ଗୋଚରଜମିକୁ ଏନଏସିକୁ ହସ୍ତାନ୍ତର :
ଠିକାଦାରଙ୍କ ପାଉଣା ବନ୍ଦ :
ଅଙ୍ଗନବାଡି କର୍ମୀଙ୍କ ନିଯୁକ୍ତିରେ ଜାଲିଆତି :
ପାଟଣାଗଡ : ଦୀର୍ଘ ପ୍ରାୟ ୪ ବର୍ଷକାଳ ପ୍ରାଶାସନିକ ଦାୟିତ୍ବରେ ଏଠାରେ ରହିବା ପରେ ଏବେ ପଦୋନ୍ନତି ପାଇ ବଲାଙ୍ଗୀର ଜିଲ୍ଲାର ଦାୟିତ୍ବରେ ପଦାସୀନ ଜନୈକ ଅଧିକାରୀଙ୍କ କାର୍ଯ୍ୟକଳାପ ଜନବିରୋଧୀ ହେବା ସହ ତାଙ୍କ କ୍ଷମତାର ଅପବ୍ୟବହାର ବୋଲି ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ପ୍ରକାଶ ପାଇଛି । ତାଙ୍କର ଦିଲ୍ଲୀଲିଙ୍କ୍ ଓ ରାଜ୍ଯ ତଥା ଶାସକଦଳର ସ୍ଥାନୀୟ ତୁଙ୍ଗରାଜନୈତିକ ଲୋକପ୍ରତିନିଧିଙ୍କ ଛତ୍ରଛାୟାରେ ରହିଥିବାରୁ ଏବଂ କୂଟବୁଦ୍ଧି ପ୍ରୟୋଗରେ ସିଦ୍ଧହସ୍ତ ହୋଇ ପ୍ରାୟତଃ ଅପରିପକ୍ବ ନୂତନ ଉପରିସ୍ଥ ଅଧିକାରୀଙ୍କୁ ପ୍ରଭାବିତ କରି ଆସି ସେ ନିଜକୁ ଜିଲ୍ଲାର ଅଖଣ୍ଡ କ୍ଷମତାଶାଳୀ ମନେ କରୁଥିବା କୁହାଯାଉଛି ।
ଅଭିଯୋଗରୁ ପ୍ରକାଶ ଯେ ଉକ୍ତ ଅଧିକାରୀ ଜଣକ ତାଙ୍କର ଏଠାରେ କାର୍ଯ୍ୟକାଳ ମଧ୍ଯରେ ଖପ୍ରାଖୋଲ ଶିଶୁ ବିକାଶ ପ୍ରକଳ୍ପ ଅଧୀନସ୍ଥ ଜଲପାଙ୍କେଲ ଗ୍ରାମର ଜନୈକା ଗରିବ ବୋହୁର ଅଙ୍ଗନବାଡି କର୍ମୀଙ୍କ ହକ୍ ମାରି ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଥରେ ଧରାପଡି କାର୍ଯ୍ୟରୁ ଅନ୍ତର ହୋଇଥିବା ଜନୈକା ଅଭିଯୁକ୍ତାଙ୍କୁ ଦ୍ବିତୀୟବାର ପୁଣି ଆଉ ଏକ ପ୍ରମାଣପତ୍ର ଦାଖଲ କରିବାରୁ ତାଙ୍କ କୋର୍ଟରେ ଫଇସଲା ଆଳରେ ଲକ୍ଷାଧିକ ଟଙ୍କାର ଉତ୍କୋଚ ଖାଇ ଚାକିରୀ ଦେଇଛନ୍ତି ।
ଦ୍ବିତୀୟତଃ ବିଭିନ୍ନ ସଂଗଠନ ତଥା ଗ୍ରାମବାସୀମାନଙ୍କ ବହୁ ପ୍ରତିବାଦ ସତ୍ତ୍ବେ ବଥର୍ଲା ଗ୍ରାମର ପ୍ରାୟ ଏକ ଏକର ବା ୯୭୦ ଡେସ୍ ମିଲ୍ ର ଗୋଚରଜମିକୁ ଅବୈଧ ଭାବରେ ତତ୍କାଳୀନ ତହସିଲଦାରଙ୍କ ଉପରେ ଚାପ ପକାଇ କିସମ ବଦଳାଇ ପାଟଣାଗଡ ଏନ୍ ଏ ସି କୁ ପ୍ରଦାନ କରିଛନ୍ତି , ଯେଉଁଠି ଏବେ ପାଟଣାଗଡ ପେକ୍ସର ଗୃହନିର୍ମାଣ ଚାଲିଛି ।
ଶୁଣାଯାଏ, ନିଜର ହେଭିପିସି ନିମନ୍ତେ ସେ ତାଙ୍କ ଅମଳର ବହୁ ଠିକାଦାରଙ୍କ ବିଜୁ ପକ୍କାଗୃହ ଓ ଅନ୍ଯାନ୍ଯ କାମର ବିଲ୍ କୁ ଅଟକାଇ ରଖିଛନ୍ତି।
ପାଟଣାଗଡ ଅଞ୍ଚଳର ବିଭିନ୍ନ କପାମିଲ୍ ଗୁଡିକ ଏବେ ବି ତାଙ୍କ କର୍ତ୍ତୃତ୍ବରେ ଚାଲିଥିବା କୁହାଯାଉଛି । ଗତବର୍ଷଠାରୁ ଖପ୍ରାଖୋଲ ଓ ପାଟଣାଗଡ ଉପଖଣ୍ଡରେ ଆଦାନୀର ଜମିକିଣିଥିବାର ମଧ୍ଯ ଏହି କରିତ୍ କର୍ମା ଅଧିକାରୀଙ୍କର ହାତ ରହିଛି ଓ ସେ ଆଦାନୀକମ୍ପାନୀର ଜଣେ ସ୍ଥାନୀୟ ଏଜେଣ୍ଟ ( ସୁବର୍ଣ୍ଣପୁର ଜିଲ୍ଲା ବିନକା ଗୁଲାପଡା ଗ୍ରାମର ) ଙ୍କର ସେବକ ବା ହାତବାରିସୀ ସାଜି ପ୍ରାୟତଃ ଅଞ୍ଚଳରେ ତାଙ୍କୁ ସାଙ୍ଗରେ ଧରି ବୁଲୁଥିବା ଦେଖାଯାଉଛି ।
ସଂପ୍ରତି ଜିଲ୍ଲାସ୍ତରରେ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରୁ ସେ ସିଂହଭାଗ ଫାଇଦା ନେଉଥିବା ଚର୍ଚ୍ଚା ହେଉଛି । ମୁଖ୍ଯତଃ ଗତବର୍ଷ ଓ ଚଳିତବର୍ଷର ବଲାଙ୍ଗୀର ଲୋକଉତ୍ସବ, ସୁଭଦ୍ରା ଶକ୍ତିମେଳା , ସମନ୍ଵିତ ଶିଶୁ ବିକାଶ ଯୋଜନାର ଯାବତୀୟ କାମ ଇତ୍ୟାଦିରୁ ସେ ହାତଚିକ୍କଣ କରିଆସୁଥିବା ଲୋକଙ୍କ ଆଲୋଚନାରୁ ପ୍ରକାଶ । ଆହୁରି ବି ଉକ୍ତ ଅଧିକାରୀ ଜଣକ ତାଙ୍କ ଦାପ୍ତରିକ ସାମ୍ବିଧାନିକ କ୍ଷମତାର ଅପବ୍ୟବହାର କରି କେତେକ ମର୍ଯ୍ୟାଦାଜନକ ପଞ୍ଜୀକୃତ ଅନୁଷ୍ଠାନକୁ ଅପଦସ୍ତ କରିବାକୁ ମୁଷ୍ଟିମେୟ ବିରୋଧୀଗୋଷ୍ଠୀର ପଛରେ ଉସ୍ କାଇ ଅଯଥା ବିବାଦ ସୃଷ୍ଟି କରୁଥିବା ଅଭିଯୋଗ କରାଯାଇଛି । ତାଙ୍କର ଏତାଦୃଶ କୂଟନୀତି ଓ ଷଡଯନ୍ତ୍ର ବିରୋଧରେ ଉକ୍ତ ଅନୁଷ୍ଠାନ ପକ୍ଷରୁ ଖୁବ୍ ଶୀଘ୍ର ଆଇନ ଅଦାଲତର ଆଶ୍ରୟ ନିଆଯିବ ବୋଲି ଆଭାସ ମିଳୁଛି ।
ଏଣୁ ଏହି ଅଧିକାରୀଙ୍କ ସମ୍ପର୍କରେ ସରକାର ତୀକ୍ଷ୍ଣଦୃଷ୍ଟି ରଖିବାକୁ ଲୋକେ ଦାବି କରୁଛନ୍ତି ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।