କିଟ୍ ସାଇନ୍- ଏ – ଡାଏ
ଭୁବନେଶ୍ବର : ଓଡିଶାରେ ବିଶ୍ଵସ୍ତରୀୟ ଶିକ୍ଷାନୁଷ୍ଠାନ କରି ଅସୁମାରୀ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ସାଉଁଟିଲା ପରେ ଶିକ୍ଷାବେପାରୀ , ସ୍ବାସ୍ଥ୍ୟାନୁଷ୍ଠାନ ବ୍ୟବସାୟୀ ଓ ରାଜନେତା ଅଚ୍ୟୁତ ସାମନ୍ତଙ୍କ କିଟ୍ ରେ ଜଣେ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କରୁ ଜଣେ ନେପାଳୀ ବି-ଟେକ୍ ଛାତ୍ରୀଙ୍କ ତଥାକଥିତ ଆତ୍ମହତ୍ୟା ଓ ସେଥିପାଇଁ ଜଣେ ଛାତ୍ରଙ୍କୁ ପୁଲିସ୍ ଲଗାଇ ଗିରଫ ଘଟଣା ପରେ ଛାତ୍ରଛାତ୍ରୀଙ୍କ ଅବିଚାର ଅଭିଯୋଗରେ ଧାରଣା ଦିଆଯିବାରୁ ଭୟାତୁର ହୋଇ ପଡିଥିବା ୟୁନିଭରସିଟିରେ କର୍ତ୍ତୃପକ୍ଷ ଅକସ୍ମାତ୍ ସାଇନ୍ ଏ ଡାଏ ଘୋଷଣା କରି ନିହାତି ଅମାନୁଷିକ ଭାବେ ସହସ୍ରାଧିକ ରାଜ୍ୟ ବାହାରର ନେପାଳୀ ଛାତ୍ରଛାତ୍ରୀଙ୍କୁ ସିକ୍ୟୁରିଟି ଲଗାଇ ମାଡମାରି ତଡିଦେବା ଦୁର୍ବ୍ଯବହାର ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦ୍ ବେଗ ଓ ବୈଦେଶିକ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ ପରେ ଦେଶବ୍ଯାପି ତଥା ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ନିନ୍ଦା ପ୍ରକାଶ ପାଇଛି । ଏଥିରେ ଓଡିଶା ଓ ଦେଶ ବଦନାମ ହୋଇଥିବା ପ୍ରକାଶ । ସାମାଜିକ ଗଣମାଧ୍ୟମରେ ଏନେଇ କିଟ୍ ଓ ଏହାର ମୁଖ୍ୟ ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ ଲୋକେ ବିଷୋଦ୍ ଗାର କରୁଥିବା ଦେଖାଯାଇଛି ।
ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ବିଧାୟକଙ୍କ ଦାବି
ଉଲ୍ଲେଖନୀୟ ଯେ , ପ୍ରଥମେ ଏହି ଘରୋଇ ଶିକ୍ଷାନୁଷ୍ଠାନ ସ୍ଥାପନ ସକାଶେ ଜମି ଅଧିଗ୍ରହଣ ବେଳେ ଗୁରୁତର ଦୁର୍ନୀତିର ଅଭିଯୋଗ ଉଠିଥିଲା । ଏବେ ଦୁଇଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବସମ୍ପର୍କ ନିମନ୍ତେ ସମ୍ପୃକ୍ତ ଛାତ୍ରୀଙ୍କୁ ନିର୍ଯାତନା ସହିତ ତାଙ୍କର ଏଥିଯୋଗୁଁ ମୃତ୍ୟୁକୁ ଭିନ୍ନମୋଡ ଦିଆଯାଇଥିବାର ଅଭିଯୋଗ ସହ ପ୍ରକୃତ ଘଟଣାକୁ ଚପାଇ ଦିଆଯିବାର ଅଭିଯୋଗରେ ତଦନ୍ତ ସରିବା ଆଗରୁ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ବଳପୂର୍ବକ ଦବାଇ ଦିଆଯାଇ ହଠାତ୍ ସାଇନ ଏ ଡାଏ ଘୋଷଣା କରି ସିକ୍ୟୁରିଟି ଲଗାଇ ମାଡ ମାରି ଧମକ ଦିଆଯାଇ ନିହାତି ଅମାନୁଷିକ ଭାବେ କ୍ୟାମ୍ପସ୍ ରୁ ଅସମୟରେ ଅସୁରକ୍ଷିତ ଭାବରେ ତଡି ଦିଆଯାଇଥିଲା । ଅବସ୍ଥା ଅସମ୍ଭାଳ ହେବାରୁ ଏବେ ବାଧ୍ୟହୋଇ କର୍ତ୍ତୃପକ୍ଷ ସ୍ବର ବଦଳାଇ ସାଇନ ଏ ଡାଏ ପ୍ରତ୍ୟାହାର କରିନେଇଛନ୍ତି । ସବୁଠାରୁ ଗୁରୁତର ବିଷୟ ଯେ , ବିଶ୍ବବିଦ୍ୟାଳୟ ଛାତ୍ରୀ ହଷ୍ଟେଲର ଅଧିକାରିଣୀ ତଥା ଯୁଗ୍ମ ନିର୍ଦ୍ଦେଶିକା ଜୟନ୍ତୀ ନାଥ ଓ ଅନ୍ୟ ମହିଳାକର୍ମଚାରୀଙ୍କ ‘ କିଟ୍ ଛାଡି ପଳାଅ, ସମସ୍ତେ ମରିବ ‘ କ୍ରୋଧାନ୍ବିତ ଅପମାନଜନକ ଧମକ , ସିକ୍ୟୁରିଟି ଗାର୍ଡଙ୍କର ଛାତ୍ରଛାତ୍ରୀଙ୍କୁ ତଡିବା ବେଳର ମାଡମରା ଓ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦୟ ଉଦାସୀନତାର ଭିଡିଓ ଏବଂ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁଯାୟୀ , ଠେଲାପେଲା ବେଳେ କିଟ୍ ର ଫାଉଣ୍ଡର ଅଚ୍ୟୁତ ସାମନ୍ତ ତଳେ ପଡିଗଲେ ଓ ଧମକ ଦେଲେ ‘ ଦେଖ , ମୁଁ କ’ଣ କରିପାରେ ! ‘ ଏହାର କିଛିସମୟ ପରେ ଲାଠିଚାର୍ଜ ହେଲା ଓ ତାଙ୍କର ଗୁଣ୍ଡାମାନେ ଆସି ପିଟିଲେ ‘ ବୋଲି କିଟ୍ ର ଜଣେ ଛାତ୍ର ତାଙ୍କର ସମ୍ପର୍କୀୟଙ୍କୁ ଫୋନ୍ ରେ କହିଥିବା ଏହି କଥା ଭାଇରାଲ୍ ହୋଇ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି କରିଛି । ଯଦି ଏହା ସତ୍ୟ ହୋଇଥାଏ , ତା’ହେଲେ ତାଙ୍କ ପରି ଜଣେ ବିଶ୍ଵସ୍ତରୀୟ ତଥାକଥିତ ଶିକ୍ଷାବିତ୍ ଙ୍କ ପକ୍ଷରୁ ଏଭଳି ଆଚରଣ ବା ପ୍ରତିକ୍ରିୟା ଆଶା କରାଯାଇ ନପାରେ ! ଏହାକୁ ଏକ ବ୍ୟକ୍ତିଗତ ପ୍ରତିଶୋଧ ଭାବନା ବୋଲି ଅଭିହିତ କରାଯାଇପାରେ ! ଅବଶ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହାକୁ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବୋଲି ସଫେଇ ଦିଆଯିବା ସହ ଛାତ୍ରଛାତ୍ରୀଙ୍କୁ ଫେରିବାକୁ ନୋଟିସ୍ ଜାରି କରାଯାଇଛି । ଅଧିକନ୍ତୁ ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ବାହାର କରିଦିଆଯାଇଛି । ଏହି ଘଟଣାରେ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ଯବହାର ନିମନ୍ତେ ଲିଖିତ ଭାବେ କ୍ଷମା ମାଗିଛନ୍ତି କିଟ୍ କୁଳପତି ଶରଣଜିତ୍ ସିଂ । ଏହା ଗୋଇଠାମାରି ବିଷ୍ଣୁ କରିବା ପରି ଦୋଷସ୍ବୀକାର ହେଲାନି କି ? ଏଣୁ ଏଥିପାଇଁ ଭାରତୀୟ ନ୍ୟାୟ ସଂହିତା ବା ଦଣ୍ଡବିଧି ଆଇନରେ ହିଂସାତ୍ମକ ଗୁଣ୍ଡାଗିରି କରିଥିବା ଓ ଏହାକୁ ପ୍ରୋତ୍ସାହିତ କରିଥିବା ଅଭିଯୁକ୍ତଙ୍କ ପ୍ରତି କି ବ୍ୟବସ୍ଥା ରହିଛି ?

ଏହା ସହିତ ବିଶେଷତଃ ସାମାଜିକ ଗଣମାଧ୍ୟମରେ ଏହି ବିଶ୍ବବିଦ୍ୟାଳୟର ଅନ୍ତରାଳର ପ୍ରକୃତସ୍ବରୂପ , ଅନିୟମିତତା , ଅବ୍ୟବସ୍ଥା , ଅର୍ଥଖୋର୍ ମାନସିକତା ଓ ଅନ୍ୟାନ୍ୟ ବିଶୃଙ୍ଖଳା ସମ୍ପର୍କରେ ବହୁକଥା ଲୋକଲୋଚନକୁ ଆସିବାରେ ଲାଗିଛି । ଏପରିକି ବିଧାନସଭା ଗୃହରେ ସବୁଦଳର ବିଧାୟକମାନେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଥିବା ଓ ଆମ ‘ ଅତିଥି ଦେବୋ ଭବ ‘ ସଂସ୍କୃତିର ଉଲଙ୍ଘନ କରି ଏଭଳି ଆପରାଧିକ କାର୍ଯ୍ୟକଳାପ କରିଥିବାରୁ କିଟ୍ ର ମାଲିକ ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯିବାକୁ ଶାସକଦଳର ଭୁବନେଶ୍ବର ବିଧାୟକ ବାବୁ ସିଂ ଦାବି କରିଥିବା ଗଣମାଧ୍ୟମରେ ଖବର ଚର୍ଚ୍ଚାର ବିଷୟ ହୋଇଛି ।
ଉଲ୍ଲେଖନୀୟ ଯେ , ଏବେ ଶିକ୍ଷାବେପାର ଏକ ପ୍ରମୁଖ ଅନ୍ୟାୟୋପାର୍ଜନର ମାଧ୍ୟମ ପାଲଟିଛି । ପୁନଶ୍ଚ ଏହି ଆଳରେ ଅନେକେ ସଫେଦ୍ ପୋଶ୍ ବିଭିନ୍ନ ସମ୍ମାନ , ପୁରସ୍କାର ଓ ଉପାଧୀଆଦି କିଣି ମହାନତାର ମେଣ୍ଢାଛାଲ ଘୋଡେଇହେଇ ନିଜର ଗଧିଆମିକୁ ଲୁଚାଇବାରେ ସଫଳ ହେଉଛନ୍ତି । ଏହାକୁ ସୁରକ୍ଷା ଦେବାକୁ ରାଜନୀତିରେ ପଶି କ୍ଷମତାସୀନ ଦଳର ଲୋକପ୍ରତିନିଧି ହେଉଛନ୍ତି । ନାମମାତ୍ର ଗରିବ ଓ ଅନୁସୂଚିତ ବର୍ଗର ପିଲାଙ୍କୁ ମାଗଣା ପଢାଇବାର ଛଳନା ପ୍ରଦର୍ଶନ କରି ଦେଶବିଦେଶର ଛାତ୍ରଛାତ୍ରୀଙ୍କୁ ବହୁ ପ୍ରଲୋଭନ ଦେଇ ବିପୁଳ ଅର୍ଥ ଲୁଣ୍ଠନ କରିବା ହିଁ ସେମାନଙ୍କର ମୁଖ୍ୟଉଦ୍ଦେଶ୍ୟ ବୋଲି ତୀବ୍ର ସମାଲୋଚନା ପ୍ରକାଶ ପାଇଛି । ଏଣୁ ତୁରନ୍ତ କିଟ୍ ଏଭଳି ତଥାକଥିତ ଅନୁଷ୍ଠାନକୁ ନିଷିଦ୍ଧ କରିଦିଆଯିବାକୁ ମଧ୍ୟ ଜନମତ ପ୍ରକାଶ ପାଇଛି । ସମଗ୍ରଦେଶରେ ବା ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ କଳାହାଣ୍ଡିର ମହାଲିଙ୍ଗ୍ , ବଲାଙ୍ଗୀର ଜିଲ୍ଲାର ଉପମୁଖ୍ଯମନ୍ତ୍ରୀଙ୍କ ନିବାସ ଓ ନିର୍ବାଚନମଣ୍ଡଳୀ ପାଟଣାଗଡର ଧୂମାଭଟା , ବଲାଙ୍ଗୀର ସହରର ଉପକଣ୍ଠରେ ଥିବା ଅନ୍ୟ ଶିକ୍ଷାନୁଷ୍ଠାନ / ସ୍ବାସ୍ଥ୍ୟଶିକ୍ଷାନୁନୁଷ୍ଠାନ ଇତ୍ୟାଦି ଅନେକ ସ୍ଥାନରେ ଏଭଳି ଅନିୟମିତତା , ଆପରାଧିକ କାର୍ଯ୍ୟକଳାପ ଓ ଜାଲିଆତି ଆଦି ମଧ୍ୟ ଚାଲିଛି । ଅଭିଯୋଗ ସତ୍ତ୍ୱେ ତଦନ୍ତ ସୁଦ୍ଧା ହେଉନାହିଁ । ସରକାର ସବୁ ଜାଣି ନୀରବଦ୍ରଷ୍ଟା ପାଲଟିଛନ୍ତି ।
ସ୍ବାସ୍ଥ୍ୟକ୍ଷେତ୍ରରେ ମଧ୍ୟ ଏଭଳି ଉଚ୍ଚସ୍ତରୀୟ ଜାଲିଆତି , ପ୍ରହସନ ଓ ପ୍ରତାରଣା ଚାଲିଛି । ତାହାର ମଧ୍ୟ ତଦନ୍ତ ଜରୁରୀ ହୋଇପଡିଛି ବୋଲି ଜନମତରୁ ପ୍ରକାଶ । ଯଦିଓ ସମ୍ପୃକ୍ତ କର୍ତ୍ତୃପକ୍ଷ ଏଭଳି ଆରୋପ , ଅଭିଯୋଗକୁ ଅସ୍ବୀକାର କରନ୍ତି । ଶେଷଖବର ଅନୁଯାୟୀ , କିଟ୍ ମାମଲାରେ ୩ ଜଣ ନିର୍ଦ୍ଦେଶକ ଓ ୨ ସିକ୍ୟୁରିଟି କର୍ମଚାରୀଙ୍କୁ ମିଶାଇ ୫ ଜଣଙ୍କୁ ଗିରଫ କରିଛି ପୁଲିସ୍ ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।