ମାସ୍ ବାଇଓଫୁଏଲ୍ ର ଜନଶୁଣାଣିର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା ?
ତରଭା : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର ପାଣିମୁରା ଗ୍ରାମ ସ୍ଥିତ ମାସ୍ ବାଇଓଫୁଏଲ୍ ଇଥାନଲ୍ କାରଖାନାର ପ୍ରଶାସନ, ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କାରଖାନା ସହିତ ସ୍ଥାନୀୟ ଗ୍ରାମବାସୀମାନଙ୍କ ମିଳିତ ସମାବେଶରେ ‘ ଗତମାସ ୯ ତାରିଖର ଜନଶୁଣାଣିର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା ? ‘- ଏହା ଅନୁଷ୍ଠିତ ହେବାର ଏତେଦିନ ପରେ ବି ସ୍ଥାନୀୟ ଗ୍ରାମବାସୀମାନେ ବୁଝିପାରିନାହାଁନ୍ତି ! ମୁଖ୍ୟତଃ ଏହାର ଆୟୋଜନ କରିଥିବା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସରକାରଙ୍କୁ କି ରିପୋର୍ଟ ଦିଆଯାଇଛି , ଏହା ସ୍ପଷ୍ଟ ହୋଇପାରିନାହିଁ । ଏପରିକି ସ୍ଥାନୀୟ ଗଣମାଧ୍ୟମକୁ ଏ ସମ୍ପର୍କରେ ଅଦ୍ୟାପି ଅନ୍ଧାରରେ ରଖାଯିବା ସନ୍ଦେହ ସୃଷ୍ଟି କରିଛି ।
କାରଣ ଉକ୍ତଦିନ ଏହି ଜନଶୁଣାଣିକୁ ଡକାଯାଇଥିବା ଆଖପାଖ ଗ୍ରାମର ଲୋକେ ଗତ ୨ ବର୍ଷର କାରଖାନାର ବର୍ଜ୍ୟଜଳ, ଦୁର୍ଗନ୍ଧ , ପ୍ରଚଣ୍ଡ ଶବ୍ଦ, ଧୂଳିଧୂଆଁର ପ୍ରଦୂଷଣରେ ଅତିଷ୍ଠ ହୋଇ ପୂର୍ବରୁ ଏକାଧିକବାର କାରଖାନା ଉପରେ ଆକ୍ରମଣ ଓ କିଛିଦିନ ପୂର୍ବରୁ କାରଖାନାର ପ୍ରବେଶପଥକୁ ଖାଲ ଖୋଳି ଦେଇ ଅବରୋଧ କରିବା ସହ ଏହି କାରଖାନାଟି ସେମାନଙ୍କର କୌଣସି କାମରେ ନ ଆସି ଓଲଟି ଚରମ କ୍ଷତି କରୁଥିବାରୁ ‘ କାରଖାନାକୁ ବନ୍ଦ କରିଦେବାକୁ ‘ ଦାବି କରି ସ୍ଲୋଗାନ୍ ଦେଇଥିଲେ । ଲୋକଙ୍କର ଅଭିଯୋଗକୁ ସମାଧାନ କରିବାର ଆଳରେ ଦିଲ୍ଲୀର ଉକ୍ତ ଅଣଓଡିଆ କମ୍ପାନୀ କାରଖାନାର ଆହୁରି ସମ୍ପ୍ରସାରଣ କରିବାର ଉଦ୍ୟମ କରୁଥିବା ଓ ପୁଲିସ, ପ୍ରଶାସନ ଏଥିପାଇଁ କମ୍ପାନୀକୁ ସହାୟତା କରୁଥିବାର ଅଭିଯୋଗ ଶୁଣାଯାଇଥିଲା । ଉକ୍ତଦିନ ମାଲିକ ଅନୀଲ କାନୋଡିଆ କାରଖାନାକୁ ନ ଆସି ଆଖପାଖରେ ଲୁଚିରହି ଉପସ୍ଥିତ ଥିଲେ ହେଁ , ଉକ୍ତ ଜନଶୁଣାଣିକୁ ନ ଆସି କାରଖାନାର ମ୍ୟାନେଜର, ମୁଖିଆ ଓ ଅନ୍ଯାନ୍ଯ କର୍ମଚାରୀଙ୍କୁ ପଠାଇ ଦେଇଥିଲେ । ପ୍ଲାଣ୍ଟହେଡ୍ ଯୋଗେନ୍ଦ୍ର ତୋମର ସାମ୍ବାଦିକଙ୍କୁ ‘ଏଣିକି ଦେଶର ସର୍ବାଧୁନିକ ବୈଷୟିକ ଜ୍ଞାନକୌଶଳ ଅବଲମ୍ବନ କରାଯାଇ ପ୍ରଦୂଷଣର ସମାଧାନ କରାଯିବ ଇତ୍ୟାଦି ମିଛପ୍ରତିଶ୍ରୁତି ଦେଇ ଖସି ଯାଇଥିଲେ । ଉଲ୍ଲେଖଯୋଗ୍ଯ ଯେ ଅଦ୍ୟାବଧି ଏହାର ସମାଧାନ କରାଯାଇ ପାରିନାହିଁ । ପ୍ରବଳ ଜନଅସନ୍ତୋଷକୁ ଦବାଇବାକୁ ପ୍ରଶାସନ ପୁଲିସ ସହାୟତାରେ ଆୟୋଜନ କରିଥିବା ଦେଖାଯାଇଥିଲା । ଲୋକେ ( ବାଉନ୍ସର ଧରି ବୁଲୁଥିବା ) କାରଖାନାର ଏଚ୍ ଆର୍ ଥିବା ଜିଲ୍ଲାର ବାସିନ୍ଦା ପଣ୍ଡାଙ୍କୁ ଉତ୍ତ୍ଯକ୍ତ ହୋଇ ଖୋଜୁଥିବା ଓ କାରଖାନା ମାଲିକଙ୍କୁ ଲୋକଙ୍କୁ ପ୍ରତାରିତ କରି ହଇରାଣ କରି ଠକୁଥିବା ଏବଂ ବାରମ୍ବାର ଅଭିଯୋଗ ପ୍ରକାଶ ସତ୍ତ୍ବେ ସରକାର ଶୁଣୁ ନ ଥିବା ଇତ୍ୟାଦି ଚିତ୍କାର କରି କହୁଥିବା ଦେଖାଯାଇଥିଲା ।
ଗତ ୨ ବର୍ଷର ଅତିଷ୍ଠ ପ୍ରଦୂଷଣ ନା କାରଖାନା ସଂପ୍ରସାରଣ ?
ଏସବୁ ବ୍ୟତୀତ ଏହି କାରଖାନାର ଉତ୍ପାଦନ ଜାରି ରହିଥିବା ବେଳେ , ଏଠାରେ ମାଇଲ୍ ମାଇଲ୍ ବ୍ୟାପି ଦୁର୍ଗନ୍ଧରେ ଗ୍ରାମବାସୀ ଅତିଷ୍ଠ,ଦୂଷିତ ଜଳରେ ଚର୍ମରୋଗ ବ୍ୟାପିବା , ଶ୍ରମିକସୁରକ୍ଷାର ବିପନ୍ନ ( ଗତବର୍ଷ ଜଣେ ଶ୍ରମିକ ମେସିନରେ ପଡିଯାଇ ଖଣ୍ଡବିଖଣ୍ଡିତ ହୋଇ ମୃତ୍ୟୁବରଣ କରିବାରୁ ତାଙ୍କ ଗ୍ରାମର ଗ୍ରାମବାସୀଙ୍କ ଦ୍ବାରା କାରଖାନା ଭଙ୍ଗାରୁଜା ଘଟଣା ପରେ କାରଖାନା କର୍ତ୍ତୃପକ୍ଷ ବାଧ୍ଯ ହୋଇ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଥିଲେ ) , ଅଧିକୃତ ପ୍ରଜାଙ୍କ ଜମିର କ୍ଷତିପୂରଣ ଦେଉ ନଥିବା ଓ ଅନ୍ଯାନ୍ଯ ଅବ୍ୟବସ୍ଥାକୁ ବେଖାତିର୍ କରିଆସୁଥିବା ଅଭିଯୋଗ ହୋଇଆସୁଛି । ସ୍ଥାନୀୟ ବିଧାୟକ, ସରକାର , ପ୍ରଶାସନ, ଜିଲ୍ଲାପାଳ ଓ ପୁଲିସ ଲୋକଙ୍କୁ ନ୍ୟାୟ ନ ଦେଇ କମ୍ପାନୀର ହାତବାରିସୀ ସାଜି ହାତ ଚିକ୍କଣ କରୁଥିବା ଲୋକେ ଅଭିଯୋଗ ପ୍ରକାଶ କରୁଛନ୍ତି । କାରଣ ବର୍ଷ ବର୍ଷର ଏତେଦିନ ଧରି ଏଭଳି ପ୍ରଦୂଷଣ ବିରୁଦ୍ଧରେ ଚରମ ଜନଅସନ୍ତୋଷକୁ କେହି ଭ୍ରୂକ୍ଷେପ ନକରିବା ପଛର କାରଣ ଆଉ କ’ ଣ ହେଇପାରେ ? ଦୁଇଦିନ ତଳେ ମୁଖ୍ଯମନ୍ତ୍ରୀ ପ୍ରଦୂଷଣ ହେଉଥିଲେ , ସେଭଳି ଶିଳ୍ପାନୁଷ୍ଠାନକୁ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଘୋଷଣା କରିଛନ୍ତି । ତଥାପି ନବନିଯୁକ୍ତ ସୁବର୍ଣ୍ଣପୁର ଏସ୍ ପି ଓ ଜିଲ୍ଲାପାଳ ମଧ୍ଯ ଉପରୋକ୍ତ ଜନଅସନ୍ତୋଷ ପ୍ରତି ଉଦାସୀନ ରହୁଥିବା ଅଭିଯୋଗ ପ୍ରକାଶ ପାଇଛି ।

ଏଣୁ ପ୍ରଥମେ ଉପରୋକ୍ତ ଦୀର୍ଘଦିନର ସମସ୍ୟାର ସମାଧାନ ନେଇ.କରି ଯଦି କମ୍ପାନୀ ଆହୁରି କାରଖାନା ସମ୍ପ୍ରସାରଣ କରେ , ପରିଣତି ଆହୁରି ବିଗିଡିଯିବାର ଆଶଙ୍କାକୁ ଅସ୍ବୀକାର କରାଯାଇ ପାରିବ ନାହିଁ ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।