ଜିଲ୍ଲା

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାର ସରକାରୀ ସ୍ବାସ୍ଥ୍ୟସେବା ହାଲ୍

Email :

ତଦନ୍ତ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀଙ୍କ ଦୃଷ୍ଟି ପଡିଲାଣି କି ?

ପାଟଣାଗଡ : ନିକଟରେ ଉପମୁଖ୍ୟମନ୍ତ୍ରୀଙ୍କ ସହର ପାଟଣାଗଡରେ ମୁଖ୍ଯମନ୍ତ୍ରୀଙ୍କ ଦ୍ବାରା ଉପଖଣ୍ଡ ହାସପାତାଳର ନୂତନ କୋଠା ଉଦ୍ ଘାଟିତ ହୋଇଯାଇଥିବା ବେଳେ , ସେଠାରେ ଏହା ଚାଲିବା ଆରମ୍ଭ ହୋଇନାହିଁ । ଦୀର୍ଘବର୍ଷର ପୁରୁଣା ଚିକିତ୍ସାଳୟରେ ଚାଲିଛି । ତେବେ ସେଠାରେ ସରକାରୀ ସ୍ବାସ୍ଥ୍ୟସେବା ବା ଚିକିତ୍ସାରେ ବହୁ ଗୁରୁତର ତ୍ରୁଟି ଓ ଅବ୍ୟବସ୍ଥା ଯୋଗୁଁ ବ୍ୟାପକ ସମସ୍ୟା ଦେଖାଦେଉଥିଲେ ହେଁ , ଏଥିପ୍ରତି ବିଭାଗ ବା ସରକାର ଉଦାସୀନ ରହୁଥିବା ଲକ୍ଷ୍ୟ କରାଯାଇଛି । ଏପରିକି ଏକ ସମ୍ବେଦନଶୀଳ ଅଭିଯୋଗର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ସତ୍ତ୍ବେ କୌଣସିପ୍ରକାର ପଦକ୍ଷେପ ନିଆଯାଇ ନ ଥିବାରୁ ଜନଅସନ୍ତୋଷ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ପାଟଣାଗଡ ଥାନାରେ ମଧ୍ଯ ଏତଲାକ୍ରମେ ଏକ ଷ୍ଟେସନଡାଏରୀ ଦର୍ଜ କରାଯାଇ ତଦନ୍ତ ହେଉଛି ।

ବେସରକାରୀ ଡାକ୍ତର ଓ କର୍ମଚାରୀଙ୍କ ଦଖଲ !

ପ୍ରକାଶ ଯେ ଗତମାସ ୨୪ ତାରିଖରେ ସହରର ଏକ ଘରୋଇ କ୍ଲିନିକ୍ ରେ ଚିକିତ୍ସିତ ଜଣେ ରୋଗୀଙ୍କ ଅବସ୍ଥା ହଠାତ୍ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଉକ୍ତ ଘରୋଇ ଡାକ୍ତରଙ୍କ ପକ୍ଷରୁ ତାଙ୍କ ଘରଲୋକଙ୍କ ଦ୍ବାରା ଉକ୍ତ ଉପଖଣ୍ଡ ସରକାରୀ ହାସପାତାଳକୁ ଅଣାଯାଇଥିଲା। ଅଭିଯୋଗ ଅନୁଯାୟୀ ଉକ୍ତ ଘରୋଇ ଡାକ୍ତରଙ୍କ ଭୁଲ୍ ଚିକିତ୍ସାରୁ ଏକ ଇଞ୍ଜେକସନ୍ ଦେବାର କେଇ ମିନିଟ୍ ପରେ ସୁସ୍ଥ ସବଳ ଥିବା ଉକ୍ତ ଯୁବକଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିବା ଓ ଉକ୍ତ ସରକାରୀ ଡାକ୍ତରଖାନାକୁ ଆଣିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ତାଙ୍କ ଘରଲୋକେ କହୁଥିବା ବେଳେ , ତାଙ୍କ କ୍ଲିନିକ୍ ରେ ଇସିଜି ମେସିନ୍ ଥିବା ସତ୍ତ୍ବେ ଉକ୍ତ ଘରୋଇ ଡାକ୍ତର ଡା ଦିଲିପ ମେହେର ନିଜେ ସାଙ୍ଗରେ ଆଣି ଜବରଦସ୍ତି ସରକାରୀ ହାସପାତାଳରେ ଏକ ବେଡ୍ ରେ ଶୁଆଇ ଇସିଜି ଅପରେଟର କେଶବ ମେହେର ‘ ଏ ତ ମୃତ ‘ ବୋଲି କହିବା ସତ୍ତ୍ବେ ଚାପ ପକାଇ ତଥାକଥିତ ଇସିଜି କରାଇବା ସହ ଉପସ୍ଥିତ ଜଣେ ସରକାରୀ ଡାକ୍ତରାଣୀ ଡା ଫ୍ଲୋରା ପଣ୍ଡାଙ୍କ ଦ୍ବାରା ମୃତ ଘୋଷଣା କରାଇ ନିଜ ଦୋଷ ଢାଙ୍କିଦେବା ଓ ଏହାକୁ ଏସ୍ ଡି ଏମ୍ ଓ ଡା ପୀତବାସ ସା ଉପସ୍ଥିତ ନ ଥାଇ ମଧ୍ଯ ସମର୍ଥନ କରୁଥିବା ଅଭିଯୋଗ ମୃତକଙ୍କ ପରିବାର ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଠାରେ କରାଯିବାରୁ ସ୍ବାସ୍ଥ୍ୟମନ୍ତ୍ରୀ ଡା ମୁକେଶ ମହାଲିଙ୍ଗଙ୍କ ଦ୍ବାରା ଗତମାସ ୧୯ ତାରିଖରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା।

ଉପଖଣ୍ଡ ଚିକିତ୍ସାଳୟର ନିୟମ ବହିର୍ଭୂତ କାର୍ଯ୍ୟକଳାପ !

ଆହୁରି ମଧ୍ଯ ଅନୁସନ୍ଧାନରୁ ଜଣାଯାଏ ଯେ , ଦୀର୍ଘବର୍ଷ ହେଲା ଏଠାରେ ଧୂଳି ଖାଇ ପଡିଥିବା ଇସିଜି ମେସିନ୍ ଟି କାର୍ଯ୍ୟକ୍ଷମ ନଥିବାରୁ ବାହାରୁ ପ୍ରାଇଭେଟ୍ ମେସିନ୍ ଆଣି ଇସିଜି କରାଯାଉଥିବା ( ଏଇ ତିନି / ଚାରିଦିନ ତଳେ ଏକ ନୂତନ ମେସିନ ଆସିଥିବା ) ସହ ଏହା ଚଳାଇବାକୁ କେହି ଟେକନିସିଆନ ନ ଥିବାରୁ ‘ଅପରେଟର’ କୁହାଯାଉଥିବା ଜଣେ ସ୍ଥାନୀୟ କର୍ମଚାରୀ ଓ ଅନେକସମୟରେ ସେ ଅନୁପସ୍ଥିତ ଥିଲାବେଳେ ତାଙ୍କର ‘ଚେଲା’ କୁହାଯାଉଥିବା ଜଣେ ସ୍ଥାନୀୟ ଯୁବକଙ୍କ ଦ୍ବାରା ତଥାକଥିତ ଇସିଜି କରାଯାଉଥିବା ଦେଖାଯାଇଛି ! ଏ ସମ୍ପର୍କରେ ପଚାରିବାରୁ ଫୋନ୍ ରେ ଉକ୍ତ ଉପଖଣ୍ଡ ଚିକିତ୍ସାଧିକାରୀ ଡା ପୀତବାସ ସା କହିଛନ୍ତି ଯେ , ‘ ଟେକନିସିଆନ ନାହାଁନ୍ତି । ସେ ଅପରେଟର । ଆମେ ତାଙ୍କୁ ‘ ଟେକନିସିଆନ କହୁ । ଆମେ ବି ଶିଖିଗଲୁଣି । ‘

ଏଣୁ ଉପରୋକ୍ତ ଘଟଣାରେ ଅଭିଯୋଗ ଅନୁଯାୟୀ , ଉକ୍ତ ସରକାରୀ ହାସପାତାଳରେ ଘରୋଇ ଡାକ୍ତରଙ୍କ ନିଅମ ବହିର୍ଭୂତ ହସ୍ତକ୍ଷେପ ସହ ସତ୍ଯକୁ ଲୁଚାଇବା , ମଲାଲୋକର ଇସିଜି କରିବା , ଅଣଟେକନିସିଆନଙ୍କ ଦ୍ବାରା ତଥାକଥିତ ଇସିଜି ପରି ହୃଦ୍ ରିଡିଂ ପରି ଅତି ଗୁରୁତ୍ବପୂର୍ଣ୍ଣ ରିପୋର୍ଟକୁ ଟାମ୍ପରିଂ କରି ଜଣେ ବାହ୍ୟ ଘରୋଇ ଡାକ୍ତରଙ୍କ ଭୁଲ୍ ଚିକିତ୍ସାରୁ ପ୍ରାଣହାନୀ ଘଟିବା ଅଭିଯୋଗକୁ ଘଣ୍ଟ ଘୋଡାଇବା ଅଭିଯୋଗ ପରି ବେଆଇନ କାର୍ଯ୍ଯକଳାପର ତଦନ୍ତ ହେବ କେବେ ?

ଉଲ୍ଲେଖଯୋଗ୍ଯ ଯେ , ହାସପାତାଳରେ ମୃତ୍ୟୁଘଟିଥିବା କହୁଥିବା ସତ୍ତ୍ବେ ଉକ୍ତଦିନର ଉକ୍ତ ରୋଗୀଙ୍କର ଆଡ଼ମିସନ୍ କିମ୍ବା ଇସିଜିର ଡାକ୍ତରଖାନାର ରେଜିଷ୍ଟରରେ ଉଲ୍ଲେଖ ନଥିବା ବେଳେ ଡିସଚାର୍ଜ କରାଯାଇଥିବା ଦର୍ଶାଯାଇଛି ! ଏହାସହିତ ଅଦ୍ୟାବଧି ଉକ୍ତ ମୃତକଙ୍କ ପରିବାରବର୍ଗଙ୍କ ବାରମ୍ବାର ଦାବି ସତ୍ତ୍ବେ ‘ମୃତ୍ୟୁର କାରଣ ‘ରିପୋର୍ଟ ଦିଆଯାଇନାହିଁ । ଅଥଚ ଉକ୍ତ ଘରୋଇ ଡାକ୍ତରଙ୍କ ଦ୍ବାରା ତାଙ୍କ ପ୍ରେସ୍ କ୍ରିପସନରେ ଏଭଳି ‘ କଜ୍ ଅଫ୍ ଡେଥ୍ ‘ ଲେଖି ଦିଆଯାଇଛି !

ଏହା ସହିତ ପାଟଣାଗଡ ଉପଖଣ୍ଡ ସରକାରୀ ହାସପାତାଳରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା ପ୍ରତି ଏତେ ଅଭିଯୋଗ ସତ୍ତ୍ବେ ଆଦୌ ଦୃଷ୍ଟି ଦିଆଯାଉ ନ ଥିବା ଲୋକଙ୍କ ପକ୍ଷରୁ ଅଭିଯୋଗ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *

Related Post