ଅପରାଧ

ଶିଶୁବିକ୍ରିର କାରଣ  ଦାରିଦ୍ର୍ଯ ନା ପ୍ରଲୋଭନ  ?

Email :

ଭୁବନେଶ୍ବର  :   ଓଡିଶାରେ ବିଗତ ଦଶନ୍ଧି ଦଶନ୍ଧି ଧରି ଦାରିଦ୍ର୍ଯ ଯୋଗୁଁ  ଜନ୍ମଦାତ୍ରୀ ମାଆର ଶିଶୁବିକ୍ରି ଖବରରେ ରାଜ୍ୟ ଦୁର୍ନାମ ମୁଣ୍ଡେଇ ଆସୁଛି । ଗତ ୧୯୮୦ ଦଶକର କଳାହାଣ୍ଡି ଜିଲ୍ଲାର ଖଡିଆଳ ବ୍ଲକ୍ ର ବିରିପାଲି ଗ୍ରାମର ଫାନସ ପୁଞ୍ଜିର ନଣନ୍ଦ ହେଉ ବା  ୧୯୯୦ ଦଶକର ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ୍ ର ଭାଲୁମୁଣ୍ଡା ଗ୍ରାମର କୁମାରୀ ଭୁଏର ଝିଅ ଭୂମିସୂତା ହେଉ ଅଥବା ଚଳିତବର୍ଷ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସହରର ହାଟପଦାପଡାରେ କ୍ରମାଗତ ଭାବେ ପୂର୍ବବର୍ଷର ଦୁଇଟି ସଦ୍ୟଜାତ ଶିଶୁସନ୍ତାନଙ୍କ ସମେତ ଗତ ସେପ୍ଟେମ୍ବର ୨୬ ତାରିଖରେ ଟିଟିଲାଗଡ ଏମସିଏଚ୍ ରେ ରାଜ୍ୟ ବାହାରକୁ ଆନ୍ତଃରାଜ୍ୟ ଦଲାଲ୍ ଦ୍ବାରା ଅଢେଇଲକ୍ଷ ଟଙ୍କାରେ ବିକ୍ରି ଉଦ୍ୟମ ବେଳେ ଉଦ୍ଧାର କରାଯାଇଥିବା ଜନୈକା ଅସହାୟା ଆଦିବାସୀ ବିଧବାଙ୍କର ସଦ୍ୟଜାତ ଶିଶୁପୁତ୍ରର ଘଟଣା ହେଉ କିମ୍ବା ଏବେ ଚଳିତ ମାସର ବଲାଙ୍ଗୀର ଜିଲ୍ଲା ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପାଟଣାଗଡ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଲକ୍ ଲାଠୋର ନିକଟସ୍ଥ କରୁଆଁଝର ପଞ୍ଚାୟତର ସାନଗୁର୍ଜିଭଟାର ପାଲିପଡାର ଏକ ଦାଦନ ପରିବାରର ସଦ୍ୟଜାତ ଶିଶୁକନ୍ୟାକୁ ବିକ୍ରି ଅଭିଯୋଗର ଚର୍ଚ୍ଚା ହେଉ  ବା  ସଦ୍ୟତମ ଘଟଣା ଅନୁଯାୟୀ , ଆଜି ଖବରକାଗଜର ପ୍ରକାଶିତ ମୁଖପୃଷ୍ଠ ଖବରରେ ରାୟଗଡା ଜିଲ୍ଲାର  ଚାନ୍ଦିଲି ଥାନା ନୂଆପଡାବସ୍ତିର ଟ୍ରକ୍ ହେପର ରାହୁଲ ଧନବେଡା ଓ କୁମୁଦ ଗାଣ୍ଟାଙ୍କର  ରାୟଗଡା ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାରେ ଗତ ୩ ତାରିଖରେ ଜନ୍ମିତା ଦ୍ବିତୀୟାସନ୍ତାନ ୯ ଦିନର ଶିଶୁକନ୍ୟାଟିକୁ  ମଧ୍ୟସ୍ଥି ଜରିଆରେ ରାଜ୍ୟବାହାରେ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ମାନ୍ୟମ୍ ର ପେଦାପେଙ୍କି ଗ୍ରାମର କେ ରାଜଶେଖରଙ୍କୁ  ୨୦ ହଜାର ଟଙ୍କାରେ ବିକ୍ରି କରିଦେଇ ପୋଷ୍ୟସନ୍ତାନ ଭାବେ ଦେଇ ଦେଇ ଷ୍ଟାମ୍ପ ପେପରରେ ଲେଖିଦେଇଥିବାର ( ଯାହାକି ସମ୍ପୂର୍ଣ୍ଣ ଭାବରେ ବେଆଇନ୍ ) ନୋଟାରୀ କବଲା ଘଟଣା ହେଉ ; ଏ ସବୁର ପ୍ରକୃତ କାରଣ ଉହ୍ୟ ରହିଯାଉଛି ।

ଉପରୋକ୍ତ ଏସବୁ ସମ୍ବେଦନଶୀଳ ଘଟଣା ରାଜନୈତିକ ପ୍ରସଙ୍ଗ ପାଲଟିବା ବ୍ୟତୀତ ଏହା ପଛର ସତ୍ୟ କ’ଣ ଚପିଯାଉଛି ।  ପ୍ରକୃତରେ ଏହା ଦାରିଦ୍ର୍ଯ ଯୋଗୁଁ ନା ଏହାପଛରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଲୋକଙ୍କ ଚର୍ଚ୍ଚାନୁଯାୟୀ ବିଦେଶରେ ଅଙ୍ଗପ୍ରତ୍ୟେଙ୍ଗ ପ୍ରତିରୋପଣ , ଭାରତୀୟ ଜିନ୍ ର ଗବେଷଣା ବା  ଅନ୍ୟକିଛି , ଏହାର ଉଚ୍ଚସ୍ତରୀୟ ତଦନ୍ତ ସକାଶେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି ।  କାରଣ ପୋଷ୍ୟସନ୍ତାନ ଗ୍ରହଣ ଆଳରେ ଅଧିକନ୍ତୁ ଧନୀକ ବ୍ୟବସାୟୀଶ୍ରେଣୀୟ ବ୍ୟକ୍ତିମାନେ ଏଭଳି ସଦ୍ୟଜାତ ଶିଶୁଙ୍କୁ ଲକ୍ଷାଧିକ ଟଙ୍କାରେ କିଣି ନେଉଥିବା , ଏଥିରେ ବାହାର ରାଜ୍ୟର ଆନ୍ତଃରାଜ୍ୟ ଦଲାଲ୍ ଙ୍କର ସମ୍ପୃକ୍ତି ରହୁଥିବା ଓ ଜନ୍ମଦାତା ପିତା / ଗର୍ଭଧାରିଣୀ ଜନ୍ମଦାତ୍ରୀ ମାଆ ଲକ୍ଷାଧକ ଟଙ୍କାର ବିନିମୟରେ ସଦ୍ୟଜାତ କ୍ଷୀରଖିଆ ଛୁଆଟିକୁ ବିକି ଦେଉଥିବା ଏବଂ ସରକାରୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବାସ୍ଥ୍ୟକର୍ମୀ / ଆଶାକର୍ମୀମାନେ ବି ଲକ୍ଷାଧିକ ଟଙ୍କାର ଅନ୍ୟାୟୋପାର୍ଜନ କରୁଥିବାର ଚର୍ଚ୍ଚା ସହ ବଲାଙ୍ଗୀରର ଶିଶୁ ସୁରକ୍ଷା ୟୁନିଟ୍ ଓ ସିଡବ୍ଲୁସିର କେତେକ ସଦସ୍ୟାଙ୍କ ମଧ୍ୟରେ ପରସ୍ପର ବିବାଦ ସୃଷ୍ଟି ହୋଇ ଏଭଳି କେତେକ ଦରିଦ୍ର , ଅବାଞ୍ଛିତ ଓ ଅନାଥ ଶିଶୁଙ୍କର ଉଦ୍ଧାର ସହ ଏନଜିଓ ଦ୍ବାରା ପରିଚାଳିତ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଜରିଆରେ ମଧ୍ୟ ବିଦେଶକୁ ପଠାଯାଉଥିବା ଅନ୍ତରାଳରେ ଅଧିକାରିଣୀଙ୍କର ମିଲିଅନ୍ସ ଟଙ୍କାର ଅବୈଧ କାରବାର ହେଉଥିବା ଅଭିଯୋଗ ପଦାକୁ ଫୁଟି ବାହାରିବା ପରେ ଗଣମାଧ୍ୟମରେ ପ୍ରକାଶ ପାଇବା ସହ ଲୋକେ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିମନ୍ତେ ସରକାରଙ୍କ ଠାରେ ଦାବି କଲେଣି ।

ନିସନ୍ତାନଦମ୍ପତିଙ୍କ ପୋଷ୍ୟସନ୍ତାନ ଗ୍ରହଣ ନା ଅନ୍ୟକିଛି ?

ପ୍ରକାଶ ଯେ , ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ସାନଗୁର୍ଜିଭଟା ପଡାପାଲି ଗ୍ରାମକୁ ଗତକାଲି ସ୍ଥାନୀୟ ବିଧାୟକ ତଥା ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସେଠାର ଶିଶୁକନ୍ୟା ବିକ୍ରି ଅଭିଯୋଗର ପଚରାଉଚୁରା କରିଥିଲେ ।  ତାଙ୍କର ୧୦ ମ ଗର୍ଭର ୬ଷ୍ଠ ଜୀବିତା ସନ୍ତାନ ଏହି ଶିଶୁକନ୍ୟାଟିକୁ ସେ ପୂର୍ବରୁ ବରଗଡର ଜଣେ ସମ୍ପର୍କିୟଙ୍କୁ ଦାନ ଦେଇ ଦେଇଥିବା କଥା କହି ଭୁଲାଇ ଆସୁଥିଲେ ହେଁ , ଦାରିଦ୍ର୍ଯ ଯୋଗୁଁ ଜଣେ ସ୍ଥାନୀୟ ମଧ୍ୟସ୍ଥି ଓ ସୁନାମୁଦି ସ୍ବାସ୍ଥ୍ୟକର୍ମୀଙ୍କ ଜରିଆରେ ବାହାରର ଜଣେ ନିଃସନ୍ତାନ ମାରୁଆଡି ଦମ୍ପତିଙ୍କୁ ଦେଇଥିବା ସ୍ବୀକାର କରିଥିବା ଓ ଉକ୍ତ ସ୍ବାସ୍ଥ୍ୟକର୍ମୀ ମଧ୍ୟ ମାନିଥିବା ପ୍ରକାଶ ।  ଉପମୁଖ୍ଯମନ୍ତ୍ରୀ କହିଥିଲେ ଯେ , ଏ ସମ୍ପର୍କରେ ଛୁଆବିକ୍ରି ଓ ଅଙ୍ଗପ୍ରତ୍ୟେଙ୍ଗ ବିକ୍ରି ପରି ନାନାଦି ଚର୍ଚ୍ଚା ପ୍ରକାଶ ପାଉଥିବାରୁ ପାଟଣାଗଡ ପୁଲିସ୍ ଏସଡିପିଓ ଏବଂ ପାଟଣାଗଡ ଉପଜିଲ୍ଲାପାଳଙ୍କୁ  ଏହାର ସଠିକ୍ ତଦନ୍ତ ପୂର୍ବକ  ଆଜି ସନ୍ଧ୍ୟାସୁଦ୍ଧା କ୍ୟାମେରା ସମ୍ମୁଖରେ ୧୬୧ ଷ୍ଟେଟ୍ ମେଣ୍ଟ୍ ରେକର୍ଡ କରି ସରକାରଙ୍କୁ ପଠାଇବାକୁ କଡା ନିର୍ଦ୍ଦେଶ ଦେଇଥିବା ପ୍ରକାଶ । କେହି ଏହାକୁ ଚପାଇବାକୁ ଅପଚେଷ୍ଟା କଲେ , ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କହିଥିଲେ ।

ଅସମର୍ଥିତ ସୂତ୍ରରୁ ,ଏବେ ଶିଶୁକନ୍ୟାଟି ରାୟପୁରର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ରହିଥିବା ଓ ତା’ର ଅନ୍ତନଳୀରେ ସମସ୍ୟା ଥିବାରୁ ଅସ୍ତ୍ରୋପଚାର କରାଯାଇପାରେ ଓ ଏଥିପାଇଁ ଆହୁରି ମାସାଧିକକାଳ ସମୟ ଲାଗିବ ବୋଲି କୁହାଯାଇଛି । ବିଶ୍ବସ୍ତସୂତ୍ରରୁ ପ୍ରକାଶ ଯେ , ଶିଶୁକନ୍ୟାଟିକୁ ଲାଠୋରର ଜଣେ ଔଷଧଦୋକାନୀ କଳାହାଣ୍ଡି ଜିଲ୍ଲାର ମଦନପୁର- ରାମପୁରର ତାଙ୍କ ସମ୍ପର୍କୀୟଙ୍କୁ ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ଦିଆଯାଇଛି ।  ଏଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ ସାଢେ ୩ ଲକ୍ଷ ଟଙ୍କା ଦିଆଯାଇଥିବାର ଚର୍ଚ୍ଚା ହେଉଛି । ତେବେ ସେ ଏହାକୁ ଅସ୍ବୀକାର କରନ୍ତି ।

ଉପରୋକ୍ତ ଚର୍ଚ୍ଚା , ଅଭିଯୋଗ ଓ ବିବାଦ ଆଦି ଦୃଷ୍ଟିରୁ ଏହାପଛର ପ୍ରକୃତକାରଣ କେବଳ ଦାରିଦ୍ର୍ଯ ବା ନିଃସନ୍ତାନ ଦମ୍ପତିଙ୍କର ପୋଷ୍ୟ ସନ୍ତାନ ଗ୍ରହଣ ନୁହେଁ , ବରଂ ଆନ୍ତଃରାଜ୍ୟ ଦଲାଲ୍ ଙ୍କ ଜରିଆରେ କୌଣସି ଆନ୍ତର୍ଜାତୀୟ ଅବୈଧବେପାରର ରାକେଟ୍ ର ସମ୍ପୃକ୍ତିର ସନ୍ଦେହ ଦୃଢୀଭୂତ ହୋଇଛି । ସରକାର ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଲୋକେ କହୁଛନ୍ତି ।

Leave a Reply

Your email address will not be published. Required fields are marked *

Related Post