ସରକାରୀ ଚାଉଳ ହେରଫେରର ଅବୈଧ ମଧୁଚନ୍ଦ୍ରିକା
ମିଲର୍ସ + ଯୋଗାଣ ଅଧିଚାରୀ + ଗୋଦାମ କର୍ମଚାରୀ ସାମିଲ୍
ପାଟଣାଗଡ଼ : ବର୍ଷ ବର୍ଷ ଧରି ଚାଲିଛି ସରକାରୀ ଚାଉଳର ହେରାଫେରି । ଏଥିରେ ସାମିଲ୍ ରହୁଛନ୍ତି ଅସାଧୁ ମିଲର୍ସ + ଯୋଗାଣ ଅଧିକାରୀ + ଗୋଦାମ କର୍ମଚାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ବା କର୍ମଚାରୀ । ତଳୁ ଉପର ପର୍ଯ୍ୟନ୍ତ ଏଇ ଦୁର୍ନୀତିର ଚେର ଲମ୍ବିଛି । କେବଳ ଯୋଗାଣ ବିଭାଗ ନୁହେଁ , ଶିକ୍ଷା ବିଭାଗର ମଧ୍ୟାହ୍ନ ଭୋଜନ ଓ ଶିଶୁ ବିକାଶ ଯୋଜନା ଯାଏଁ ସବୁଠି ଏଇ ଅନିୟମିତତାର ରାକେଟ୍ ସକ୍ରିୟ । ସେହିପରି କେବଳ ବଲାଙ୍ଗୀର ଜିଲ୍ଲାରେ କାହିଁକି , ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଏଇ ଦୁର୍ନୀତି ଓ ଅନିୟମିତତାକୁ ବିଭାଗୀୟ ଉଚ୍ଚ ଅଧିକାରୀ , ପ୍ରଶାସନ ଓ ସରକାରଙ୍କ ସମେତ ନିର୍ବାଚିତ ଲୋକପ୍ରତିନିଧିଙ୍କର ଅବଗତିରେ ସବୁ ସରକାର ଅମଳରେ ଏହା ପରମ୍ପରାରେ ପରିଣତ ହୋଇଛି ।
ବଲାଙ୍ଗୀର ଜିଲ୍ଲାରେ ଏଇ ଦୁର୍ନୀତିର ଉଦାହରଣ ଦେଲେ , ଭାତହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଏହା ଜଣାପଡେ । ମିଲ୍ ରୁ ଓୟାର୍ ହାଉସ୍ ବା ଆର୍ ଆର୍ ସିରେ ଚାଉଳ ରିସିଭିଂଠାରୁ ପଞ୍ଚାୟତ , ସ୍କୁଲ୍ ବା ଅଙ୍ଗନବାଡି କେନ୍ଦ୍ରକୁ ଖାଦ୍ୟ ସୁରକ୍ଷା ଯୋଜନା , ମଧ୍ୟାହ୍ନ ଭୋଜନ ଯୋଜନା ବା ପୁଷ୍ଟିକର ଖାଦ୍ୟ ଯୋଜନାର ଚାଉଳ ଯୋଗାଣରେ ଖୋଦ୍ ଅନୁମୋଦିତ ମିଲ୍ , ଅଧିକୃତ ପରିବହନ କାରୀ , ଗୋଦାମର ଅଧିକାରୀ , ବିଭାଗୀୟ ଅଧିକାରୀମାନେ ଇ ଉପରିସ୍ଥ ଅଧିକାରୀ ବା ପ୍ରଶାସନ ବା ସରକାରଙ୍କ ସମ୍ପୂର୍ଣ୍ଣ ଜାଣତରେ ଏହି ଦୁର୍ନୀତିର ରାକେଟ୍ ଚଳାଇ ଆସୁଥିବା ଅଭିଯୋଗ କରାଯାଇଛି ।
ବଲାଙ୍ଗୀର ଜିଲ୍ଲାରେ ବଲାଙ୍ଗୀର , ମଲମୁଣ୍ଡା , ମାଧିଆପାଲି ( କେନ୍ଦ୍ରୀୟ ଗୋଦାମ ) ଓ ଟିଟିଲାଗଡରେ ଓୟାର୍ ହାଉସ୍ ଏବଂ ପାଟଣାଗଡର ଯୋଗୀମୁଣ୍ଡା , ଟିଟିଲାଗଡର ଚାରଭଟା ଓ କଣ୍ଟାବାଞ୍ଜିରେ ଆର୍ ଆର୍ ସି ବା ରାଇସ୍ ରିସିଭିଂ ସେଣ୍ଟର ରହିଛି । ଏଠାରେ ମଣ୍ଡିରୁ ଧାନକିଣି ଚାଉଳ ପ୍ରସ୍ତୁତ କରି ମିଲର୍ସ ଚାଉଳକୁ ଗୋଦାମକୁ ପଠାଇଥା’ନ୍ତି । ଏସବୁ ଗୋଦାମରେ ଉକ୍ତ ଚାଉଳର ଗୁଣାତ୍ମକ ମାନ ଆଦି ଯାଞ୍ଚ ପରେ ତାହାକୁ ପଞ୍ଚାୟତଆଦି ପଏଣ୍ଟ୍ କୁ ପଠାଯାଇଥାଏ । ଏଥିପାଇଁ ପ୍ରତି ଗୋଦାମରେ ସୁପରିଟେଣ୍ଡେଣ୍ଟଙ୍କ ସମେତ ଜଣେ ଜଣେ ପ୍ରୋକ୍ୟୁରମେଣ୍ଟ୍ ଇନିସପେକ୍ଟର ବା ପିଆଇ ଓ କ୍ବାଲିଟି ଆନାଲିଷ୍ଟ୍ ନିଯୁକ୍ତ କରାଯାଇଛି ।
ଏଠାକୁ ଜିଲ୍ଲାର ଚାଉଳକଳଗୁଡିକରୁ ଆସୁଥିବା ଚାଉଳ ବ୍ୟତୀତ ବଲାଙ୍ଗୀର ନିକଟସ୍ଥ ଓୟାର୍ ହାଉସ୍ କୁ ପଡୋଶୀ ବୌଦ୍ଧ , ସୋନପୁର ଆଦି ଜିଲ୍ଲାର ଚାଉଳକୁ ମଧ୍ୟ ଗ୍ରହଣ କରାଯାଉଛି । ବିଶେଷତଃ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଗୋଦାମରେ ଶ୍ରମିକ ଆନ୍ଦୋଳନ ଯୋଗୁଁ ଗତମାସରୁ ଏଠାରେ ଚାଉଳ ରଖାଯାଉଛି । ତେବେ ସେ ଯାହାହେଉନା କାହିଁକି , ଏଇ ଓୟାର୍ ହାଉସ୍ ବା ଆର ଆର ସି ରେ ଚାଉଳ ଗ୍ରହଣରେ ବହୁ ଗୁରୁତର ଅନିୟମିତତାର ଅଭିଯୋଗ ପ୍ରକାଶ ପାଇଛି । ଏହାସତ୍ତ୍ୱେ ବିଭାଗ ଓ ପ୍ରଶାସନ ପକ୍ଷରୁ ଏସବୁ ଅଭିଯୋଗକୁ ଚପାଇ ଦିଆଯାଇଥିବା ଜଣାପଡିଛି ।
କିଛିଦିନତଳେ ଯୋଗୀମୁଣ୍ଡା ଆର ଆର ସି ରୁ ଗଙ୍ଗାସାଗର ପଞ୍ଚାୟତକୁ ଆସିଥିବା ବିବର୍ଣ ଚାଉଳକୁ ଲୋକେ ନ ନେଇ ଫେରାଇ ଦେବାରୁ ଏହି ଘଟଣା ଗଣମାଧ୍ୟମରେ ଖବର ପ୍ରକାଶ ପାଇ ଲୋକଲୋଚନକୁ ଆସିଥିଲା । ପାଟଣାଗଡ ନିକଟସ୍ଥ ରାଣୀସର୍ଡା ରଶ୍ମୀ ରାଇସ୍ ମିଲ୍ ରୁ ଯୋଗୀମୁଣ୍ଡା ଆର ଆର ସିକୁ ଆସିଥିବା ଏଇ ଚାଉଳକୁ ପାଟଣାଗଡ ଏସ ସି ଏସ ଓ ଙ୍କ ତଦନ୍ତ ପରେ ଫେରାଇ ନିଆଯାଇଥିଲା । ସମ୍ପୃକ୍ତ ମିଲ୍ ମାଲିକ ୩୦ ବସ୍ତା ଏଭଳି ଅନୁପଯୁକ୍ତ ଚାଉଳ ମିଶାଇ ଦେଇଥିବା ପକ୍ଷାନ୍ତରେ ସ୍ବୀକାର ମଧ୍ୟ କରିଥିବା ପ୍ରକାଶ । ଏଥିରେ ଯୋଗୀମୁଣ୍ଡା ଆର ଆର ସି ର ପିଆଇ ତଥା କ୍ବାଲିଟି କଣ୍ଟ୍ରୋଲ୍ ଇନିସପେକ୍ଟର ସନ୍ତୋଷ ଆଗ୍ରାସିଂଙ୍କର ମିଲର ସହ ସଲାସୁତୁରାରେ ସମ୍ପୂର୍ଣ୍ଣ ସଂମ୍ପୃକ୍ତି ରହିଥିବା ଅଭିଯୋଗ ପ୍ରମାଣିତ ହୋଇଥିବା ପ୍ରକାଶ ପାଇଥିଲା । ତେବେ ଏହାକୁ ପାଟଣାଗଡ ଉପଜିଲ୍ଲାପାଳଙ୍କ ତଦନ୍ତରେ ଅଦ୍ୟାବଧି ଚପାଇ ଦିଆଯାଇଥିବା ଚର୍ଚ୍ଚା ହେଉଥିଲେ ହେଁ , ଉପଜିଲ୍ଲାପାଳଙ୍କ ନୀରବତା ରହସ୍ୟଜନକ ବୋଲି କୁହାଯାଉଛି ।
ଭିତିରିଆ ସୂତ୍ରରୁ ପ୍ରକାଶ ଯେ ପାଟଣାଗଡ ଏସ୍ ସି ଏସ୍ ଓଙ୍କ ଅଫିସ୍ ରୁ ଗଙ୍ଗାସାଗର ପଞ୍ଚାୟତକୁ ଏକ ଲେଖା କାଗଜ ଧରି ଜଣେ ଯୋଗାଣ ଅଧିକାରୀଙ୍କୁ ପଠାଯାଇ ତହିଁରେ ପଞ୍ଚାୟତର ଯୋଗାଣ ସହାୟକଙ୍କ ଠାରୁ ଚାଉଳବସ୍ତା ବର୍ଷାରେ ଭିଜିଯାଇଥିଲା ବୋଲି ସ୍ବାକ୍ଷର କରାଇ ଅଣାଯାଇଥିଲା ବୋଲି ଚର୍ଚ୍ଚା ହେଉଛି । ଏହା ପଚାରିବାରୁ ସମ୍ପୃକ୍ତ ପିଆଇ ସନ୍ତୋଷ ଆଗ୍ରା ସିଂ ଅଭିଯୋଗକୁ ଅସ୍ବୀକାର କରିବା ସହିତ ପଟାପଟି ପାଇଁ ଅପଚେଷ୍ଟା କରିଥିବା ପ୍ରକାଶ ।
ତାଙ୍କ ସମ୍ପର୍କରେ କୁହାଯାଇଛି ଯେ , ସେ କିଛିଦିନ ଧରି ଯୋଗୀମୁଣ୍ଡା ଆର ଆର ସି ରେ ରହି ଯାବତୀୟ କେଳେଙ୍କାରୀରେ ଜଡିତ ରହିଆସିଛନ୍ତି । ଏଠାରେ ମିଲ୍ ର ଚାଉଳର ଯାଞ୍ଚ କରା ନଯାଇ ସେଇ ଏଜେଣ୍ଟଙ୍କ ଗାଡିରେ ଆସି ଗୋଦାମକୁ ନିଆ ନଯାଇ ସେଇଗାଡିରେ ପଞ୍ଚାୟତକୁ ପଠାଯାଇଥାଏ । ଏହା କେବଳ ଏହି ଗୋଟିଏ ମିଲ୍ ବା ଗୋଟିଏ ଘଟଣା ନୁହେଁ , ପ୍ରାୟତଃ ସବୁବେଳେ ଅନ୍ୟାନ୍ୟ ମିଲ୍ ର ଚାଉଳକୁ ମଧ୍ୟ ଏପରି ହେରାଫେରି କରାଯାଉଥିବା ସହ ପ୍ରତି ଲଟ୍ ପିଛା ଧାର୍ଯ୍ୟ ବଟି ଓ ନିମ୍ନମାନରକ୍ବାଲିଟିର ଚାଉଳ ନିମନ୍ତେ ଅଧିକ ଉତ୍କୋଚ ନିଆଯାଇଥାଏ । ଏହା ଗାଡି ପିଛା ୧୦ ରୁ ୨୫ ହଜାର ବୋଲି ବିଶ୍ଵସ୍ତସୂତ୍ରରୁ ପ୍ରକାଶ । ତାଙ୍କର ମିଲର୍ସମାନଙ୍କ ସହିତ ଅସାଧୁ ସମ୍ପର୍କ ଯୋଗୁଁ ଏହି କେନ୍ଦ୍ରରେ ଏଭଳି ଦୁର୍ନୀତି ଜାରୀ ରହିଛି ।
ସୂଚନାଯୋଗ୍ୟ ଯେ , ଉକ୍ତ ପିଆଇଙ୍କର ପତ୍ନୀ ମାଧିଆପାଲି ସେଣ୍ଟ୍ରାଲ୍ ଓୟାର୍ ହାଉସ୍ ରେ ପିଆଇ ଥିବାରୁ ସେମାନେ ବଲାଙ୍ଗୀରରେ ରହୁଛନ୍ତି ଓ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀଙ୍କ ସହ ତାଙ୍କର ସୁସମ୍ପର୍କ ରହିଆସିଛି । ଏଣୁ ତାଙ୍କ ବିରୋଧରେ ହେଉଥିବା ସବୁ ଅଭିଯୋଗକୁ ବିଭାଗ ବା ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଇ ଆସୁଛି । ଏପରିକି ଏହି ପିଆଇ ଦମ୍ପତିଙ୍କ ଅନ୍ୟାୟ ଉପାର୍ଜନ ସମ୍ପର୍କରେ ହେଉଥିବା ଅଭିଯୋଗ ନିମନ୍ତେ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି ବୋଲି ଲୋକେ ଆଲୋଚନା କରୁଛନ୍ତି । ଉଲ୍ଲେଖନୀୟ ଯେ କିଛିଦିନ ତଳେ ଭିଜିଲାନ୍ସ ହାତରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡି ଗିରଫ ହୋଇଥିବା ପୂର୍ବତନ ସିସିଏସଓଙ୍କର ସେ ଡାହାଣହାତ ବୋଲି ଚର୍ଚ୍ଚାରୁ ପ୍ରକାଶ ।
ଏଭଳି ଚର୍ଚ୍ଚାର ଅଭିଯୋଗକୁ ଶ୍ରୀ ସିଂ ଅସ୍ବୀକାର କରନ୍ତି । ତେବେ ତାଙ୍କର ଏଭଳି କାର୍ଯ୍ୟକଳାପ ଗୋଦାମର କର୍ମଚାରୀଙ୍କ ଠାରୁ ଜିଲ୍ଲା ଅଫିସ୍ ର ଅଧିକାରୀଙ୍କ ପର୍ଯ୍ୟନ୍ତ ଅସନ୍ତୋଷ ରହିଥିବା ଜଣାଯାଇଛି । ତେଣୁ ଏସବୁ ଅଭିଯୋଗର ସଠିକ୍ ତଦନ୍ତ କରାଯାଇ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତୁରନ୍ତ ଏମାନଙ୍କୁ ଏଠାରୁ ବିଦା କରିଦିଆଯିବାକୁ ସରକାରଙ୍କୁ ଲୋକେ ଦାବି କରିଛନ୍ତି ।