ଏଥର ସେଇ ଟିଟିଲାଗଡ ଲିଙ୍କ୍ !
ବଲାଙ୍ଗୀର : ଗତ ୮ ତାରିଖରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ସଦ୍ୟପ୍ରସସୂତ ଏକ ୩ ଦିନର ଶିଶୁପୁତ୍ରକୁ ୫ ହଜାର ଟଙ୍କାରେ ବିକ୍ରି କରି ଦିଆଯାଇଥିବା ଅଭିଯୋଗ ହୋଇଛି । ଘଟଣାଟି ଚର୍ଚ୍ଚିତ ହୋଇପଡିବା ପରେ ସମ୍ପୃକ୍ତ ଶିଶୁସୁରକ୍ଷା ସଂସ୍ଥା ଓ ପ୍ରଶାସନ ଦ୍ବାରା ଶିଶୁଟିକୁ ଉଦ୍ଧାର କରାଯାଇ ପୋଷ୍ୟସନ୍ତାନ କେନ୍ଦ୍ରରେ ରଖାଯାଇଛି । ତେବେ ଯେଉଁ ଗୁରୁତର ବିଷୟଟି ଏଥର ବିଧିବଦ୍ଧ ଭାବରେ ଉଠାଯାଇଛି , ତାହା ହେଉଛି ସି ଡବ୍ଲୁସର ଅଭିଯୋଗ ଏଥିରେ କୌଣସି ବଡ ରାକେଟ୍ ର ସମ୍ପୃକ୍ତି ସନ୍ଦେହ । ଏପରି ସନ୍ଦେହ ଆମେ ପୂର୍ବରୁ ଉଠାଇ ଆସୁଛୁ । କିନ୍ତୁ କେହି ଏଥିପ୍ରତି ଗୁରୁତ୍ବ ଦେଇ ନଥିଲେ ।
ପ୍ରକାଶ ଯେ , ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ନିକଟସ୍ଥ ବୈଦୁପାଲିରେ ବିବାହ କରିଥିବା ପୁଇଁତଳାର ଜନୈକା ଦିନମଜୁରିଆ ଶ୍ରେଣୀୟା ବିଧବା ଯୁବତୀ ପିଙ୍କି ଦାସ ବଲାଙ୍ଗୀର ସହରର ମାଲପଡ଼ାରେ ଏକ ଦୁଇବର୍ଷର ଝିଅ ଓ ନିଜ ବାପ ସହ ଭଡାଘରେ ରହି ପରଘରେ ପାଇଟିପତର କରି ପେଟ ପୋଷୁଥିଲା । ପ୍ରାୟ ଦୁଇବର୍ଷ ତଳେ ତା’ର ସ୍ବାମୀର ମୃତ୍ଯୁ ହୋଇ ଯାଇଥିଲା । ତେବେ ଗତ ୬ ତାରିଖରେ ତା’ର ଏକ ଶିଶୁପୁତ୍ର ଜନ୍ମ ହେବା ପରେ ଅସୁସ୍ଥ ହୋଇପଡିବାରୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଶିଶୁପୁତ୍ର ସହ ଭର୍ତ୍ତି ହୋଇଥିଲା । ଗତ ୮ ତାରିଖରେ ଡାକ୍ତରଖାନାରୁ ଭଡାଘରକୁ ବିନା ଶିଶୁସନ୍ତାନ ସହ ଯିବାରୁ ପ୍ରଘଟ ହୋଇ ଶିଶୁଟିକୁ କେଉଁଠି ବିକ୍ରି କରି ଦିଆଯାଇଥିବା ଚର୍ଚ୍ଚା ହୋଇଥିଲା । ଏହା ଗଣମାଧ୍ୟମରେ ପ୍ରକାଶ ପାଇବାରୁ ଶିଶୁ ସୁରକ୍ଷା ସମିତି , ଡି ଏସ୍ ଡବ୍ଲୁଓ , ଡିପିସିୟୁର ଅଧିକାରୀମାନେ , ପୁଲିସ ଓ ପ୍ରଶାସନ ପକ୍ଷରୁ ଯାଇ ଏହାର ତଦନ୍ତ କରିଥିଲେ ।

ତଦନ୍ତରୁ ଅବୈଧସନ୍ତାନର ମାଆଟି ଶିଶୁପୁତ୍ରଟିକୁ ୫ ହଜାର ଟଙ୍କାରେ ସଇଁତଳା ନିକଟସ୍ଥ ଭଦ୍ରା ଗ୍ରାମର ପିଙ୍କି ପଶାୟତ ନାମ୍ନୀ ଜଣେ ମହିଳା ମଧ୍ୟସ୍ଥି ଜରିଆରେ ଟିଟିଲାଗଡର ହାଟପଦାପଡାର ନିଃସନ୍ତାନ ଦମ୍ପତ୍ତି ପିଙ୍କିର ବଡଭଉଣୀ କୁନି ଓ ଭୋଳାନାଥ ପଶାୟତଙ୍କୁ ବିକ୍ରି କରି ଦେଇଥିବା ପ୍ରକାଶ। ଗତକାଲି ସେଠାରୁ ଶିଶୁଟିକୁ ପ୍ରଶାସନ ଉଦ୍ଧାର କରି ବଲାଙ୍ଗୀର ପ୍ୟାଲେସ ଲାଇନ୍ ପଡାରେ ଥିବା ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ର ‘ ସା ‘ ରେ ରଖିଥିବା ପ୍ରକାଶ । ତେବେ ଶିଶୁପୁତ୍ରଟିକୁ ୨୦ ହଜାର ଟଙ୍କାରେ ଡିଲ୍ କରି ବିକ୍ରି କରାଯାଇଥିବା ଓ ଏହାପଛରେ ଏକ ରାକେଟ୍ କାମ କରୁଥିବାର ସନ୍ଦେହ କରାଯାଉଥିବା ସିଡବ୍ଲୁସିର ଜନୈକା ସଦସ୍ୟା କହିଛନ୍ତି । ଏଣୁ ଏହାର ସବିଶେଷ ଅଧିକ ତଦନ୍ତ କରାଯିବ ବୋଲି ସି ଡବ୍ଲୁସିର ଅଧ୍ୟକ୍ଷ ଲମ୍ବୋଦର ଦୀପ ଏବଂ ତଦନ୍ତ କରିଥିବା ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ପବିତ୍ର ବେହେରା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତେବେ ଏହି ମାମଲାରେ ଅଦ୍ୟାପି କାହା ବିରୁଦ୍ଧରେ ଥାନାରେ ସିଡବ୍ଲୁସି ପକ୍ଷରୁ ଥାନାରେ କୌଣସି ମାମଲା ଋଜୁ କରାଯାଇ ନଥିବାରୁ କାହାରିକୁ ଗିରଫ କରାଯାଇ ନ ଥିବା ପ୍ରକାଶ।ଏଠାରେ ଉଲ୍ଲେଖଯୋଗ୍ଯ ଯେ , କିଛିବର୍ଷ ପୂର୍ବରୁ ଏହି ବଲାଙ୍ଗୀର ଜିଲ୍ଲାମୁଖ୍ଯ ଚିକିତ୍ସାଳୟରେ ଏକ ଶିଶୁବିକ୍ରି ଘଟଣା ଘଟିଥିବା ସହ କିଛିଦିନ ତଳେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଓ ପାଟଣାଗଡ ଉପଖଣ୍ଡରେ ଏପରି ଘଟଣା ଘଟିଥିଲା ।

ଟିଟିଲାଗଡ ହାଟପଦାପଡାରେ ରହି ଚାକରାଣୀ କାମ କରୁଥିବା ସଇଁତଳା ଅଞ୍ଚଳର ଜଣେ ବିଧବାମହିଳା ସ୍ଥାନୀୟ ଆଶାକର୍ମୀଙ୍କ ଜରିଆରେ ଟିଟିଲାଗଡ ଉପଖଣ୍ଡ ସରକାରୀ ହାସପାତାଳର ମାତୃ ଓ ଶିଶୁ ଯତ୍ନ ବିଭାଗରେ ଭର୍ତ୍ତି ହୋଇ ଏକ ଶିଶୁକନ୍ୟାକୁ ପ୍ରସବ କରିଥିଲେ । ସେଠାରେ ଛତିଶଗଡ ଆଡର ଏକ ଦଲାଲ ଆସି ଅଢେଇ ଲକ୍ଷ ଟଙ୍କାରେ ଶିଶୁପୁତ୍ରଟିକୁ କିଣି ନେଉଥିବା ବେଳେ ମୂଲଚାଲ କରାଯାଉଥିବାର ହାସପାତାଳ କର୍ତ୍ତୃପକ୍ଷଙ୍କ ଠାରୁ ମସୁଧାର ସୂଚନା ପାଇ ଟିଟିଲାଗଡ ଥାନାପୁଲିସ୍ ସହାୟତାରେ ଚାଇଲ୍ଡ ଲାଇନ ଦ୍ବାରା ଉଦ୍ଧାର କରାଯାଇଥିଲା ଓ ସେହି ଶିଶୁକନ୍ୟାଟି ସିଡବ୍ଲୁସି ଜରିଆରେ ‘ ସା ‘ ରେ ରହିଛି । ପୁଅ ପାଇଁ ଅଢେଇ ଲକ୍ଷ ଦାମ୍ ରେ ବିକ୍ରି ହେଉଥିବା ସେତେବେଳେ ଡିପିସିୟୁ ଜାଣିବାକୁ ପାଇଥିବା ପ୍ରକାଶ କରିଥିଲେ । ତେବେ ପ୍ରଥମେ ଟିଟିଲାଗଡ ଥାନା ପୁଲିସ ଏ ମାମଲା ଋଜୁ କରି ନଥିଲା ଓ ପରେ ଘନଘନ ଗଣମାଧ୍ୟମରେ ଖବର ପ୍ରକାଶ ପାଇ ଚାପ ସୃଷ୍ଟି ହେବାରୁ ଡିସିପିୟୁଙ୍କ ଏତଲାକ୍ରମେ ବିଳମ୍ବରେ ଏକ ମାମଲା ଋଜୁ କରାଯାଇ ଥିଲେ ହେଁ , ଏ ସମ୍ପର୍କରେ ଟିଟିଲାଗଡ ଉପଜିଲ୍ଲାପାଳ , ବିଧାୟକ ଓ ଏସ୍ ଡିପିଓଙ୍କ ଦୃଷ୍ଟିକୁ ଅଣାଯାଇଥିବା ଏହି ବିଷୟଟି ବହୁଳଚର୍ଚ୍ଚା ହୋଇଥିବା ସତ୍ତ୍ବେ ଉପରୋକ୍ତ ଛତିଶଗଡୀ ଦଲାଲ ବା ବଲାଙ୍ଗୀର ନିଆଯାଇ ଥିଲେ ହେଁ, ଉକ୍ତ ସନ୍ଦିଗ୍ଧା ଆଶାକର୍ମୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଇ ନଥିଲା , ଆଶ୍ଚର୍ଯ୍ୟଜନକ !
ବାରମ୍ବାର ଏପରି ଶିଶୁବିକ୍ରି ପଛରେ କୌଣସି ରାକେଟ୍ ର ହାତ !
ଏହାର ପୂର୍ବବର୍ଷ ମଧ୍ଯ ସେହି ଟିଟିଲାଗଡ ହାଟପଦାପଡାର ଏକ ଶିଶୁବିକ୍ରି ଘଟଣାରେ ମାଆର ଅଭିଯୋଗରେ ବାପକୁ ଟିଟିଲାଗଡ ପୁଲିସ ଗିରଫ କରିଥିବା ପ୍ରକାଶ ।ଏମ୍ ସି ଏଚ୍ ଓ ଖପ୍ରାଖୋଲର ସୁନାମୁଦି ଉପସ୍ବାସ୍ଥ୍ୟ କେନ୍ଦ୍ରରେ ହୋଇଥିବା ଶିଶୁବିକ୍ରି ଘଟଣାରେ ଉପମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ଲାଠୋର ଥାନାରେ ଏକ ମାମଲା ଋଜୁ କରାଯାଇ ଉକ୍ତ ଉପସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ଓ ଲାଠୋର ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖସ୍ଥ ଜଣେ ମାରୱାଡି ଔଷଧଦୋକାନୀ ଦଲାଲ ସମେତ ପଡୋଶୀ କଳାହାଣ୍ଡିର ମଦନପୁର-ରାମପୁରର ଜଣେ ମାରୁଆଡି ବ୍ୟବସାୟୀକୁ ଗିରଫ କରାଯାଇ ଛତିଶଗଡ ରାୟପୁରରୁ ଏକ ଶିଶୁକନ୍ୟାକୁ ପୁଲିସ ଉଦ୍ଧାର କରିଆଣି ସିଡବ୍ଲୁସିର ସହାୟତାରେ ପ୍ରଶାସନ ଏହି ‘ ସା ‘ କେନ୍ଦ୍ରରେ ରଖି ଶିଶୁଟିର ବାପମାଆଙ୍କୁ ହସ୍ତାନ୍ତର କରିଥିଲା । ପରେ ଉକ୍ତ ବାପମାଆ ପୁଣି ଶିଶୁଟିକୁ ପ୍ରଶାସନକୁ ଫେରାଇ ଦେଇଥିଲେ । ଏବେ ଏହି ଶିଶୁକନ୍ୟାର ଅବସ୍ଥିତି ସମ୍ପର୍କରେ ଜଣାଯାଇନାହିଁ । ଏହାର କିଛିଦିନ ପୂର୍ବରୁ ଲାଠୋର ବଜାରରୁ କୋମନା ଥାନା ଅଞ୍ଚଳର ଏକ ୫ ବର୍ଷର ଶିଶୁକୁ ଅପହରଣ ପରେ ପୁଲିସ ଶିଶୁଟିକୁ ହାଇଦ୍ରାବାଦରୁ ଉଦ୍ଧାର କରିଥିବା ଖବର ଚର୍ଚ୍ଚିତ ହୋଇଥିଲା ।
ଏଣୁ ବଲାଙ୍ଗୀର ଜିଲ୍ଲାରେ ବାରମ୍ବାର ଏପରି ଶିଶୁବିକ୍ରି ପଛରେ କୌଣସି ରାକେଟ୍ ର ହାତ ରହିଥିବା ସନ୍ଦେହକୁ ଅସ୍ବୀକାର କରାଯାଇ ନ ପାରେ ! ଉପରୋକ୍ତ ଘଟଣାଗୁଡ଼ିକର ସେଇ ଟିଟିଲାଗଡ ହାଟପଦାପଡାର ଲିଙ୍କ୍ ରହିଥିବା ଓ ପ୍ରାୟତଃ ଅଧିକାଂଶ ଶିଶୁବିକ୍ରିର ଘଟଣାସ୍ଥଳ ସରକାରୀ ହାସପାତାଳ ବା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ହୋଇଥିବା ସହ ଏଥିରେ ଆଶାକର୍ମୀ , ସ୍ବାସ୍ଥ୍ୟକର୍ମୀଙ୍କର ସମ୍ପୃକ୍ତି ରହୁଥିବାରୁ ଏହି କୁହାଯାଉଥିବା ତଥାକଥିତ ଆନ୍ତଃରାଜ୍ୟ ବା ଆନ୍ତର୍ଜାତିକ ଶିଶୁବିକ୍ରି ରାକେଟ୍ ଏହି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକୁ ଟାର୍ଗେଟ୍ କରୁଥିବା ସନ୍ଦେହ ଅଧିକ ।
ଉଲ୍ଲେଖଯୋଗ୍ଯ ଯେ , ବଲାଙ୍ଗୀରରେ ରହିଥିବା ଡିପିସିୟୁ ଓ ସିଡବ୍ଲୁସିର କେତେକ ଅଧିକାରିଣୀ ଓ ସଦସ୍ଯାଙ୍କ ମଧ୍ଯରେ ତାଳମେଳ ରହୁନାହିଁ । .ଏସବୁ ବିଷୟଗୁଡ଼ିକ ସଚେତନତା ଅଭାବରୁ ବାରମ୍ବାର ଘଟିଚାଲିଛି । ଅଥଚ ସଚେତନତା ସୃଷ୍ଟି ଇତ୍ୟାଦି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ଦର୍ଶାଯାଉଛି । ଏହି ଦୁଇ ସଂସ୍ଥାର ଅଧିକାରିଣୀ , କାର୍ଯ୍ଯକର୍ତ୍ତାଙ୍କ ଯୋଗ୍ଯତା , କାର୍ଯ୍ୟକଳାପ , ପାରଙ୍ଗମପଣିଆ ଓ କାର୍ଯ୍ୟକାଳ କେତେ , ସରକାରଙ୍କ ପକ୍ଷରୁ ସମୀକ୍ଷା ସାପେକ୍ଷ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା , ଗତବର୍ଷ ଏଭଳି ଶିଶୁବିକ୍ରି ଚର୍ଚ୍ଚା ସମୟରେ ସିଡବ୍ଲୁସିର ଜନୈକା ଆଇନଜିବୀ ସଦସ୍ଯା ଏକ ଗୁରୁତର ଅଭିଯୋଗ ଉଠାଇଥିଲେ ଯେ , ଅବୈଧଭାବରେ ବିଦେଶକୁ ପୋଷ୍ୟସନ୍ତାନ ପଠାଯାଇ ପ୍ରଚୁର ଅର୍ଥ ଉପାର୍ଜନ କରାଯାଉଛି ଓ ୫୦ ରୁ ଉର୍ଦ୍ଧ୍ବ ଶିଶୁ ନିଖୋଜ ଅଛନ୍ତି ଏବଂ ଏଥିରେ ଡିପିସିୟୁର ଜଣେ ଅଧିକାରିଣୀ ସମ୍ପୃକ୍ତ ବୋଲି ବାରାନ୍ତରେ ତାଙ୍କର ଜଣେ ବନ୍ଧୁଙ୍କୁ ବିଶ୍ବାସରେ କହିଥିଲେ ।
ଏ ସମ୍ପର୍କରେ ସମ୍ପୃକ୍ତ ଅଧିକାରିଣୀଙ୍କୁ ପଚରାଯିବାରୁ ସେ ପ୍ରଚଣ୍ଡ ପ୍ରତିକ୍ରିୟାଶୀଳ ହୋଇପଡିଥିଲେ । ଅପରପକ୍ଷରେ ଏହିକଥା କହିଥିବା ସଦସ୍ଯା ଜଣକ ମଧ୍ଯ ବିଚଳିତ ହୋଇପଡିଥିଲେ । ପୁନଶ୍ଚ ଖପ୍ରାଖୋଲ ଶିଶୁକନ୍ୟା ବିକ୍ରି ପ୍ରସଙ୍ଗରେ ସୁନାମୁଦି ଗ୍ରାମକୁ ଯାଇ ଘଟଣାର ଅନୁଧ୍ୟାନ କଲାବେଳେ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ଯ ଗଣମାଧ୍ୟମରେ ଉଠିଥିବା ଏପରି ଆନ୍ତର୍ଜାତିକ ଶିଶୁବିକ୍ରି ସନ୍ଦେହରେ ଉଦ୍ ବେଗ ପ୍ରକାଶ କରି ପୁଲିସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏଣୁ ଏଭଳି ଗୁରୁତର ଆରୋପର ଏକ ସିବିଆଇ ତଦନ୍ତ ଆବଶ୍ୟକ ବୋଲି ଲୋକେ ମତବ୍ୟକ୍ତ କରିଛନ୍ତି ।
ଶେଷୋକ୍ତ ଅନୁସନ୍ଧାନରୁ ପ୍ରକାଶ ଯେ , ଭଦ୍ରାର ଉକ୍ତ ମଧ୍ୟସ୍ଥିମହିଳା ଜଣକ ତାଙ୍କ ଅଞ୍ଚଳର ଗ୍ରାମାଞ୍ଚଳର ମହିଳାମାନଙ୍କ ପାଇଁ ବ୍ୟାଙ୍କ ବା ବିଭିନ୍ନ କାମଦାମରେ ସ୍ବେଚ୍ଛାସେବୀ ମଧ୍ୟସ୍ଥି ଭାବରେ ସାହାଯ୍ଯ ଇତ୍ୟାଦି କରିଥା’ନ୍ତି । ତାଙ୍କ ସ୍ବାମୀ ନିକଟସ୍ଥ ବରଗାଁ ଛକରେ ଏକ ସେଲୁନ୍ ଦେବା ସହିତ ଗୋଟିଏ ଆର୍ଟିକା କାର୍ ରଖି ଭଡା ଦିଅନ୍ତି । ତାଙ୍କର ୩ ଟି ଝିଅ ଅଛନ୍ତି । ତାଙ୍କର ବଡଭଉଣୀ ଟିଟିଲାଗଡ ହାଟପଦାପଡାରେ ରହନ୍ତି ଓ ସେମାନେ କୁଆଡେ ନିଃସନ୍ତାନ । ତେବେ ଏହି ବିକ୍ରି ଶିଶୁପୁତ୍ରଟିକୁ ପ୍ରକୃତରେ ଟିଟିଲାଗଡ ହାଟପଦାପଡା ନା ଭଦ୍ରାରୁ ଉଦ୍ଧାର କରାଗଲା ଓ ଆଉ କେଉଁମାନେ ଏଥିରେ ସମ୍ପୃକ୍ତ ଏବଂ କାହିଁକି ଏହାକୁ ଲୁଚାଯାଉଛି , ଅସ୍ପଷ୍ଟ ରହିଛି ।
ସର୍ବୋପରି ଏହା ପଛରେ ଯଦି କୌଣସି ବଡ ରାକେଟ୍ ର ସମ୍ପୃକ୍ତି ଥାଏ , ସାଂଘାତିକ୍ !