ରୋଗୀଚିକିତ୍ସାର ରାଜନୀତି ଓ ବ୍ୟବସାୟୀକରଣ !
ଭୁବନେଶ୍ବର : ଚଳିତ ବଜେଟ୍ ରେ ସ୍ବାସ୍ଥ୍ୟ ପାଇଁ ୮ % ଅଧିକ ଆର୍ଥିକ ବ୍ୟୟବରାଦ କରାଯାଇଥିବା ବେଳେ , ଏହା ପଛରେ ରାଜନୀତି ଓ ବ୍ୟବସାୟୀକରଣ ରହିଥିବା ଲୋକେ ଅନୁମାନ କରୁଛନ୍ତି । ସ୍ବାସ୍ଥ୍ୟ ସମସ୍ୟା ହିଁ ଲୋକଙ୍କର ସବୁଠାରୁ ଜରୁରୀ ଆବଶ୍ୟକତା ଓ ଗତ ବିଜେଡି ସରକାରର ସବୁଠୁଁ ଜନକଲ୍ୟାଣକାରୀ ଯୋଜନା ଭାବେ ‘ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନା’ ଆଦୃତ ହୋଇଥିବାରୁ , ନୂତନ ଭାଜପା ସରକାର ରାଜ୍ୟରେ ଏକ ବିକଳ୍ପ ସ୍ବାସ୍ଥ୍ୟକାର୍ଡ ଯୋଜନା ‘ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ପ୍ରକଳ୍ପ’ କରିଥିବା ଓ ଏହାକୁ ଆହୁରି ସମ୍ପ୍ରସାରିତ କରିବାକୁ ଏଥିରେ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍ ଭାରତ ଯୋଜନାକୁ’ ମିଶାଇଦେବାକୁ ଯୋଜନା କରିଥିବା କୁହାଯାଉଛି । ମହିଳା କାର୍ଡ ପରି ସରକାରରେ ଥିବା ଦଳମାନଙ୍କର ଏଥିରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା କାହାକୁ ଅଛପା ନୁହେଁ । ସେ ଯାହାହେଉ , ଲୋକଙ୍କ ପାଇଁ ଏହା ଜରୁରୀ । ପୂର୍ବ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନାକୁ ହଟାଇବାର ସାହସ ନଥିବାରୁ ଏଭଳି ପୁରୁଣା ବୋତଲରେ ନୂଆ ମଦ ଭରି ସରକାର ଏହା କରୁଥିବା ପ୍ରକାଶ ।

କାହାକୁ ସୁହାଏ ଏ ସ୍ବାସ୍ଥ୍ୟକାର୍ଡ ଯୋଜନା ?
ଏହା ସହିତ ଆମ ରାଜ୍ୟର କାର୍ଡଧାରୀମାନେ ଓ ବିଶେଷକରି ରାଜ୍ୟ ବାହାରକୁ ଯାଉଥିବା ଦାଦନଶ୍ରମିକମାନେ ରାଜ୍ୟ ସମେତ ବାହାରେ ମଧ୍ୟ ବିନାଖର୍ଚ୍ଚରେ ବିଶେଷ ଚିକିତ୍ସାସୁବିଧା ପାଇପାରିବା ସହିତ ବୟୋଃଜ୍ଯଷ୍ଠ ରୋଗୀଙ୍କ ନିମନ୍ତେ ଏହା ଏକ ଆଶୀର୍ବାଦ । ‘ ଇନସୁରାନ୍ସ ନୁହେଁ , ଆସ୍ୟୁରାନ୍ସ ମୋଡ୍ ‘ ରେ ୨୭ ହଜାର ହାସପାତାଳରେ ରାଜ୍ୟର ୪ କୋଟି ୩୦ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରଥମ ଦଫାରେ ୩ କୋଟି ଲୋକଙ୍କ ପାଇଁ ଏହି କାର୍ଡ ବନାମ ଚିକିତ୍ସାସୁବିଧା ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି । ଏହା ସହିତ ରାଜ୍ୟର ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ସରକାର ଘୋଷଣା କରିଛନ୍ତି । ତା’ ସହ ଅଧିକ ଡାକ୍ତରୀ ପିଜି ସିଟ୍ ବୃଦ୍ଧି , ନର୍ସିଂ ତାଲିମ କେନ୍ଦ୍ର , ପ୍ରତି ପଞ୍ଚାୟତରେ ବିଶେଷ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ , ଡାଏଲେସିସ୍ ସେଣ୍ଟର ଇତ୍ୟାଦି ଖୋଲିବାକୁ ସରକାର ଯୋଜନା ରଖିଛନ୍ତି । ଆହୁରି ମଧ୍ୟ କ୍ୟାଥେଡ୍ରାଲ୍ ପାଇପ୍ , ସାଲାଇନ୍ , ଗଜକଟନ୍ ଆଦି ବିଭିନ୍ନ ଛୋଟ ଛୋଟ ଚିକିତ୍ସା ଉପକରଣର କ୍ଷୁଦ୍ରଶିଳ୍ପ ସ୍ଥାପନ ନିମନ୍ତେ ପ୍ରୋତ୍ସାହନ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯିବାକୁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି । ଆଗାମୀ ୫ ବର୍ଷ ମଧ୍ୟରେ ଏସବୁ କରାଯାଇ ‘ଭିଜନ୍- ୩୬’ ରେ ରାଜ୍ୟରେ ସରକାରୀ ସ୍ୱାସ୍ଥ୍ୟସେବାକୁ ବିକଶିତ କରାଯିବ ବୋଲି ସେ ବଡ ବଡ ଘୋଷଣା କରିଥିଲେ ।
ଗତ ୧୪ ତାରିଖରେ ସମ୍ବାଦପତ୍ର ‘ ଇଣ୍ଡସ୍ ଭେଲି ଟାଇମ୍ସ’ ଓ କେନ୍ଦ୍ରୀୟ ରିସର୍ଚ ସେଣ୍ଟରର ଯୁଗ୍ମ ଆୟୋଜନରେ କେତେକ ଘରୋଇ ହାସପାତାଳର ସହାୟତାରେ ଆୟୋଜିତ ଏକ କନକ୍ଲେଭ୍ ରେ ସ୍ବାସ୍ଥ୍ୟମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ଏହି ବଡଘୋଷଣା କରିଛନ୍ତି । ଏଥିରେ ବାଚସ୍ପତି ସୁରମା ପାଢୀ ଯୋଗ ଦେଇଥିବା ବେଳେ ବିତର୍କରେ ଭାଗ ନେଇଥିଲେ ପୂର୍ବତନ ଅର୍ଥ , ଅବକାରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏବଂ ସ୍ବନାମଧନ୍ଯ ଚିକିତ୍ସକ , ସାମ୍ବାଦିକ ଓ ବିଶିଷ୍ଟ ନିମନ୍ତ୍ରିତ ବ୍ୟକ୍ତିବିଶେଷଗଣ । ସେମାନଙ୍କ ଆଲୋଚନାରେ ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରହିଆସିଥିବା ଡାକ୍ତର ଅଭାବ , ନର୍ସ ବା ସ୍ବାସ୍ଥ୍ୟକର୍ମୀଙ୍କର ଆନ୍ତରିକତାହୀନ ସେବା , ବହୁମୂଲ୍ଯ ଯନ୍ତ୍ରପାତିର ଅଚଳାବସ୍ଥା ଓ ରୋଗସୃଷ୍ଟିର କାରଣ ଇତ୍ୟାଦି ସହ ସରକାରୀ ସ୍ବାସ୍ଥ୍ୟସେବାର ଅବ୍ୟବସ୍ଥା ସହ ଘରୋଇ ହସ୍ପିଟାଲ ଗୁଡିକର ବୃଦ୍ଧି ଇତ୍ୟାଦି ସମ୍ପର୍କରେ ଆଲୋଚନାରେ ସମାଲୋଚନା ପ୍ରକାଶ ପାଇଥିଲା ।
ତେବେ ରାଜ୍ୟର ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳର ବଡ ବଡ ସରକାରୀ ଡାକ୍ତରଖାନାରେ ଯାହା ଚାଲିଛି , ସମସ୍ତେ ଅନୁଭବ କରୁଛନ୍ତି । ହାତରେ ଟଙ୍କା ନଥିଲେ , ରୋଗୀର ଜୀବନ ଭଗବାନଙ୍କ ଭରସାରେ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଅତ୍ୟଧିକ ପଇସାଖୋର୍ ପାଲଟିଗଲେଣି । ଛତୁଫୁଟିଲା ପରି ସବୁଆଡେ ଦାମୀ ଘରୋଇ ହସ୍ପିଟାଲ ଖୋଲିଛି ଓ ସେଠାରେ ରୋଗୀଶୋଷଣ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ସଦ୍ୟସମାପ୍ତ ବିଧାନସଭାରେ ଜଣେ ବିଧାୟକ କହିଲେ ଯେ , ସ୍ବାସ୍ଥ୍ୟକାର୍ଡ ଗୁଡିକ ମୁଖ୍ୟତଃ ଘରୋଇ ହସ୍ପିଟାଲଗୁଡିକ ପାଇଁ ଅଧିକ ଲାଭଦାୟକ ହେଉଛି । ‘ କଥାଟି ନିରାଧାର ନୁହେଁ । ବସ୍ତୁତଃ ଗତ ସରକାରଙ୍କ ଅମଳରେ ବିଜୁ ସ୍ବାସ୍ଥ୍ୟ ଯୋଜନାର କାର୍ଡ ହେଉ ବା ଏବର ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର କାର୍ଡ ବା ଅନ୍ୟ ସ୍ବତନ୍ତ୍ର କାର୍ଡ ହେଉ ; ଓଡିଶାର ଗରିବ , ଅସଚେତନ ରୋଗୀଙ୍କ ପାଇଁ ସେସବୁ ଦଲାଲ୍ ଙ୍କ ମାଧ୍ୟମରେ ମୁଖ୍ୟତଃ ଘରୋଇ ହସ୍ପିଟାଲ ବା ସରକାରୀ ଚାକିରୀ କରୁଥିଲେ ହେଁ , ସେଠାକୁ ଯାଇ ଘରୋଇ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ‘ ସୋନେ ପେ ସୁହାଗା ‘ ଭଳି ହେଉଛି । ରାଜ୍ୟର ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଏପରିକି ଉପଖଣ୍ଡ ଓ ଜିଲ୍ଲାସ୍ତରୀୟ ଡାକ୍ତରଖାନା ଅଥବା ମେଡିକାଲ କଲେଜ ହାସପାତାଳରେ ମଧ୍ୟ ସରକାରୀ ସ୍ବାସ୍ଥ୍ୟ ସେବାରେ ଚରମ ଅବ୍ୟବସ୍ଥା ଓ ବିଶୃଙ୍ଖଳା ଲାଗି ରହିଛି । ଲୋକଙ୍କୁ ତାଙ୍କର ମୌଳିକ ଅଧିକାର ସରକାରୀ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ଏକ ଗାଣତାନ୍ତ୍ରିକ ସରକାରରେ ନିଶ୍ଚିତଭାବେ ସରକାରୀ ସ୍ବାସ୍ଥ୍ୟକାର୍ଡ ଗରିବ ରୋଗୀଙ୍କ ପାଇଁ ଏକ ବିଶେଷସୁବିଧା ସହାୟତା ହୋଇଥିଲେ ହେଁ ଗତ ସରକାରଙ୍କ ଅମଳରୁ ଏଯାବତ୍ ଯେତେ କାର୍ଡ ବ୍ୟବହାର କରାଯାଇଛି , ତହିଁରେ ରୋଗୀଙ୍କ ପ୍ରକୃତ ଚିକିତ୍ସାଖର୍ଚ୍ଚ ଅପେକ୍ଷା ଦଲାଲ୍ , ଡାକ୍ତର ଓ ଡାକ୍ତରଖାନାର କମିଶନୀ ଓ ଅତିରିକ୍ତଖର୍ଚ୍ଚର ପରିମାଣ କେତେ ? ତେଣୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏପରି ବାହାପିଆ ଘୋଷଣା ସତ୍ତ୍ୱେ , ଏଥିରେ ନିର୍ମାଣ , ସ୍ଥାପନ , କ୍ରୟ , ବ୍ୟୟ ଓ କମିଶନୀବାଲାଙ୍କର ହିଁ ଲାଭ ଅଧିକ ହେବ , ଏଥିରେ ଆଦୌ ସନ୍ଦେହ ନାହିଁ ବୋଲି ଜନସାଧାରଣ ଜାଣନ୍ତି । ମେଡିକାଲ କଲେଜ ଖୋଲିଦେଲେ ଯେ , ସେଥିରୁ ଅଭିଜ୍ଞ ଡାକ୍ତର ବାହାରିବେ , ସେମାନେ ସେମାନଙ୍କର ଶୋଷଣଖୋର୍ ପ୍ରବୃତ୍ତି ପରିହାର କରି ରୋଗୀଚିକିତ୍ସାରେ ସେବାମୂଳକ ମନୋବୃତ୍ତିକୁ ଗ୍ରହଣ କରିବେ ; ଏପରି କୌଣସି ଗ୍ୟାରେଣ୍ଟି ନାହିଁ । କାରଣ ସେମାନେ ଡାକ୍ତରୀ ପଢିବାକୁ କେତେ ଲକ୍ଷ ବା କୋଟିର ଲାଞ୍ଚ ଦେଇଥିବେ , ସେମାନେ ଓ ସେମାନଙ୍କର ବାପମାଆ ଜାଣନ୍ତି । ସିଟ୍ ବଢାଇଦେଲେ ଯେ ଏ ରାଜ୍ୟରେ ଆଡମିଶନ ସକାଶେ ଲାଞ୍ଚ କାରବାର ହେବନି , ଏ ଗ୍ୟାରେଣ୍ଟି ମଧ୍ୟ ସରକାର ଦେଇ ପାରିବେନି !
ଅନ୍ୟପକ୍ଷରେ ଦାମିକା ସ୍ବାସ୍ଥ୍ୟୋପକରଣ ବା ବହୁମୂଲ୍ୟର ଯନ୍ତ୍ରପାତି କିଣିଆଣିଲେ ବି ବାଚସ୍ପତି ଶ୍ରୀମତୀ ପାଢୀ କହିଲାପରି ସେସବୁ ଅଚଳ ଓ ପରିତ୍ୟକ୍ତ ହୋଇ କିଛିଦିନପରେ ପଡି ରହିବନାହିଁ , ଏ ଗ୍ୟାରେଣ୍ଟି ମଧ୍ୟ ସରକାର ଦେଇ ପାରିବେନି !
ଅପରତଃ ଏବେ ବି ସରକାରୀ ଡାକ୍ତରଖାନାଗୁଡିକରେ ଡାଏଲେସିସ୍ ଓ ଅନ୍ୟାନ୍ୟ ଜରୁରୀ ବିଶେଷ ରୋଗପରୀକ୍ଷା ବ୍ୟବସ୍ଥା କିପରି ଚାଲିଛି , ସ୍ବାସ୍ଥ୍ୟମନ୍ତ୍ରୀ ଥରେ ବୁଲି ଦେଖିଆସନ୍ତୁ ! ଗଣମାଧ୍ୟମରେ ପ୍ରକାଶିତ ଏସବୁ ସମସ୍ୟା ସମ୍ପର୍କରେ କହିଥିବା ସ୍ବାସ୍ଥ୍ୟମନ୍ତ୍ରୀ ସେ ସ୍ବାସ୍ଥ୍ୟମନ୍ତ୍ରୀ ହେବା ପରେ ଗତ ଛଅମାସ ମଧ୍ୟରେ ଗଣମାଧ୍ୟମରେ ପ୍ରକାଶିତ ତାଙ୍କରି ନିଜ ବ୍ଲକ୍ ଆଗଲପୁରରେ ସରକାରୀ ସ୍ବାସ୍ଥ୍ୟସେବାରେ ଅବ୍ୟବସ୍ଥା ଓ ତାଙ୍କ ନିଜ ଜିଲ୍ଲା ସଦର ମହକୁମାର ଏକ ଘରୋଇ ହସ୍ପିଟାଲରେ ଡାକ୍ତରଙ୍କ ଅନଭିଜ୍ଞତା ଜନିତ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ପାଟଣାଗଡର ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଏବଂ ଜଣେ କ୍ବାକ୍ ବା ଠକବୈଦ୍ୟର ଅନଭିଜ୍ଞ ଚିକିତ୍ସା ଯୋଗୁଁ ବଙ୍ଗୋମୁଣ୍ଡାର ଜଣେ ଯୁବତୀଙ୍କ ମୁଣ୍ଡରୁ ବୁର୍ଲାରେ ବର୍ଷାଧିକ କାଳ ପରେ ଏକାଧିକ ଛୁଞ୍ଚି ବାହାରି ଥିବା ଚାଞ୍ଚଲ୍ୟକର ସ୍ବାସ୍ଥ୍ୟବିଭ୍ରାଟ ଏବଂ ନିକଟରେ ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଠୋର- ସୁନାମୁଦି ସରକାରୀ ଉପସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟକର୍ମୀଙ୍କ ଦ୍ବାରା ଶିଶୁବିକ୍ରି ମାମଲାର ଏକ ଶିଶୁକନ୍ୟାକୁ ବିକ୍ରି ପାଇଁ ଜାଣିଶୁଣି ଜନ୍ମରିପୋର୍ଟରେ ଭୁଲ୍ ତଥ୍ୟ ଉଲ୍ଲେଖ କରିଥିବା ଇତ୍ୟାଦି ଘଟଣାରେ ସେ ଥରେ ହେଲେ ଦୃଷ୍ଟି ଦେଇଥିଲେ କି ?
ସରକାରୀ ସ୍ବାସ୍ଥ୍ୟକାର୍ଡର ଅପବ୍ଯବହାର ମୁଖ୍ୟତଃ ଘରୋଇ ହାସପାତାଳବାଲା ଓ ଦଲାଲ୍ ଙ୍କୁ ସୁହାଇବ । ଡାକ୍ତରୀଶିକ୍ଷା ପାଇଁ ସିଟ୍ ବା ଆଡମିଶନ ,ନିଯୁକ୍ତି , ଉପକରଣ ବା ଯନ୍ତ୍ରପାତି କିଣା, ଡାକ୍ତରଖାନା ନିର୍ମାଣ ଓ କଲେଜ ସ୍ଥାପନ ଇତ୍ୟାଦି ସକାଶେ ସ୍ବାସ୍ଥ୍ୟବିଭାଗ ବା ସରକାରୀ ଚାକିରୀ ପାଇଁ ସରକାରଙ୍କୁ ସୁହାଇବ । ଯଦିଓ କିଛିଟା ଲୋକଙ୍କର ଉପକାର ହେବ , ଉପରୋକ୍ତ ବାଟମାରଣା ତୁଳନାରେ ସେ କିଛି ନୁହେଁ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । କାରଣ ଏଯାବତ୍ ସରକାରମାନେ ଏଭଳି ଘୋଷଣା କରିଆସୁଛନ୍ତି ଓ ପରିଣାମ ଫୁସ୍ ହେଉଥିବା ଲୋକେ ଅଙ୍ଗେ ନିଭାଇ ଆସୁଛନ୍ତି । ରାଜ୍ୟର ଯେକୌଣସି ଡାକ୍ତରଖାନାରେ ରୋଗୀଚିକିତ୍ସାରେ ଲୋକେ କିପରି ଖର୍ଚ୍ଚାନ୍ତ ହେଉଛନ୍ତି , କହିବା ଅନାବଶ୍ୟକ ।
ତେଣୁ ଲୋକେ ତାଙ୍କୁ ଓ ସରକାରଙ୍କ ଏତାଦୃଶ ଘୋଷଣାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏହି ସ୍ବାସ୍ଥ୍ୟକାର୍ଡର ସୁବିଧା ପୀଡିତଙ୍କୁ କମ୍ ଓ ଏସବୁର ବ୍ୟବସ୍ଥାର ରୂପାୟନ ନିମନ୍ତେ ସରକାରୀ ଯୋଜନାର ବାଟମାରଣାକାରୀଙ୍କର ଅଧିକ ମୁନାଫା ବୋଲି ଲୋକେ କହୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା , ଯୋଉଦିନ ସ୍ବାସ୍ଥ୍ୟମନ୍ତ୍ରୀ ଏହି ବଡ ଘୋଷଣା କରୁଥିଲେ , ଠିକ୍ ସେତିକିବେଳେ ଏ ପ୍ରବଳ ଶୀତରେ ଥରି ଥରି ତାଙ୍କରି ନିର୍ବାଚନମଣ୍ଡଳୀରୁ ଟିକେ ଆଶ୍ବସ୍ତି ଓ ସୁବିଧା ଆଶାରେ ଆସି ତାଙ୍କ ସରକାରୀ ବାସଭବନରେ ଚାରିଦିନ ହେଲା ଅପେକ୍ଷା କରି କରି ପିଲାଛୁଆ ଧରି ପଡିଥିବା ଗରିବ ରୋଗୀ ଓ ରୋଗୀଙ୍କ ଆତ୍ମୀୟମାନେ ମନ୍ତ୍ରୀଙ୍କର ସାକ୍ଷାତ୍ ନପାଇ ବିଷୋଦ୍ ଗାର କରୁଥିବା ଦେଖିବାକୁ ମିଳିଥିଲା ! ଏଣୁ ଏଭଳି ଲୋକପ୍ରତିନିଧିଙ୍କର ସହୃଦୟତା କିପରି ଅନୁମାନସାପେକ୍ଷ ।
ସର୍ବୋପରି ସରକାରୀ ସ୍ବାସ୍ଥ୍ୟସେବାକୁ ନେଇ ରାଜନୀତି ଓ ବ୍ୟବସାୟୀକରଣର ଇଏ ହେଉଛି , ସର୍ବଶ୍ରେଷ୍ଠ ଆୟୋଜନ ?