ବଲାଙ୍ଗୀରରେ ପୁଣି ଶିଶୁଚାଲାଣ !
ସେଇ ଭୀମଭୋଇ ହାସପାତାଳରୁ , ଟିଟିଲାଗଡ ଅଞ୍ଚଳର
ଛତିଶଗଡ ଦୁର୍ଗରୁ ଉଦ୍ଧାର କଲା ପୁଲିସ
ବଲାଙ୍ଗୀର : ରାଜ୍ୟରେ ଏ ଭିତରେ ଶିଶୁଚୋରି , ଶିଶୁବିକ୍ରି ଓ ଶିଶୁଚୋରାଚାଲାଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଭୁବନେଶ୍ଵରର ରାମମନ୍ଦିର ସମ୍ମୁଖରୁ ଜଣେ ଅନ୍ଧୁଣୀ ଭିକାରୁଣୀର କୋଳରୁ ଦେଢବର୍ଷର ପୁଅକୁ ଅପହରଣ ଓ ମୁଖ୍ଯମନ୍ତ୍ରୀଙ୍କ କଡାନିର୍ଦ୍ଦେଶରେ ପୁଲିସ ତତ୍ପର ହୋଇପଡି ତିନିଦିନ ମଧ୍ୟରେ ବାଲେଶ୍ବରରୁ ଉଦ୍ଧାର କରିବା ଘଟଣା ଲୋକମାନଙ୍କ ମନରୁ ନ ଲିଭୁଣୁ ପୁଣି ବଲାଙ୍ଗୀରର ସରକାରୀ ଡାକ୍ତରଖାନାରୁ ଦୁଇଦିନ ମଧ୍ଯରେ ଦୁଇଟି ସଦ୍ୟଜାତ ଶିଶୁବିକ୍ରି ବା ଶିଶୁଚାଲାଣ ଘଟଣା ଚାଞ୍ଚଲ୍ଯ ସୃଷ୍ଟି କରିଛି । ଅବଶ୍ଯ ଏହି ଦୁଇଟି ଶିଶୁ ( ଗୋଟିଏ ଶିଶୁପୁତ୍ର ଓ ଗୋଟିଏ ଶିଶୁକନ୍ୟା )ଙ୍କୁ ପୁଲିସ ଥାନାରେ ମାମଲା ଋଜୁ କରି ଉଦ୍ଧାର କରିଥିଲେ ହେଁ , ତଦନ୍ତର ଶେଷକୁ ପହଞ୍ଚି ପାରିନାହିଁ । ପୂର୍ବରୁ ଏଭଳି ମାମଲା ଟିଟିଲାଗଡ ଉପଖଣ୍ଡ ହାସପାତାଳର ମାତୃ ଓ ଶିଶୁ ଚିକିତ୍ସାଳୟ , ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ସୁନାମୁଦି ସ୍ବାସ୍ଥ୍ୟଉପକେନ୍ଦ୍ରରେ ଘଟିଥିଲା ବେଳେ, ଏବର ଦୁଇଟିଯାକ ମାମଲାର ଘଟଣାସ୍ଥଳ ବଲାଙ୍ଗୀର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ବନାମ ଭୀମଭୋଇ ମେଡିକାଲ କଲେଜ ହାସପାତାଳ । ଏଠାରେ ଗତ ୬ ତାରିଖରେ ଜନ୍ମିତ ଭର୍ତ୍ତି ହୋଇଥିବା ବଲାଙ୍ଗୀର ସହରର ମାଲପଡ଼ାରେ ରହୁଥିବା ଜନୈକା ବିଧବାଙ୍କ ଶିଶୁପୁତ୍ରଟିକୁ ଗତ ୮ ତାରିଖରେ ବିକ୍ରି ଏବଂ ଗତ ୯ ତାରିଖରେ ଜନ୍ମିତା ଟିଟିଲାଗଡ ଉପଖଣ୍ଡର ମୁରିବାହାଲ ବ୍ଲକର କର୍ଲା ଗ୍ରାମର ଗୋଟିଏ ଶିଶୁକନ୍ୟାକୁ ଛତିଶଗଡ ଦୁର୍ଗ ଅଞ୍ଚଳରୁ ଗତ ୧୦ ତାରିଖରେ ଉଦ୍ଧାର କରାଯିବା ଘଟଣା। ପ୍ରଥମ ମାମଲାରେ ବଲାଙ୍ଗୀର ଟାଉନ୍ ଥାନାରେ ଶିଶୁପୁତ୍ରଟିକୁ ଲୁଚାଇ ଟିଟିଲାଗଡ, ସଇଁତଳା- ଭଦ୍ରା ଓ କଳାହାଣ୍ଡିର ନର୍ଲାକୁ ନେଇଥିବା ଅଭିଯୋଗରେ ଜଣେ ପୁରୁଷ ସମେତ ଦୁଇଜଣ ମହିଳାଙ୍କ ବିରୋଧରେ ମାମଲା ଋଜୁ କରାଯାଇ ତଦନ୍ତ ଚାଲିଥିବା ପୁଲିସ କହୁଛି। ଦ୍ବିତୀୟ ଶିଶୁକନ୍ୟାର ଅପହରଣ ମାମଲାରେ ମୁରିବାହାଲ ଥାନାରେ ଏକ ମାମଲା ଋଜୁ ହୋଇ ବଲାଙ୍ଗୀରରେ ଜଣେ ସ୍ଥାନୀୟ ମଧ୍ୟସ୍ଥି ସମେତ ରାଜ୍ୟବାହାରର ଦୁର୍ଗର ଦୁଇଜଣ ମହିଳାଙ୍କୁ ଅଟକ ରଖାଯାଇ ତଦନ୍ତ ଚାଲିଥିବା ବଲାଙ୍ଗୀର ଏସ୍ ପି ଅଭିଳାଷ ଜି କହିଛନ୍ତି । ପୂର୍ବୋକ୍ତ ଶିଶୁପୁତ୍ରଟିକୁ ୭୦ ହଜାର ଟଙ୍କାର ଡିଲ୍ କରାଯାଇଥିବା ସିଡବ୍ଲୁସିର ଏତଲାକାରୀ ସଦସ୍ଯା ଉଲ୍ଲେଖ କରିଥିବା ଓ ୨୦ ହଜାର ଟଙ୍କା ବୋଲି ସେ ପହିଲେ କହୁଥିବା ବେଳେ , ଫୋନ୍ ପେ’ ଜରିଆରେ ଶିଶୁଟିର ମାଆକୁ ଅଗ୍ରୀମ ( ଥରେ ୧ ହଜାର ଓ ଥରେ ୪ ହଜାର ) ୫ ହଜାର ଟଙ୍କା ତାଙ୍କର ଜଣେ ତଥାକଥିତ ‘ ମାମୁଁ ‘ ଙ୍କ ମାର୍ଫତ୍ ରେ ପଇଠ କରାଯାଇଥିବା ପ୍ରକାଶ ପାଇଛି । ଅବଶ୍ଯ ଏହା ତାଙ୍କୁ ତାଙ୍କର ଔଷଧପତ୍ର ଖାଇବାକୁ ଶିଶୁପୁତ୍ରଟିକୁ ନେଇଥିବା ଲୋକେ ଦେଇଥିବା ଉକ୍ତ ଛୁଆର ମାଆ ସଫେଇ ଦେଇଛନ୍ତି । ଏଣୁ ଏହା ଏକ ଶିଶୁବିକ୍ରି କି ନୁହେଁ , ତଦନ୍ତସାପେକ୍ଷ !
ଭୀମଭୋଇ ହାସପାତାଳ ଉପରେ ଦଲାଲମାନଙ୍କର ଛଞ୍ଚାଣ ଦୃଷ୍ଟି
ଏ ସମ୍ପର୍କରେ ଅନୁସନ୍ଧାନରୁ ଜଣାଯାଇଛି ଯେ , ସଇଁତଳା ନିକଟସ୍ଥ ବରଗାଁ’ ଛକରେ ଏକ ସେଲୁନ୍ ଓ ଏକ ଛୋଟ ଫେନ୍ସିଷ୍ଟୋର୍ ଖୋଲିଥିବା ନିକଟସ୍ଥ ଭଦ୍ରା ଗ୍ରାମର ଅଭିଯୁକ୍ତ ଏକ ଦମ୍ପତ୍ତିଙ୍କର କେବଳ ତିନୋଟି ଝିଅ ଥିବାରୁ ସେମାନେ କୁଆଡେ ଏକ ପୁତ୍ର ଖୋଜୁଥିଲେ । ଏ ସମ୍ପର୍କରେ ଭଦ୍ରା ପଞ୍ଚାୟତର ଏସ୍ ଏଚ୍ ଜି ର ମିଶନଶକ୍ତିର ସି ଆର୍ ପି ଥିବା ଅଭିଯୁକ୍ତର ଉକ୍ତ ପତ୍ନୀ ବି ଥରେ ବଲାଙ୍ଗୀର ଜିଲ୍ଲା ଶିଶୁ କଲ୍ୟାଣ ୟୁନିଟ୍ କୁ ଯାଇ ବୁଝାବୁଝି କରି ଆସିଥିବା କହିଛନ୍ତି !
ତେଣୁ ଗତ ୬ ତାରିଖରେ ଉକ୍ତ ଅବୈଧ ଶିଶୁପୁତ୍ର ସହିତ ଭୀମଭୋଇ ହାସପାତାଳରେ ନିଜର ଅସୁସ୍ଥତା ନିମନ୍ତେ ପାଖାପାଖି ଭର୍ତ୍ତି ହେବାରୁ ପିଙ୍କି ଦାସଙ୍କ ଲୋକଲଜ୍ଜା ଓ ଅସହାୟତା ପ୍ରତି ସହାନୁଭୂତିଶୀଳ ହୋଇପଡି ଟିଟିଲାଗଡ ଅଞ୍ଚଳର ଗଏଲଭାଡି ଗ୍ରାମର ଶଗଡଘାଟରେ ସେଲୁନ ଦେଇଥିବା ଜଣେ ଯୁବକଙ୍କୁ ବିବାହ କରିଥିବା ବଡଭଉଣୀ ଏହି ମାମଲାର ଅନ୍ୟତମା ଅଭିଯୁକ୍ତା ଉକ୍ତ ଅଲୋଡା ଶିଶୁପୁତ୍ରଟିକୁ ଆଣି ତାଙ୍କୁ ଦେଇଥିଲେ ! କିନ୍ତୁ ସଦ୍ୟପ୍ରସସୂତ ଶିଶୁପୁତ୍ରଟିକୁ ସେକାସେକି କରିବାକୁ ସେମାନେ ସେମାନଙ୍କ ମାଆଘର କଳାହାଣ୍ଡି ଜିଲ୍ଲାର ନର୍ଲାକୁ ନେଇ ରଖାଇଥିବା ପ୍ରକାଶ କରିଛନ୍ତି । ନର୍ଲାର ଅଭିଯୁକ୍ତା ତାଙ୍କ ଭାଉଜ ଓ ତାଙ୍କ ବାପା ମଧ୍ଯ ଏହା ଦୋହରାଇଛନ୍ତି । ସେହିପରି ଟିଟିଲାଗଡ ହାଟପଦାପଡାର ଭଉଣୀଘରେ ଅସୁସ୍ଥତା ବାହାନାରେ ଲୁଚିଥିବା ଅଭିଯୁକ୍ତା ଓ ତାଙ୍କ ସ୍ବାମୀ ଏଥିରେ ଅନ୍ୟକୌଣସି କଥା ନାହିଁ ଓ ସେମାନେ ନିଜକୁ ନିର୍ଦୋଷ ବୋଲି କହିଛନ୍ତି । କିନ୍ତୁ ପୋଷ୍ୟସନ୍ତାନ ଗ୍ରହଣ ନିମନ୍ତେ ସରକାରଙ୍କ ଦ୍ବାରା ନିଃସନ୍ତାନ ଦମ୍ପତ୍ତିଙ୍କ ପାଇଁ ସୁବିଧା ରହିଥିବା ଓ ଏହା ଜାଣିଥିବା ସ୍ଥଳେ ସେମାନେ କାହିଁକି ଏକ ସରକାରୀ ହାସପାତାଳରୁ ଜାଣିଶୁଣି ଏଭଳି ବେଆଇନ୍ କାର୍ଯ୍ୟକଳାପ କଲେ ଓ ବଲାଙ୍ଗୀରରୁ ଭଦ୍ରା ବା ଟିଟିଲାଗଡ ଓ ସେଠାରୁ କଳାହାଣ୍ଡିର ନର୍ଲାକୁ ଶିଶୁପୁତ୍ରଟିକୁ ଚୋରାଚାଲାଣ କରିଥିଲେ , ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ।
ସଦ୍ୟତମ ଭୀମଭୋଇ ହାସପାତାଳରେ ଗତ ୯ ତାରିଖରେ ଜନ୍ମିତା ଚଲକି ପଞ୍ଚାୟତର କର୍ଲା ଗ୍ରାମର ଦାଦନଶ୍ରମିକ କଳାକାର ଭୋଇ ଓ ତାଙ୍କର ପତ୍ନୀଙ୍କ ଯାଆଁଳା ଦୁଇ ଝିଅଙ୍କ ମଧ୍ଯରୁ ଦୁର୍ଗରୁ ଯାଇ ପୁଲିସ ଉଦ୍ଧାର କରିଥିବା ଗୋଟିଏ ସଦ୍ୟପ୍ରସସୂତ ଶିଶୁକନ୍ୟା ମାମଲାରେ ଅଦ୍ୟାପି ପୁଲିସ ଏହା ଏକ ଶିଶୁବିକ୍ରି ବୋଲି ଜଣାପଡିନାହିଁ ବୋଲି କହୁଥିବା ବେଳେ ଶିଶୁର ପିତାମାତା ପାଳନପୋଷଣ କରି ନ ପାରିବାରୁ ସ୍ଵଇଚ୍ଛାରେ ଦେଇଛୁଁ ବୋଲି ଯେତେ ସଫେଇ ଦେଲେ ହେଁ , ଏହି ମାମଲାର ପାରିପାର୍ଶ୍ବିକ ଘଟଣାବଳୀ ଓ ସମ୍ପୃକ୍ତ ସନ୍ଦିଗ୍ଧ ଅଭିଯୁକ୍ତମାନଙ୍କ କାର୍ଯ୍ୟକଳାପରୁ ଏଥିରେ ଆନ୍ତଃରାଜ୍ୟ ଅବୈଧ ଶିଶୁ ଚୋରାଚାଲାଣ ଗନ୍ଧ ବାରି ହୋଇ ପଡୁଛି । ସିଡବ୍ଲୁସି ପକ୍ଷରୁ ମଧ୍ଯ ଏଥିରେ ଏଭଳି ରାକେଟ୍ ଜଡିତ ଥିବା ସନ୍ଦେହ ପ୍ରକାଶ ପାଇଛି ।

ଏ ସମ୍ପର୍କରେ ଲୋକଙ୍କ ଚର୍ଚ୍ଚା , ଅଭିଯୋଗ ଓ ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ , ଏହା ଅଙ୍ଗତସ୍କରୀ , ପୂର୍ବୋକ୍ତ ବିଦେଶକୁ ଅବୈଧ ଶିଶୁଚୋରାଚାଲାଣ ବା ଅବୈଧ ମାନବ ପରୀକ୍ଷଣ ଇତ୍ୟାଦିର ଏକ ଆନ୍ତଃରାଜ୍ୟ ବା ଆନ୍ତର୍ଜାତିକ ରାକେଟ୍ ର କାମ । ଏହାପଛରେ ଛଅଲକ୍ଷ ଟଙ୍କାର ଡିଲ୍ ହୋଇ ପଚାଶ ହଜାର ଦେବାକୁ ଯୋଜନା ହୋଇଛି ଏବଂ ଭୀମଭୋଇ ହାସପାତାଳ ଉପରେ ଏବେ ଏହି ଦଲାଲମାନଙ୍କର ଛଞ୍ଚାଣ ଦୃଷ୍ଟି ପଡିଛି ବୋଲି ଚର୍ଚ୍ଚା ହେଉଛି । ବାରମ୍ବାର ଘଟୁଥିବା ଏଭଳି ସମ୍ବେଦନଶୀଳ ଆପରାଧିକ ମାମଲାଗୁଡିକୁ ପୁଲିସ ହାଲୁକା ଭାବରେ ନେଉଛି ଓ ଏଭଳି କୌଣସି ମାମଲା ଓ ଅଭିଯୋଗର ତଦନ୍ତର ଶେଷକୁ ନ ଯାଇ ଅଧାପନ୍ତରିଆ ଛାଡି ଦେଉ ଥିବାରୁ ବାରମ୍ବାର ଏହା ଘଟିଚାଲିଛି ।
କାରଣ ଉପରୋକ୍ତ ପ୍ରଥମ ଶିଶୁପୁତ୍ର ବିକ୍ରି ମାମଲାରେ ଯେଉଁ ବ୍ୟକ୍ତିଙ୍କ ଫୋନ୍ ପେ ଆକାଉଣ୍ଟକୁ ୫ ହଜାର ଟଙ୍କା ପଠାଯାଇଥିଲା , ସେ ତଥାକଥିତ ‘ ମାମୁଁ’ଟି କିଏ ଓ ତାଙ୍କ ସାଙ୍ଗରେ ତା’ର ସମ୍ପର୍କ କ’ଣ / ଗଣମାଧ୍ୟମରେ ପ୍ରକାଶିତ ଅଭିଯୋଗ ଅନୁଯାୟୀ , ଶିଶୁପୁତ୍ରଟିର ପିତା କିଏ ? /ଅଭିଯୁକ୍ତମାନଙ୍କର ଏକାଧିକ ସନ୍ତାନ ଥିବା ସତ୍ତ୍ବେ ସେମାନେ ଏତେ ଛୁଆ ପାଳିବାକୁ ବ୍ୟାକୁଳ କିଆଁ ? / ଭଦ୍ରାର ଅଭିଯୁକ୍ତର ଆର୍ଟିକା କାର୍ ରେ ପ୍ରାୟତଃ ଛତିଶଗଡର ରାୟପୁରକୁ ଯିବାର ପ୍ରକୃତ ଉଦ୍ଦେଶ୍ୟ କ’ଣ ? ସେମାନେ ଦେଖାଉଥିବା ଭୀମଭୋଇ ହାସପାତାଳର ଆଡ୍ ମିଟ୍ ଓ ରିଲିଭ୍ ରସିଦ୍ ଗୁଡିକର ସତ୍ଯାସତ୍ଯ ଇତ୍ୟାଦି ସହ ଚର୍ଚ୍ଚା ଉଠିଥିବା ବା କିଛିଦିନ ପୂର୍ବର ଟିଟିଲାଗଡ ହାଟପଦାପଡାର ଓ ଏମ୍ ସି ଏଚ୍ ର ଛତିଶଗଡ ଆଡର ପଠାଣ ଦଲାଲ କିଏ ? ‘ ଆଦିକୁ ପୁଲିସ ତଦନ୍ତର ପରିସରଭୁକ୍ତ କରିଛି କି ?
ଦ୍ବିତୀୟବାର ଏହି ଉଦ୍ଧାର ଶିଶୁକନ୍ୟାଟିକୁ ତୁରେକେଲା ରଜାମରାର କେଉଁ ପରିଚିତ ଲୋକ ମଧ୍ୟସ୍ଥତା କରିଥିଲା , ଦେଓଗାଁ’ ଥାନାନ୍ତର୍ଗତ ସାରସମାଲ ପଞ୍ଚାୟତର ଚୋରମରା ଗ୍ରାମର ଯେଉଁ ବ୍ୟକ୍ତି ସଦ୍ୟପ୍ରସସୂତ ଶିଶୁକନ୍ୟାଟିକୁ ଏତେବଡ ଡହ ଡହ ଗ୍ରୀଷ୍ମଋତୁରେ ଛତିଶଗଡର ଦୁର୍ଗ ଯାଏଁ ନେଇଥିଲା , ତା’ର ଦେଇଥିବା ଦମ୍ପତ୍ତିଙ୍କ ସହ କି ସମ୍ପର୍କ ଓ ତା’କୁ ନୂଆପଡା ଜିଲ୍ଲାର କୋମନା ଅଞ୍ଚଳରୁ ପୁଲିସ ଠାବ କରି ଆଣିଛି ; ସର୍ବୋପରି ତା’ର ପ୍ରକୃତ ନାଁ’ ଟି କ’ଣ ? ଏ ସବୁର ତଦନ୍ତକାରୀ ପୁଲିସ ଭଲଭାବରେ ତଦନ୍ତ କରିଛି କି , ଏ ନେଇ ତ୍ରୁଟି ଓ ଦ୍ବନ୍ଦ ରହିଛି କି ? ( କାରଣ ଚୋରମରା ଗ୍ରାମରେ ଦେବେନ୍ଦ୍ର ବାଗ ନାମକ ଯେଉଁ ଜଣେ ମାତ୍ର ଯୁବକ ଅଛି , ସେ ଦଳିତ ଜାତିର ଭିନ୍ନକ୍ଷମ ଯୁବକ । ଚଲାବୁଲା କରିପାରେ ନାହିଁ ! ତେଣୁ ସେହି ଗ୍ରାମର ଯେଉଁ ସମ୍ପୃକ୍ତ ଯୁବକକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଥିବା ପ୍ରକାଶ ପାଇଛି , ତା’ର ନା’ ସୁରେନ୍ଦ୍ର ବାଗ ଓ ସେ ଗଉଡ ଜାତିର ବୋଲି ସାରସମାଲ ସରପଞ୍ଚଙ୍କ ସୂତ୍ରରୁ ପ୍ରକାଶ । ) ଅତଏବ , ଏହି ମାମଲାର ମୁଖ୍ଯ ମଧ୍ଯସ୍ଥିର ପ୍ରକୃତ ପରିଚୟ ସମ୍ପର୍କରେ ତଦନ୍ତକାରୀ ପୁଲିସ ପାଖରେ ସଠିକ୍ ସୂଚନା ନାହିଁ !
ଆହୁରି ମଧ୍ଯ , ଦୁର୍ଗରୁ ଆଣି ଅଟକ ରଖି ପୁଲିସ ପଚରାଉଚୁରା କରୁଥିବା ଦୁଇଜଣ ମହିଳାଙ୍କ ମଧ୍ଯରୁ ଯେଉଁ ସୋନୀ ସାଙ୍ଗିଆଧାରିଣୀ ମହିଳାଙ୍କର ପ୍ରକୃତ ସାଙ୍ଗିଆ ‘ ସୋନୀ ‘ ନୁହଁ, ‘ ସୁନା ‘ ଓ ସେ ସୁରେନ୍ଦ୍ରଙ୍କୁ ଭିଣୋଇ ମାନ୍ୟ କରୁଥିବା ବିଶ୍ବସ୍ତସୂତ୍ରରୁ ପ୍ରକାଶ । ଅବଶ୍ଯ ଏହା ସତ୍ଯ କି ନୁହେଁ , ପୁଲିସର ତଦନ୍ତ ସାପେକ୍ଷ !
ଉପରୋକ୍ତ କାରଣରୁ ଯଦି ଭୁବନେଶ୍ବରର ଅନ୍ଧୁଣୀର ଦେଢବର୍ଷର ଶିଶୁପୁତ୍ରକୁ ଅପହରଣ କରିନେବାର ପ୍ରକୃତ ଉଦ୍ଦେଶ୍ୟ ଅଭିଯୁକ୍ତାର ରୁଗ୍ଣ ପୁଅର କିଡନୀ ପ୍ରତିରୋପଣ ହୋଇଥାଏ , ତା’ହେଲେ ଏହିସବୁ ଶିଶୁଚାଲାଣ ମୂଳରେ ଅଙ୍ଗତସ୍କରୀ ରାକେଟ୍ ଥିବା ସନ୍ଦେହ ଅମୂଳକ ନୁହେଁ । କାରଣ କେବଳ ବଲାଙ୍ଗୀର ଜିଲ୍ଲାରେ ଘଟୁଥିବା ଏଭଳି ଘଟଣାରେ ଗରିବ , ଦାଦନପରିବାର , ଅବୈଧ ପରିତ୍ୟକ୍ତ ଶିଶୁଙ୍କୁ ଦଲାଲଙ୍କ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର ଲୋଭ ଦିଆଯାଇ ଚୋରାଚାଲାଣ ମାମଲାରେ ଟିଟିଲାଗଡରୁ ରାୟପୁରର ଏକାଧିକ ଲିଙ୍କ୍ ରହିଆସୁଛି । ଅନାଥ ଓ ଅଲୋଡା ଶିଶୁଙ୍କୁ ପୋଷ୍ୟସନ୍ତାନ ଭାବରେ ଗ୍ରହଣ କରିବାର ଆଳରେ ଏକା ପରି ଗପ କହି ଏଭଳି ଘଟଣାର ପ୍ରକୃତ ଦିଗକୁ ଗୁରୁତ୍ବ ନ ଦେବା ମସ୍ତବଡ ଭୁଲ୍ !
ଏବେ ମାନ୍ୟବର ସୁପ୍ରିମକୋର୍ଟ ସବୁରାଜ୍ୟରେ ଶିଶୁବିକ୍ରି ରୋକାଯିବାରେ ପଦକ୍ଷେପ ନେବାକୁ ସରକାରଙ୍କୁ ତାଗିଦ୍ କରିଛନ୍ତି । ଆମ ମୁଖ୍ଯମନ୍ତ୍ରୀ ମଧ୍ଯ ରାଜଧାନୀର ରାମମନ୍ଦିର ସମ୍ମୁଖର ଘଟଣାରେ ପ୍ରତ୍ୟେକ୍ଷ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଣୁ ବଲାଙ୍ଗୀରର ଏସବୁ ଗୁରୁତର ସନ୍ଦେହକୁ ପୁଲିସ ଉପଯୁକ୍ତ ତଦନ୍ତର ପରିସରଭୁକ୍ତ କରିବାକୁ ଲୋକେ ଦାବି କରୁଛନ୍ତି ।