ବଲାଙ୍ଗୀର : ଗତମାସ ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଳା ଥାନା ଓ ବ୍ଲକର କୁଲଥିପାଲି ଗାଁ’ରେ ସେଠାକୁ ଯାଇ ଦୁର୍ନୀତି ଧରିବାକୁ ଖବର ସଂଗ୍ରହ କରୁଥିବା ଜଣେ ସାମ୍ବାଦିକଙ୍କୁ ଗାଁ’କୁ ଧରିନେଇ ଠିକାଦାରଙ୍କ ଲୋକମାନେ କଙ୍ଗାରୁ କୋର୍ଟ କରି ହାତଗୋଡ ବାନ୍ଧି ମାଡମାରିଥିବା ସାରାଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏ ସମ୍ପର୍କରେ ଥାନା ଓ ଏସ୍ ପି ଙ୍କ ନିକଟରେ ମାମଲା ଦାଏର ପରେ ପ୍ରଥମେ ୨ + ପରେ ୪ ଓ ଶେଷରେ ମୁଖ୍ଯ ଅଭିଯୁକ୍ତ ଜଣେ ଠିକାଦାରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ଓ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଏହି ଘଟଣାର ଭିଡିଓ ଭାଇରାଲ୍ ହେବାରୁ ବିଭିନ୍ନ ସ୍ଥାନର ସାମ୍ବାଦିକମାନେ ଓ ବହୁ ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିବାଦ ପ୍ରକାଶ ପାଇବା ପରେ ଜାତୀୟ ମାନବାଧିକାର ଆୟୋଗ ନିଜ ପକ୍ଷରୁ ମଧ୍ଯ ଏକ ମାମଲା ଋଜୁ କରି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋପରି ଗଣମାଧ୍ୟମରେ ଏହା ଘନ ଘନ ପ୍ରକାଶିତ ହୋଇ ଚାଞ୍ଚଲ୍ୟକର ଖବର ପାଲଟିଛି । ତେବେ ଗତକାଲିର ଖବର ଅନୁଯାୟୀ , ସମସ୍ତ ଅଭିଯୁକ୍ତ ଅଦାଲତରୁ ଜାମିନ୍ ପାଇ ଫେରିଆସିଲେଣି ! ଏହାପରେ ଆଇନ ତା’ ବାଟରେ ଯିବ ! ସାମ୍ବାଦିକଙ୍କୁ ଏବେ ସୁରକ୍ଷା ଦେବ କିଏ ?
ଘଟଣାରୁ ପ୍ରକାଶ ଯେ , ଉକ୍ତ ଗ୍ରାମରେ ଏକ ରାସ୍ତାର ଗାର୍ଡ ୱାଲ୍ ନିର୍ମାଣ ଚାଲିଥିବା ବେଳେ ସେହି ପଞ୍ଚାୟତର ପାଖ ଗାଁ’ର ସାମ୍ବାଦିକ ବିଜୟ ପ୍ରଧାନ ଜଣେ ସହକର୍ମୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କାମର ଦୁର୍ନୀତି ଧରିବାକୁ ଫଟୋଉଠାଇ ବୁମ୍ ଧରି ସେଠାରେ କାମ କରୁଥିବା ଶ୍ରମିକ ଓ କେତେକ ବିରୋଧୀ ଗ୍ରାମବାସୀଙ୍କ ମତ ସଂଗ୍ରହ କରୁଥିଲେ । ଏପରି ନ କରିବାକୁ ପ୍ରଥମେ ଠିକାଦାରଙ୍କ ଲୋକଙ୍କ ପକ୍ଷରୁ ତାଙ୍କୁ ମନା କରାଯାଇଥିବା ପ୍ରକାଶ । ତେବେ ସେ ଏଥିରୁ କ୍ଷାନ୍ତ ନ ହେବାରୁ ତାଙ୍କ ଉପରେ ଅଭିଯୁକ୍ତଙ୍କ ଦ୍ବାରା ଆଇନକୁ ହାତକୁ ନେଇ ଯାହା କରାଗଲା , ତାହା ଅତ୍ୟନ୍ତ ନିନ୍ଦନୀୟ । ଏଥିନେଇ ଆଇନ ତା’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
ତେବେ ଏଠାରେ ମୂଳ ତତ୍ତ୍ବଟି ହେଉଛି , ପୀଡିତ ସାମ୍ବାଦିକ ଜଣକ ଭଲଭାବେ ଜାଣିଥିବା ରାଜନୈତିକ ଓ ଧନଜନ ସହ ବାହୁବଳରେ ବଳୀୟାନ୍ ଠିକାଦାରଙ୍କ ଦୁର୍ନୀତିର ଭଣ୍ଡାଫୋଡ୍ କରିବାକୁ ପ୍ରାୟ ଏକାକୀ ନିରସ୍ତ୍ର ହୋଇ ବୁମ୍ ଧରି ଗାଁ’ ପାଖର କାମ ଚାଲିଥିବା ସ୍ଥାନକୁ ଯାଇ ବୃତ୍ତିଗତ ପ୍ରଦର୍ଶନ କରିବା କେତେଦୂର ନିରାପଦ ଥିଲା ? ଦୁର୍ନୀତି କ’ଣ କେବଳ ନିର୍ମାଣସ୍ଥଳରେ ହେଉଛି ? ଦୁର୍ନୀତି ଧରିବାକୁ ସାମ୍ବାଦିକକୁ ଘଟଣାସ୍ଥଳକୁ ମାଡିଯିବାକୁ ପଡିବ ? ତାଙ୍କର ସେହି ଦୁର୍ନୀତିଧରା କେତେ ନିରପେକ୍ଷ ଥିଲା ଓ ତାଙ୍କର ଯେ ଅନ୍ୟକିଛି ନିକୃଷ୍ଟ ଅଭିସନ୍ଧି ନ ଥିଲା , ତା’ର ପ୍ରମାଣ କ’ଣ ?
ବୃତ୍ତିଗତ ବିପତ୍ତି ଓ କଙ୍ଗାରୁ କୋର୍ଟ

ଏ ସମ୍ପର୍କରେ ପୂର୍ବର ଏକ ଘଟଣା ଓ ମୁଖ୍ଯମନ୍ତ୍ରୀଙ୍କ ଉକ୍ତିର ଉଦାହରଣ ମନେପଡେ । ତାହାହେଲା , କିଛିବର୍ଷ ତଳେ ଜଣେ ବିଦୁଷୀ ବରିଷ୍ଠ ରାଜନେତ୍ରୀ ମହିଳାସାଂସଦଙ୍କ ସମର୍ଥକଙ୍କ ଦ୍ବାରା ଏକ ଅଞ୍ଚଳର କତିପୟ ସାମ୍ବାଦିକ ନିସ୍ତୁକ ମାଡ ଖାଇ ମୁଣ୍ଡଫଟେଇ ରକ୍ତାକ୍ତ ଆହତ ହେଲାପରେ ସେଇ ମହିଳାସାଂସଦଙ୍କ ମୁଖ୍ଯମନ୍ତ୍ରୀ ସ୍ବାମୀଙ୍କ ପାଖକୁ ଯାଇ ଗୁହାରୀ କରିଥିଲେ । ଏହାଶୁଣି ପୂର୍ବ ସାମ୍ବାଦିକ ଥିବା କୂଟବୁଦ୍ଧି ସମ୍ପନ୍ନ ଜ୍ଞାନୀ ମୁଖ୍ଯମନ୍ତ୍ରୀ ଜଣକ ସେହି ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ , ‘ ସାମ୍ବାଦିକମାନେ ବୃତ୍ତିଗତ ବିପତ୍ତିର ମୁକାବିଲା ପାଇଁ ସତର୍କ ରହିବା ଉଚିତ ! ‘ ତାହା କଟାକ୍ଷ ଥିଲା ?
ଦ୍ବିତୀୟତଃ ଦୁର୍ନୀତିକୁ କ’ଣ କେବଳ ଠିକାଦାରଙ୍କ ନିର୍ମାଣସ୍ଥଳରେ ଧସେଇ ପଶି ଜଣେ ସାମ୍ବାଦିକ ଧରେ ? ଯଦିଓ ଉକ୍ତ ରାସ୍ତାର ଗାର୍ଡୱାଲ୍ କାମଟି ବ୍ଲକ୍ ବା କୌଣସି ବିଭାଗ ପକ୍ଷରୁ କରାଯାଉଥିଲା , ସେହି ପ୍ରକଳ୍ପର ଅଧିକାରୀ , ଯନ୍ତ୍ରୀ , ନିର୍ବାଚିତ ଲୋକପ୍ରତିନିଧିଙ୍କୁ ଏ ସମ୍ପର୍କରେ ପଚରାଯାଇ ପାରିଥା’ନ୍ତା କି ନାହିଁ ?
ତୃତୀୟତଃ ଆଜିକାଲିର ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳର ଶହ ଶହ ପ୍ରତିଷ୍ଠିତ/ ନାମମାତ୍ର/ ଅଞ୍ଚଳରେ ଦେଖାଦର୍ଶନ ନ ଥିବା ଖବରକାଗଜ , ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ , ମୋବାଇଲ୍ ରେ ଫଟୋଉଠା ସାମ୍ବାଦିକ ବା ୟୁ ଟ୍ୟୁବର୍ ସାମ୍ବାଦିକଙ୍କ ଦ୍ବାରା ପ୍ରତିଦିନ ଯାହା ଯେପରି ପ୍ରାଦୁର୍ଭାବ ବୃଦ୍ଧି ପାଇଲାଣି , ତା’ର ପ୍ରକୃତ ଉଦ୍ଦେଶ୍ୟଟି ଯେ କ’ଣ , ବୁଝିବାରେ ଅସୁବିଧା ନାହିଁ !
ତଥାପି ପୀଡିତ ସାମ୍ବାଦିକବନ୍ଧୁ ବିଜୟ ପ୍ରଧାନଙ୍କୁ ଯେଭଳି ଭାବରେ ଆକ୍ରମଣ ଓ ନିହାତି ଅପମାନିତ କରାଯାଇ ଉକ୍ତ ଦୁର୍ବୃତ୍ତଙ୍କ ଦ୍ବାରା ଗ୍ରାମବାସୀଙ୍କ ସମ୍ମୁଖରେ କଙ୍ଗାରୁ କୋର୍ଟ କରାଯାଇ ହାତଗୋଡ ବାନ୍ଧି ମୁହଁରେ ଜୋତାପିନ୍ଧା ଗୋଡରେ ଗୋଇଠା ମରାଗଲା , ଏ ଦୁଃସାହସ ନିମନ୍ତେ କିଏ ଦାୟୀ ? ଅଞ୍ଚଳର ନିର୍ବାଚିତ ଲୋକପ୍ରତିନିଧି , ବ୍ଲକ୍ ଅଧ୍ୟକ୍ଷ, ବିଧାୟକ ତଥା ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ , ସାଂସଦ ସଙ୍ଗୀତା ସିଂହଦେଓ, ଜିଲ୍ଲାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝି ବନାମ ଡବଲଇଞ୍ଜିନ୍ ସ୍ବଚ୍ଛ ଦୁର୍ନୀତିମୁକ୍ତ ଶାସନର ଡିଣ୍ଡିମ ପିଟୁଥିବା ସରକାର ବା ଅଞ୍ଚଳର ରାଜନନୈତିକ ନେତୃତ୍ବଙ୍କ ପକ୍ଷରୁ କେହି ପଦେ କହିଲେଣି କି ?