୋଇଥିଲା ଓ ଉକ୍ତ ସଭାପତି ଓ ନିର୍ଦ୍ଦେଶକ ନେଇଥିବା ଉକ୍ତ ଟଙ୍କା ଫେରାଇଦେଇଥିବା ବେଳେ ଉକ୍ତ ଅଧିକାରୀ ତାଙ୍କ ନେଇଥିବା ଲକ୍ଷାଧିକ ଟଙ୍କାର ଉତ୍କୋଚ ଫେରାଇ ନଥିବା ଜଣେ ପ୍ରାର୍ଥୀ ଅଭିଯୋଗ ପ୍ରକାଶ କରିଥିଲେ । ଏହି। ଅର୍ଜୁନପୁର ପେକ୍ସର ସମ୍ପାଦକ ନିଯୁକ୍ତି ମାମଲାରେ ଜାଲିଆତିର ତଦନ୍ତ ନିମନ୍ତେ ତତ୍କାଳୀନ ବିଧାୟକ ଓ ତତ୍କାଳୀନ ଜିଲ୍ଲାପାଳଙ୍କର ପ୍ରତିଶ୍ରୁତିକୁ ମଧ୍ୟ ସେ ଓ ତାଙ୍କ ପ୍ରରୋଚନାରେ ଡିଆରସିଏସ ହଜମ କରିଦେଇଥିଲେ । ତାଙ୍କ ବିରୋଧରେ ଏହି ଅଭିଯୋଗ ସମେତ ଯାବତୀୟ ଅନିୟମିତତାର ଅଭିଯୋଗକୁ ସଂପ୍ରତି ଅବସ୍ଥାପିତ ଡିଆରସିଏସ୍ ଘଣ୍ଟଘୋଡାଇ ଆସୁଥିବା ରହସ୍ୟଜନକ ବୋଲି ଚର୍ଚ୍ଚା ହେଉଛି ।ତେବେ ଏସବୁ ଅଭିଯୋଗ ଓ ଚର୍ଚ୍ଚାକୁ ଉଭୟ ଡିଆରସିଏସ୍ ଓ ଉକ୍ତ ଇନିସପେକ୍ଟରରୁ ପଦୋନ୍ନତି ପାଇଥିବା ଏଆରସିଏସ୍ ଅସ୍ବୀକାର କରିଛନ୍ତି । ତଥାପି ଏହି ଅଧିକାରୀମାନଙ୍କର ବିରୁଦ୍ଧରେ ବିଭିନ୍ନ ସମୟରେ ଉଠିଥିବା ଗଣମାଧ୍ୟମରେ ପ୍ରକାଶିତ ଅଭିଯୋଗର ଏକ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି ବୋଲି ଜନମତ ପ୍ରକାଶ ପାଇଛି ।
ଦ୍ୱିତୀୟତଃ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକଙ୍କ ବିରୁଦ୍ଧରେ ଅଞ୍ଚଳର ଚାଷୀମାନେ ଯାଇ ମୋହନ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ଠାରେ ବହୁ ଗୁରୁତର ଅଭିଯୋଗ ଆଣିଥିଲେ । ଅତିରିକ୍ତ ନିବନ୍ଧକ ( ପ୍ରଶାସନ ) ମଧ୍ୟ ଭୁବନେଶ୍ବର ସହାୟକ କୃଷି ବିପଣନ ଅଧିକାରୀଙ୍କୁ ଏହାର ତୁରନ୍ତ ତଦନ୍ତ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ଲେଖିଥିଲେ । ଚାଷୀ ମାନଙ୍କ ପକ୍ଷରୁ ପ୍ରଦତ୍ତ ଏହି ଅଭିଯୋଗ ପତ୍ରରେ ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକଙ୍କ ବିରୁଦ୍ଧରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଓ ମନଇଚ୍ଛା ଦୁର୍ନୀତିର ଅଭିଯୋଗ କରାଯାଇଛି । ଏଥିରେ ଜିଲ୍ଲାପାଳ ତଥା OSAM ବୋର୍ଡର ଅଧ୍ୟକ୍ଷଙ୍କ ବିନା ସହାୟତାରେ ଏତେଦିନ ଧରି ଏତେସବୁ ଦୁର୍ନୀତି ସମ୍ଭବ ନୁହେଁ ବୋଲି ମଧ୍ୟ ଦର୍ଶାଯାଇଛି । ଏହି ଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ପାଇ ଚାଞ୍ଚଲ୍ଯ ସୃଷ୍ଟି କରିଛି ।
ଚାଷୀଙ୍କ ଉନ୍ନତିକଳ୍ପେ ଉଦ୍ଦିଷ୍ଟ ଅର୍ଥରେ କାରସାଦୀ କରି ସୋନପୁରରେ ଆରଏମସିକୁ ଜାଗା ଦିଆ ନଯାଇଥିଲେ ହେଁ ଏକ ସୁପରମାର୍କେଟ୍ ଓ ସିନେମାହଲ୍ ନିର୍ମାଣ ପାଇଁ ୩୦ କୋଟିର ବ୍ୟୟଅଟକଳ କରାଯାଇ ୮ କୋଟି ଅଗ୍ରୀମ ପ୍ରଦାନ ଏବଂ ଏଥିପାଇଁ ପ୍ଲାନ୍ ଏଷ୍ଟିମେଟ୍ ନିମନ୍ତେ ଏକ ଏଜେନ୍ସିକୁ ୭୦ ଲକ୍ଷଟଙ୍କା ଦେବା , ଲକ୍ଷ ଲକ୍ଷ ଟଙ୍କାର ଅନାବଶ୍ୟକ ଯନ୍ତ୍ରପାତି କିଣିବା , ଅହେତୁକ ସଡକ ନିର୍ମାଣ , ଅଦରକାରୀ ସ୍ଥାନମାନଙ୍କରେ ମାର୍କେଟ୍ ୟାର୍ଡ ନିର୍ମାଣ , ସମସ୍ତ ନିର୍ମାଣ କାମରେ ନିଜେ ବା ନିଜଲୋକଙ୍କୁ ଠିକାରେ ସମ୍ପୃକ୍ତ ରହିବା ଇତ୍ୟାଦି ବହୁ ଗୁରୁତର ଅଭିଯୋଗ କରାଯାଇଛି ।
ଏ ସମ୍ପର୍କରେ ଅଭିଯୁକ୍ତ ସମ୍ପାଦକଙ୍କୁ ତାଙ୍କ ମତାମତ ପଚରାଯିବାରୁ ଏହିସବୁ ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ସବୁ କାମ କମିଟି ଓ କର୍ତ୍ତୃପକ୍ଷଙ୍କ ଦ୍ବାରା ଅନୁମୋଦିତ , ଇ ଟେଣ୍ଡରରେ ସବୁ ସାମଗ୍ରୀକ୍ରୟ ସେଣ୍ଟ୍ରାଲି ପରଚେଜ୍ କରାଯାଇଛି ବୋଲି ସେ ସଫେଇ ଦେଇଛନ୍ତି । ଉକ୍ତ ଅଭିଯୋଗରେ ଏହାର ଭିଜିଲାନ୍ସ ତଦନ୍ତ ନିମନ୍ତେ ଉଲ୍ଲେଖ ଥିବାରୁ ଖବର ପ୍ରକାଶ ପରେ ସୋନପୁର ଭିଜିଲାନ୍ସ ପକ୍ଷରୁ ତାଙ୍କ ଅଫିସରୁ କିଛି କାଗଜପତ୍ର ନିଆଯାଇଥିବା ପ୍ରକାଶ । ଯଦିଓ ଅଭିଯୁକ୍ତଙ୍କ ଘରପାଖରେ ଅଫିସ୍ ଅବସ୍ଥିତ ଭିଜିଲାନ୍ସ ଡିଏସପିଙ୍କ ସ୍ବଚ୍ଛତା ନେଇ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି !
ତେବେ ସୋନପୁର ଜିଲ୍ଲାର ବାସିନ୍ଦା ଏହି ସମ୍ପାଦକ ଜଣକ ସୋନପୁରରୁ ଜଣେ ଇନିସ୍ ପେକ୍ଟର ଭାବେ ୨୦୧୦ରୁ ଚାକିରୀ ଆରମ୍ଭ କରି ଏଠାରେ ପଦୋନ୍ନତି ପରେ ୮ ବର୍ଷକାଳ ବଲାଙ୍ଗୀରରୁ ଡେପୁଟେସନରେ ଆସି ସମ୍ପାଦକ ଭାବରେ ଅବସ୍ଥାପିତ ଅଛନ୍ତି । ଏଇ କିଛିମାସ ହେଲା ସେ ସରକାର ପରିବର୍ତ୍ତନ ପରେ ବିବାଦୀୟ ହୋଇପଡିବାର କାରଣ ଜଣାପଡିପାରି ନଥିଲେ ହେଁ , ଏହା ରାଜନୈତିକ ଆକ୍ରୋଶବଶତଃ ବୋଲି ଇଙ୍ଗିତ ଦେବା ସହ ତାଙ୍କ ଅଫିସ୍ ର ଆକାଉଣ୍ଟାଣ୍ଟ୍ ତାଙ୍କ ପରେ ଏହି ପଦରେ ରହିବେ ବୋଲି ଏହାପଛରେ ହାତ ଥିବା ସେ ଅଭିଯୋଗ କରିଛନ୍ତି । ଯଦିଓ ଉକ୍ତ ଆକାଉଣ୍ଟାଣ୍ଟ୍ ଜଣକ ଏହି ଆରୋପକୁ ଅସ୍ବୀକାର କରନ୍ତି ।
ତୃତୀୟରେ ସୋନପୁର ଏଆରସିଏସ୍ ଅଫିସ୍ ଓ ସଂପ୍ରତି ଡିଆରସିଏସ୍ ଙ୍କ ଅଧୀନରେ ଦୀର୍ଘବର୍ଷ ଧରି ରହିଥିବା ଜଣେ ଏଆରସିଏସ୍ ଙ୍କ ବିରୁଦ୍ଧରେ ବହୁ ଗୁରୁତର ଅଭିଯୋଗ ପ୍ରକାଶ ପାଇଛି । ବିଶେଷକରି ସେ ଚଳିତବର୍ଷ ତରଭା ବ୍ଲକ୍ ର କମସରା ଫେକ୍ ଭେଣ୍ଡରରେ ଲକ୍ଷାଧିକ ଟଙ୍କାର ଖରିଫ୍ ଧାନକିଣାରେ ସମ୍ପାଦକ ଓ ଡିଇଓ ସହ ମିଲିଭଗତରେ ଜଡିତ ରହିଥିବା ଅଭିଯୋଗ ମଧ୍ୟ ପ୍ରକାଶ ପାଇଥିଲା । ଆଶ୍ଚର୍ଯ୍ୟର ବିଷୟ ଯେ , ଉକ୍ତ ଅଧିକାରୀ ଜଣକ ଏକ ଏଫ୍ ଆର କେ ରାଇସ୍ ମିଲ୍ , ଯୋଗାଣ ବିଭାଗ , ପ୍ରଶାସନ ଓ ପୁଲିସ୍ ଏବଂ ଅଭିଯୁକ୍ତ ସମ୍ପାଦକ ଓ ଡିଇଓଙ୍କ ଲୋକଙ୍କ ସହ ଗାଁ’ରେ ଏକ କଙ୍ଗାରୁକୋର୍ଟରେ ମାମଲାର ସମାଧାନ ବନାମ ମାମଲାଟିକୁ ଚପାଇ ଦେବାରେ ମୁଖ୍ୟ ଖଳନାୟକ ସାଜିଥିଲେ !
ସେ ଯାହାହେଉ , ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ ଏହି ବିଭାଗରେ ଏଭଳି ଅଧିକାରୀମାନଙ୍କର ନିଯୁକ୍ତି , ପଦୋନ୍ନତି ଓ ଡେପୁଟେସନରେ ପଠାଯିବାଦି ସମ୍ପର୍କରେ ଜଣାଯାଇଛି ଯେ , ଏମାନଙ୍କୁ ଓଡିଶା ଷ୍ଟେଟ୍ ଏଗ୍ରକଲଚରାଲ୍ ମାର୍କେଟିଂ ବୋର୍ଡ଼ ବା OSAMB ଦ୍ବାରା ନିଯୁକ୍ତି ଦିଆଯାଇଥାଏ । କୌଣସି କୋଅପରେଟିଭ୍ ଇନିସପେକ୍ଟରଙ୍କୁ ରେଜିଷ୍ଟ୍ରାର୍ ଡେପୁଟେସନରେ ପଠାଇ ପାରିବେ ନାହିଁ ବୋଲି କୁହାଯାଉଛି । ଅଥଚ ତାଙ୍କୁ ସବୁ ନିୟମକୁ ଜଳାଞ୍ଜଳି ଦେଇ ଏଠୁ ସେଠିକି , ସେଠୁ ଏଠିକି ସୁବିଧାଜନକ ପୋଷ୍ଟିଂ ଦିଆଯାଇଛି ?
ତେବେ ଉକ୍ତ ଅଧିକାରୀ ଜଣକ ସବ୍ ଆସିଷ୍ଟାଣ୍ଡ୍ ଏ ଆର୍ ସି ଏସ୍ ଭାବରେ ଇନିସପେକ୍ଟରର ପଦୋନ୍ନତି ପାଇ ପୂର୍ବ ସରକାର ଅମଳରେ ସ୍ଥାନୀୟ ପୂର୍ବତନ ମନ୍ତ୍ରୀ ବନାମ ବିଧାୟକଙ୍କ ଆଶୀର୍ବାଦରେ ଏଇ ପଦରେ ଚୌକିମାଡି ବସିଛନ୍ତି ଓ ଏଇ ୮ ବର୍ଷ ମଧ୍ୟରେ କ୍ରମାଗତଭାବରେ ରହିଆସିଥିବା ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଏବଂ କମିଟିର କେତେକଙ୍କୁ ହାତବାରିସୀ କରି କୋଟି କୋଟି ଟଙ୍କାର ଅହେତୁକ ବ୍ୟୟ ଓ ନିର୍ମାଣ , ଅନାବଶ୍ୟକ ୩ ହଜାର ତାରପୋଲିନ୍ ଇତ୍ୟାଦି ସାମଗ୍ରୀ କ୍ରୟ , ମନଇଚ୍ଛା କର୍ମଚାରୀ ନିଯୁକ୍ତି , ମିଲର୍ସ ଓ ଅସାଧୁ ବେପାରୀଙ୍କ ମଧ୍ୟସ୍ଥତା କରି ଅନ୍ୟାୟୋଚିତ ଫାଇଦା ହାସଲ କରିଚାଲିଛନ୍ତି । ଆହୁରି ମଧ୍ୟ ତାଙ୍କ ପତ୍ନୀଙ୍କ ନାଁ’ରେ ବଜାଜ୍ ଏଲାଏନ୍ସର ବୀମା ଏଜେନ୍ସି ନେଇ ତାହା ଜରିଆରେ ପେକ୍ସ ସମ୍ପାଦକ , ମିଲର୍ସ ଓ ଚାଷୀଙ୍କ ଠାରୁ ଅର୍ଥଆଦାୟ କରିଥିବା ଅଞ୍ଚଳର ଲୋକଙ୍କ ଅଭିଯୋଗ ଓ ଚର୍ଚ୍ଚାରୁ ପ୍ରକାଶ । ତେବେ ସେ ଏସବୁ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ।
ତଥାପି ଚାଷୀ ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗର ଗୁରୁତ୍ୱ ଦୃଷ୍ଟିରୁ ପୂର୍ବସରକାରଙ୍କ ଏଭଳି ଗେହ୍ଲାପୁଅ ମାନଙ୍କର ଆରମ୍ଭରୁ ଏଯାବତ୍ ଆଗତ ଅଭିଯୋଗର ନୂତନ ସରକାରଙ୍କ ପକ୍ଷରୁ ସଠିକ୍ ନିରପେକ୍ଷ ତୁରନ୍ତ ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଲୋକେ ଦାବି କରିଛନ୍ତି । ଆହୁରି ମଧ୍ୟ ଲୋକେ ଏଇ ବିଭାଗର ସ୍ବଚ୍ଛତା ସକାଶେ ସମସ୍ତ କାର୍ଯ୍ୟାଳୟର ପଦୋନ୍ନତି ବା ବିଭିନ୍ନ ଆଳରେ ଅଧିକଦିନ ଅବସ୍ଥାପିତ ଅଧିକାରୀମାନଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଯିବା ସହ ଦୁର୍ନୀତିଗ୍ରସ୍ତ ପୁରୁଣାମୂଷାଙ୍କୁ ଭିଜିଲାନ୍ସର ଯନ୍ତା ପକାଇ ଧରାଯିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
ଏସବୁ ଘଟଣାରୁ ଏହି ବିଭାଗରେ ଅନ୍ୟତ୍ର କ’ଣ ସବୁ ଏପରି କାଣ୍ଡକାର୍ଖାନା ଚାଲିଥିବାର ସନ୍ଦେହ ସୃଷ୍ଟି ହୋଇଛି । ଏହାସହ ଜନସାଧାରଣଙ୍କ ପକ୍ଷରୁ ଏହି ବିଭାଗଟିର ସ୍ବଚ୍ଛତା , ନିରପେକ୍ଷତା ଓ ପରିଚାଳନା ପ୍ରତି ଦୁର୍ନୀତି ପ୍ରତି ଜିରୋ ଟଲରେନ୍ସ ଦାବି କରୁଥିବା ନୂତନ ଡବଲଇଞ୍ଜିନ୍ ସରକାରଙ୍କର ତୀକ୍ଷ୍ଣଦୃଷ୍ଟି ଆକର୍ଷଣ କରାଯାଇଛି ।