ଜିଲ୍ଲା

ସରକାରଙ୍କୁ ଦେଇଦେଲେ ଉଦ୍ଧାର ଶିଶୁ

Email :

ବଲାଙ୍ଗୀର  :  ଅଳ୍ପଦିନ ତଳେ ଚର୍ଚ୍ଚିତ ହୋଇପଡିଥିବା ବଲାଙ୍ଗୀର ଉପ -ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ପାଟଣାଗଡର ଖପ୍ରାଖୋଲ ବ୍ଲକ୍ ଲାଠୋର- ସାନଗୁର୍ଜିଭଟା ପଡାପାଲି ଗ୍ରାମର ଦାଦନପରିବାରର ଶିଶୁକନ୍ୟା ବିକ୍ରି ମାମଲାଟି ଏବେ ଭିନ୍ନମୋଡ ନେଇଛି । ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ହସ୍ତକ୍ଷେପରେ ଶିଶୁ ସୁରକ୍ଷା ସମିତିର ଏତଲାକ୍ରମେ ମାମଲା ଋଜୁ କରି ଲାଠୋର ପୁଲିସ୍  ତଥାକଥିତ କିଣିଥିବା ଅଭିଯୁକ୍ତ ସହ ମଧ୍ୟସ୍ଥି ଓ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଗିରଫ କରି ରାୟପୁରର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତା ଶିଶୁକନ୍ୟାଟିକୁ ଉଦ୍ଧାର କରିଆଣି ଡିସିପିୟୁ ଓ ସିଡବ୍ଲୁସିର ହେପାଜତରେ ତା’ର ମାଆବାପଙ୍କୁ ଦିଆଯାଇଥିଲା ବେଳେ ଏବେ ତା’ର ବାପମାଆ ସାନଗୁର୍ଜିଭଟା ପାଲିପଡା ଗାଁ’ର ଅରୁଣାବତୀ ନାଗ ଓ ଅମୃତ ନାଗ ବଲାଙ୍ଗୀର ଆସି ପ୍ରଶାସନ ବନାମ ଶିଶୁ ମଙ୍ଗଳ ସମିତି ହାତରେ ଶିଶୁଟିକୁ ଟେକିଦେଇ ‘ ଆମେ ବିକ୍ରିକରି ନଥିଲୁ , ପୋଷି ନପାରିବାରୁ ପୋଷ୍ୟସନ୍ତାନ ଭାବରେ ଦେଇଥିଲୁ , ସମ୍ବଳ ନାଇଁ ପୋଷିବୁ କେମିତି ?  ଏବେ ସରକାରଙ୍କୁ ଦେଇଦେଲୁ ଓ  ପୁଣି ଦାଦନ ଖଟିବାକୁ ଯିବୁ’ ବୋଲି କହିଥିବା ଗଣମାଧ୍ୟମରେ ଶୀର୍ଷକଖବର ପ୍ରକାଶ ପାଇ ପୁଣି ଚର୍ଚ୍ଚିତ ହୋଇପଡିଛି । ଏତଦ୍ଦ୍ବାରା  ଉକ୍ତ ଶିଶୁବିକ୍ରି ହୋଇଥିବା ସମ୍ପର୍କରେ ସମସ୍ତ ଅଭିଯୋଗ ଓ ଚର୍ଚ୍ଚା କାଟ ଖାଇଯିବା ସହିତ ରାଜ୍ୟରେ ଚରମ ଦାରିଦ୍ର୍ଯ ଓ ଉତ୍କଟ ଦାଦନ ସମସ୍ୟା ସହ ବିଫଳ ପରିବାର ନିୟୋଜନ ଏବଂ ବିପନ୍ନଶୈଶବ ପ୍ରମାଣିତ ହୋଇଛି।

ତେବେ ଉକ୍ତ ଶିଶୁଟିର ବାପମାଆଙ୍କୁ ଏଥିପାଇଁ କେହି ପ୍ରରୋଚିତ କରିଥିବାର ସନ୍ଦେହ ସତ ହୋଇଥାଉ ବା ନଥାଉ , ଉକ୍ତ ଅଭିଯୋଗ ଯେ ସତ ନଥିଲା ଓ ତରବରିଆ ଭାବେ ତଦନ୍ତ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ; ତାହା  ସ୍ପଷ୍ଟ ହୋଇଯାଇଛି ।

ବିକଶିତ ଓଡିଶା ଓ ଟାସ୍କଫୋର୍ସ ଘୋଷଣାର ଅସଲଚିତ୍ର

ତେବେ ଏଠାରେ ଏକ ପ୍ରଶ୍ନ ଉଠୁଛି ଯେ , ଯଦି ବହୁସନ୍ତାନ ବୋଝ ଯୋଗୁଁ ଶିଶୁଟିକୁ ଅନ୍ୟକୁ ପୋଷିବାକୁ ଦେଇଦେବାର ଥିଲା , ତା’ହେଲେ ତା’ର ବାପମାଆ ଶିଶୁଟିର ହସ୍ତାନ୍ତର ବା ନେଇଥିବା ଲୋକେ ଓ ମଧ୍ୟସ୍ଥିମାନେ  ଘଟଣାଟିକୁ ଗୋପନରେ କରି ଲୁଚାଉଥିଲେ କାହିଁକି ? ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଯେ , ଏହି ଦମ୍ପତି ଆଗରୁ ମଧ୍ୟ ସେମାନଙ୍କର ସଦ୍ୟଜାତ ସନ୍ତାନ ହସ୍ତାନ୍ତର କରିଛନ୍ତି । ଯଦି ଏହା ହୋଇଥାଏ ,ତାହାର ତଦନ୍ତ ହେବା ଆବଶ୍ୟକ ।

ସେହିପରି ସମ୍ମାନଜନକ ଫ୍ଲରେନ୍ସ ନାଇଟିଏଙ୍ଗେଲ୍ ଜାତୀୟ ପୁରସ୍କାର ପାଇଥିବା ସୁଦକ୍ଷା ସ୍ବାସ୍ଥ୍ୟକର୍ମୀ ଜଣକ ହସ୍ତାନ୍ତର ନିମନ୍ତେ ଜନ୍ମପତ୍ର ପଞ୍ଜିକରଣରେ ହେରଫେର କରିଥିବା  ଅବୈଧ କାର୍ଯ୍ୟକଳାପ କରିବା ଅପେକ୍ଷା  ଏତେଥର ଛୁଆଜନ୍ମ କରୁଥିବା  ଉକ୍ତ ଦମ୍ପତିଙ୍କୁ ପରିବାର ନିୟୋଜନ ନିମନ୍ତେ କାହିଁକି ପରାମର୍ଶ ବା ପ୍ରବର୍ତ୍ତାଇ  ନଥିଲେ  ?

ଏହି ଘଟଣାରେ ଉପମୁଖ୍ଯମନ୍ତ୍ରୀ ଗାଁ’କୁ ଯାଇ ମାମଲାଟିକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଦେଇଥିବା ବେଳେ , ପୂର୍ବତନ ଶିଶୁ ବିକାଶ ମନ୍ତ୍ରୀ ସ୍ଥାନୀୟ ବିଜେଡି ଜିଲ୍ଲା ସଭାନେତ୍ରୀ ଟୁକୁନୀ ସାହୁ , ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ମାମଲାଟିର ଅଧିକ ତଦନ୍ତ କରିଥିଲେ ।

ଆହୁରି ମଧ୍ୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଡିସିପିୟୁ ଜିଲ୍ଲାରେ ସରକାରଙ୍କ ଠାରୁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ପାଇଁ ଆଣୁଥିବା ସତ୍ତ୍ୱେ  ଓ ଡିସିପିଓ ଲକ୍ଷ୍ମୀ ସିଂ ‘ ଆମରି ସଚେତନତା ଯୋଗୁଁ ଏସବୁ ଘଟଣା ଜଣାପଡୁଛି ‘ ବୋଲି ବାହାସ୍ଫୋଟ ମାରୁଥିବା ଏବଂ ପ୍ରତିଯୋଗିତା କଲାଭଳି ଶିଶୁ ସୁରକ୍ଷା ସମିତି ବା ସିଡବ୍ଲୁସିର ସଦସ୍ୟା ଓକିଲ ଏସ୍. ଲତାଶ୍ରୀ ଓ ଡା. ସନ୍ଧ୍ୟାରାଣୀ ପଣ୍ଡା  ଉକ୍ତ ଗାଁ’ରେ ପହଞ୍ଚିଯାଇ  ଘଟଣାଟିକୁ ଭଲଭାବରେ ଅନୁଧ୍ୟାନ ନକରି ହଠାତ୍ ଏହାକୁ ଏକ ଶିଶୁବିକ୍ରି ବୋଲି ଲାଠୋର ଥାନାରେ ଲିଖିତ ଏତଲା ଦେଇଦେବା ସହିତ ଏହା ଖୋଲାଖୋଲି ପ୍ରକାଶ କରି ମିଡିଆରେ ପ୍ରଚାର ପାଇଁ ଖୋରାକ୍ ଯୋଗାଇଦେଇ  ସମ୍ବେଦନଶୀଳ ପ୍ରସଙ୍ଗ କରିଦେଇଥିବାର ଅପରିଣାମଦର୍ଶିତାର ପରିଣତି ଭୋଗିବ କିଏ  ? ଏବେ ସେମାନଙ୍କୁ ପ୍ରଥମେ ଏଥିପାଇଁ କୈଫିୟତ୍ ମଗାଯାଉ ବୋଲି ଲୋକେ ଦାବି କରିଛନ୍ତି।

ସର୍ବୋପରି ଖୋଦ୍ ଉପମୁଖ୍ଯମନ୍ତ୍ରୀ ବା ତଦନ୍ତକାରୀ ସିଡବ୍ଲୁସି , ଡିସିପିଓ , ଜିଲ୍ଲାପାଳ , ଏସ୍ ପି , ଉପଜିଲ୍ଲାପାଳ , ଏସଡିପିଓ ଓ ଆଇଆଇସି ପ୍ରମୁଖ ଏହି ଘଟଣାରେ ପ୍ରକୃତ ସତ୍ୟାସତ୍ୟ ନ ବୁଝି ଏତେ ଏକପାଖିଆ ଗିରଫଦାରୀ ପରି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏବେ ସରକାରଙ୍କୁ ଅପଦସ୍ତ କରିବା ପର୍ଯ୍ୟନ୍ତ କଥା ଗଲା କାହିଁକି  ?  

ଦାଦନ ସମସ୍ୟାର ନିରାକରଣ ସକାଶେ ସରକାର ଏବେ ଟାସ୍କଫୋର୍ସ ଗଠନ କରିଥିବା ଓ ତା’ର ଅଧ୍ୟକ୍ଷ କନକବର୍ଦ୍ଧନ ସିଂହଦେଓ ରହିଥିବାରୁ ପ୍ରଥମେ ତାଙ୍କରି ଦାଦନପ୍ରବଣ ନିର୍ବାଚନ ମଣ୍ଡଳୀରେ ଏପରି ଏକ ପୀଡିତଦାଦନ ପରିବାରରୁ ତାଙ୍କୁ ବନାମ ସରକାରଙ୍କୁ ସିଧା ଆହ୍ବାନ କରାଯିବା , ଏକ ଜବରଦସ୍ତ ବିଡମ୍ବନା ନୁହେଁ କି  ?

ଉକ୍ତ ଦମ୍ପତିଙ୍କର ‘ପୁଣି ଦାଦନ ଖଟିବାକୁ ଯିବୁ ‘ ର ଅର୍ଥ କ’ଣ ? ଏଠାରେ ତାଙ୍କୁ କାମଧନ୍ଦା ମିଳୁନାହିଁ ନା ଅଧିକ ଦାଦନ ବଇନାରେ ସେମାନେ ଅଭ୍ୟସ୍ତ ? ଏହା ପଛରେ କୌଣସି ରାଜନୈତିକ ଚାଲ୍ ଅଛି କି ? ଅପରପକ୍ଷରେ ତାଙ୍କୁ କାମଧନ୍ଦା ଯୋଗାଇ ଦେବାରେ ସରପଞ୍ଚ , ବିଡିଓ , ଉପଜିଲ୍ଲାପାଳ ବା ଜିଲ୍ଲାପାଳମାନେ ବିଫଳ କି  ? ଜିଲ୍ଲାପାଳ ସେ ଗାଁ’କୁ ଯାଇ ସେମାନଙ୍କର ପ୍ରକୃତ ଅବସ୍ଥା ବୁଝି କି ପ୍ରତିକାର କରିଛନ୍ତି ? ଏପରି ତାମସା କରି ଉକ୍ତ ଗରିବ ଦାଦନଶ୍ରମିକ ଦମ୍ପତି ପ୍ରକୃତରେ ସରକାରଙ୍କ ଠାରୁ କ’ଣ ଚାହାଁନ୍ତି  ?

ସରକାର ଏଥର ଏହାର ଉତ୍ତର ଦିଅନ୍ତୁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Post