ରାଇସ୍ ମିଲ୍ ରୁ ୫ ରୁ ୭ ଲକ୍ଷ ଓ ଛତୁଆରୁ ଗୋଟିଏ ମାସର ବିଲ୍
ବଲାଙ୍ଗୀର / ସୋନପୁର : ରାଜ୍ୟରେ ଡବଲଇଞ୍ଜିନ୍ ସରକାର ଗଠନ ପରେ ବଲାଙ୍ଗୀରକୁ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲାମଣ୍ଡଳ ପଡିଆରେ ଆୟୋଜିତ ସାଧାରଣସଭାରେ ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ସାଂସଦ ସଙ୍ଗୀତା ସିଂହଦେଓଙ୍କ ଉପସ୍ଥିତିରେ ଏହି ମହାରାଜ- ମହାରାଣୀଙ୍କୁ ଚାଟୁକ୍ତିରେ ଉତ୍ସାହିତ ହୋଇ କହିପକାଇଥିଲେ :
‘ଏ କେବଳ ‘ଡବଲଇଞ୍ଜିନ୍’ ନୁହେଁ , ‘ଟ୍ରିପଲ୍ ଇଞ୍ଜିନ୍’ ସରକାର’ !
ଏହାସହିତ ପାଟଣାଗଡର ବିଧାୟକ ଭାବରେ ପୁଣି ଥରେ ଜିିତିକି ଆସି ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀରର ଏକବୈଠକରେ ଘୋଷଣା କରିଥିଲେ , ଏଣୁ ଏଣିକି କେହି ପିସି ବା ଲାଞ୍ଚ ବନ୍ଦ । କାନକୁ ଭଲ ଶୁଭିଥିଲା କଥାଟି । ଏବେ ତାଙ୍କ କଥା ଓ କାମରେ ଫରକ୍ ଆସିଛି ବୋଲି ଲୋକେ କହୁଛନ୍ତି ।

ତେବେ ଏହାପରେ ସୁବର୍ଣ୍ଣପୁର ଜିଲ୍ଲାର ରାଇସ୍ ମିଲ୍ ଗୁଡିକ ଉପରେ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓଙ୍କର ଆରମ୍ଭ ହୋଇଯାଇଥିଲା ଅଚାନକ ଚଢାଉ । ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସଙ୍କୁ ଧରି ସଦଳବଳେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଯାଇ ସନ୍ଧ୍ୟା ସମୟରେ ହଠାତ୍ ୨ ଟି ଓ ପରେ ଆଉ ଏକ ରାଇସ୍ ମିଲ୍ କୁ ଷ୍ଟକ୍ ଯାଞ୍ଚ ଆଳରେ ସିଲ୍ କରିଦେଇଥିଲେ । ଦିନକ ପରେ ଆକସ୍ମିକ ଗଠିତ ଏକ ତଥାକଥିତ ଯାଞ୍ଚକମିଟିର ଷ୍ଟକ୍ ଯାଞ୍ଚ ପରେ ସିଲ୍ ଖୋଲି ଦିଆଯାଇଥିଲା । ଏହା ବସ୍ତୁତଃ ଆତଙ୍କ ସୃଷ୍ଟି କରିଥିଲା ଜିଲ୍ଲାର ରାଇସ୍ ମିଲର୍ସଙ୍କ ମଧ୍ୟରେ । ତା’ପରେ ଆରମ୍ଭ ହୋଇଥିଲା ନୋମିନୀ ବା ଏଜେଣ୍ଟ୍ ମାନଙ୍କ ଜରିଆରେ ମିଲ୍ ପିଛା ୫ ରୁ ୭ ଲକ୍ଷ ଟଙ୍କାର ବେଆଇନ୍ ଚାନ୍ଦା ଆଦାୟ । ମିଲର୍ସମାନଙ୍କୁ ପାଟଣାଗଡର ମହାରାଜା- ମହାରାଣୀଙ୍କ ଖମାରର ଦରବାରକୁ ଓ ସେଠାରେ ନିଆଯାଉଥିଲା ଲକ୍ଷ ଲକ୍ଷ ଟଙ୍କା । ସୁବର୍ଣ୍ଣପୁର ଜିଲ୍ଲାରେ ରହିଛି ମୋଟ ୫୦ ଟି ରାଇସ୍ ମିଲ୍ । ହୁଏତ ଆଗରୁ ୧୦୦ଟି ଥିଲା । ଖମ୍ବେଶ୍ବରୀପାଲିର ଶୁମ୍ଭ ନିଶୁମ୍ଭଙ୍କ ଜରିଆରେ ସେମାନଙ୍କୁ ହାଜର କରାଯାଇଥିଲା ମହାରାଣୀଙ୍କ ଉକ୍ତ ଦରବାରରେ । ଏ ସମ୍ପର୍କରେ ତାଙ୍କର ଜଣେ ନୋମିନୀଙ୍କୁ ପଚାରିବାରୁ , ସେ ୫ ନୁହେଁ ୭ ଓ ଚଳିତ ଥରଠାରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ୍ ପିଛା ୩୧୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବାରୁ ଏହା ମିଲ୍ ଉପରେ ଏକ ଯାଞ୍ଚ୍ ପ୍ରକ୍ରିୟାର ଅଂଶବିଶେଷ ବୋଲି ସଫେଇ ଦେଇଥିଲେ ।
ଏହା ଉପରେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ‘ ବିଜେପି ନେତାମାନେ ସୋନପୁରର ରାଇସ୍ ମିଲ୍ ରୁ କୋଟି କୋଟି ଟଙ୍କା ଚାନ୍ଦା ନେଇଛନ୍ତି । କୋଟିଏରୁ ଉର୍ଦ୍ଧ୍ବଟଙ୍କା ଆଦାୟ କରାଯାଇଛି । ଏହା କୁଆଡେ ବିକାଶ ପାଇଁ ବୋଲି କହୁଛନ୍ତି । ଏହା କାହାର ବିକାଶ ? ‘ ବୋଲି କହିଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା । ଏ ସମ୍ପର୍କରେ ଯୋଗାଣମନ୍ତ୍ରୀ ଗାଲୁ ପେଲି ଓଲଟା ନରସିଂହଙ୍କୁ କଟାକ୍ଷ କରି କହିଥିଲେ : ଠୋସ୍ ପ୍ରମାଣ ଦେଲେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବୟସାଧିକ୍ୟ ହେତୁ ତାଙ୍କର ମତିଭ୍ରମ ହେଲାଣି । ‘ ଅବଶ୍ୟ ଏହାପରେ ଶ୍ରୀ ମିଶ୍ର ଚୁପ୍ ପଡିଗଲେ !
ଏହାର ଉତ୍ତରରେ ଡୁଙ୍ଗୁରିପାଲିରୁ ନେଇ ବିନକା , ଅରିଗାଁ’ ବିଲାସପାଲି ଓ ସୁବର୍ଣ୍ଣପୁର ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳର ମିଲର୍ସ ମାନଙ୍କୁ ପଚରାଯିବାରେ ସେମାନେ କ୍ଷୋଭପ୍ରକାଶ କରି କହିଥିଲେ ଯେ , ‘ ଆମେ ବେପାରୀ । ଆମ ମୁହଁ ଖୋଲି ପାରିବ ନାହିଁ । ତେବେ ଆଉଥରେ ସେମାନଙ୍କୁ ଭୋଟ୍ ମିଳିବନି । ‘
ଏକଥାରେ ଲୋକେ ହସିଥିଲେ । ୫ ଥର ଜିତିବା ପରେ ଆଉ ଥରେ ନ ହେଲେ ତାଙ୍କର କି ଯାଏ ! ଏଥିରୁ ଏହା ସାଂସଦଙ୍କର ଏତାଦୃଶ କାର୍ଯ୍ୟକଳାପ ବିରୋଧରେ ବୋଲି ଜଣାପଡିଛି । ଅସମର୍ଥିତ ସୂତ୍ରରୁ ଏକଥା ମିଲର୍ସଙ୍କ ରାଜ୍ୟସଂଘରେ ପଡିଥିବା ଓ କେନ୍ଦ୍ରୀୟ ନେତାଙ୍କୁ ଅଭିଯୋଗ କରାଯାଇଥିବା ଚର୍ଚ୍ଚା ହୋଇଥିଲା । ଏହାପରେ ସୃଷ୍ଟ ଗୁଜବ୍ ବି ହୋଇଛି ଯେ , ୫୦ ଲକ୍ଷ ନ ଦେବାରୁ ସିଏସ୍ ଓଙ୍କୁ ଛନ୍ଦିଦେଲେ ! ସେ ଯାହାହେଉ , ସେତେବେଳେ ଏଭଳି ଚର୍ଚ୍ଚା ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା ଓ ଏହାକୁ କେହି ଖଣ୍ଡନ କରି ନ ଥିଲେ !

ଏହାପରେ ଉଠିଥିଲା ଶିଶୁ ବିକାଶ ପ୍ରକଳ୍ପ ବନାମ ଅଙ୍ଗନବାଡିକୁ ଶିଶୁଖାଦ୍ୟ ବନାମ ଛତୁଆ ପ୍ରସ୍ତୁତ କରି ଯୋଗାଉଥିବା ଏସ୍ ଏଚ୍ ଜି ମହିଳା ୟୁନିଟ୍ ରୁ ଗୋଟିଏ ମାସର ବିଲ୍ ଅଟକାଇ ଦେଇ ଉତ୍କୋଚ ଅସୁଲି । ଏଥିରେ ବି ସେଇ ଶୁମ୍ଭ ନିଶୁମ୍ଭଙ୍କର ଦରବାରକୁ ଧରିନେବାର ଦୌରାତ୍ମ୍ୟ ! କିନ୍ତୁ ଏହା କେବଳ ସୁବର୍ଣ୍ଣପୁର ଜିଲ୍ଲାରେ ସୀମିତ ନ ରହି ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଚାଲିଲା । ପ୍ରକୃତ ପକ୍ଷେ ଗତ ନୂଆଖାଇ ବେଳଠାରୁ ଛତୁଆ ୟୁନିଟ୍ ଏସ୍ ଏଚ୍ ଜି ର ୮ ମାସର ବକେୟା ବିଲ୍ ଅଟକାଇଦେବାର ଯୋଜନା ଆରମ୍ଭ ହୋଇ ପରେ ଅସନ୍ତୋଷ ସୃଷ୍ଟି ଆଶଙ୍କାରେ ନୂଆଖାଇ ଉପଲକ୍ଷେ ମାତ୍ର ଗୋଟିଏ ମାସର ବିଲ୍ ଛଡାଯାଇ ପରବର୍ତ୍ତୀ ବକେୟା ବିଲ୍ ଗୁଡିକୁ ଅଟକାଇ ବାଧ୍ୟ କରାଯାଇଥିଲା ରାଜତଣ୍ଡ ଦେବାକୁ । ଏପରିକି ବଡ ବଡ ଛତୁଆ ଏସଏଚଜିରୁ ସର୍ବାଧିକ ୧୨ / ୧୩ ଲକ୍ଷ ଟଙ୍କା ସାଂସଦ ନେଇ ଥିବାର କୁହାଯାଇଛି । କେହି ମୁହଁଖୋଲି କହିପାରି ନଥିଲେ ମଧ୍ୟ ସେମାନଙ୍କୁ ପଚାରିବାରୁ କିଏ କାନ୍ଦି ପକାଇଥିଲେ ତ , କିଏ ବାଷ୍ପରୁଦ୍ଧ କଣ୍ଠରେ ‘ବହୁତ କଷ୍ଟ ‘ କହିପାରି ନଥିଲେ ଓ କିଏ ‘ ଆମ ନାଁ’ ଧରିବେନି , ଆଜ୍ଞା ‘ ବୋଲି ଅନୁରୋଧ କରିଥିଲେ । ତେବେ ଏଭଳି ଅନୁଚିତ ବଟି ଆଦାୟ ସହ କାଇଦା କରିବାକୁ ଭୁବନେଶ୍ବରର ଛତୁଆର ମାନ ପରୀକ୍ଷଣ ଆଳରେ ଉଭୟ ଜିଲ୍ଲାର କେତୋଟି ଏସ୍ ଏଚ୍ ଜି ମହିଳା ୟୁନିଟ୍ କୁ କାଟିଦିଆଯିବାର ବିଭାଗୀୟ ସରକାରୀ କାର୍ଯ୍ୟାନୁଷ୍ଠାନର ଚିଠି ଆସିଛି । ଏହାପରେ ଏଇ ଛତୁଆ ପ୍ରସ୍ତୁତକାରୀ ୟୁନିଟ୍ ର ସ୍ବୟଂସହାୟିକା ଗୋଷ୍ଠୀ ଗୁଡିକ ଆତଙ୍କିତ ହୋଇପଡି ଗୋଟିଏ ମାସର ବିଲ୍ ଛାଡିବାକୁ ରାଜି ହୋଇଥିଲେ । ସାଂସଦ ବା ଉପ-ମୁଖ୍ୟମନ୍ତ୍ରୀଙ୍କ ଏହି ଚାପର ଅଂଶୀଦାର ହୋଇଥିଲେ ଜିଲ୍ଲାପାଳ ଓ ଡିଏସ୍ ଡବ୍ଲୁ ଓ ମାନେ । ଆହୁରି ମଧ୍ୟ ଜିଲ୍ଲାପାଳଙ୍କ ନିମନ୍ତେ ମଧ୍ୟ ଛତୁଆବିଲ୍ ରୁ ୧୦ % ଅଧିକାରୀଙ୍କ ଜରିଆରେ କାଟି ରଖାଯାଉଥିବା ଓ ପୁଣି ଜିଲ୍ଲା ଅଧିକାରୀଙ୍କର ଭାଗ ରହୁଥିବା ବୀରମହାରାଜପୁରର ଏକ ଏସ୍ ଏଚ୍ ଜି ସୂତ୍ରରୁ ତାଙ୍କ ନାମ ପ୍ରକାଶ ନ କରିବା ସର୍ତ୍ତରେ ପ୍ରକାଶ । ଏହି ଅଞ୍ଚଳର ଆଉ ଏକ ଏସ୍ ଏଚ୍ ଜିର କର୍ମକର୍ତ୍ତୀ ‘ଆମେ ଆଉ ଏ ଛତୁଆ କରିବୁ ନାହିଁ ‘ ବୋଲି କହିଲେ । ସେ ଇତିମଧ୍ୟରେ କିଛି ଟଙ୍କା ତାଙ୍କ ବ୍ଲକ୍ ର ମହିଳା ନୋମିନୀଙ୍କ ଜରିଆରେ ନେଇ ଦେଇ ସାରିଥିବା ଓ ତାଙ୍କର ବଟି ୭ ଲକ୍ଷ ଟଙ୍କା ଖଣ୍ଡେ ହୋଇଥିବା ଉପରୋକ୍ତ ସୂତ୍ରରୁ ପ୍ରକାଶ । ଅଥଚ ପଚାରିବାରୁ ସେ ଟଙ୍କା ଦେଇ ନଥିବା ସଫେଇ ଦେଇଥିଲେ ।
ଉଲୁଣ୍ଡାର ଏକ ୟୁନିଟ୍ ର କର୍ମକର୍ତ୍ତୀଙ୍କ ସ୍ବାମୀ ପାଟଣାଗଡ ଖମାରରେ ନିଜେ ଉପସ୍ଥିତ ଥିଲାବେଳେ ସେଠାରେ ରାଇସ୍ ମିଲ୍ ମାଲିକ ଓ ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ୍ ଜିର ଲୋକେ ବ୍ୟାଗ୍ ରେ ଭର୍ତ୍ତି କରି ସିଧାସଳଖ ସାଂସଦଙ୍କୁ ପୁଳା ପୁଳା ଟଙ୍କା ଦେଉଥିବାର ପ୍ରତ୍ୟେକ୍ଷଦର୍ଶୀ ବୋଲି କହିଛନ୍ତି ।
ସେହି ଉଲୁଣ୍ଡାର ଅନ୍ୟ ଏକ ଏସ୍ ଏଚ୍ ଜି ର କର୍ମକର୍ତ୍ତୀ ଦଳୀୟ ପିଲାମାନେ ବରାବର ତାଙ୍କ ଉପରେ ଚାନ୍ଦା ପାଇଁ ଚାପ ପକାଉଥିବାର ପ୍ରକାଶ କରିଛନ୍ତି । ତେଣୁ ଏହି ଶିଶୁଖାଦ୍ୟ ଛତୁଆର ମାନ କିପରି ଭଲ ରହିବ ବୋଲି ଏଇ ଏସ୍ଏଚ୍ ଜି ମହିଳାମାନେ ପ୍ରଶ୍ନ ଉଠାଇଛନ୍ତି ।
ରକ୍ଷକ ଭକ୍ଷକ ହେଲେ……
କୌତୁହଳର କଥା ଯେ , ଏସବୁ ଅବୈଧ କାର୍ଯ୍ୟକଳାପ ସତ୍ତ୍ୱେ ସାଂସଦ ଗତ ସୁବର୍ଣ୍ଣପୁରର ‘ ଦିଶା ‘ ବୈଠକରେ ସାଂସଦ ଛତୁଆର ମାନ ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ବିଧାୟକ ନିରଞ୍ଜନ ପୂଜାରୀ ଓ ତାଙ୍କ ମଧ୍ୟରେ ସରକାରୀ ଗାଇଡ୍ ଲାଇନ୍ ଇତ୍ୟାଦିକୁ ନେଇ କଥା କଟାକଟି ହୋଇଥିବା ପ୍ରକାଶ ।

ବଲାଙ୍ଗୀର ଜିଲ୍ଲାର ପୁଇଁତଳା ବ୍ଲକ୍ ର ଏକ ଛତୁଆ ପ୍ରସ୍ତୁତକାରୀ
ଏସ୍ ଏଚ୍ ଜି ର ସଭାନେତ୍ରୀଙ୍କ ଠାରୁ ସାଂସଦ ତାଙ୍କ ବ୍ଲକ୍ ର ନୋମିନୀଙ୍କ ଜରିଆରେ ଚାପ ପକାଇ ଥରେ ୧ ଲକ୍ଷ ୮୦ ହଜାର ଟଙ୍କା ଦେବାରୁ ଫେରାଇ ଦେଇ ପୁରା ଗୋଟିଏ ମାସର ବିଲ୍ ଦେବାକୁ ତାଗିଦ୍ କରି ପୁରା ଗୋଟିଏ ମାସର ବିଲ୍ ଟଙ୍କା ନଥିବାରୁ ଫେରାଇ ଦେଇ ପରେ ୪ ଲକ୍ଷ ଟଙ୍କା ଦେବାକୁ ଚାପ ପକାଇଥିବା ଅଭିଯୋଗ ପ୍ରକାଶ କରିଥିଲେ । ଏପରିକି ତାଙ୍କ ସ୍ବାମୀ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ କାନରେ ଏ ସମ୍ପର୍କରେ କହିଥିବା ଓ ଦରକାର ପଡିଲେ ସବୁ ଛତୁଆ ଏସଏଚଜିର ମହିଳାମାନେ ବାହାରିବୁ ‘ ବୋଲି ଚେତାବନୀ ଦେଇଛନ୍ତି ।
ସାଂସଦଙ୍କର ଏହି ସିଧାସଳଖ ଲାଞ୍ଚ ଅସୁଲି ଗତ କିଛିଦିନ ହେବ ଲୋକଙ୍କ ଚର୍ଚ୍ଚାରେ ରହିଛି । ବଲାଙ୍ଗୀର ଓ ସୁବର୍ଣ୍ଣପୁରର କେତେକ ସିଡିପିଓମାନେ ମଧ୍ୟ ପରୋକ୍ଷରେ ଏହାକୁ ସ୍ବୀକାର କରିଛନ୍ତି । ସୁବର୍ଣ୍ଣପୁର ଡିଏସଡବ୍ଲୁଓ ଅନୁପମା ପଣ୍ଡାଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ ‘ ନା । ମୁଁ ଜାଣିନି ‘ ବୋଲି ସଫେଇ ଦେଇଛନ୍ତି । ଉଲ୍ଲେଖନୀୟ ଯେ ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୧୦ ଟି ଛତୁଆୟୁନିଟ୍ ରହିଛି ଓ ଏବେ ନିମ୍ନମାନର ଛତୁଆ ବୋଲି ଭୁବନେଶ୍ବରରୁ ଆସିଥିବା ରିପୋର୍ଟ ଆଧାରରେ ବିନିକାର ଗୋଟିଏକୁ କାଟି ଦିଆଯାଇପାରେ ! ଏହି ବିନିକା ସମେତ ତରଭାରେ ଗୋଟିଏ ଲେଖାଏଁ ଓ ଅନ୍ୟ ୪ ଟି ବ୍ଲକରେ ୨ ଟି ଲେଖାଏଁ ଛତୁଆୟୁନିଟ୍ ରହିଥିଲା ।
ବଲାଙ୍ଗୀର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରହିଛନ୍ତି ସୁଷମା ମହାପାତ୍ର । ସେ ଏଇ ପ୍ରାୟ ଚାରିମାସ ହେଲା ଆସି ଏଠାରେ ଜଏନ୍ କରିଛନ୍ତି । ତାଙ୍କୁ ଏଇ ବିଲ୍ ବକେୟା ରଖି ଅକଳରେ ପକାଯାଇ ସାଂସଦଙ୍କର ଉପରୋକ୍ତ ଉତ୍କୋଚ ନିଆ ସମ୍ପର୍କରେ ପଚରାଯିବାରୁ ସେ ଜାଣି ନଥିବା କହିଛନ୍ତି । କିନ୍ତୁ ଜିଲ୍ଲାର କେତେକ ସିଡିପିଓ ଏଭଳି ଅତ୍ୟାଚାରର ଆଭାସ ପାଇ ପରୋକ୍ଷରେ ଏହାକୁ ନିନ୍ଦା ପ୍ରକାଶ କରିଛନ୍ତି । ବଲାଙ୍ଗୀର ଜିଲ୍ଲାର ୧୪ ଟି ବ୍ଲକରେ ଏବେ ୨୩ ଟି ଛତୁଆୟୁନିଟ୍ ରହିଛି । ଏଥରୁ ୬ ଟି ଛତୁଆୟୁନିଟ୍ କରିଥିବା ଏସ୍ ଏଚ୍ ଜି ବିରୋଧରେ ନିମ୍ନମାନର ଛତୁଆ ପ୍ରସ୍ତୁତ କରାଯାଉଥିବା ରିପୋର୍ଟ ଆସିଛି ଉପରୁ । ତେଣୁ ଏଗୁଡିକ କଟିଯିବାର ସମ୍ଭାବନା ରହିଛିି । ଏହାପଛରେ ବି ରାଜନୀତି ରହିଥିବାର ଚର୍ଚ୍ଚା ହେଉଛି ।
ତେବେ ଏପରି ଅଭିଯୋଗ ସମ୍ପର୍କରେ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ , ତାଙ୍କ ପତ୍ନୀ ସାଂସଦ ସଂଗୀତା ସିଂହଦେଓ , ବିଧାୟକ ରଘୁନାଥ ଜଗଦଲା , ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଓ ଅନ୍ୟାନ୍ୟ ଅଭିଯୁକ୍ତଙ୍କ ପକ୍ଷରୁ ଏଭଳି ଅଭିଯୋଗକୁ ଅସ୍ବୀକାର କରାଯାଇଛି ।
ପୂର୍ବ ସରକାର ବେଳେ ଯେ ଏହି ରାଇସ୍ ମିଲର୍ସ ଓ ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ୍ ଜି ରୁ ଲୋକପ୍ରତିନିଧି ଓ ଅଧିକାରୀମାନେ ବଟି ଖାଉ ନଥିଲେ , ଏହା ନୁହେଁ । ପୂର୍ବ ସରକାରଙ୍କ ଅମଳରେ ଏଇ ବିଭାଗର ମନ୍ତ୍ରୀ ଥିଲେ ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ । ତାଙ୍କ ସମ୍ପର୍କରେ ମଧ୍ୟ ଏଇ ଛତୁଆରୁ ଲକ୍ଷାଧିକ ଟଙ୍କାର ରାଜନୈତିକ ବଟି ଆଦାୟର ଅଭିଯୋଗର ଚର୍ଚ୍ଚା ଉଠିଥିଲା । ଯଦିଓ ସେ ଏଭଳି ଅଭିଯୋଗକୁ ଖଣ୍ଡନ କରି ନଥିଲେ ।
ଏବେ ଏହି ମହିଳା ଓ ଶିଶୁ ବିକାଶ ବିଭାଗଟି ଅନ୍ୟ ଜଣେ ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ହାତରେ ରହିଛି । ଆଜିର ଦ୍ରୁତ ସୂଚନା ସରବରାହ ଇଲେକ୍ଟ୍ରୋନିକ୍ ଯୁଗରେ ଏଇ ସାଂସଦଙ୍କ ଛତୁଆରୁ ବଟି ଆଦାୟ ସମ୍ପର୍କରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବର ସେ ମଧ୍ୟ ଜାଣି ନ ଥିବାର ବିଶ୍ବାସ ପ୍ରଶ୍ନ ଉଠେନା !
ଥରେ ପୂର୍ବତନ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ସମୟରେ କେତେକ ଛତୁଆୟୁନିଟ୍ କରିଥିବା ଏସ୍ ଏଚ୍ ଜି ଙ୍କୁ ଅଭିଯୋଗକ୍ରମେ ଡି ସ୍ ଏ ନ୍ ଗେ ଜ୍ ମେ ଣ୍ଟ୍ କରାଯାଇଥିଲା । ତନ୍ମଧ୍ୟରୁ ପାଟଣାଗଡ ଅଞ୍ଚଳର ଜଣେ ଏସ୍ ଏଚ୍ ଜି ର ଯାଆ ଙ୍କର ଏକ ଏସ୍ ଏଚ୍ ଜି କୁ ଏହା ଦିଆଯିବାକୁ ପୂର୍ବତନ ପାଟଣାଗଡ ବିଧାୟକ ସରୋଜ ମେହେର ବାଘମୁଣ୍ଡ , ପାଟଣାଗଡ ଓ ଖପ୍ରାଖୋଲ ଇତ୍ୟାଦି ଛତୁଆୟୁନିଟ୍ ନିମନ୍ତେ ସୁରକ୍ଷା ଦେବା ସହିତ ସୁପାରିଶ କରିଥିବା ଦୃଷ୍ଟିକୁ ଆସିଥିଲା । ତୁରେକେଲା ବ୍ଲକ୍ ର ଏକ ବଡ ଛତୁଆୟୁନିଟ୍ ର ପଛରେ ତତ୍କାଳୀନ ସ୍ଥାନୀୟ ପୂର୍ବତନ ବିଧାୟକଙ୍କ ଆଶୀର୍ବାଦ ରହିଥିଲା ଓ ଏବେ ବି ଏବର ବିଧାୟକଙ୍କୁ ସେମାନେ ହାତ କରି ନେଇଥିବା ପ୍ରକାଶ । ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ୍ ର ସାଗରପାଲିରୁ ଆରମ୍ଭ କରି ଉଲୁଣ୍ଡା , ବିନିକା , ତରଭା , ଡୁଙ୍ଗୁରିପାଲି ଓ ବୀରମହାରାଜପୁରର ଛତୁଆ ୟୁନିଟ୍ ପଛରେ ବିଧାୟକଙ୍କର ହାତ ରହିଥିବା ସମସ୍ତେ ଜାଣନ୍ତି । ଯଦିଓ ସେ ଏହାକୁ ଅସ୍ବୀକାର କରନ୍ତି । ତେବେ ସବୁ ସମୟରେ ଏସବୁ ପଛରେ ରାଜନୈତିକ ଅଭୟ ହସ୍ତ ପ୍ରସାରିତ ।
ଏତଦ୍ ବ୍ୟତୀତ ଡିଏସ୍ ଡବ୍ଲୁ ଓ , ସିଡିପିଓ ,ସୁପରଭାଇଜର, ଉପଜିଲ୍ଲାପାଳ ଓ ଏଡିଏମ୍ ଓ ସ୍ଥଳବିଶେଷରେ ଜିଲ୍ଲାପାଳଙ୍କର ମଧ୍ୟ ଏଥରୁ ପିସି ରହିଆସିଥିବା ପରମ୍ପରା ବୋଲି ଚର୍ଚ୍ଚା ହେଉଛି । ସର୍ବୋପରି ଏଇ ଏସ୍ ଏଚ୍ ଜି ମହିଳା ୟୁନିଟ୍ ଗୁଡିକ ପ୍ରକୃତପକ୍ଷେ ସଭାନେତ୍ରୀ ବା ସମ୍ପାଦିକା ଓ ସେମାନଙ୍କ ସ୍ବାମୀ ସନ୍ତାନ ଭାଇ , ପ୍ରେମିକ , ରକ୍ଷକ , ବେପାରୀ , କୁଜିନେତା ଓ ରାଜନେତାଙ୍କର ହସ୍ତମୁଦି ବାହାଲ ହୋଇ ରହିଛି ଓ ରହିଥିଲା । ଏଇ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକାମାନେ ଇ ପ୍ରଚୁର ମୁନାଫା ନେଇ ଆସୁଛନ୍ତି । ସେମାନେ ବିଭାଗୀୟ ଅସାଧୁ ଅଧିକାରିଣୀଙ୍କ ସହାୟତାରେ ଶିଶୁଖାଦ୍ୟରୁ ମାରି କୋଟିପତି । ସେମାନେ ଏତେ ମୁନାଫା ପାଇଥିଲେ ଯେ , ଗତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ମଧ୍ୟ ହୋଇଥିଲେ । ଏପରିକି କେତେକ ସୁପରଭାଇଜର ଓ ସିଡିପିଓମାନଙ୍କୁ ଚାପ ପକାଇବାକୁ ଭିଜିଲାନ୍ସରେ ଏମାନେ ଧରାଇଦେଇଥିଲେ । ଛତୁଆୟୁନିଟ୍ କୁ ବନ୍ଦ କରାଯାଇ ହିତାଧିକାରୀ ଶିଶୁଙ୍କ ପିତାମାତାଙ୍କ ଆକାଉଣ୍ଟ୍ ରେ ବରଂ ଏ ବାବଦର ଟଙ୍କା ପଠାଇଦେବାକୁ କେତକ ସିଡିପିଓ ଓ ଡିଏସ୍ ଡବ୍ଲୁଓ ଙ୍କ ପକ୍ଷରୁ ମିଶନଶକ୍ତି ମିଟିଂରେ ପରାମର୍ଶ ଦିଆଯାଇଛି ବୋଲି ପ୍ରକାଶ । କିନ୍ତୁ ଏଥର ‘ହଦ୍ ସେ ଜ୍ୟାଦା ‘ ହେଇଗଲା ବୋଲି ଚର୍ଚ୍ଚା ହେଉଛି ।
ଉଲ୍ଲେଖନୀୟ ଯେ , ସୁବର୍ଣ୍ଣପୁର ମିଲର୍ସ ସଂଘ ପକ୍ଷରୁ ସାଂସଦଙ୍କ ସ୍ବାମୀ ଉପ- ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ସାଂସଦଙ୍କ ନୋମିନୀ ଓ ଲୋକେ ଲକ୍ଷାଧିକ ଟଙ୍କା ଚାନ୍ଦା ମାଗୁଥିବାର ଧମକପୂର୍ଣ ଅଭିଯୋଗ ସମ୍ପର୍କରେ ଏକ ଚିଠି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ସମ୍ଭବତଃ ଏଥିଯୋଗୁଁ କିଛିଦିନ ତଳେ କେଭିଙ୍କର ‘ କେହି ତାଙ୍କ ନାଁ’ ଧରି କିଛି କହୁଥିଲେ , ସେମାନଙ୍କୁ ତାଙ୍କଲୋକ ବୋଲି ନ ଭାବିବାକୁ ଏକ ପୋଷ୍ଟ୍ ରେ ସଫେଇ ଦିଆଯାଇଛି ?

ତେବେ ରାଇସ୍ ମିଲ୍ ରୁ ଓ ଶିଶୁଖାଦ୍ୟ ଛତୁଆରୁ ଚାଷୀ ଓ ଶିଶୁଙ୍କ ପେଟରୁ କାଟି ଏଭଳି ଉତ୍କୋଚ ଆଦାୟ ମହାପାପ ବୋଲି ଚର୍ଚ୍ଚା ହେଉଛି। ବୀରମହାରାଜପୁରର ବିଧାୟକ କୁଆଡେ କହିଛନ୍ତି ଯେ , ଏଇ ବଟି ଦେଉଥିବା ଦୁର୍ନୀତିଗ୍ରସ୍ତ ମିଲର୍ସ ଓ ଛତୁଆୟୁନିଟ୍ ଏସ୍ ଏଚ୍ ଜି ର କର୍ମକର୍ତ୍ତୀମାନେ ‘ ୨୪ ବର୍ଷର ପାପ ଧୋଇଲେ ‘ ! ଏ ସମ୍ପର୍କରେ ତାଙ୍କର ଏଇ ମତାମତ ଲୋକଙ୍କ ଚର୍ଚ୍ଚାରେ ରହିଥିବା ବେଳେ ସେ ଏହାକୁ ଅସ୍ବୀକାର କରନ୍ତି ।
ଏହି ରିପୋର୍ଟଟି ଜନସାଧାରଣଙ୍କ ଚର୍ଚ୍ଚା , ଅଭିଯୋଗକୁ ନେଇ ପ୍ରକାଶ । ଏଣୁ ଏହି ଅଭାବିତ ଅଭିଯୋଗ ପ୍ରତି ସରକାର , ମୁଖ୍ୟମନ୍ତ୍ରୀ , ସମସ୍ତ ଗଣମାଧ୍ୟମ ଓ ରାଜନେତାଙ୍କର ଦୃଷ୍ଟି ଆକର୍ଷଣ କରାଯାଉଛି । ଯିଏ ଯେତେ ବଡ ହୋଇଥିଲେ ବି ଗଣତନ୍ତ୍ରର ପ୍ରତିଷ୍ଠା ନିମନ୍ତେ ଏକ ସ୍ବଚ୍ଛ , ଦୁର୍ନୀତିମୁକ୍ତ ଶାସନ ନିମନ୍ତେ ଜନମତରେ ଲୋକପ୍ରତିନିଧି ହୋଇଥିବା ଏମାନଙ୍କର ଏପରି ନିରଙ୍କୁଶ ଉତ୍କୋଚ ଆଦାୟର ପର୍ଦ୍ଦାଫାଶ୍ ଜରୁରୀ ଥିଲା । କ’ଣ ଇଏ ? ଇଏ କ’ଣ ମୋଗଲଯୁଗର କୁଶାସକ ଆଓରଙ୍ଗଜେବଙ୍କର ଜିଜିୟାକର ?